Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bismita Sahoo

Tragedy Others

5.0  

Bismita Sahoo

Tragedy Others

ଝରାଶେଫାଳି

ଝରାଶେଫାଳି

5 mins
580


ପ୍ରେମର ସ୍ମାରକୀ ତାଜମହଲ। ଏହାର ଦୁଗ୍ଧ ଫେନୀଳ ରଙ୍ଗ ଆକୃଷ୍ଟ କରେ ଅଜସ୍ର ମନକୁ। ଯେଉଁ ତାଜମହଲ ଯୁଗ ଯୁଗରୁ ନିଜ ହୃଦୟରେ ପ୍ରେମର ଗାଥାକୁ ବହନ କରୁଛି ତାକୁ ଥରେ ଦେଖିଦେଲେ ହୃଦୟର ତନ୍ତ୍ରୀଗୁଡ଼ିକ ଥରି ଉଠୁଥିବ ନିଶ୍ଚିନ୍ତ। ଯେତେବଡ଼ ନିଷ୍ଠୁର ହୃଦୟ ହେଉନା କାହିଁକି ତା ହୃଦୟରେ ପ୍ରେମ ହେଉଥିବ ପ୍ଲାବିତ। ଏହି ପ୍ରେମର ଜୁଆରରେ ଭାସି ଉଠିବାକୁ ଶେଫାଳିର ମନ ସଦାବେଳେ ଛଟପଟ ହୁଏ। ଏକ ଅଦୃଶ୍ୟ ଶକ୍ତି ତାକୁ ଯେମିତି ନିତିଦିନ ଟାଣିନିଏ ତାଜମହଲ ପାଖକୁ। ଛୋଟବେଳୁ ଆଜିଯାଏ ସ୍ୱପ୍ନରେ ସେ ଦେଖେ ତାଜମହଲକୁ। ସତେଯେମିତି ତାଜମହଲ ତାକୁ ହାତଠାରି ଡାକେ ତା ପ୍ରେମରେ ଉଦବୁଦ୍ଧ କରିବା ପାଇଁ। 


    ଶେଫାଳିର ଜନ୍ମ ନୟାଗଡ଼ ଜିଲ୍ଲାର ଏକ ଅଖ୍ୟାତ ଗ୍ରାମରେ। ରୂପ ଓ ଗୁଣରେ ତା ସରି ହେଲାପରି ପାଖଆଖରେ କେହି ନାହାନ୍ତି। ବାପା ତ୍ରିଲୋଚନ ଦାଶ ଏବେ ଦୁଇ ମାସ ହେବ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଅନେକ ଡେରିରେ ମା ସୁପ୍ରଭାଙ୍କ କୋଳ ମଣ୍ଡନ କରିଥିଲା ସେ। ଏକମାତ୍ର ସନ୍ତାନ ହିସାବରେ ଅନେକ ସ୍ନେହ ଭିତରେ ସେ ବଢ଼ି ଆସିଛି। ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର କରୁଛି। ତ୍ରିଲୋଚନ ବାବୁ ଶେଫାଳି ପାଇଁ ବର ଖୋଜାରେ ବ୍ୟସ୍ତ। ଝିଅର ବାହାଘର ହେଇଗଲେ ସେ ଶାନ୍ତିରେ ନିଃଶ୍ୱାସ ନେବେ। ତାଙ୍କର ନିଜ ସ୍ୱାସ୍ଥ୍ୟ ଉପରେ ଭରସା ନାହିଁ। କିଛି ଅଘଟଣ ଘଟିବା ପୂର୍ବରୁ ଝିଅକୁ ହାତରୁ ଦି ହାତ କରିଦେଲେ ଶାନ୍ତି। ଶେଫାଳି ପରି ଶିକ୍ଷିତା ଓ ସୁନ୍ଦରୀ ଯୁବତୀକୁ ବିବାହ କରିବା ପାଇଁ ଅନେକ ପ୍ରସ୍ତାବ ଆସୁଥିଲେ ମଧ୍ୟ କାହାକୁ ମାଷ୍ଟ୍ରେ ମନକୁ ନେଉନାହାନ୍ତି। 


   ନୈଷ୍ଠିକ ବ୍ରାହ୍ମଣ ପରିବାର ହେଇଥିବାରୁ ତ୍ରିଲୋଚନ ବାବୁଙ୍କ ଘରେ ଆମିଷ ଭକ୍ଷଣ ମନା। ସଦାବେଳେ ପୂଜାର୍ଚ୍ଚନାରେ ଦିନଗୁଡିକ ଅତିବାହିତ କରିଛନ୍ତି। ଝିଅ ଶେଫାଳି ମଧ୍ୟ ଅନେକ ଈଶ୍ୱର ବିଶ୍ୱାସୀ। ବାପାଙ୍କ ପ୍ରକୃତ ଦାୟାଦ। ତାର ଦିନଚର୍ଯ୍ୟାରେ ତା ବାପାଙ୍କ ଛିଟା ଦେଖିବାକୁ ମିଳେ। ତାଙ୍କ ଘରର ଚାଲି ଚଳଣି ସହିତ ଖାପ ଖୁଆଉଥିଲା ପରି ପରିବାରଟିଏ ଏବେର ଯୁଗରେ ମିଳିବା ମୁସ୍କିଲ।


କେତେ ଖୋଜିଲା ପରେ ମଧ୍ୟସ୍ଥି ଏହିପରି ଏକ ପ୍ରସ୍ତାବ ନେଇ ଆସିଛନ୍ତି। ପୁଅଘର ଦିଲ୍ଲୀରେ ରୁହନ୍ତି। ସେଠାରେ ଏକ ମଲ୍ଟି ନାସନାଲ କମ୍ପାନୀରେ ପୁଅଟି ସିନିଅର ଇଂଜିନିୟର ଅଛି। ପ୍ରକୃତ ଘର ତାଙ୍କର ଜଗତସିଂହପୁର ଜିଲ୍ଲାରେ, କିନ୍ତୁ ପୁଅ ଚାକିରୀ କରିବା ପରେ ମା ବାପା ବି ତା ପାଖରେ ରହୁଛନ୍ତି। ତ୍ରିଲୋଚନ ବାବୁଙ୍କ ପରିବାର ପରି ସେମାନେ ଏବେ ବି ନିଜ ସଂସ୍କାରକୁ ଜାବୁଡ଼ି ଧରିଛନ୍ତି। ଆମିଷ କିମ୍ବା କୌଣସି ପ୍ରକାରର ନିଶା ପାଣି କେହି ଛୁଅନ୍ତି ନାହିଁ। 


  ଏହି ପ୍ରସ୍ତାବଟି ଶୁଣି ଖୁସିରେ ତ୍ରିଲୋଚନ ବାବୁ ଆତ୍ମହରା ହୋଇ ଉଠିଲେ। ଶେଫାଳି ଦିଲ୍ଲୀ ନା ଶୁଣି ରାଜି ହୋଇଯାଇଥିଲା। କାରଣ ଦିଲ୍ଲୀରୁ ତା ସ୍ବପ୍ନପୁରୀ ଆଗ୍ରା ମାତ୍ର ୨୩୩ କିଲୋମିଟର। ସେ ପ୍ରତିମାସରେ ଥରେ ଆଗ୍ରା ଯାଇ ତାଜମହଲକୁ ଦେଖିପାରିବ। ତାକୁ ଛୁଇଁ ପାରିବ। ପ୍ରେମର ଉଷ୍ଣତା ନେଇ ପାରିବ। 


ମହା ଧୁମଧାମରେ ଶେଫାଳିର ବିବାହ ଦିଲ୍ଲୀ ବାସୀ ସରୋଜଙ୍କ ସହିତ ହେଇଗଲା। ସରୋଜ ଜଣେ ଅତି ସାଧାରଣ ମଣିଷ। ଅଫିସରୁ ଘର ଓ ଘରୁ ଅଫିସ। ଏହାହିଁ ତାଙ୍କ ଦୈନନ୍ଦିନ ରୁଟିନ୍। ଶାଶୁ ଶ୍ୱଶୁର ପୁରା ଦେବପ୍ରତିମ ଲୋକ। ତେଣୁ ଶେଫାଳିର ବୈବାହିକ ଜୀବନ ଅତି ଖୁସିରେ କଟି ଯାଉଥିଲା। ବୋହୂ ହଇରାଣ ହେବ ବୋଲି ଘରେ ଦୁଇଜଣ ଚାକର ନିଯୁକ୍ତି ହୋଇଥିଲେ। ଜଣେ ବାସନ ମଜା, ଘର ଝାଡ଼ୁ ପୋଛା ଓ ଲୁଗା କଚା କରିବ ଓ ଅନ୍ୟ ଜଣେ ରୋଷେଇ। ଘରେ ଖାଲିଟାରେ ବସି ବସି ସେ ବିରକ୍ତ ହୋଇଗଲା। କେତେ ଟିଭି ଦେଖିବ କି ମୋବାଇଲ ଧରିବ। ତା ମନକଥା ସତେ ଯେମିତି ତା ଶ୍ୱଶୁର ମନ୍ମଥ ବାବୁ ବୁଝିପାରିଲେ। ସେ ଶେଫାଳିକୁ ଚାକିରୀ କରିବା ପାଇଁ ଅନୁମତି ଦେଲେ। 


  ଘରଠାରୁ ମାତ୍ର ୫ କି. ମି ଦୂରତାରେ ଏକ ଘରୋଇ କଲେଜରେ ତାକୁ ଅଧ୍ୟାପିକା ନିଯୁକ୍ତି ମିଳିଲା। ସରୋଜ ତା ପାଇଁ ସ୍କୁଟିଟିଏ କିଣିଦେଲେ। ସେ ସ୍କୁଟିରେ ନିଜ କର୍ମକ୍ଷେତ୍ରକୁ ଗଲା। ଝିଅଟିଏ ଯେମିତି ଚାକିରୀରୁ ଫେରିଲେ ମା ପଚାରେ ତୁ ଖାଇଛୁ କି ନାହିଁ? ବାପା ପଚାରନ୍ତି ଆଜି ଅଫିସରେ କଣ ହେଲା ଠିକ୍ ସେମିତି ତା ଶାଶୁ ଶ୍ୱଶୁର ତା ଫେରିବା ବାଟକୁ ଚାହିଁ ରୁହନ୍ତି। ଶେଫାଳି ଆସିଲେ ସଭିଏଁ ମିଶି ଏକାଠି ଚା ପିଅନ୍ତି। ଏମିତି ଚାହୁଁ ଚାହୁଁ ବାହାଘର ବର୍ଷେ ପୂରିବାକୁ ବସିଲା। ବିବାହ ବାର୍ଷିକୀ ପାଳନ କରିବା ପାଇଁ ଦୁହେଁ ତାଜମହଲକୁ ହିଁ ସର୍ବଶ୍ରେଷ୍ଠ ସ୍ଥାନ ରୂପେ ବାଛିଲେ। ପାଖରେ ଏକ ଲଗଜୁରିଅସ ହୋଟେଲରେ ରାତ୍ରୀ ଯାପନର ବ୍ୟବସ୍ଥା ସରୋଜ କରିଥିଲେ।


  ଦିନ ସାରା ଖରା ତରାକୁ ନ ମାନି ଚକୋର ଚକୋରି ଦୁହେଁ ତାଜମହଲରେ ବୁଲିଲେ। ଶେଫାଳି ତ ବାରମ୍ବାର ଗାଇଡ଼କୁ ଶାହାଜାହାନ ଓ ମମତାଜଙ୍କ ପ୍ରେମଗାଥା ବାରମ୍ବାର ପଚାରି ଅସ୍ତବ୍ୟସ୍ତ କରିଦେଲା। ତାର ଏପରି ଚପଳାମି ସରୋଜଙ୍କୁ ଖୁବ୍ ଆମୋଦ ପ୍ରଦାନ କରୁଥିଲା। ରାତ୍ରୀର ଗଭୀରତା ଯେତେ ଘନଉଥିଲା ସରୋଜଙ୍କ ଦୁଷ୍ଟାମୀ ବଢ଼ୁଥିଲା। ଆଜି ସତେଯେମିତି ଦୁଇଟି ପ୍ରେମପକ୍ଷୀଙ୍କର ମହାମିଳନ ହେଉଥିଲା। ଶେଫାଳି ସରୋଜଙ୍କୁ ଖୁସି କରେଇବା ପାଇଁ ଏକ ଲମ୍ବା ଗାଉନ ପିନ୍ଧି 'ଜୁଏଲ ଥିଫ ' ଫିଲ୍ମ ଷ୍ଟାଇଲରେ ଅଭିନେତ୍ରୀ ତନୁଜା ସାଜି ନିଜ ପ୍ରେମପୁରୁଷକୁ ପ୍ରେମଫାଶରେ ପକେଇବା ପାଇଁ ଗାଇଲା ---


'ରାତ୍ ଅକେଲି ହେ, ବୁଝ ଗୟେ ଦିୟେ

ଆକେ ମେରେ ପାସ୍ କାନୋ ମେ

ମେରେ ଜୋ ଭି ଚାହେ କହିଏ'  


ସରୋଜ ନିଜ ଛାତିଉପରକୁ ଭିଡିନେଲେ ଶେଫାଳିକୁ। ଶେଫାଳି ସାପଟିଏ ପରି ଗୁଡ଼େଇ ହେଇ ଗଲା ସରୋଜଙ୍କ ବକ୍ଷରେ। ଦୁହେଁ ମଜି ରହିଲେ ରତିକ୍ରୀଡାରେ। ହଠାତ ଶେଫାଳିକୁ ସରୋଜଙ୍କ ହାତ ଦୁଇଟିକୁ ଛାଟି ଦେଲା। କଣ ହେଲା ବୋଲି ସରୋଜ ବ୍ୟସ୍ତ ହୋଇ ଆଲୋକ ଜଳେଇ ଦେଖନ୍ତି ତ ଶେଫାଳି ଖାଲି ସଁ ସଁ ହେଉଛି। ନିଃଶ୍ୱାସ ନେଇ ପାରୁନି। 


ହେ ଭଗବାନ! ସେ କଣ କଲେ। ଶେଫାଳି ସିନା ତା ପିଲାଳିଆମୀରେ କିଛି ଜାଣି ପାରୁନି। ହେଲେ ସିଏ ତ ତାଠୁ ଅନେକ ବଡ଼। ସେ ତ ଏସବୁ ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ। ଶେଫାଳି ଦିନସାରା ବହୁତ ବୁଲିଛି। ଯାହାହେଲେ ବି ଝିଅପିଲା ସେ। କୋମଳାଙ୍ଗୀ। ତେଣୁ ଏତେ ଶାରୀରିକ କଷ୍ଟ ସେ ସମ୍ଭାଳି ପାରୁନି। ସେ ତୁରନ୍ତ ପାଖରେ ଥିବା ଏକ ଚିକିତ୍ସାଳୟକୁ ତାକୁ ନେଇଗଲେ। ସେଠାରେ ଅକ୍ସିଜେନ ଦେଇ ତାର ଆଶୁ ଚିକିତ୍ସା କରାଗଲା। ଡାକ୍ତର ସରୋଜଙ୍କୁ ବେଶୀ ବ୍ୟସ୍ତ ବିବ୍ରତ ହେବା ପାଇଁ ମନା କଲେ। ସକାଳେ ଶେଫାଳିର କିଛିଟା ଟେଷ୍ଟ ନିଆଗଲା। ରିପୋର୍ଟ ୭ ଦିନ ପରେ ଆସି ନେଇଯିବାପାଇଁ କହିଲେ। 


 ଏତେସୁନ୍ଦର ରାତ୍ରୀ ଶେଫାଳି ପାଇଁ ନଷ୍ଟ ହେଇଯାଇଥିବାରୁ ସେ ନିଜକୁ ଖୁବ୍ ଦୋଷୀ ମନେ କରୁଥିଲା। ଦୁହେଁ ଦିଲ୍ଲୀ ଫେରିଯାଇଥିଲେ। ଶେଫାଳିର ଖାଇବା ପିଇବା କଥା ଏବେ ସରୋଜ ନିଜେ ବୁଝୁଥିଲେ। ସକାଳ ଜଳଖିଆ ଖାଇକି କଲେଜ ଯାଉଛି କି ନାହିଁ? ଟିଫିନ ନେଉଛି କି ନାହିଁ? ସବୁର ତଦାରଖ ନିଜେ କରୁଥିଲେ। ଏହି ଭିତରେ ୭ ଦିନ ବିତି ଯାଇଥିଲା। ଶେଫାଳିର ରିପୋର୍ଟ ଆଣିବା ପାଇଁ ସରୋଜ ଯିବାକୁ ବାହାରିବାରୁ ଶେଫାଳି ବି ବାହାରିଲା। ଦୁହେଁ ଠିକ୍ ସମୟରେ ଚିକିତ୍ସାଳୟରେ ପହଁଚିଲେ। 


  ଡାକ୍ତର ଶେଫାଳିକୁ ବାହାରକୁ ଯିବା ପାଇଁ ଇଶାରା ଦେଇ ଚଢା ଗଳାରେ କହିଲେ


- ଏସବୁ କଣ ହେଉଛି? ପାଠ ଦି ଅକ୍ଷର ପଢ଼ିଦେଲେ ଆଜି କାଲି ପିଲା ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି। ଟିକେ ଆପଣଙ୍କ ସ୍ତ୍ରୀଙ୍କୁ ଜଗନ୍ତୁ। ତାଙ୍କର ଏ ବଦଭ୍ୟାସକୁ ଯଥା ସମ୍ଭବ ବନ୍ଦ କରନ୍ତୁ।


   ସରୋଜ କିଛି ବୁଝି ନପାରି କହିଲେ


- ଡାକ୍ତର ବାବୁ ଆପଣ ଏ କଣ କହୁଛନ୍ତି ମୁଁ କିଛି ବୁଝିପାରୁନି। ଶେଫାଳିର କେଉଁ ବଦଭ୍ୟାସକୁ ସେ ଦୂର କରିବ?


- ଦେଖନ୍ତୁ, ମୋତେ ଏତେ ବୁଲେଇ ବଙ୍କେଇ କହି ଆସେନି। ଆପଣ ସ୍ୱାମୀ ହିସାବରେ ଜାଣିବା ଦରକାର ଆପଣଙ୍କ ସ୍ତ୍ରୀ ଦିନକୁ କେତୋଟି ସିଗାରେଟ ଟାଣୁଛନ୍ତି?


- ସିଗାରେଟ ପୁଣି ଶେଫାଳି - ଏ କଣ କହୁଛନ୍ତି ଆପଣ?


- ଆରେ ରିପୋର୍ଟ ଯାହା ଆସିଛି ମୁଁ ତାହା କହୁଛି। ମାତ୍ର ୨୫ବର୍ଷରେ କାହାକୁ ଏ ରୋଗ ହେବା ମୁଁ ପ୍ରଥମ ଥର ପାଇଁ ଦେଖୁଛି। ଯଦି ସେ ଟାଣୁନାହାନ୍ତି ତେବେ ତୁମେ ଟାଣୁଥିବ, ନଚେତ ତୁମ ପରିବାରର ଆଉ କେହି। ପ୍ରତ୍ୟେକ୍ଷ ବା ପରୋକ୍ଷରେ ସିଗାରେଟ ଧୂଆଁର ସଂସ୍ପର୍ଶରେ ଆସିଲେ ହିଁ ଲଁଗସ ରେ କ୍ୟାନ୍ସର ହୁଏ। ସେ ପୁଣି ସାଧାରଣତଃ ପଚାଶ ବର୍ଷ ପରେ। 


   ସରୋଜ କଣ କହି ଡାକ୍ତରଙ୍କୁ ବୁଝେଇବେ ଜାଣି ପାରୁନଥିଲେ। ତାଙ୍କ ଘରେ ଯେ ଆମିଷ ଓ ନିଶା ସମ୍ପୂର୍ଣ୍ଣ ମନା। ସେମାନେ ପୂର୍ଣ୍ଣମାତ୍ରାରେ ଶାକାହାରୀ। ଶେଫାଳିର ଫୁସଫୁସ ରେ କ୍ୟାନ୍ସର। ସେ ନିଜକୁ ବିଶ୍ୱାସ କରି ପାରୁନଥିଲେ। କାହାକୁ କଣ କହିବେ ସେ ନିଜେ ଜାଣିପାରୁନଥିଲେ। ଡାକ୍ତର ପୁଣି କହିଛନ୍ତି ଯଥାଶୀଘ୍ର ରାଡିଏସନ ଥେରାପି ନେବାକୁ ପଡ଼ିବ। ଶେଫାଳି ଦିନକୁ ଦିନ ଦୁର୍ବଳ ହେଇ ପଡ଼ୁଥିଲା। କାଶ ବାରମ୍ବାର ହେଉଥିଲା। କାଶରେ ବେଳେ ବେଳେ ରକ୍ତ ବି ପଡୁଥିଲା। ତାର ଟ୍ରିଟମେଣ୍ଟ ଆରମ୍ଭ ହେଇଥିଲା।


  ରାଡ଼ିଏସନର ପ୍ରଭାବରେ ଶେଫାଳିର ଚର୍ମ ଶୁଖିବାକୁ ଲାଗିଥିଲା। ହାତ ଗୋଡ଼ ଖୁବ୍ କୁଣ୍ଡେଇ ହେବାକୁ ଲାଗିଲା। ସଦାବେଳେ କର୍ମବ୍ୟସ୍ତ ରହୁଥିବା ଶେଫାଳିକୁ ଶକ୍ତିହୀନ ଲାଗୁଥିଲା। ଖାଲି ଖଟରେ ଶୋଇ ରହିବାକୁ ଇଛା ହେଉଥିଲା। ଶୋଇ ଶୋଇ ବାରମ୍ବାର ତା ମନକୁ ଏ ପ୍ରଶ୍ନ ଆନ୍ଦୋଳିତ କରୁଥିଲା ଯେ ଏ ରୋଗ ତାକୁ କଣ ପାଇଁ ହେଲା? କି ଭୁଲ ତାର? ଦିଲ୍ଲୀ ତ ଦିଲ୍ ବାଲାଙ୍କ ସହର। ଏ ସହରରେ ତାର ଏପରି ଅବସ୍ଥା କଣ ପାଇଁ? ତାକୁ କଣପାଇଁ ଡାକ୍ତର ଘରୁ ବାହାରିବା ପାଇଁ ମନା କରିଛନ୍ତି? କାହିଁକି ସେ ଆଜି ନିଜେ ନିଜଘରେ ବନ୍ଦୀ?


ତାକୁ ଭଲ ଲାଗିବ ବୋଲି ସରୋଜ ଟିଭି ଲଗେଇ ଯାଇଛନ୍ତି।


 ଟିଭି ପରଦାରେ ଭାସି ଆସୁଥିଲା ଦିଲ୍ଲୀର ବାୟୁମଣ୍ଡଳର ଅବସ୍ଥା। ଦିଲ୍ଲୀ ଭାରତର ସବୁଠାରୁ ପ୍ରଦୂଷିତ ସହର ରୂପେ ଘୋଷିତ ହେଇଛି। ଏହାର ବାୟୁମଣ୍ଡଳ ଏତେ ମାତ୍ରାରେ ବିଷାକ୍ତ ବାଷ୍ପ ଭରି ରହିଛି ଯେ ଜଣେ ଲୋକ ଦିନକୁ ୩୦ଟି ସିଗାରେଟ ଟାଣିଲେ ଯେତିକି ଧୂଆଁ ନିଜ ଭିତରକୁ ନେବ ପାଖାପାଖି ସେତିକି ଧୂଆଁ ପ୍ରତ୍ୟେକ ଦିଲ୍ଲୀବାସୀ ଗ୍ରହଣ କରୁଛନ୍ତି। ଯାହାଦ୍ୱାରା ଅଳ୍ପ ବୟସରୁ ହୃଦ ରୋଗ, ହୃଦଘାତ, ଫୁସଫୁସ ସଂକ୍ରମଣ ରୋଗ, କ୍ୟାନ୍ସର ପରି ଜଟିଳ ବ୍ୟାଧି ବ୍ୟାପିବାରେ ଲାଗିଛି।


ରିମୋଟ ଟି ଶେଫାଳି ହାତରୁ ତଳେ ପଡ଼ିଗଲା। ସେ ନିଜ ପ୍ରଶ୍ନର ଉତ୍ତର ପାଇଯାଇଥିଲା? ହେଲେ ଏଥିପାଇଁ ଦାୟୀ କିଏ? ତାର ଦିଲ୍ଲୀକୁ ଭଲ ପାଇବାଟା କଣ ଭୁଲ? ଦିଲ୍ଲୀରେ ରହିବାଟା ଭୁଲ? ସେ ଚାକିରୀ କରିବା ଭୁଲ? ନା ଘରୁ ପଦାକୁ ବାହାରିବା ଭୁଲ?



   କେତେଦିନ ଯାଏ ଏହି ପ୍ରଦୂଷଣ ପାଇଁ ଅକାରଣରେ ଫୁଟିବା ପୂର୍ବରୁ ଶେଫାଳି ମାନେ ଝରି ପଡୁଥିବେ? କେତେଦିନ ଯାଏ? ସତେ ଯେମିତି ଶେଫାଳିର ପ୍ରଶ୍ନଗୁଡ଼ିକ କାନ୍ଥରେ ବାଜି ପୁଣି ତା ପାଖକୁ ଫେରୁଥିଲା।

  



Rate this content
Log in

More oriya story from Bismita Sahoo

Similar oriya story from Tragedy