STORYMIRROR

Nihar Ranjan Acharya

Tragedy

4.5  

Nihar Ranjan Acharya

Tragedy

ଝରା ଫଗୁଣ

ଝରା ଫଗୁଣ

6 mins
335


ଝଡ଼ ଚାଲିଯାଇଥାଏ ଅନେକ ବେଳରୁ। ରାସ୍ତା ଉପରେ ଠାଏ ଠାଏ ପାଣି ଓ କୁଢ଼ କୁଢ଼ ଆବର୍ଜନା କହିଦେଉଥିଲା ଝଡ଼ ଚାଲିଯାଇଛି ବୋଲି। ଫଗୁଣର ମସଗୁଲ ଆକାଶଟା ବର୍ଷାର କଳା ଚାଦର ଢାଙ୍କି ହୋଇ ଏବେ ବି ଶୋଇଛି ଏକ ନିସ୍ତେଜ ସିଂହଟିଏ ପରି। ଏକା ମୁଁ ନୁହେଁ ଯିଏବି ସାଇମନର ମୁହଁକୁ ଦେଖିବ ସେ କହିବ ସାଇମନ୍ ବଞ୍ଚିଛି ହେଲେ ଏକ ଜୀବନ୍ତ ଶବ ହୋଇ। 

     ସବୁବେଳେ ହସି ବୁଲି ପ୍ରେମର ରଙ୍ଗୀନ ସ୍ବପ୍ନରେ ମସଗୁଲ ରହୁଥିବା ସାଇମନ୍ କେମିତି ଭୁଲି ଯାଇଥା'ନ୍ତା ଫଗୁଣର ସେହି ଫଗୁ ଖେଳକୁ? 

     ଅସରନ୍ତି ଯୌବନର ଫଗୁଣ ଆକାଶରେ ଉଡ଼ି ବୁଲୁଥିବା କଥା କୁହା ଛୋଟ ଚଢ଼େଇଟିଏ ଥିଲା ତା'ର ରେଜିନା। ସବୁବେଳେ ହସୁଥିଲା, କେବେ କେବେ ନାଚ଼ି ଯାଉଥିଲା ତ କେବେ କେବେ ରାଗି ଯାଉଥିଲା। ସବୁଠାରୁ ତାକୁ ବେଶି ଭଲ ଲାଗୁଥିଲା ଯେତେବେଳେ ରେଜିନାର ଗୋଲାପି ହସ ସାଙ୍ଗକୁ ମୃଗୁଣୀ ଆଖିରେ କଣେଇ କଣେଇ ଅନାଇବାର ବାଙ୍କ ଚାହାଣି। ଯାହାକୁ ଦେଖିବ ଟିକେ କଣେଇ କଣେଇ ଚାହିଁ ପାଗଳୀଟିଏ ପରି ହସି ଦେଉଥିଲା ତା' ରେଜିନା। ସେ ନିଜେ ବି ଜାଣି ନଥିବ କାହିଁକି ହସୁଛି ବୋଲି। 

     ସକାଳର ସୁନେଲି ସୂରୁଜ, ଲାଲ ରୂପ ନେଇ ପଶ୍ଚିମ ଆକାଶରେ ଅସ୍ତ ହୋଇଯାଆନ୍ତି ହେଲେ ସେଥିପାଇଁ ରେଜିନା ମନରେ କୌଣସି ଭୟ ନଥାଏ। ସାଙ୍ଗସାଥିଙ୍କ ସହ ବାଲିଘର ତୋଳି, କଣ୍ଢେଇ ବାହାଘର ସାରି, ବର୍ଷକର ଓଷା, ବାର, ବ୍ରତ କରିବାକୁ କାହା ବାଡ଼ିରେ ପସି ବଗିଚ଼ାର କଷି କଷି ଆମ୍ବ, ପିଜୁଳି, ବରକୋଳି କିମ୍ବା କାକୁଡ଼ି ଚୋରାଇ ଆଣି ଭାର ପଠାଇବା, ଏସବୁ ଥିଲା ତା'ର ନିତିଦିନିଆ କାମ। ପାଠ ପତ଼ି ଯିବା କଥା କହିଲେ ରେଜିନା କାନ୍ଧରେ ବ୍ଯାଗ ଝୁଲାଇ ଚାଲେ ଗାଁ ପାଖ ଛୋଟିଆ ଝରଣା କୂଳରେ ଥିବା ଡାକ ବଙ୍ଗଳାକୁ। ସେଠାରେ ବଡ଼ ବଡ଼ ବାବୁଙ୍କ ସେବା କରି, ତାଙ୍କ ଅଇଁଠା ବାସନ ମାଜି, ଘର ଝାଡ଼ୁ କରି ବେଶ ଦୁଇ ପଇସା କମେଇ ପାରେ ରେଜିନା । ସହଜେ ରୂପ ଅଛି। ପାଠ ନ ପଢିଲେ କ'ଣ ହେଲା? ବହୁତ ଚାଲାଖି ଓ ଚଗଲି ଝିଅ ଥିଲା ରେଜିନା।  

     ଷୋଳଟି ଫଗୁଣକୁ ଡେଇଁ ଗଲାଣି ରେଜିନା। ଦେହରେ ତା'ର ଯୌବନର ବାସ୍ନା ଭରି ରହିଛି ହେଲେ ଲୁଚ଼ାଇବାକୁ ବହୁତ ଚେଷ୍ଟା କଲେ ମଧ୍ୟ ଠିକରେ ଲୁଚ଼ାଇ ପରେ ନାହିଁ ତା' ବାପାଙ୍କର ଅଭାବି ସଂସାର ପାଇଁ। ଯେହେତୁ ଗରୀବ ଘରର ଝିଅଟେ ହୋଇ ଜନ୍ମ ନେଇଛି, ଏତେ ବଡ଼ କପଡ଼ା ଖଣ୍ଡେ ପାଇବ ବା କେଉଁଠୁ ରେଜିନା? ତା' ଛାତି ଉପରୁ କାନିଟା ସେଦିନ ଖସି ଯାଇଥିଏ ତା'ର ଅଣ୍ଟା ତଳକୁ। ବୈଶାଖର ଝାଞ୍ଜି ପବନ ବୋହି ସତେ ଯେମିତି ଶୁଖାଇ ଦେଇଥାଏ ସେ ଇଲାକାକୁ ନିରବ ନିଶ୍ଚଳ ଭାବରେ। ଜନ ଶୂନ୍ୟ ପରିବେଶ !

     ସେଦିନ ଡାକ ବଙ୍ଗଳାକୁ ସମ୍ବଲପୁରରୁ ଡେପୁଟି ଜେନେରାଲ (ଡି. ଜି.) ସମ୍ଭୁପାଣି ବାବୁ ଆସିଥାନ୍ତି ଡେପୁଟେସନରେ। ସାଙ୍ଗରେ ଥାଆନ୍ତି ନୁଆ କରି ପୋଷ୍ଟିଂ ହୋଇଥିବା ସିଭିଲ ଇଞ୍ଜିନିୟର ସାଇମନ୍। ଖାଇ ସାରିବା ପରେ ଥକ୍କା ମେଣ୍ଟାଇବା ପାଇଁ ନିଜ ବିଛଣାରେ ଗଡ଼ୁ ଗଡ଼ୁ ନିଘୋଡ଼ ନିଦରେ ଶୋଇ ଯାଇଥାନ୍ତି ସାଇମନ୍। ଡ୍ରଇଙ୍ଗ ରୁମର ଗୋଟିଏ କୋଣରେ ଚେୟାର ଉପରେ ବସି ପେପର ପଢ଼ିବାର ବାହାନାରେ ରେଜିନାର ଏମିତି ଏକ ଅସଜଡ଼ା ବେଶର ଖୋଲା ଦୃଶ୍ଯକୁ ଉପଭୋଗ କରୁଥାନ୍ତି ସମ୍ଭୁପାଣି ବାବୁ। ଶିକ୍ଷିତ ସମାଜରେ ଉଚ୍ଚ ଶିକ୍ଷିତ ଭଦ୍ର ଲୋକଙ୍କ ମନରେ ରେଜିନା ପରି ଏକ ଛୋଟିଆ ଗାଉଁଲି ଅର୍ଦ୍ଧଶିକ୍ଷିତା ଝିଅଟି ପ୍ରତି କାମୁକର କାମନା ବନ୍ଧ ଭାଙ୍ଗି ଦେଇଥିଲା ସମ୍ଭୁପାଣି ବାବୁଙ୍କର। ସେ ତାଙ୍କ ଚଗଲା ମନଟାକୁ ସମ୍ଭାଳି ନ ପାରି ଝିଅ ବୟସର ଗରୀବ ଘରର ଝିଅ - ଯିଏ ପଇସାର ଅଭାବରେ ନିଜର ଇଜ୍ଜତ ଲୁଚ଼ାଇ ପାରୁନାହିଁ, ସେହି ପରି ଏକ ଅବଳା ପ୍ରତି ସମବେଦନା ପରିବର୍ତ୍ତେ ଅମାନୁଷିକତାର ପରିଚ଼ୟ ଦେବାକୁ ଯାଇ ରେଜିନାର ବାହୁକୁ ନେଇ ନିଜର ଫୁଙ୍ଗୁଳା ବକ୍ଷ ଉପରେ ଚାପି ଧରି ତା' ଓଠର ମହୁ ପିଇବା ପାଇଁ ମୁହଁ ଲଗାଇ ଦେଲେ ତା' ଓଠରେ। ରାକ୍ଷସ ପରି ନିଜର ଏତେ ବଡ଼ ବଡ଼ ହାତ ପାପୁଲି ଭିତରେ ରେଜିନାର ଛାତି ଆବଦ୍ଧ। ସତେ ଯେମିତି ଏକ ସିଂହର କବଳରେ ସୁନାର ହରିଣୀ ଡହଳ ବିକଳ ହେଉଛି ନିଜର ଇଜ୍ଜତ ବଞ୍ଚାଇବା ପାଇଁ । ସାଇମନ୍ ଆଖିରେ ନିଦ୍ରାଦେବୀ ସହି ପାରିଲେ ନାହିଁ। ସାଇମନକୁ ବ୍ଯସ୍ତ ବିବ୍ରତ କରି ଉଠାଇ ଦେଲେ ରେଜିନାକୁ ସେହି ନର ରୂପି ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଶତ ପୁରୁଷର ଶତସିଂହର ବଳ ଦେଇ। 

     ଆଜିର କୋମଳ ଯୁବ ସମାଜ ମନରେ ନାରୀର ନିର୍ଯ୍ୟାତନା ଅସହ୍ୟ ହେବା ସମୟରେ ବୟୋଜ୍ଯଷ୍ଠଙ୍କ ମନରେ ଏପରି ଭାବନା ଆସିଲା କିପରି? 

     ସେଦିନ ସମ୍ଭୁପାଣି ବାବୁ ସିନା ଲଜ୍ଜା, ଅପନିନ୍ଦାରେ ମୁହଁ ଲୁଚ଼ାଇ ଚାଲିଗଲେ ଡାକ ବଙ୍ଗଳାକୁ ସବୁଦିନ ପାଇଁ ଛାଡ଼ି ଦେଇ ହେଲେ ସାଇମନ୍ ଓ ରେଜିନାକୁ ଏକ ନୂତନ ଦୁନିଆର ଅତୁଟ ବନ୍ଧନରେ ବାନ୍ଧି ଦେଇଗଲେ ସବୁଦିନ ପାଇଁ। ସେମାନଙ୍କ ମନର ସାଧା ଧଳା କାଗଜ ଉପରେ ପ୍ରେମର ରଙ୍ଗକୁ ଏମିତି ବୋଳି ଦେଇଗଲେ ଯେ ଯାହା ରେଜିନା ପରି ଏକ ଅର୍ଦ୍ଧଶିକ୍ଷିତା ଗାଉଁଲି ଝିଅ ଓ ସହରୀ ସଭ୍ୟତାରେ ବଢ଼ି ଉଚ୍ଚଶିକ୍ଷିତ ହୋଇଥିବା ସାଇମନଙ୍କ ପରି ଜଣେ ଲୋକଙ୍କ ମନରେ ପ୍ରଥମ ପ୍ରେମର ପ୍ରଥମ କିରଣକୁ ସେମାନଙ୍କ ମନ ଆକାଶରେ ଉଦୟ କରି, ଭିଜେଇ ଦେଲା ସେମାନଙ୍କ ଜୁଗଳ ଶରୀରକୁ, ଏକାକାର କରି ଦେଇଗଲା ସେହିଦିନ ଠାରୁ ଜନ୍ମ ଜନ୍ମ ପାଇଁ। 

     ସାଇମନ୍ ଜଣେ ରିଟାୟାର୍ଡ ପ୍ରିନ୍ସିପାଲଙ୍କ ପୁଅ ପୁଣି ଜଣେ ସିଭିଲ ଇଞ୍ଜିନିୟର। ତାଙ୍କର ଷ୍ଟାଟସ ଅଛି। କୋଠାଘର, କାର୍, ବ୍ଯାଙ୍କ ବାଲାନ୍ସ ଅଛି। ସହରରେ ନାମୀ ଦାମୀ ଲୋକଙ୍କ ପାଖରେ ନାଁ ଡାକ ଅଛି। 

     ହେଲେ ରେଜିନା? କ'ଣ ଅଛି ରେଜିନା ପାଖରେ? ଜଣେ ଦିନ ମଜୁରିଆର ମୂର୍ଖ ଗାଉଁଲି ଝିଅ ରେଜିନା ! ଯିଏ ସହର କ'ଣ ଦେଖି ନାହିଁ କି ଜାଣି ନାହିଁ, ଗାଡ଼ି ମୋଟରରେ ଥରେ ଅଧେ କେବେ ବସି ନାହିଁ। ଆଭିଜାତ୍ୟର ଦୁଆର ବନ୍ଧ କେବେ ଡେଇଁ ନାହିଁ। ଜୀବନକୁ ଉପଭୋଗ କରିବାର ସ୍ବପ୍ନ ମଧ୍ୟ କେବେ ତା' ଆଖିକୁ ଆସିନାହିଁ। ସେହିପରି ଗୋଟିଏ ଝିଅ କେମିତି ସାଜିବ ସାଇମନ୍ ଘରର କୂଳ ବଧୂ? ନା ତା'ର ବେଶଭୂଷା ଅଛି ନା ଠିକରେ କଥା କହିବା ଶିଖିଛି? ସାଇମନ୍ କ'ଣ କେମିତି କହି ରେଜିନାକୁ ତାଙ୍କ ଘରକୁ ବୋହୂ କରି ଆଣିବ? ଏମିତି ଅନେକ ପ୍ରଶ୍ନର ବଗିଚା ଭିତରେ ବୁଲୁବୁଲୁ ତା'ର ପାଦ ଦୁଇଟି ଆଭିଜାତ୍ୟର ରଶିରେ ଛନ୍ଦି ହୋଇ ପଡ଼ୁଥାଏ। ତା'ର ଏମିତି ଏକ ଭାବନାର ସହରରେ ବୁଲୁବୁଲୁ କେତେବେଳେ ସନ୍ଧ୍ୟା ହୋଇ ଗଲା ସେ ଜାଣି ପାରିଲା ନାହିଁ। କେବଳ ଦୂର ପାହାଡ଼ର ପାଦଦେଶରେ ଛୋଟିଆ ଏକ ମନ୍ଦିରରୁ ଶଙ୍ଖ, ଘଣ୍ଟାର ପ୍ରକମ୍ପନରେ ଚମକି ପଡ଼ିଲା ସାଇମନ୍। ଘର ଭିତରକୁ ଯାଇ ଦେଖେ ତ ରେଜିନା ସନ୍ଧ୍ୟା ଦେଉ ଦେଉ ତଳେ ଲୋଟି ପଡ଼ିଛି ସଜ୍ଞାହୀନ ଅବସ୍ଥାରେ। ଏତେ ଦିନ ପରେ ରେଜିନାର ହାତ ଧରିବାର ସୁଯୋଗ ମିଳିଛି ସାଇମନକୁ। ତେଣୁ ସେ ଏହିପରି ଏକ ସୁଯୋଗକୁ ହାତ ଛଡ଼ା ନକରି ରେଜିନାର ହାତ ଧରି ତଳୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ସମ୍ପୂର୍ଣ୍ଣ ରେଜିନାର ହୃଦୟକୁ ନିଜର ବକ୍ଷ ଉପରେ ତୋଳି ନେଇ, ତା'ର ଡନଲପର ନରମ ବିଛଣାରେ ଶୁଆଇ ଦେଇ, ରେଜିନାର ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘସିଘସି ତା'ର ଚେତା ଫେରାଇ ଆଣିଛି।  

     ସେଦିନ ଡାକ୍ତରଙ୍କ ଠାରୁ ଆଶ୍ବାସନା ବାଣୀ ଶୁଣିବା ପରେ ସାଇମନ୍ ଆଶ୍ବସ୍ତ ହୋଇ ରେଜିନାକୁ ତା' ବାପାଙ୍କ ନିକଟରେ ଛାଡ଼ି ଛୁଟିରେ ଘରକୁ ଚାଲିଆସିଲା ସମର ଭେକେସନର ଦୀର୍ଘ ଛୁଟି କଟାଇବାକୁ। ହେଲେ ଦୀର୍ଘ ଦିନର ଛୁଟି କାଟି କେତେ ଖୁସି ଆନନ୍ଦ ମନରେ ସେ ଫେରି ଆସିଛି ତା'ର ରେଜିନାକୁ ଏତେ ଦିନ ପରେ ଆଖି ପୁରାଇ ଦେଖିବ। କେତେ ଭଲ ମନ୍ଦ କଥା ହୋଇ ନିଜ ନିଜ ଭିତରେ କେତେ ସୁଖ ଦୁଃଖ ବଣ୍ଟା ବଣ୍ଟି ହେବେ। ରାଗ ଅଭିମାନର ପରଦା ହଟାଇ ପ୍ରେମ ଫଗୁଣର ରଙ୍ଗରେ ରଙ୍ଗେଇ ହେବେ। 

     ହେଲେ ବିଧିର ବିଧାନ କିଛି ଅଲଗା କରି ଦେଲା। ସାଇମନ୍ ଯାଇ ପହଞ୍ଚିଛି ରେଜିନାର ଘରେ। ରେଜିନାର ବାପାଙ୍କୁ କହି ସବୁଦିନ ପାଇଁ ରେଜିନାକୁ ନିଜର କରିନେବ। ହେଲେ ସେ ଏ କଣ ଦେଖୁଛି? ରେଜିନାର ଘରେ ଏତେ ଲୋକ ପୁଣି ସମସ୍ତଙ୍କ ଆଖିରେ ଲୁହ? ସତରେ କ'ଣ ରେଜିନାର ବାହାଘର ତା'ର ଅନିଛା ସତ୍ବେ ତା' ବାପା ଜୋର ଜବରଦସ୍ତ ଆଉ କେଉଁ ଅଚି଼ହ୍ନା ଅଜଣା ପୁରୁଷ ସହିତ କରି ଦେଲେ କି? ନା, ଯଦି ରେଜିନାର ବାହାଘର ହେଉଥା'ନ୍ତା, ତେବେ ସେ ବର କାହିଁ, ବର ଯାତ୍ରୀ କାହିଁ, ବେଦି କାହିଁ, ବାଜାବାଲା କାହିଁ, ବ୍ରାହ୍ମଣ କାହିଁ କି ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣ କାହିଁ? ଏମିତି ଏକ ସନ୍ଦେହ ମନର ଚୌଛକି ରାସ୍ତା ଉପରେ ଠିଆ ହୋଇ ପ୍ରଶ୍ନ ପରେ ପ୍ରଶ୍ନ ପଚ଼ାରି ଚାଲିଛି ନିଜ ମନକୁ ସାଇମନ୍। କିଛି ସମୟ ପାଇଁ ନିରବ ନିଶ୍ଚଳ ଆଖିରେ ଜଣ ଜଣ କରି ସମସ୍ତଙ୍କ ମୁହଁକୁ ଚାହିଁଲା ସାଇମନ୍। ହେଲେ କେଉଁଠି ତାକୁ ତା'ର ଅତି ଆପଣାର, ଯାହା ପାଇଁ ସେ ସହରରୁ ଦୌଡ଼ି ଆସିଛି, ଯାହା ସହ ସାରା ଜୀବନ ବିତାଇବା ପାଇଁ ସ୍ବପ୍ନର ସହର ଗଢିଛି, ଯାହା ପାଇଁ ତା' ବାପା-ମାଆଙ୍କର ଷ୍ଟାଟସକୁ ଭୁଲି ଯାଇଛି, ସେହି ରେଜିନା କାହିଁ? ଏ କ'ଣ, ସମସ୍ତେ ଯେମିତି ବାକ୍ଯଶୂନ୍ୟ ହୋଇଛନ୍ତି ଏଠି। ସମସ୍ତେ କାନ୍ଦୁଛନ୍ତି ହେଲେ କାହା ମୁହଁରେ ଶବ୍ଦ ନାହିଁ କିନ୍ତୁ ସମସ୍ତଙ୍କ ଆଖି ଗୋଟିଏ କଥା କହୁଛି। ସେ ସମସ୍ତଙ୍କ ଆଖିରେ ଆଖି ମିଶାଇ ଚାହିଁଲା। ସମସ୍ତଙ୍କ ଆଖି ତଳକୁ ହୋଇଥିବାର ଦେଖି ସେ ମଧ୍ୟ ତଳକୁ ଚାହିଁଲା। ସଫେଦ କପଡ଼ା ଢାଙ୍କି ହୋଇ କିଏ ଶୋଇଛି ପୁଣି ଏତେ ଲୋକଙ୍କ କାନ୍ଦବୋବାଳି ଭିତରେ? ସେ ସଙ୍ଗେ ସଙ୍ଗେ ଯାଇ କପଡ଼ାଟିକୁ କାଢ଼ି ଦେଇ ଦେଖେ ତ ସେ ଆଉ କେହି ନୁହେଁ, ଯାହା ପାଇଁ ତା ମନରେ ଏତେ ଦ୍ବନ୍ଦ୍ବ ଥିଲା, ଏତେ କଳ୍ପନା ଥିଲା, ଏତେ ଆଶା ଥିଲା, ଯାହା ପାଇଁ ସେ ଏତେ ବାଟରୁ ଦୌଡ଼ି ଆସିଥିଲା ସାରା ଜୀବନ ପାଇଁ ନିଜର କରି ନେବ ସବୁ ବାଧା ବିଘ୍ନକୁ ଉପେକ୍ଷା କରି, ସେହି ରେଜିନାର ଶବ। ସାଇମନର ସବୁ ଆଶା, ସବୁ ସ୍ବପ୍ନ ରେଜିନାର ଜୁଇରେ ପୋଡ଼ି ଜଳି ଛାରଖାର ହୋଇଗଲା। ତା' ଆଶାର ଆକାଶରେ ଅମାବାସ୍ଯାର ଚାଦର ଢାଙ୍କି ହୋଇଗଲା, ରେଜିନାର ଅକାଳ ବିୟୋଗରେ। 

     ରେଜିନାକୁ ବ୍ଲଡ଼ କ୍ୟାନସର ହୋଇଥିଲା। ସେହି ବ୍ଲଡ଼ କ୍ୟାନସର ସାଇମନ୍ ମନର ଫଗୁଣ ଆକାଶରେ ସବୁଦିନ ପାଇଁ କଳା ରଙ୍ଗ ବୋଳି ଦେଇ ଚାଲିଗଲା। ସାଇମନ୍ କେମିତି ଭୁଲିବ ସେଦିନର ସେହି ଫଗୁଣର ଫଗୁ ଖେଳକୁ ।


Rate this content
Log in

Similar oriya story from Tragedy