Nihar Ranjan Acharya

Others

4.2  

Nihar Ranjan Acharya

Others

ମାଆ ଓ ମମତା

ମାଆ ଓ ମମତା

5 mins
216



      ଆଶାର ମରୁଭୂମିରେ ବୁଲୁବୁଲୁ ବୋହୁ କ୍ଳାନ୍ତ ହୋଇ ତୃଷ୍ଣା ମେଣ୍ଟାଇବା ପାଇଁ ଦୌଡ଼ି ଆସିଥିଲା ମରୀଚ଼ିକା ପଛେ ପଛେ ବୋଲି ସେ କଥା ଜୀବନକୁ ଅବା କେମିତି ମାଲୁମ୍ ହେବ? ସେ ସେତେବେଳେ ଶୋଷର ଜ୍ବାଳାରେ ଏତେ ବ୍ଯସ୍ତ ହୋଇଯାଇଥିଲା ଯେ ତା ପାଇଁ ପାଣିର ନିହାତି ଜରୁରି ଥିଲା। ହେଲେ ସେ ପାଣିର ପଛେ ପଛେ ନ ଦୌଡ଼ି ଏକ ମରୁଭୂମିର ମରୀଚ଼ିକା ପଛରେ ଦୌଡୁଛି ବୋଲି ତା ତୃଷ୍ଣାର ଜ୍ବାଳା ତାକୁ ଭୁଲାଇ ଦେଇଛି। 

      କେମିତି ନ ଭୁଲିବ? ତୃଷ୍ଣାର ଅପରୂପ ଚାହାଣି, ମନଲୋଭା ରୂପ, ତା ରୂପର ମାୟାଜାଲ ବିଛା ହୃଦୟ ଭିତରେ ଯେ କେହି ବି ଲୀନ ହୋଇଯିବ। ଜୀବନ ବା କିପରି ବାଦ୍ ଯାଇଥାନ୍ତା! ସେ କି ଜାଣିଥିଲା ତୃଷ୍ଣା ନିଜର କାମନାର ଉତ୍ତେଜନାକୁ ସହି ନପାରି ଜୀବନ ନିକଟକୁ ଦୌଡ଼ି ଆସିଛି ବୋଲି? 

      ତୃଷ୍ଣା! ହଁ ତୃଷ୍ଣାର ଏହି ଗଭୀର କ୍ଷତର ଜ୍ବାଳାକୁ ଜୀବନ ଭୁଲିବ ଅବା କିପରି? କାରଣ ଜୀବନ ଥିବା ଯାଏ ତୃଷ୍ଣା ଆସିବ ହିଁ ଆସିବ। ଜୀବନ ଯେଉଁଠି ଅଛି ତୃଷ୍ଣା ସେଇଠି ନିଶ୍ଚୟ ଆସିବ। 

       ଜୀବନ ତା ଜୀବନର ପାହାଚ଼ ପରେ ପାହାଚ଼ ଚଢୁ ଚଢୁ କେତେ ଥର ତାକୁ ଝୁଣ୍ଟି ପଡିବାକୁ ପଡିଛି ତାର ହିସାବ ରଖିବାକୁ ତା ପାଖରେ ସମୟ ବି କାହିଁ? କେତେ କ୍ଷତ ବିକ୍ଷତ ହୋଇଛି ହେଲେ ସେ କେବେ ଦୁଃଖ ଅନୁଭବ କରି ନଥିଲା। କିନ୍ତୁ ଆଜି ତୃଷ୍ଣା ତା ମନରେ ଯେତେ ବଡ଼ ଧୋକା ଦେଇଛି, ସେ ତାକୁ ଭୁଲିବ କିପରି? 

       ତୃଷ୍ଣା! କିଏ ଏହି ତୃଷ୍ଣା? ଜୀବନ ସହିତ ତାର କି ସମ୍ପର୍କ? କାହିଁକି ତା ପାଇଁ ଆଜି ଜୀବନର ଜୀବ ଥାଇ ମଧ୍ୟ ଶବ ପାଲଟି ଯାଇଛି? ଯେଉଁ ତୃଷ୍ଣା ଏତେ କ୍ଷତାକ୍ତ କରିଗଲା, ଏତେ ରକ୍ତାକ୍ତ କରିଗଲା, ଏତେ ବଡ଼ ଦୁଃଖର ସାଗର ଭିତରକୁ ଠେଲି ଦେଇ ଗଲା, ସେ ବଞ୍ଚି ଥାଉ ଥାଉ ତାକୁ ମାରିଦେଇ ଗଲା, ସେ ଆଜି ତାକୁ ଭୁଲି ପାରୁନାହିଁ କାହିଁକି? ଏମିତି ଅନେକ ପ୍ରଶ୍ନର ସମୁଦ୍ର ଭିତରେ ଲହଡ଼ି ପରେ ଲହଡ଼ି ଭାଙ୍ଗି ଚାଲୁ ଚାଲୁ କେତେ ଥର ସମୁଦ୍ରରର ନିମ୍ନ ସ୍ତରକୁ ଚାଲି ଯାଇଛି ଓ ପୁଣି ଉପରକୁ ଉଠି ଆସିଛି, ହେଲେ ସେ ସମୁଦ୍ର ଗର୍ଭରୁ ଉତ୍ତରର ଫୁଟା କଉଡ଼ିଟାଏ ମଧ୍ୟ ପାଇପାରିଲା ନାହିଁ। ଦୁଃଖ ଯନ୍ତ୍ରଣାରେ ଭାରି ହୋଇଯାଉଥିବା ତାର ସରଳ ମନଟା ସ୍ମୃତିର ବେଳାଭୂମିରେ ତୃଷ୍ଣାର ବିରହ ଯନ୍ତ୍ରଣାକୁ ପାଇ ବିଳପି ଉଠୁଥାଏ ସତ କିନ୍ତୁ ତୃଷ୍ଣାର ଗନ୍ଧ ବାସ୍ନା କିଛି ତାକୁ ମିଳି ପାରୁ ନଥାଏ !ହାଏ ତୃଷ୍ଣା, ତମେ ଏମିତି କାହିଁକି କରି ଦେଇ ଚାଲି ଗଲ? ଏହି ଭାବନା ରାଜ୍ୟରେ ପଶିଗଲା ବେଳକୁ ସମୟ ତାର ଅନୁକୂଳ ବାତାବରଣ ପଠାଇ ବିଗତ ସ୍ମୃତିର ପଠାରେ ତାକୁ ମମତାର କୋମଳ ଶ୍ପର୍ଶ ଭରି ଦେଇଛି। ସତେ ଯେମିତି ତା କ୍ଷତାକ୍ତ ମନର ଦରଜ ଉପରେ କେହି ଜଣେ ମମତାର ମଲମ ଲଗାଇ ଚାଲିଛି। ଚମକି ପଡ଼ି ଦେଖେ ତ ସେ ଆଉ କେହି ନୁହେଁ, ଯାହାର ମନରେ ଦିନେ ଅଶାନ୍ତିର ପଥର ଲଦିଦେଇ ଦୁଃଖର ଅସହ୍ୟ ଯନ୍ତ୍ରଣା ଭିତରକୁ ଠେଲି ଦେଇ, ଦୀର୍ଘ ଦିନ ଠାରୁ ଯେଉଁମାନଙ୍କୁ ପର କରି ଚାଲିଯାଇଥିଲା, ଯେଉଁ ସ୍ୱର୍ଗ ଠାରୁ ସୁନ୍ଦର ଘର, ଅତି ଆପଣାର ବାପାମାଙ୍କ ଠାରୁ ଦୂରେଇ ଯାଇଥିଲା, ଆଜି ତାର ଏହି ଦୟନୀୟ ଅବସ୍ଥାରେ ନିଜେ ଯେତେବେଳେ ଛଟପଟ ହେଉଛି, ସେତେବେଳେ ସେହି ଯନ୍ତ୍ରଣାରୁ ଉପଶମ ଦେବା ପାଇଁ ଠିଆ ହୋଇଛନ୍ତି ତାର ସେହି ସ୍ନେହ କାଙ୍ଗାଳି, ସନ୍ତାନ ବତ୍ସିନୀ ସେହି ମା! ଯାହା ପାଇଁ ଏହି ବାପା ମା ହୋଇଥିଲେ ପର, ଏ ଦୁନିଆ ହୋଇଥିଲା ବେଇମାନ, ଏ ସମାଜ ସାଜିଥିଲା ଧୋକାବାଜ୍, ଆତ୍ମୀୟ ହୋଇଯାଇଥିଲେ ଶତୃ, ସିଏ କିନ୍ତୁ ଆଜି ଦୂରରେ ବହୁତ ଦୂରରେ! 

      ସମୟର ସୁଅରେ ଭାସି ଭାସି ସମସ୍ତେ ଦୂରକୁ ଚାଲି ଯାଆନ୍ତି, ସମସ୍ତେ ସ୍ବାର୍ଥର ଦାସ ହୋଇ ପରିବର୍ତ୍ତନ ହୋଇ ଯାଆନ୍ତି ସତ, କିନ୍ତୁ ଏକା ଜନ୍ମଦାୟିନୀ ମା' ନୁହେଁ। ଦୁନିଆରେ ସ୍ବାର୍ଥର ନିଆଁରେ ସମସ୍ତେ ଜଳିଯାନ୍ତି ସତ, କିନ୍ତୁ ଗର୍ଭଧାରିଣୀ ମା' ନୁହେଁ। ସମାଜର ରାଜ ରାସ୍ତାରେ ସମସ୍ତେ ସୁଖର ସାଥି ସାଜିପାରନ୍ତି ସତ, ହେଲେ ଦୁଃଖ ବେଳେ ଏକା ମା' ହିଁ ପାଖରେ ଠିଆ ହେବାକୁ ପଛଘୁଞ୍ଚା ଦିଏ ନାହିଁ। ସୃଷ୍ଟିର ଚକ୍ର ଦୁଇଟି ଜାତି ସୃଷ୍ଟି କରିଥିଲା। ଗୋଟିଏ ପ୍ରକୃତି ଓ ଅନ୍ୟଟି ପୁରୁଷ। କିନ୍ତୁ ପ୍ରକୃତିକୁ ଚାରୋଟି ଭାଗରେ ବିଭକ୍ତ କରିଥିଲା। ମା', ଭଗିନୀ, ଜାୟା ଓ ଦୁହିତା। କିନ୍ତୁ ଆଜିର ଏହି ଆଧୁନିକ ଯୁଗରେ ପ୍ରକୃତିକୁ ଆମେ ପାଞ୍ଚ ଭାଗରେ ବିଭକ୍ତ କରିଦେଇଛୁ। ଏହି ପଞ୍ଚମ ଭାଗଟି ହେଲା ପ୍ରେମିକା। ଯିଏକି ଜଣଙ୍କ ପାଖରେ ତାର ବିବାହ ପୂର୍ବରୁ ସ୍ତ୍ରୀର ଅଭିନୟ କରି ପାରିବ। ତାକୁ ସ୍ତ୍ରୀର ସମସ୍ତ ସୁଖ ସୁବିଧା ଦେଉ ଦେଉ ଅନ୍ୟ କେଉଁଠି ଅଧିକ ପାଇବା ଆଶାରେ ପ୍ରଥମ ପ୍ରେମିକକୁ ସମସ୍ତ ଦୁଃଖ, ଯନ୍ତ୍ରଣା, ଅପବାଦ ଲଦିଦେଇ ଚାଲିଯିବ। 

       ପ୍ରକୃତରେ ଏ ସୃଷ୍ଟି କେଡ଼େ ବିଚ଼ିତ୍ରମୟ। କାରଣ ସୃଷ୍ଟିର ନିୟମାନୁସାରେ ପ୍ରକୃତି ପୁରୁଷର ସମ୍ପର୍କ ସଦା ବିଦ୍ୟମାନ ହେଲେ ମଧ୍ୟ ଗୋଟିଏ ପ୍ରେମିକାଟିଏ ଯେ ପର୍ଯ୍ୟନ୍ତ ତା ପ୍ରେମିକ ନିକଟରୁ ତାର ସମସ୍ତ କାମନା ବାସନାକୁ ଚରିତାର୍ଥ କରୁଥାଏ ,ସେ ପର୍ଯ୍ୟନ୍ତ ସେ ସତୀ ସାବିତ୍ରୀଙ୍କ ପରି ଏକ ନିଷ୍ଠାରେ ପ୍ରେମିକର ଆତ୍ମୀୟା ଏବଂ ବିଶ୍ଵସ୍ତ ହୋଇ ରହେ। ଯେଉଁ ଦିନ ସେଥିରୁ ଊଣା ହୁଏ, ସେଦିନ ପ୍ରେମିକ ପ୍ରବରଙ୍କୁ ରାଜ ରାସ୍ତାରେ ମୁହଁ ବୁଲାଇ ଅନ୍ଯ କାହା ସତୀ, ସାବିତ୍ରୀ, ଅହଲ୍ୟା ସାଜି ଚାଲି ଯାଆନ୍ତି। 

        ସ୍ତ୍ରୀଟିଏ ପାଇଁ ସ୍ବାମୀ ହିସାବରେ ଯେ ପର୍ଯ୍ୟନ୍ତ ତାର ସମସ୍ତ ଅଭାବ ପୂରଣ କରୁଥିବ, ତା ଆଦେଶ, ଉପଦେଶକୁ ଉପେକ୍ଷା ନ କରୁଥିବ,ସେପର୍ଯନ୍ତ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଓ ମଧୁମୟ। କିନ୍ତୁ ଯେଉଁ ଦିନ ସେଥିରୁ ଊଣା ହେଲା, ସେହି ଦିନଠାରୁ ପରିବାରରେ କଳି, ଝଗଡ଼ା, ଅଶାନ୍ତି, ବିଶୃଙ୍ଖଳା, ଶେଷରେ 'ଛାଡ଼ପତ୍ର' କାଗଜରେ ଦସ୍ତଖତ ଦେଇ ବାପଘର ଚାଲି ଯାଆନ୍ତି ସତୀ ସାବିତ୍ରୀ ଦେବୀ। 

        ଭଉଣୀକୁ ଭାଇ ହିସାବରେ ଯେତେଦିନ ପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରୁଥିବ, ବର୍ଷରେ ଚାରି ପାଞ୍ଚ ଥର ନିଜ ଘରକୁ ଆଣି ଦାମୀ ଦାମୀ ଉପହାର ଦେଉଥିବ, ସେତେଦିନ ପର୍ଯ୍ୟନ୍ତ ତା ଭାଇ ପରି ସୃଷ୍ଟିରେ ଆଉ କାହାର ଭାଇ ନାହିଁ। ଯେଉଁଦିନ ସେଥିରୁ କିଛି ଊଣା ହେଲା, ତେବେ ସେହିଦିନ ଠାରୁ ଭାଇ ବଞ୍ଚିଥାଉ ଥାଉ ତାକୁ ପିଣ୍ଡ ଦାନ ହୋଇଯାଏ। 

       ଝିଅଟିଏ ପାଇଁ ତା'ର ବାପା ହିସାବରେ ସମସ୍ତ ଇଛା ପୂରଣ କରି ପାରୁଥିଲେ ମାଇଁ ସୁଇଟ୍ ପାପା, ଆଇ ଲଭ୍ ୟୁ ପାପା ଇତ୍ଯାଦି ଇତ୍ଯାଦି ଶୁଣିବାକୁ ମିଳେ, ନଚେତ୍ ବାପା ହିସାବରେ ଝିଅର କୌଣସି ଚିନ୍ତା ମୁଣ୍ଡକୁ ନେବା ଆବଶ୍ୟକ ପଡ଼େନି। ନିଜେ ନିଜେ ନିଜ ପାଇଁ ସବୁ କିଛି କରିନିଅନ୍ତି। ଏପରିକି ନିଜ ପାଇଁ ବର ପାତ୍ର ମଧ୍ୟ ଠିକ୍ କରିପାରନ୍ତି ଲାଡ୍ଲି ବେଟି ପାପାଙ୍କର। 

       କିନ୍ତୁ ଥରେ କେହି ଏ କଥା ଚିନ୍ତା କରିଛି, କ'ଣ ଚାହେଁ, ଗୋଟେ ପୁଅ ଠାରୁ ମାଟିଏ? ଯେଉଁ ମା'ର ପଣତ କାନି ତା'ପୁଅ ପାଇଁ ବଡ଼ ଦେଉଳର ନେତ ସାଜି ପୁଅର ରକ୍ଷା କବଚ଼ ସାଜିପାରେ, ଯେଉଁ ମା'ର କୋଳ ତା'ପୁଅ ପାଇଁ ରାଜ ପ୍ରାସାଦ ଠାରୁ ବଡ଼ ହୋଇପାରେ, ଯେଉଁ ମା'ର ସ୍ତନ ତା'ପୁଅ ପାଇଁ ବଡ଼ ବଡ଼ ହୋଟେଲର ସ୍ବାଦିଷ୍ଟ ଭୋଜନ ଠାରୁ ଅଧିକ ରୁଚ଼ିକର ହୋଇପରେ, ଯେଉଁ ମା'ର ନାମ ତା'ପୁଅ ପାଇଁ ତା'ର ଈଷ୍ଟ ମନ୍ତ୍ର ଠାରୁ ବଡ଼ ହୋଇପାରେ, ଯେଉଁ ମା' ନିଜେ ତା'ପୁଅ ପାଇଁ ସ୍ବର୍ଗ ଠାରୁ ବଡ଼ ହୋଇପାରେ, ଯେଉଁ ମା'ର ଗର୍ଭରେ ଦଶ ମାସ ଦଶ ଦିନ ରହି, ତା'ରି ରକ୍ତ ମାଂସରେ ତିଆରି ହୋଇ, ତା'ରି ଛାତିରୁ ବର୍ଷ ବର୍ଷ ଧରି କ୍ଷୀର ଖାଇ, ତା'ରି କୋଳରେ ଅଳି ଅର୍ଦଳି କରି, ତା'ରି ହାତ ଧରି ବାଟ ଚାଲି ଶିଖେ,ତା'ରି ନାମର ଅକ୍ଷରରୁ କଥା କହିବା ଶିଖେ, ସେହି ମାଆ ଦିନେ ଗୋଟିଏ ଅଚି଼ହ୍ନା ଅଜଣା ଅପରିଚ଼ିତା ଝିଅ ପାଇଁ ପୁଅର ଆଖିରେ ଏତେ ତଳକୁ ଖସିଯାଏ? ଏତେ ପର ହୋଇଯାଏ ?

       କଣ ପାଇଁ ସେ ମାଆର ଏତେ ଦୁଃଖ? କଣ ପାଇଁ ସେ ମାଆର ଏତେ କଷ୍ଟ? କେଉଁ ଅଭିଶାପରୁ ସେ ମାତୃତ୍ବ ଲାଭ କରେ? କଣ ପାଇଁ ସେ ଏ ସମାଜରେ ସନ୍ତାନ ସୃଷ୍ଟି କରେ? କଣ ପାଇଁ ସେ ତା ସନ୍ତାନମାନଙ୍କୁ ଏତେ ଶ୍ରଦ୍ଧା ସ୍ନେହ ଦିଏ? କଣ ପାଇଁ ସେ ନିଜେ ନଖାଇ ନପିଇ ତା ସନ୍ତାନମାଳଙ୍କୁ ଖୁଆଏ ପିଆଏ? କଣ ପାଇଁ ସେ ତା ଗହଣା ଗାଣ୍ଠି ବିକ୍ରିକରି ତା ପିଲାମାନଙ୍କୁ ଭଲ ପାଠ ପଢ଼ାଇ ବଡ଼ ଚାକିରି କରାଏ? ଆଉ ଯେତେବେଳେ ସେହି ପିଲାମାନେ ତାର ବଡ଼ ହୋଇ, ମଣିଷ ହେଲା ପରେ, ଚାକିରି କଲାପରେ, ବାହା ହୋଇଗଲା ପରେ, ଭୁଲି ଯାଆନ୍ତି ସେହି ମାଆକୁ, ଭାଗ କରନ୍ତି ସେହି ମାଆକୁ, ଅନାଇ ରହନ୍ତି ସେହି ବାପା ମାଆଙ୍କର ପେନସନ୍ ଟଙ୍କାକୁ! ଧିକ୍ ତମ ଶିକ୍ଷା ଦୀକ୍ଷାକୁ, ଧିକ୍ ତମ ବଡଲୋକିଆ ପଣକୁ, ଧିକ୍ ତମ ରୋଜଗାରକୁ, ଶତ ଧିକ୍ ତମ ସାହେବ ପଣିଆକୁ! 

          ଜୀବନର ଛାତି ଭିତରେ ଛାତିଏ କୋହ ସବୁ ବରଫ ତରଳି ବୋହିଯିବା ପରି ବରଷାର ମୁଷଳ ଧାରା ପରି ତା ଆଖିରୁ ବହି ଚାଲିଥାଏ ସତ କିନ୍ତୁ ତା ମନରୁ ତୃଷ୍ଣାର ଅବସାଦ ମେଣ୍ଟିପାରି ନଥାଏ। ସେ ତା ମାଆର କୋଳକୁ ଆଉଜି ପଡ଼ି କଇଁକଇଁ ହୋଇ ଜୋରରେ କାନ୍ଦୁଥାଏ। ତାଆ କାନ୍ଦରେ ତାଆ ମାଆ ମଧ୍ୟ ବିଚ଼ଳିତ ହୋଇ ପଡ଼ୁଥାଆନ୍ତି ।ବ୍ଯସ୍ତ ହୋନି ସବୁ ଠିକ୍ ହୋଇଯିବ, ଭଗବାନ ଅଛନ୍ତି। ଏ ଦୁନିଆରେ ମଣିଷ ସିନା ସ୍ବାର୍ଥପର ହୋଇପରେ କିନ୍ତୁ ଭଗବାନ ନୁହନ୍ତି। ଈଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତି। ସେ ମଣିଷର ଦୁଃଖ ଦେଖି କେବେ ସହି ପାରିବେନି। ତେଣୁ ଆଜି ଠାରୁ ତୋର ଯାହା ହେବ ମଙ୍ଗଳ ହେବ ତୁ କାନ୍ଦେନା, ଘରକୁ ଚାଲ। ଦେଖ୍ ବାପା ଗୋଟିଏ ମାଆର ଆନ୍ତରିକ ଭଲପାଇବା ଯେମିତି ତା ପିଲା ଯେତେ ଦୂରରେ ଥିଲେ ବି ସେ ତା ନିକଟକୁ ଟାଣି ଆଣିଲା ପରି ତୋର ଏହି ଭଲପାଇବା ବି ଦେଖିବୁ ଦିନେ ତୃଷ୍ଣାକୁ ତୋ ନିକଟକୁ ଟାଣି ଆଣିବ। 

       ହେଲେ ଜୀବନ କିନ୍ତୁ ତୃଷ୍ଣାର ଜ୍ବାଳାରେ ଏତେ ମର୍ମାହତ ହୋଇ ଯାଇଥିଲା ସେ ଆଉ ତା ଜୀବନରେ ବଞ୍ଚିଥିବା ପର୍ଯ୍ୟନ୍ତ କେବେ ବି ତୃଷ୍ଣାକୁ ଗ୍ରହଣ କରିବ ନାହିଁ ବୋଲି ତା ମାଆର ପାଦ ଛୁଇଁ ଶପଥ କରିଛି। ସେ ବୁଝି ପାରିଛି ଜୀବନରେ ପ୍ରକୃତ ସୁଖ, ଶାନ୍ତି, ଆନନ୍ଦ କଣ ଓ କେଉଁଠି ଅଛି ।



Rate this content
Log in