ମାଆ ଓ ମମତା
ମାଆ ଓ ମମତା


ସଞ୍ଜନା ଉଚ୍ଚ ଶିକ୍ଷା ପାଇଁ ସହରକୁ ଆସିଛି । ନୂଆ ସହର ଓ ନୂଆ କଲେଜରେ ସେ ପୁରା ନୂଆ। ନୂଆ ଜାଗାରେ ନୂଆ ମୁହଁ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ବି ତା'ର ଆଚ଼ାର-ବ୍ୟବହାର ଓ ଚାଲାକ-ଚାତୁରୀ ପାଇଁ ସେ ସମସ୍ତଙ୍କର ଅତି ନିଜର ହୋଇଯାଇଛି। ଦିନ କେଇଟାରେ ତା'ର ସହପାଠିନୀ ଶାଲିନୀ ସହିତ ଖୁବ୍ ଘନିଷ୍ଠତା ହେଇଯାଇଛି। ସେହି ଘନିଷ୍ଠ ବନ୍ଧୁପଣିଆ ଦ୍ୱାହିରେ ଶାଲିନୀର ଅନୁରୋଧକୁ ଅଗ୍ରାହ୍ୟ କରିନପାରି ସଞ୍ଜନା ତା'ର ରହୁଥିବା ମେସ୍ ଛାଡ଼ି ଶାଲିନୀର ଘରେ ସହ ସଙ୍ଗିନୀ ହୋଇଯାଇଛି।
ଶାଲିନୀର ପରିବାର କହିଲେ ସେ ଓ ତା'ର ବାପା-ମାଆ ସହ ଗୋଟିଏ ଭାଇ । ତା'ର ବାପା ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ। ମାଆ ଜଣେ ସୁଗୃହିଣୀ। ଭାଇ ଏକ ଘରୋଇ ସଂସ୍ଥାର କୋଷାଧ୍ୟକ୍ଷ ଏବଂ ଶାଲିନୀ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ।
ସଞ୍ଜନାର ପରିବାର କହିଲେ, କେବଳ ତା'ର ବାପା ଓ ସେ। ବାପା ଜଣେ କାର୍ ଚାଳକ। ମାଆ ସଞ୍ଜନାକୁ ଜନ୍ମ ଦେଇ ସେହି ମେଡିକାଲ ବେଡ୍ ଉପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ତେଣୁ ସଞ୍ଜନା ତା' ବାପାଙ୍କର ପ୍ରଥମ ଓ ଶେଷ ସନ୍ତକ। ବାପା ଓ ମାଆ ଉଭୟଙ୍କର ସ୍ନେହ-ଶ୍ରଦ୍ଧା ଦେଇ ସଞ୍ଜନାର ବାପା ସଞ୍ଜନାକୁ ମଞ୍ଜିଟିଏରୁ ଗଛଟିଏ ସୃଷ୍ଟି କଲାପରି ବଢ଼େଇ ଚାଲିଛନ୍ତି। କେବେ ସେ ତା' ଆଖିରେ ଲୁହ ଟିକେ ଝରିବାକୁ ଦେଇନାହାନ୍ତି। ତା'ର ସମସ୍ତ ଅଳି-ଅର୍ଦ୍ଦଳି, ଇଛା-ଅନିଚ୍ଛା, ରାଗ-ରୁଷା ଓ ସବୁ ଜିଦକୁ ପଛକରି ଏକୋଇରବାଳା ବିଶିକେଶନ ପରି ନିଜ ଲହୁ-ଲୁହକୁ ଏକ କରି ସବୁ କିଛି ପୂରଣ କରିଚାଲିଛନ୍ତି। ନିଜେ ଓଳିଏ ଖାଇ ଦି'ଓଳି ଉପବାସ ରହି ସଞ୍ଜନାକୁ ଏକ ସମ୍ଭ୍ରାନ୍ତ ପରିବାରର ଝିଅ ଭଳି ଗଢ଼ି ତୋଳିଛନ୍ତି। ତେଣୁ ସଞ୍ଜନା ମଧ୍ୟ କେବେ ଅନୁଭବ କରିନି ତା' ମା'ର ଅନୁପସ୍ଥିତିକୁ। କିନ୍ତୁ ଏଠି ସଞ୍ଜନା ଶାଲିନୀର ପରିବାର ଠାରୁ ଏତେ ସ୍ଵର୍ଗୀୟ ସୁଖ ଅନୁଭବ କରୁଛି ଯେ, ତା' ନିଜ ବାପାଙ୍କୁ ମନେ ପକାଇବାକୁ ସମୟ ପାଉନି। ବେଳେବେଳେ ନିଃଶବ୍ଦ ରାତିର ଘନ ଅନ୍ଧକାରର ଶୂନ୍ୟତାକୁ ଭଙ୍ଗ କରି ତା' ବାପା ତାକୁ ନିଜଠାରୁ ଅଲଗା କରି ସହରକୁ ବିଦାୟ ଦେବା ବେଳର ଲୁହଭିଜା ଆଖି ତା' ମନକୁ ଆନ୍ଦୋଳିତ କରେ। ସେତେବେଳେ ସେ ଭାବେ ମୁଁ ଏହିଠାରେ ରହି ମୋ' ବାପାଙ୍କ ଆଖିର ଲୁହକୁ ପୋଛିବି। ଏହା ଭାବି ସେ ପୁଣି ତା' ମନକୁ ଦୃଢ କରିଦିଏ, କିନ୍ତୁ ଏକ'ଣ ! ଆଜି ତା' ଆଖିର ଲୁହ ବୋଲ ମାନୁନି ! ସେ କଡ଼ ଲେଉଟାଇ ଶୋଇବାକୁ ପ୍ରୟାସ କଲାବେଳେ ଶାଲିନୀ ଜାଣିପାରିଛି ଯେ ସଞ୍ଜନା ଏପର୍ଯ୍ୟନ୍ତ ଶୋଇ ନାହିଁ ବୋଲି। ସେ ଏହାର କାରଣ ପଚ଼ାରିଲା ସଞ୍ଜନାକୁ। ସଞ୍ଜନା ନିଜ କୋହ ସମ୍ବରଣ କରି ନପାରି ବାପା ... ବାପା... ବୋଲି କହି କାନ୍ଦି ଚାଲିଲା। ସଞ୍ଜନାର କାନ୍ଦ ଦେଖି ଶାଲିନୀ ନିଜକୁ ସମ୍ଭାଳି ନପାରି ସେ ତା'ର ବାପା-ମାଆ ଓ ଭାଇଙ୍କୁ ଡାକିଲା ଏବଂ ସମସ୍ତେ ଦୁଃଖ ପ୍ରକାଶ କରିବା ସହ ସଞ୍ଜନାକୁ ବୁଝେଇବାକୁ ଚେଷ୍ଟା କଲେ । ସାନ୍ତ୍ୱନା ଦେଇ କହିଲେ ତୁ କାଲି ଯାଇ ତୋ' ବାପାଙ୍କୁ ଦେଖି ଆସେ, ତୋ ମନ ଟିକେ ହାଲକା ହେଇଯିବ । ସମସ୍ତଙ୍କ ସାନ୍ତ୍ୱନା ଦେବା ଭିତରେ ଶାଲିନୀର ଭାଇ 'ସରୋଜ' ଅଧିକାକୃତ ସାନ୍ତ୍ୱନା ଦେଇ ବୁଝେଇଛି ଏବଂ ନିଜ ହୃଦୟରେ ସଞ୍ଜନାକୁ ନେଇ ସ୍ୱପ୍ନର ତାଜମହଲଟିଏ ଗଢ଼ିଛି।
******************************************
ସଞ୍ଜନା ଯେତେବେଳେ ତା' ବାପାଙ୍କ ସହିତ କଥା ହେଉଥାଏ, ସେତେବେଳେ ତା' ମନରେ ଏକ ଅଦେଖା ଆଲୋଡ଼ନ ସୃଷ୍ଟି ହେଉଥାଏ। ସତେ ଯେମିତି ସେ ତା' ଅତି ନିଜ ମଣିଷ କିଏ ଅଛି, ତାକୁ ଛାଡ଼ି ଆସିଛି ଏବଂ ସେ ଯେମିତି ତାକୁ ବହୁତ ମନେ ପକାଉଛି। ତା' ଅଜାଣତରେ ତା' ଆଖିରୁ ଲୁହ ଅନବରତ ଗଡ଼ି ଚାଲିଛି। ତାକୁ କେଉଁଥିରେ ମନ ଲାଗୁ ନଥାଏ। ତା'ର ମନ ଜାଣି ତା' ବାପା କେତେ କ'ଣ ଖାଇବାକୁ ଦେଉଥିଲେ ମଧ୍ୟ ତା'ର ମନରେ ଏକ ଅଦେଖା କୋହ ତାକୁ ସବୁ ରୁଚ଼ି ହୀନ ପରି ଲାଗୁଥାଏ। ଅଧିକ ସମୟ ସେ ତା' ବାପାଙ୍କ ପାଖରେ ରହି ପାରିଲାନାହିଁ। ସେ ତା' ବାପାଙ୍କ ଠାରୁ ବିଦାୟ ନେଇ ଆସିଛି ପୁଣି ସେହି ସହରକୁ, ଯେଉଁଠି ତା' ମନର ମଣିଷ ତାକୁ ଅପେକ୍ଷା କରି ରହିଛନ୍ତି। ସଞ୍ଜନାର ବାପା ସଞ୍ଜନାକୁ ନେଇ ଆସିଛନ୍ତି ପାଖ ବସଷ୍ଟାଣ୍ଡକୁ। ବସ୍ ମଧ୍ୟ ଆସି ପହଞ୍ଚିଛି। ସଞ୍ଜନାର ବାପା ସଞ୍ଜନାକୁ ଶାଶୁଘରକୁ ଝିଅ ବିଦା କଲାଭଳି ଦୁଃଖର ପାହାଡ଼କୁ ନିଜ ଛାତି ତଳେ ଚାପି ରଖି ଝିଅକୁ ସୁଖ-ଶାନ୍ତି, ଆନନ୍ଦ ଓ ସୌଭାଗ୍ୟର ଆଶୀର୍ବାଦ ପ୍ରଦାନ କରି ବିଦାୟ ଦେଇଛନ୍ତି।
******************************************
ଶାଲିନୀର ପରିବାର ଏଣେ ବ୍ୟସ୍ତ ବିବ୍ରତ। ରାତି ଆସି ଏଗାରଟା ପାଖାପାଖି ହେଲାଣି ଅଥଚ଼ ସଞ୍ଜନାର ଦେଖା ନାହିଁ ! ସେପଟେ ସଞ୍ଜନାର ଫୋନ୍ ସୁଇଚ଼୍ ଅଫ୍ କହୁଛି ସେଥିପାଇଁ ଭୟ ବଢ଼ି ଚାଲିଛି। ଅନନ୍ୟ ଉପାୟ ହୋଇ ସରୋଜ ଫୋନ୍ କରିଛି ସଞ୍ଜନାର ବାପାଙ୍କୁ।
- ହାଲୋ, କିଏ କହୁଛନ୍ତି ?
- ଆଜ୍ଞା ଅଙ୍କଲ ପ୍ରଣାମ୍, ମୁଁ ଶାଲିନୀର ଭାଇ ସରୋଜ କହୁଚି଼।
- ହଁ ସରୋଜ ବେଟା କୁହନ୍ତୁ। ସଞ୍ଜନା କେତେବେଳେ ଆପଣଙ୍କ ଘରେ ପହଞ୍ଚିଲା ? ମୁଁ ତାକୁ ଫୋନ୍ କରୁଚ଼ି ତା' ଫୋନ୍ ଲାଗୁନି। ଆପଣମାନଙ୍କର ନମ୍ବର ମୋ' ପାଖରେ ନଥିବାରୁ ମୁଁ କାହାରି ଠାରୁ ମୋ' ଝିଅର ଖବର ନପାଇ ବହୁତ ବ୍ୟସ୍ତ ହେଉଥିଲି। ଭଲ ହେଲା ଆପଣ ଫୋନ କଲେ, କୁହ ବାବା .... ସଞ୍ଜନା କେତେବେଳେ ପହଞ୍ଚିଲା ?
- ସଞ୍ଜନା କ'ଣ ଆଜି ସେଠୁ ଆସିଛି ? ତେବେ କେତେବେଳେ ଆସିଲା ?
- ହଁ ବାବା, ସେ ଏଠୁ ଦିନ ଚାରିଟାରୁ ଗଲାଣି। ମା' ଦୁର୍ଗା ବସରେ ଯାଇଛି। ସେ କ'ଣ ଏଯାଏଁ ସେଠି ପହଞ୍ଚିନି ?
- ନାହିଁ ଅଙ୍କଲ୍, ଆମେ ସେଥିପାଇଁ ବ୍ୟସ୍ତ ହେଇ ତାକୁ ଫୋନ୍ କରିଥିଲୁ କିନ୍ତୁ ତା'ର ମୋବାଇଲ୍ ସୁଇଚ଼୍ ଅଫ୍ କହିବାରୁ ମୁଁ ସଞ୍ଜନାର ଡାଇରୀରୁ ଆପଣଙ୍କ ନମ୍ବର ପାଇ ଆପଣଙ୍କୁ ଫୋନ୍ କଲି। ତେବେ ଠିକ୍ ଅଛି ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ବସଷ୍ଟାଣ୍ଡ ଯାଇ ଦେଖୁଛି। ଫେରିବା ପରେ ଆପଣଙ୍କ ସହ କଥା ହେଉଛି।
- ହଁ ବାବା, ମୋତେ ଶିଘ୍ର ଜଣେଇବ ଟିକେ। ବ୍ୟସ୍ତ ଓ ଭୟ ଲାଗୁଛି।
******************************************
ବସଷ୍ଟାଣ୍ଡରୁ ଶାଲିନୀର ଘର ସାତ କିଲୋମିଟର ଦୂରତାକୁ ଏତେ ରାତିରେ ସଞ୍ଜନା କେମିତି ଯିବ ବୋଲି ଭାବିବା ସମୟରେ ଦୁଇଜଣ ଯୁବକ ଗୋଟିଏ ବାଇକରେ ଆସି କହିଲେ.....
- ମାଡାମ୍, କେଉଁଠାକୁ ଯିବେ ?
- ସେକ୍ଟର ସାତ !
- ଆମେ ଯାଉଥିଲୁ, ଆପଣ ଯଦି କିଛି ନଭାବନ୍ତି ଆମ ସହ ଆସି ପାରନ୍ତି !
- ନାଇଁ, ଧନ୍ୟବାଦ ! ମୁଁ ମୋ' ଭାଇଙ୍କୁ ଫୋନ କରିଛି। ସେ ବାଇକ୍ ନେଇ ଆସୁଛନ୍ତି।
- ଦେଖନ୍ତୁ ଆପଣଙ୍କ ଭାଇ ତ ଏଯାଏଁ ଆସି ନହାନ୍ତି। ରାତି ଅଧିକ ବଢ଼ୁଛି। ଆପଣ ଏକା, ପୁଣି ଝିଅ ପିଲାଟେ। ଆଜିକାଲି ସମୟ ଠିକ୍ ନାହିଁ । କେତେବେଳେ କିଛି ବି ଅଘଟଣ ହୋଇପାରେ। ଆମେ ସେକ୍ଟର ସାତ ଯାଉଛୁ, ସେଥିପାଇଁ ଆପଣଙ୍କୁ ଡାକୁଛୁ। ଆପଣ ଆମ ଗାଡିରେ ରାସ୍ତାକୁ ନଜର କରି କରି ଆସନ୍ତୁ। ରାସ୍ତାରେ ଭାଇଙ୍କ ସହ ଦେଖା ହେଇଗଲେ ଓହ୍ଲାଇଯିବେ।
ସଞ୍ଜନା ବେଶ୍ ଭଲଭାବେ ଜାଣିଛି ଆଜିକାଲି ଦୁନିଆ ବିଷୟରେ। ଆଜିକାଲି ପୁଅ ମାନଙ୍କର ଝିଅଙ୍କ ଉପରେ ଯେଉଁ ପ୍ରକାର ଲୋଲୁପ ଦୃଷ୍ଟି, ଏକ ସାଧାରଣ କଥା ହେଇ ଯାଇଛି। ସେଥିପାଇଁ ସଞ୍ଜନା ଏଇ ଅଜଣା ଯୁବକଙ୍କ ଠାରୁ ଜାଣିଶୁଣି ଦୂରେଇ ରହିବାକୁ ମିଛ କହିଥିଲା। ଏଣେ ସରୋଜକୁ ଫୋନ୍ କରି ଡାକିବାକୁ ବି କୁଣ୍ଠାବୋଧ କରୁଛି, କାରଣ ଏତେ ରାତିରେ ସରୋଜଙ୍କ ସାଙ୍ଗରେ ଏକା ଏକା .....
ଯାହା ହେଲେ ବି ସେ ଜଣେ ପୁଅ, କାଳେ ଶାଲିନୀ କି ତା' ବାପା - ମାଆ କ'ଣ ଭାବିବେ ? ଅବଶ୍ୟ ସରୋଜ ଜଣେ ହୃଦୟବାନ ପିଲା। ତା'ଛଡ଼ା ମୋ' ଅଜାଣତରେ ସୃଷ୍ଟି ହୋଇଥିବା ଏହି ଅନ୍ୟମନସ୍କତାର କାରଣ କେହି ନ ଜାଣିଲେ ବି ମୁଁ ଠିକ୍ ଜାଣେ ! ତେଣୁ ସରୋଜଙ୍କ ପ୍ରତି ମୋ' ମନର ଦୁର୍ବଳତା ସମ୍ବବନ୍ଧରେ ସରୋଜ କିମ୍ବା ତାଙ୍କ ପରିବାରର କେହି ନଜାଣନ୍ତୁ ବୋଲି ସରୋଜକୁ ଡାକିବାକୁ କୁଣ୍ଠାବୋଧ କରୁଛି ମୁଁ.........
କିନ୍ତୁ ଏକ'ଣ ମୋ' ହୃଦୟ କେବଳ ସରୋଜଙ୍କୁ କାହିଁକି ଡାକୁଛି? ମନ ମଧ୍ୟରେ ତାଙ୍କୁ କାହିଁକି ଚାହୁଁଛି? ଏ ସମୟରେ ସରୋଜ ଟିକେ ଆପେ ଆପେ ଆସନ୍ତେ ନାହିଁ ? ସେ ମୋ'ର ସ୍ୱପ୍ନର ରାଜ୍ୟକୁ କିଛି ସମୟ ପାଇଁ ହେଉ ପଛେ ଏକ ବାସ୍ତବ ଦୂନିଆର ରୂପ ଦେଇ ସେଥିରେ ଦୁଇ ପ୍ରେମ ପକ୍ଷୀ ଏହି ନିଃଶବ୍ଦ ରାତିର ଜୋଛନା ଭିଜା ଆକାଶରେ ଉଡ଼ି ଉଡ଼ି ଚାଲି ଯାଆନ୍ତେ କାହିଁ କେତେ ଦୂରକୁ.......
ଏହି ସମୟରେ ଉକ୍ତ ଯୁବକ ଦ୍ବୟଙ୍କ ପୁଣିଥରେ ଅନୁରୋଧ ସଞ୍ଜନାକୁ ତା'ର ଭାବନା ରାଜ୍ଯରୁ ଫେରାଇ ଆଣିଲା। ଆଗପଛ ବିଚାର କରି, ଉକ୍ତ ଦୁଇ ଯୁବକଙ୍କ ଆଚ଼ାର-ବ୍ୟବହାରରେ ଶାଳିନତା ଲକ୍ଷ୍ୟ କରି ତାଙ୍କ ଗାଡ଼଼ିରେ ବସିଛି ସେ ।
ବାଇକଟି ଆଗକୁ ଗଡ଼଼ି ଚାଲିଲା....
******************************************
ସରୋଜ ବସଷ୍ଟାଣ୍ଡରେ ପହଞ୍ଚି ତନ୍ନତନ୍ନ କରି ସଞ୍ଜନାକୁ ଖୋଜିବା ଭିତରେ ସଞ୍ଜନା ତାକୁ ମିଳିଲା ନାହିଁ କିନ୍ତୁ ସଞ୍ଜନାର ବାପା କହିଥିବା ବସ୍ "ମା' ଦୁର୍ଗା" ମିଳିଯାଇଛି। କାଳବିଳମ୍ବ ନକରି ସରୋଜ ବସର କର୍ମଚାରୀ ମାନଙ୍କୁ ସଞ୍ଜନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ପଚ଼ାରି ବୁଝିଛି। ବସ୍ କର୍ମଚାରୀଙ୍କ କହିବା ଅନୁସାରେ, ସେଦିନ ବସଟି କୌଣସି ଯାନ୍ତ୍ରିକ ତୃଟି ଯୋଗୁଁ ବିଳମ୍ବରେ ପହଞ୍ଚିଛି। ସଞ୍ଜନା ସମ୍ବନ୍ଧରେ କୌଣସି ତଥ୍ୟ ନପାଇ ସରୋଜ ସେଠାରୁ ପ୍ରସ୍ଥାନ କରିଛି। କିଛି ବାଟ ଆସିଛି କି ନାହିଁ, ସେ ଏ କ'ଣ ଅନୁଭବ କରୁଛି ? ସତେ ଯେମିତି ତା' ଅନିଚ୍ଛା ସତ୍ତ୍ବେ ତା'ର ଗନ୍ତବ୍ୟ ପଥର ବିପରୀତ ଦିଗରେ ତା' ଗାଡ଼ି କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ତେବେ ସେ କୁଆଡ଼େ ଯାଉଛି ? ତା' ଗାଡ଼ି ତାକୁ କୁଆଡ଼େ ନେଉଚ଼ି ? ତାକୁ ଲାଗୁଛି ଯେ ଅନ୍ୟ କେହି ଜଣେ ତା' ଗାଡ଼ିକୁ ସେ ଦିଗରେ ଟାଣି ନେଉଛି। ଏମିତି ଭାବନା ରାଜ୍ୟରେ ବୁଲୁବୁଲୁ ହଠାତ୍ ତାକୁ ଏକ ନିଃସହାୟ ଝିଅର କରୁଣ ଚିତ୍କାର ଶୁଭିଛି। ତା' ମନକୁ ପାପ ଛୁଇଁଛି ଏବଂ ତା'ର ଗାଡ଼ି ଆହୁରି ଅଧିକ ବେଗରେ ମାଡ଼ି ଚାଲିଛି।
ହଠାତ୍ ସରୋଜ ନିଜକୁ ଆବିଷ୍କାର କରୁଛି ଏକ ନଦୀ କୂଳର ପଠାରେ ଥିବା ଝଙ୍କାଳିଆ ବରଗଛ ମୂଳେ। ଦୁଇଜଣ ଯୁବକ ଏକ ନାରୀ ପ୍ରତି ଦୁଷ୍କର୍ମ କରିବାକୁ ଉଦ୍ୟତ ହେଉଥିବା ନଜର ଆସିଲା। ଏ କ'ଣ ? ସେ ଝିଅଟି ଆଉ କେହି ନୁହେଁ, ତା' ସପନ ରାଇଜର ରାଣୀ ସଞ୍ଜନା ! ଯାହାାପାଇଁ ସେ ନିଜ ମନରେ ଏକ ତାଜମହଲ ଗଢ଼ି ସାରିଛି। ତୁରନ୍ତ ଗାଡିଟିକୁ ଅଟକାଇ ଶତସିଂହର ବଳ ନେଇ ଝାମ୍ପି ପଡ଼ିଲା ସରୋଜ ସେଇ ଦୂରାଚାରୀ ପାପିସ୍ଟଙ୍କ ଉପରେ।
ସରୋଜର ରକ୍ତମୁଖା ମୁହଁକୁ ଦେଖି ଦୁଇ ଯୁବକ ସେ ସ୍ଥାନ ପରିତ୍ୟାଗ କରିଛନ୍ତି । ସଞ୍ଜନା ତା'ର ଏମିତି ସମୟରେ ସରୋଜକୁ ପାଖରେ ପାଇ କୋଟିନିଧି ପାଇଲା ପରି ସରୋଜର ଛାତିରେ ନିଜ ଛାତିକୁ ମିଶେଇ ଦେଇ କାନ୍ଦିବାକୁ ଲାଗିଛି। ଏହି ସମୟରେ ପୋଲିସ୍ ପେଟ୍ରୋଲିଂ ଦଳ ଏତେ ରାତିରେ ଜଣେ ଯୁବକ କ୍ଷୀପ୍ର ଗତିରେ ଆସୁଥିବାର ଲକ୍ଷ୍ୟ କରି ସେ ସ୍ଥାନରେ ପହଞ୍ଚି, ସରୋଜ ଓ ସଞ୍ଜନାକୁ ଅସଞ୍ଜତ ଅବସ୍ଥାରେ ଦେଖି ସରୋଜକୁ ଆରେଷ୍ଟ କରିଛନ୍ତି। ସଞ୍ଜନାର ବାପା ଓ ଶାଲିନୀର ବାପା ସରୋଜକୁ ବାରମ୍ବାର ଯୋଗାଯୋଗ କଲାପରେ କୌଣସି ଉତ୍ତର ନପାଇ ସେ ସ୍ଥାନରେ ଆସି ପହଞ୍ଚି ସରୋଜକୁ ପୋଲିସ୍ ଆରେଷ୍ଟ କରୁଥିବା ଏବଂ ସଞ୍ଜନାର ଅର୍ଦ୍ଧଲଗ୍ନ ଶରୀରକୁ ଦେଖି ସ୍ତମ୍ବିଭୂତ ହୋଇ ଯାଇଛନ୍ତି। ଏହି ସମୟରେ ହଠାତ୍ ଏକ ଶୂନ୍ୟବାଣୀ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଲା...
- ରୁହନ୍ତୁ ଇନିସପେକ୍ଟର !
- କିଏ ? କିଏ ତମେ ?
- ମୁଁ ସଞ୍ଜନାର ମାଆ ! ମୋ' ଝିଅର ଏ ଅବସ୍ଥା ପାଇଁ ସରୋଜ ଦାୟୀ ନୁହଁନ୍ତି । ଆଇନ୍ ଆଖିରେ ପଟି ବନ୍ଧା ହେଲାଭଳି ଗୋଟିଏ ମାଆର ଆଖିରେ ପଟି ବନ୍ଧା ହୋଇ ନଥାଏ। ତେବେ ସେ ଜୀବିତ ହେଉ ବା ମୃତ। ମାଆ ତା'ର ପିଲାମାନଙ୍କ ଶୁଭ ମନାସିବା ଏକ ମାତୃତ୍ବର ପରିଚ଼ୟ। ଯାହାର ଉଦାହରଣ, ମୋ' ଝିଅ ପ୍ରତି ଅଘଟଣ ଘଟିବା ଲକ୍ଷ୍ୟ କରି ମୁଁ ଏ ଜାଗାକୁ ସରୋଜଙ୍କୁ ଆଣିଥିଲି। ପ୍ରକୃତରେ ଯୋଉଁମାନେ ମୋ' ଝିଅର ଏ ଅବସ୍ଥା ପାଇଁ ଦାୟୀ, ଆପଣ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ?
ମୁଁ ଜାଣେ, ପ୍ରଶାସନ ତା'ର ନିଜ ଲୋକ, ନିଜ ସମ୍ପର୍କକୁ ରକ୍ଷାକବଚ଼ରେ ଢାଙ୍କି ଦେବାପାଇଁ ଆଇନର ଆଖିରେ ପଟି ବନ୍ଧି ଦେଇଛି। ଗୋଟିଏ ନିର୍ଦ୍ଦୋଶକୁ ସଜା ଦେବାପାଇଁ ଆଇନ୍ ତା' ଆଖିରେ ପଟି ବାନ୍ଧିଛି। କିନ୍ତୁ ମୁଁ ମାଆ, ମୁଁ ମାତୃଶକ୍ତି ! ମୁଁ ମୋ'ର ସନ୍ତାନମାନଙ୍କ ପାଇଁ ମା' ରୁ ଝାନସୀ ହୋଇପାରେ, ଦେବୀ ଦୁର୍ଗା-କାଳୀ ହୋଇପାରେ। ଜଣେ ମାଆ ହେଉ କି ଜଣେ ନାରୀ ହେଉ, ସେ ଚାହିଁଲେ ଆଇନର ପଟି ଖୋଲି ଦୋଷିକୁ ଦଣ୍ଡ ଦେଇପାରେ।
- ତେବେ ଆପଣ କୁହନ୍ତୁ ପ୍ରକୃତ ଦୋଷି କିଏ ? ମୁଁ ଆପଣଙ୍କୁ ନ୍ୟାୟ ଦେବି ।
- ତେବେ ଶୁଣନ୍ତୁ ଆପଣଙ୍କ ପୁଅ ସମ୍ବିତ୍ ଓ ଜର୍ଜଙ୍କ ପୁଅ ସଞ୍ଜୟ ଏହି ଦୁଇଜଣ ପ୍ରକୃତ ଦୋଷି। ଆପଣ ଦେଇ ପାରିବେ ନ୍ୟାୟ ??
- ଆଇନର ପୋଷାକ ପିନ୍ଧିଛି ଯେତେବେଳେ, ଆଇନକୁ ରକ୍ଷା କରିବା ବି ମୁଁ ଜାଣେ, ତେବେ ସେ ମୋ' ପୁଅ ହେଉ କି ଜର୍ଜଙ୍କ ପୁଅ ହେଉ ।
- ମାଆ!!!!
- ହଁରେ ମାଆ, ମୁଁ ତୋ' ବୋଉ ! ତତେ ଜନ୍ମ ଦେଇ ମୋ' ଛାତିରୁ ଖିର ଦେଇ ନାହିଁ, ମାଆର ସ୍ନେହ, ମମତା ଦେଇ ନାହିଁ କିନ୍ତୁ ମୋ' ଆଖି ସବୁ ସମୟରେ ତୋ' ପଛେପଛେ ଘୁରି ବଲୁଛି। ମୋ' ଆଶୀର୍ବାଦ ସବୁବେଳେ ତୋ' ଉପରେ ରହିଛି। ତୁ ଯେଉଁଦିନ ଠାରୁ ଶାଲିନୀ ସହିତ ଯାଇ ତାଙ୍କ ଘରେ ରହିଲୁଣି, ସେହି ଦିନଠାରୁ ମୁଁ ଟିକେ ତୋ' ପାଇଁ ନିଶ୍ଚିନ୍ତ ହୋଇଥିଲି। ଶାଲିନୀର ମାଆ ତତେ ମୋ' ଠାରୁ ଅଧିକ ଭଲ ପାଉଛନ୍ତି। ତୋ' ଭବିଷ୍ୟତ ଜୀବନ ପାଇଁ ସରୋଜଙ୍କ ଠାରୁ ଅଧିକ ଭଲ ଜ୍ୱାଇଁ ଖୋଜିଲେ ବି ମିଳିବେ ନାହିଁ। ତେଣୁ ମୁଁ ଜାଣିଶୁଣି ସରୋଜ ଏବଂ ତାଙ୍କ ବାପା ଓ ତୋ' ବାପାଙ୍କୁ ମଧ୍ୟ ଏହି ସ୍ଥାନକୁ ଟାଣି ଆଣିଛି। ଏଇଠି ତୋ' ବାପା, ସରୋଜଙ୍କ ବାପା ଓ ସରୋଜ ମଧ୍ୟ ନିଜେ ଉପସ୍ଥିତ ଅଛନ୍ତି, ସମସ୍ତଙ୍କ ଉପସ୍ଥିତିରେ ଆଜି ମୁଁ ସମସ୍ତଙ୍କୁ ମୋ' ଝିଅ ଜୀବନର ସୁଖ, ଶାନ୍ତି ଓ ଆନନ୍ଦ ପାଇଁ ମୋ' କାନି ପାତି ଭିକ ମାଗୁଛି, ଯଦି ମୋ' ବିନତି ଗ୍ରହଣ କରି ମୋ' ସୁଖିଲା କାନିକୁ ଆପଣମାନଙ୍କ ଅନୁଗ୍ରହରେ କରୁଣାର ବର୍ଷାରେ ଭିଜେଇ ଦିଅନ୍ତି, ତେବେ ମୋ'ର ଏହି ଅତୃପ୍ତ ଆତ୍ମା ଟିକେ ମୁକ୍ତି ପାଇଯା'ନ୍ତା। କୁହ ସରୋଜ, ତମେ ମୋ' ମାଆ ସଞ୍ଜନାକୁ ଟିକେ ଖୁସି ଦେଇ ସାରା ଜୀବନ ତା' ସହିତ ଖୁସିରେ ରହିବ ନା?
ସରୋଜ ଉପସ୍ଥିତ ସମସ୍ତଙ୍କୁ ଅନାଇଛି। ସରୋଜର ବାପା ସରୋଜକୁ ତାଙ୍କ ଆଖିର ଇସାରାରେ ସହମତି ଜଣାଇଛନ୍ତି। ପୋଲିସ୍ ମଧ୍ୟ ସହମତ ପ୍ରକାଶ କରି ସେଠାରୁ ଚାଲିଯାଇଛି।
ସଞ୍ଜନା ମା... ମା.... ବୋଲି କାନ୍ଦୁଥାଏ। ଏହି ସମୟରେ ସରୋଜର ବାପା ସଞ୍ଜନାର ବାପାଙ୍କୁ ସମୁଦୀ ଡାକି କଣ୍ଢାଇ ପକାଇଛନ୍ତି। ସରୋଜ ସଙ୍ଗେ ସଙ୍ଗେ ତା' ଦେହରୁ ତା' ନିଜ ସାର୍ଟ ଓହ୍ଲାଇ ସଞ୍ଜନାକୁ ପିନ୍ଧାଇ ଦେଇ ତା' ଗାଡ଼ି ପଛରେ ବସାଇ ତାଙ୍କ ଘରକୁ ନେଇ ଯାଇଛି। ସଞ୍ଜନାର ବାପା ସରୋଜର ବାପାଙ୍କୁ ତାଙ୍କ କାରରେ ବସାଇ ସରୋଜଙ୍କ ଘରକୁ ସରୋଜ ପଛେପଛେ ଯାଇଛନ୍ତି। ପୁଣି ଶୂନ୍ୟବାଣୀରେ ସଞ୍ଜନା ମାଆଙ୍କ ସ୍ୱର ....
- ମାଆ ସଞ୍ଜନା .... ବ୍ୟସ୍ତ ହେବୁନି, ସରୋଜ ଯୋଗୁଁ ତୁ ଆଜି ନୂଆ ଜୀବନ ପାଇଛୁ। ମୁଁ ତୁମମାନଙ୍କୁ ଆଶିର୍ବାଦ କରୁଛି, ତମେମାନେ ଖୁସିରେ ରୁହ।
ଶାନ୍ତି, ଶାନ୍ତି, ଶାନ୍ତି .......
ମୁକ୍ତି, ମୁକ୍ତି, ମୁକ୍ତି .......
ସମସ୍ତଙ୍କ ଆଖିରେ ଆନନ୍ଦାଶୃ। ସଞ୍ଜନାକୁ ଏକ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚେଇ ଥିବା ସରୋଜଙ୍କୁ ମନେ ମନେ ଦେବତା ଆସନରେ ବସାଇ ସଞ୍ଜନା ପୂଜା କରିଚାଲିଛି ସେହି ଦିନଠାରୁ।
ଏବେ ସମସ୍ତେ ସରୋଜର ଘରେ ଅଭୂଲା ମୁହୂର୍ତ୍ତର ସେହି ସ୍ମୃତିକୁ ସ୍ମରଣ କରୁଥିଲେ ଏବଂ ମନେ ମନେ ସଞ୍ଜନାର ମାଆର ଅମର ଆତ୍ମାର ସଦ୍ ଗତି ପାଇଁ ଈଶ୍ୱରଙ୍କ ନିକଟରେ ଓ ମା'ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ହେ ମାଆ ........ଜଗତ ଜନନୀ ତୁ ଏମିତି ପ୍ରତି ହୃଦୟରେ କରୁଣା ବର୍ଷି ଏହି ଅସୁସ୍ଥ ସମାଜକୁ ତୋ' ଆଶିର୍ବାଦରେ ସୁସ୍ଥ ସବଳ କରି ଗଢିଦେ ଲୋ ମାଆ।