ଅନ୍ତର୍ବାଚୀ
ଅନ୍ତର୍ବାଚୀ


ସବୁଦିନ ପରି ଆଜି ବି ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟ ହୋଇ ପୁଣି ପଶ୍ଚିମ ଆକାଶରେ ଅସ୍ତ ହୋଇ ସାରିଛନ୍ତି। ରାସ୍ତା ଘାଟ ବଜାରରେ ଯିବା ଆସିବାର ଭିଡ଼ ଜମି ରହିଛି। ସମୟ ସୁଅରେ ସମସ୍ତେ ନିଜ ନିଜକୁ ଭଷାଇ ଚାଲିଛନ୍ତି। ବୈଶାଖର ପ୍ରଚଣ୍ଡ ରୌଦ୍ରରେ ଥୁଣ୍ଟା ହୋଇ ଯାଇଥିବା ବୃକ୍ଷଲତା ସବୁ ପୁଣି ବର୍ଷାର ପରଶ ପାଇ ସବୁଜ ବନାନୀରେ ପୁରି ଉଠିଛି। ଋତୁର ପରିବର୍ତ୍ତନକୁ ନେଇ ଶାରଦୀୟ ଶୁଭ ନିନାଦରେ ସବୁଜ ବନାନୀ ସବୁ କେତେ ରଙ୍ଗି ବେରରଙ୍ଗି ଫୁଲର ଆସରରେ ନିଜ ନିଜର ଗଭା ମଣ୍ଡିତ କରି ସେମାନଙ୍କ ସୁବାସରେ ଦିଗ ଦିଗନ୍ତକୁ ମହକାଇ ଚାଲିଛନ୍ତି। ହସକାନ୍ଦ ଦୁନିଆରେ ସମସ୍ତେ ବିଭୋର ହୋଇ ପଡୁଛନ୍ତି। ହେଲେ ସତ୍ୟ ତମେ? ତୁମକୁ ମୁଁ ଦୀର୍ଘ ଦିନ ତଳେ ଯେମିତି ଦେଖିଥିଲି ଆଜି ବି ଠିକ୍ ସେମିତି ଦେଖୁଛି। ତୁମର ସେହି ସୁନ୍ଦର ସୁଢଳ ମୁହଁ ଉପରେ ବିଛେଦର ଛାଇ! ସେହି ମିଠା ମିଠା କଥା ଭିତରେ କେତେ ସତ୍ୟ, ନ୍ୟାୟ, ନୀତି, ଆଦର୍ଶର ଉଚ୍ଚ ମିମାଂସା! ଯେଉଁ ନୀତି, ଆଦର୍ଶ ଦିନେ ତୁମରି ମନ ଭିତରେ ଛୁପାଇ ରଖିଥିବା ଆଶାକୁ ସବୁଦିନ ପାଇଁ ହଜାଇ ଦେଇଥିଲା, ଯେଉଁ ସତ୍ୟ, ନ୍ୟାୟ ପାଇଁ ତୁମରି ହାତରେ ଗଢିଥିବା ପ୍ରଥମ ପ୍ରେମର ସୁସଜ୍ଜିତ ତାଜମହଲ ଭାଙ୍ଗି ରୁଜି ଛାରଖାର ହୋଇଗଲା, ତୁମ ଚରିତ୍ରର ଚନନ୍ଦ୍ରମାରେ ଆଶା, ଆକାଂକ୍ଷାର କଳଙ୍କ ବୋଳି ହୋଇଗଲା, ତମେ ଆଜି ବି ସେହି ନୀତି, ଆଦର୍ଶର କଥା କହୁଛ? ତମେ କଣ ତାକୁ ଭୁଲି ପାରିନ ନା ଭୁଲି ପାରୁନ?
ସତ୍ୟ ! ତମେ ତମର ସେହି ସତ୍ୟ, ନ୍ୟାୟ, ଧର୍ମ, ନୀତି, ଆଦର୍ଶର କଠୋରତା ଭିତରେ ଆଶାର ପରିବର୍ତ୍ତେ ବିରହର ସହଧର୍ମିଣୀକୁ ପାଇଥିଲ ନା? ପୁଣି ସେହି ବିରହ ଗର୍ଭରୁ ତୁମରି ଔରସରୁ ଯନ୍ତ୍ରଣା ଓ ପ୍ରତାରଣା ନାମକ ଦୁଇଟି ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଥିଲ ନା? ଶେଷରେ ସେହି ମାନଙ୍କୁ ମଣିଷ କରିବାକୁ ଯାଇ ନିଜର ଜୀବନକୁ ଦୁଃଖ, କଷ୍ଟ, ଅସହାୟ ଭିତରକୁ ଠେଲି ଦେଇଥିଲ ନା? ପୁଣି କେବେ ମନରେ କିଛି ନ ଭାବି ସେ ସବୁକୁ ତମର ଏହି ପିଠି ଉପରେ ପକାଇ ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଥିଲ ନା? ତଥାପି କଣ ତମେ ବୁଝି ପାରିଲନି ସତ୍ୟ, ତମ ଚଲା ପଥ କେତେ କଣ୍ଟକମୟ? ଥର ଥର କରି ଯେତେଥର ତମେ ଆଶାର ନିକଟରେ ନିଜର ଅସହାୟତାକୁ ପ୍ରକାଶ କରିବାକୁ ଯାଇଛ, ସେତେବେଳେ ସେ ତମର କୌଣସି କଥା ଶୁଣିଛି? ସେ କେବେ ତମ ମନ କଥା ବୁଝିବାକୁ ଚେଷ୍ଟା କରିଛି? ବରଂ ସେ ତମ ଦୁର୍ବଳ ମୂହୁର୍ତ୍ତର ଫାଇଦା ଉଠାଇଛି! ତମ ନିରବତାର, ତମ ସରଳତାର ସୁଯୋଗ ନେଇ ତମକୁ ଠକି ଦେଇଛି। ତମ ସହ ବିଶ୍ୱାସଘାତ କରିଛି। ତମକୁ ପ୍ରତାରଣା କରିଛି। ନିଜର କାମନାକୁ ଚରିତାର୍ଥ କରିବାକୁ ଯାଇ ତମକୁ ମିଛ, ଅପନିନ୍ଦା ଦେଇଛି। ଏତେ ସବୁ ପରେ ତମେ ସେହିପରି ଗୋଟିଏ ବେଇମାନ ପାଇଁ ଉଜାଗର ହୋଇ ବସିଛ? ତମେ ଏହି ପରି ଏକ କାମିନି ପାଇଁ ନିଜ କାମନାକୁ ଜଳାଞ୍ଜଳି ଦେଇ ଦେଉଛ? ତମେ ମଣିଷ ନା କାଠ ପଥରରେ ତିଆରି ଗୋଟିଏ ଖେଳନା ଆଉ ସେ ତମକୁ ଯେମିତି ନଚେଇବ ତମେ ସେମିତି ନାଚୁଥିବ?
ମୁଁ ଜାଣେ, ଭଲପାଇବାର ପାତ୍ର ଯେତେ ହୀନ କି ଦୁର୍ବଳ ହେଲେ ମଧ୍ୟ ତାକୁ ଘୃଣା କରିବା ଉଚିତ ନୁହେଁ। କାରଣ ଅପର ପକ୍ଷର ଭଲ ପାଇବାର ଉତ୍କର୍ଷତାରେ ସେ ବି ଦେନେ ନା ଦିନେ ଭଲ ହୋଇଯିବ। ଏକଥା କେବଳ ଶାସ୍ତ୍ର ବା ପୁରାଣରେ ଥାଏ ସତ୍ୟ! କିନ୍ତୁ ବାସ୍ତବ ଜୀବନରେ ନୁହେଁ। ତା ହୋଇ ନ ଥିଲେ ତମେ କୁହ ସତ୍ୟ, ତମେ ଯେଉଁ ଆଶାକୁ ଏତେ ଭଲ ପାଉଥିଲ, ଜୀବନର ସବୁ କିଛି ବିନିମୟରେ କେବଳ ଆଉ କେବଳ ତାକୁ ହିଁ ଚାହିଁ ଥିଲ, ସେ କିନ୍ତୁ ତମ ସହ କଣ କଲା? ତମକୁ ଠକି ଦେଇ ଚାଲିଗଲା ନା? ତମକୁ ବଞ୍ଚିଥିବା ଅବସ୍ଥାରେ ମାରିଦେଇ ଗଲା ନା? ତମକୁ ଫୁଟପାଥର ଭିକାରୀ ସଜାଇ ନିଜର ସୌନ୍ଦର୍ଯ୍ୟ ପାଇଁ ତମକୁ ପରକରି ନିଜେ ସ୍ୱାର୍ଥପର ହୋଇ ଚାଲିଗଲା ନା? ତଥାପି ତମେ ବଞ୍ଚିଛ ତା'ରି ପାଇଁ? କାହିଁକି, କଣ ପାଇଁ ତମେ ଏପରି ଗୋଟେ ମୂଲ୍ୟହୀନ, ଅବିବେକି, ସ୍ୱାର୍ଥପର ମଣିଷ ପାଇଁ ବଞ୍ଚିବ? ତମ ଜୀବନର ମାନେ କଣ କିଛି ନାହିଁ? ତମ ବଞ୍ଚିବାର ମୂଲ୍ୟ କଣ କିଛି ନାହିଁ? ତମ ଭଲ ପାଇବାର ଅର୍ଥ କଣ କିଛି ନାହିଁ?
ଅସାଧାରଣ ଦୁନିଆରେ ଜୀବନର ରାହା କେବେ ସୀମିତ ନୁହେଁ ସତ୍ୟ! ମଣିଷ ଚାଲୁଚାଲୁ ଝୁଣ୍ଟି ପଡ଼ିଲେ ମରିଯାଏ ନାହିଁ ସତ୍ୟ! ତାକୁ ପୁଣି ଉଠି ନିଜ ଜୀବନର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନିହାତି ଆବଶ୍ୟକ। ଜୀବନର ଚଲା ପଥଟା ଏତେ ଲମ୍ବା ଯେ, ତମେ ଯେତେ ଆଗକୁ ଯିବ, ଯେତେ ଦୂରକୁ ଯିବ, ତମକୁ ସେତେ ନୁଆ ନୁଆ ରାସ୍ତା ଦେଖାଯିବ। ପୁଣି ସେଠି ଆଶ୍ରୟ ଦେବାକୁ କେହି ନା କେହି ସାଥି ମିଳିଯିବେ। କେହି ନ ମିଳିଲେ ବି ଥୁଣ୍ଟା ବରଗଛଟିଏ ତା'ର ଛାଇ ମେଲିଦେବ। ତମେ ମୋତେ ତମ ଜୀବନର ଏହି ଅଧା ରାସ୍ତାରେ ସେହି ଥୁଣ୍ଟା ବରଗଛର ଛାଇ ବୋଲି ଭାବି ପାର ସତ୍ୟ। ଥରେ ମାତ୍ର ଦୋସ୍ତିର ହାତ ବଢାଇ ଦେଖ ଜୀବନରେ ସବୁ କିଛି ମିଳିଯିବ। ହେଲେ ସଚ୍ଚା ଦୋସ୍ତି କେବେ ମିଳିବନି। ଆଉ ଗୋଟେ କଥା ମଧ୍ୟ ମନେରଖ, ଜୀବନରେ ସଚ୍ଚା ଦୋସ୍ତ କେବେ ଧୋକା ଦିଏ ନାହିଁ କି ଠକି ଦେଇ ଅଧା ରାସ୍ତାରେ ହାତ ଛାଡ଼ି ଚାଲି ଯିବ ନାହିଁ। କିନ୍ତୁ ଦୋସ୍ତି ଗଢି଼ବାଟା ଯେତିକି କଷ୍ଟ ନୁହେଁ ଦୋସ୍ତ ସହ ଦୋସ୍ତି ସବୁଦିନ ପାଇଁ ଯୋଡ଼ି କରି ରଖିବା ବହୁତ କଷ୍ଟ।
ଜୀବନରେ କିଛି ପାଇବାକୁ ହେଲେ, କିଛି ହାରିବାକୁ କିମ୍ବା ସହିଯିବାକୁ ପଡ଼େ। ସହି ପାରିଲେ ମଣିଷ ଜିତି ଯାଏ, ନଚେତ୍ ହାରିବାକୁ ପଡ଼େ। ତମ ଅତୀତର ପିଠି ଉପରେ ସ୍ମୃତିର ଚାବୁକ୍ ପାହାର ଅନେକ ସହିଲଣି। ଏବେ ସେ ପିଠି ଉପରେ ବର୍ତ୍ତମାନର ମଲମ୍ ଲଗାଇ ଭବିଷ୍ୟତ ପାଇଁ ସଜାଗ ରହିବା ଉଚିତ୍। କାରଣ ଚାଲିବାକୁ ଅନେକ ବାକି ଅଛି। ଆଶାର କାନ୍ଧରେ ହାତ ରଖି ଚାଲିବାକୁ ଅନେକ ଆଶା କରିଥିଲ, ସେଥିରେ ତ ହାରିଗଲ। ଏଥର ଏହି ଦୋସ୍ତର ହାତ ଧରି ଚାଲିବାକୁ ଅଭ୍ୟାସ କର, ଠକି ଯିବନି କି ଝୁଣ୍ଟି ପଡ଼ିବନି।
ସମୟର ତାଳେ ତାଳେ ପାଦ ମିଶାଇ ଚାଲିବାକୁ ହେଲେ ନିଜକୁ ହୀନ କି ଦୁର୍ବଳ ମନେ କରନି। ମାଙ୍କଡ଼ର ଛୁଆ ହେଲେ ସିନା ପଡ଼ିଯିବାର ଭୟ ଥାଏ, କିନ୍ତୁ ବିରାଡ଼ିର ଛୁଆ ହେଲେ ସେ ଭୟ ନଥାଏ। କିନ୍ତୁ ମୁଁ ଚାହେଁ ନାହିଁ ତମେ ମାଙ୍କଡ଼ କିମ୍ବା ବିରାଡ଼ିର ଛୁଆ ହୁଅ। ମୁଁ ଚାହେଁ ତମେ ସିଂହର ଛୁଆ ହୁଅ। କାରଣ ମୁଁ ଚାହେଁନି ତମେ କାହା ଦୟାର ପାତ୍ର ହୁଅ। ତମେ କାହା ଅନୁକମ୍ପାରେ ବଞ୍ଚିରୁହ। ତମେ ନିଜକୁ ଏକ ସିଂହର ଛୁଆ ପରି ବଞ୍ଚ । ତମ ଦୟା, ଅନୁକମ୍ପାରେ ଅନ୍ୟମାନଙ୍କୁ ବଞ୍ଚିବାରେ ସାହାଯ୍ୟ କର। ତମ ସତ୍ୟର ଆଲୋକରେ ଅନ୍ୟମାନଙ୍କୁ ଆଲୋକିତ କର। ତେବେ ଯାଇ ମୁଁ ଖୁସି ହେବି। ମୋ ଆଶା, ମୋ ଚେଷ୍ଟା ଯାଇ ସଫଳ ହେବ। ତମ ସତ୍ୟ, ନ୍ୟାୟ, ଧର୍ମର ଦିଗ୍ ଦର୍ଶନରେ ଅନ୍ୟମାନଙ୍କୁ ବୁଝାଇ ଦିଅ ବାସ୍ତବ ଜୀବନର ଲକ୍ଷ୍ୟ କଣ, ଉଦ୍ଦେଶ୍ୟ କଣ ! ସେତେବେଳେ ଯାଇ ତମେ ଆଉ କାହାର ଦୟା କିମ୍ବା ଅନୁକମ୍ପାର ପାତ୍ର ନ ହୋଇ ସମସ୍ତଙ୍କ ନିକଟରେ ପୂଜାର ପାତ୍ର ହୋଇଯିବ। ସେତେବେଳେ ଦେଖିବ ତମ ଆଶା ତମକୁ ଠିକ୍ ଭାବରେ ବୁଝିପାରିବ। ତା'ର କରିଥିବା ଭୁଲ୍ ପାଇଁ ଅନୁତାପ ନିଆଁରେ ଜଳି ଜଳି ତମ ପାଦ ତଳେ ଆସି କ୍ଷମାର ଭିକ୍ଷା ମାଗିବ। ସେତେବେଳେ ଏହି ଦୁନିଆ ଜାଣିବ ପ୍ରେମର ପ୍ରକୃତ ଅର୍ଥ କଣ? କାରଣ ପ୍ରେମ ହିଁ ପୁଜା, ପ୍ରେମ ହିଁ ଭକ୍ତି, ପ୍ରେମ ହିଁ ସତ୍ୟ, ପ୍ରେମ ହିଁ ନ୍ୟାୟ।