STORYMIRROR

Nihar Ranjan Acharya

Tragedy

3.4  

Nihar Ranjan Acharya

Tragedy

ଅକୁହା କଥା

ଅକୁହା କଥା

5 mins
221



     ସେଦିନ ଅବିନାଶ ଆଉ କ'ଣ କରି ପାରିଥା'ନ୍ତା? ସମୟର ତାଳେ ତାଳେ ପାଦ ରଖିବାକୁ ଯାଇ ଯୌବନର ଶେଷ ପାହାଚଟା ବି ସରିଗଲାଣି। ଏବେ ବାର୍ଦ୍ଧକ୍ୟର ପ୍ରଥମ ଶ୍ରେଣୀର ଛାତ୍ର ସିଏ। ତଥାପି ସେ ସମୟ ସହିତ ପାଦ ମିଶାଇ ଚାଲି ପାରୁନାହିଁ କିମ୍ବା ତା' ମନରୁ ଆଶା ଟିକକୁ ପୋଛି ପାରୁନାହିଁ। ଏବେ ବି ସେ ଯେମିତି ଦୁନିଆ ଦାଣ୍ଡରେ ଯୌବନ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ରଟିଏ ବୋଲି ନିଜକୁ ମଣୁଛି। ନା ତା'ର ସେ ପିଲାଳିଆମି ଗଲାଣି? ନା ସେ ନିଜକୁ ଜଣେ ବୟସ୍କ ପରି କିଛି ଉପଯୁକ୍ତ ପଦକ୍ଷେପ ନେବାକୁ ସକ୍ଷମ ହେଲାଣି? ସେ ବି କ'ଣ କରିବ? ଦୁନିଆ କଥା ଛାଡ଼, ଶେଷରେ ସର୍ବମଙ୍ଗଳ ବିଧାତା ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପିତ କରି ଆଶା, ଭରସା ଓ ବିଶ୍ବାସ କଲା ସେ ବି ତା' ସହିତ ହଟ କଲେ। ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ସେ ପାଇଛି କ'ଣ? 

     ଶଙ୍କରପୁରର ଅଶୋକ ପ୍ରଧାନଙ୍କର ଏକମାତ୍ର ପୁଅ ଅବିନାଶ ପ୍ରଧାନ। ବାପା ଓ ମାଆଙ୍କର ସେ ଏକୋଇରବାଳା ବିଶିକେସନ। ନା ତା'ର ଆଗକୁ କିଏ ଅଛି, ନା ପଛକୁ? ବାପା, ମାଆ ଓ ପୁଅ ତିନି ପ୍ରାଣୀର କୁଟୁମ୍ବକୁ ନେଇ ପରିବାରଟି ହସ ଖୁସିରେ ଦିନ ବିତାଉଥିଲେ। କାହାରି ବାଆରେ ଚାଲନ୍ତି ନାହିଁ କି କାହାକୁ କେବେ ହାତ ପତାନ୍ତି ନାହିଁ। ବାପା ଗାଁ ସ୍କୁଲର ଜଣେ କିରାଣୀ। ସ୍ବଳ୍ପ ରୋଜଗାର ଭିତରେ ଅଶୋକ ବାବୁ ଘର ଚଳାଇ ନିଅନ୍ତି। ମାଆ ତ ଆହୁରି ହୁସିଆର୍। ଅଶୋକ ବାବୁଙ୍କର ଏତେ କମ୍ ପଇସାକୁ ଏଡ଼େ ସୁନ୍ଦର ଭାବରେ ଘର ଚଳାଇ ନିଅନ୍ତି ଯେ ନଜାଣିବା ଲୋକ କେବେ ଭାବି ପାରିବ ନାହିଁ ଯେ ଏ ଜଣେ କିରାଣୀଙ୍କ ସ୍ତ୍ରୀ କିମ୍ବା ଅବିନାଶ ଜଣେ କିରାଣୀଙ୍କ ପୁଅ ବୋଲି। ଅବିନାଶର ରୂପ ଯେମିତି, ଗୁଣ ସେମିତି। ବେଶଭୂଷା ଯେମିତି ଖର୍ଚ୍ଚ ମଧ୍ୟ ସେମିତି। 

     ପୁନେଇଁ କଳାରେ ଚାନ୍ଦ ବଢ଼ିଲା ପରି ଅବିନାଶ ମଧ୍ୟ ବଢ଼ି ଚାଲିଥାଏ ଆଗକୁ ଆଗକୁ। ସ୍କୁଲରେ ଆଗ ଧାଡ଼ିର ଛାତ୍ର ସିଏ। ତେଣୁ ଶିକ୍ଷକମାନଙ୍କ ନଜରଟା ମଧ୍ୟ ତା'ରି ଉପରେ ଜମାଟ ବାନ୍ଧି ହୋଇ ରହିଥାଏ। କାରଣ ଅବିନାଶର ସବୁ ଭଲ ହେଲେ କ'ଣ ହେବ, ତା'ର ଗୋଟିଏ ଦୋଷ ହେଲା ସେ ହଠାତ୍ କୌଣସି କଥାକୁ ବୁଝି ପାରେ ନାହିଁ। କିମ୍ବା କାହାକୁ କେମିତି କଥା କହିବାକୁ ହେବ କିମ୍ବା କେଉଁ ପରିସ୍ଥିତିରେ କେମିତି କଥା କହିବା ଆବଶ୍ୟକ, ତାହା ତାକୁ ଜଣାନାହିଁ। କିଏ କିପରି ଲୋକ ସେ ଚିହ୍ନି ପାରେ ନାହିଁ। ଆଉ ସବୁଠାରୁ ବଡ଼ କଥା ହେଲା ସେ କେବେ ମିଛ କହେନା କିମ୍ବା ଚୋରି କରେନାହିଁ। ଆଉ ଯିଏ ମିଛ କହେ କିମ୍ବା ଅନ୍ୟ ଦ୍ରବ୍ୟକୁ ଲୋଭ କରି ଚୋରିକରେ, ସେ ତାକୁ ଭଲ ପାଏନାହିଁ। 

     ଆଜିକାଲି ଦୁନିଆରେ ଆଜ୍ଞା ଏତେ ସଚ୍ଚୋଟ କେହି ନାହାନ୍ତି। ତେଣୁ ଯିଏ ନିଜକୁ ଅଧିକ ଧୁଆମୁଳା କରିଲା, ସେ ଆଗ ବଜାରରେ ନିଲାମ୍ ହେଲା। ଏହାତ ଆଜିର ଦୁନିଆରେ ଚାଲିଛି। ଏହି କଥାଟିକୁ ଅବିନାଶ ଜାଣିଥିଲେ ବି ନିଜକୁ ବଞ୍ଚାଇ ପାରେନାହିଁ। ସମସ୍ତଙ୍କୁ ଆପଣାର ବୋଲି ଭାବି ସବୁ ପେଟ କଥା ଖୋଲି କହିଦିଏ ଯାହା ନାହିଁ ତାହା ଆଗରେ। ସେହି ସରଳତା ସୁଯୋଗର ଫାଇଦା ଉଠାଇବା ପାଇଁ ମନ୍ଦ ପ୍ରକୃତିର ସାଙ୍ଗମାନେ ଫାଇଦା ଉଠାଇବାକୁ ପଛାନ୍ତି ନାହିଁ। ତା' ଲାଗି ତା' ବାପା କିଣିଥିବା ଓଡ଼ିଆ ରଚନା ବହି ଠାରୁ ଆରମ୍ଭ କରି ଟେଷ୍ଟ୍ ପେପରଟିଏ ତହିଁ ଆରଦିନ ଖୋଜିଲେ ତାହା କୌଣସି ସାଙ୍ଗ ପାଖରେ ଥିବ ନଚେତ୍ ପଡ଼ିଶା ଘରର ଲମ୍ବୋଦର ବାବୁଙ୍କ ଝିଅ ସୀମା ପାଖରୁ ମିଳିବ। 

     ସୀମା ନାଁଟି ତା'ର ଯେମିତି ରୂପ ଗୁଣ, ପାଠ କେଉଁଥିରେ ତାକୁ କେହି ବାଛିବାର ନାହିଁ।ପ୍ରତ୍ଯେକଟିରେ ସତେ ଯେମିତି ସେ ସୀମିତ। ସୀମା ନିଜେ ନିଜର ସୀମା ଭିତରେ ରହି ଅନ୍ଯମାନଙ୍କ ପରିସୀମା ହଜାର ଦେବା ପିଲା ସୀମା। ତେଣୁ ଅବିନାଶ କାହିଁକି, ତାକୁ ଯିଏ ବି ଦେଖିବ ଦେଖିଲା ଲୋକର ସୀମା ହଜାଇ ଦେବାର କଳା ଭରି ରହିଛି ସୀମା ଭିତରେ। କାହା ସହିତ ଯଦି ଥରେ ସୀମା ତା'ର କଥା ପେଡ଼ି ଖୋଲିଛି, ତା'ର ସୀମା ସରହଦ ଡେଇଁ ଯାଇଥାଏ ସୀମା। ସତେ ଯେମିତି ତା' କଥା ପେଡ଼ିର ତାଲା ଚାବି କେଉଁଠି ହଜି ଯାଇଛି। କେଉଁଠୁ ଆଣେ ସେ ଏତେ କଥା? ତା'ର ଆଗକୁହା କଥା ଖାଲି ଅବିନାଶ ନୁହେଁ ତା' ଶ୍ରେଣୀରେ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ପାଗଳ କରିଦିଏ। ହେଲେ ଅବିନାଶ ରୂପରେ, ଗୁଣରେ, ପାଠରେ ଓ ଖର୍ଚ୍ଚ କରିବାରେ ସମସ୍ତଙ୍କ ଆଗରେ ଥିବାରୁ ସୀମାର ସବୁଠାରୁ ଅଧିକ ପସନ୍ଦ ଅବିନାଶ। କାରଣ ଆଜ୍ଞା, ଆଜି କାଲିକା ଝିଅ ତ ! ତାଙ୍କ ପାଇଁ ଯିଏ ବେଶି ପଇସା ଖର୍ଚ୍ଚ କରି ପାରିଲା ଗାଡ଼ି ମୋଟରରେ ବସାଇ ବୁଲାଇ ପାରିଲା, ସିନେମା ଥିଏଟର ନେଇ ଗଲା, ଅଧିକ ଦାମୀ ଦାମୀ ଉପହାର ଦେଇ ପାରିଲା, ଇତ୍ୟାଦି ଇତ୍ୟାଦି... ଏସବୁ ଯେଉଁ ପୁଅ ପାଖରେ ଅଛି ସେ ଦେଖିବାକୁ ଯାହା ହେଉ ତାହାର ଜାତି ଗୋତ୍ର ଯାହା ହେଉ ତା'ର ଗାଁରେ କି ସହରରେ ଘର ଥାଉ କି ନଥାଉ, ସେଗୁଡ଼ିକ କିଛି ବିଚାର ନକରି, ତାଙ୍କ ସହିତ ପ୍ରେମର ତାଜମହଲଟିଏ ଗଢ଼ି ବସିବେ। ସେତେବେଳେ ଗାନ୍ଧୀବାଦ ପଶି ଆସିବ ତାଙ୍କ ମୁଣ୍ଡକୁ। ଯେ ହିନ୍ଦୁ ମୁସଲମାନ ଭାଇ ଭାଇ, ଉଚ୍ଚ ନୀଚ୍ଚ ଭେଦଭାବ କିଛି ନାହିଁ। ହରିଜନ ଅର୍ଥ ହରି ମାନେ ଈଶ୍ୱରଙ୍କ ଜନ ବା ଲୋକ। ଛାଡ଼ନ୍ତୁ ଆଜ୍ଞା ସେ ସବୁ କଥା। ଏମିତି ସୀମା ଓ ଅବିନାଶର ବହି ଦେବା ନେବା, ଏପରିକି ଅବିନାଶ ସ୍କୁଲକୁ ଆଣିଥିବା ତା'ର ଟିଫିନରେ ମଧ୍ୟ ସୀମାର ଅଧା ଭାଗ ବସୁ ବସୁ ଅବିନାଶର ହୃଦୟରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରେମର ତାଜମହଲଟିଏ ଗଢ଼ି ସାରିଲାଣି ବୋଲି ଅବିନାଶ ଜାଣି ପାରିଲା ନାହିଁ। ଏମିତି ଦୁଇ ଜଣଙ୍କର ସମ୍ପର୍କ ପାଞ୍ଚ ବର୍ଷ ବିତି ଗଲାଣି। ସେତେବେଳକୁ ଅବିନାଶ ସୀମାର ପ୍ରେମରେ ଏମିତି ପାଗଳ ହୋଇ ଯାଇଥାଏ ଯେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରି ବସିଲା। ଯେଉଁଥିପାଇଁ ସୀମା ଆଜି ଗୋଟିଏ ଡାକ୍ତରାଣୀ ହୋଇ ଆଉ ଜଣେ ଡାକ୍ତରକୁ ବିବାହ କରି ଚାଲିଗଲା। ହେଲେ ଅବିନାଶ ବିଜ୍ଞାନ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରି ଜଣେ ସାଧାରଣ ଗ୍ରାଜୁଏଟ ହୋଇ ଚାକିରି ଖଣ୍ଡେ ପାଇଁ ଏ କମ୍ପାନୀରୁ ସେ କମ୍ପାନୀକୁ ଦୌଡ଼ି ଦୌଡ଼ି ଥକି ପଡ଼ିଲାଣି କିନ୍ତୁ କେଉଁଠି ଗୋଟିଏ ମନଲାଖି ଚାକିରିଟିଏ ପାଇ ପାରିଲା ନାହିଁ। ପୁଣି ବାପା ଓ ମାଆଙ୍କର ଏକୋଇରବାଳା ବିଶିକେସନ ବୋଲି ସେ ଗୋଟିଏ ମାତ୍ର ପୁଅ। ନା ତା'ର ଆଗକୁ କିଏ ଅଛି ନା ପଛକୁ କିଏ ଅଛି? ସେପାଖେ ବାପା ଓ ମାଆ ଚାହୁଁଛନ୍ତି ତାଙ୍କ ଗୁଣମଣୀ କେମିତି ଗୋଟେ ଚାକିରି ଧରିଲେ, ତାକୁ ଗୋଟେ ଉପଯୁକ୍ତ ପାତ୍ରୀ ଦେଖି ବିବାହ କରାଇ ନିଜ ଦାୟିତ୍ବକୁ ସାରିଦେବେ। ତାଙ୍କ ବୟସ ଏବେ ମାଟିରେ ମିଶିବାକୁ ବସିଲାଣି। ସେମାନେ ଆଉ କେତେ ଦିନ ଅପେକ୍ଷା କରି ବସିବେ? 

     ଅବିନାଶ ସତରେ ଯେ କାହିଁକି ବିବାହ କରିବାକୁ ରାଜି ହେଉନାହିଁ, ସେହି ଅକୁହା କଥାକୁ ତା'ର ବୃଦ୍ଧ ବାପା-ମାଆଙ୍କୁ କିପରି କହିବ? ସେ ତ ତାଙ୍କର ଆଶା ଭରସା ଅନ୍ଧର ଲଉଡ଼ି, ଗଳାର ମାଳି, ଏକୋଇରବାଳା ବିଶିକେସନ। ତା' ବାପା-ମାଆଙ୍କର ତା' ବ୍ଯତିତ ଆଉ ଅନ୍ତରର ଲୋକ ଅଛି ବା କିଏ? ସେଥିପାଇଁ ସେ କ'ଣ କରିବ? ଏମିତି ପରିସ୍ଥିତିରେ ସେ ଯେକୌଣସି ଗୋଟିଏ ଚାକିରି ଧରି ଅନ୍ଯତ୍ର କେଉଁଠି ବିବାହ କରି ନେବ ନା ସୀମା ପାଇଁ ତା' ଜୀବନକୁ ତା'ର ବାପା-ମାଆଙ୍କ ଆଖି ଆଗରେ ଜଳାଞ୍ଜଳି ଦେଇ ଦେବ ବୋଲି ଭାବି ଚାଲିଛି। 

     ଏମିତି ଏକ ଦୁଃଶ୍ଚିନ୍ତାକୁ ନେଇ ନିଜ ବିବେକର ଚଳନ୍ତି ଗାଡ଼ିରେ ବସି ପ୍ରଶ୍ନର ସହରରେ କ୍ଷିପ୍ର ଗତିରେ ବୁଲୁ ବୁଲୁ ଏକ ଶକ୍ତ ଧକ୍କାର ଶିକାର ହୋଇଗଲା ବିଚରା ଅବିନାଶର। କିଏ ଜାଣିଥିଲା ଯେ ବାର୍ଦ୍ଧକ୍ୟର ଶେଷ ପାହାଚରେ ଚଢ଼ି ତା'ର ବାପା-ମାଆ ଆଜି ପୁଣି ଏକ ଏତେ ବଡ଼ ବୋଝର ପାହାଡ଼କୁ ମୁଣ୍ଡରେ ମୁଣ୍ଡାଇ ସ୍ବାର୍ଥର ରାଜରାସ୍ତାରେ ଚାଲିବାକୁ ହେବ ବୋଲି? ସମୟର ତାଳେ ତାଳେ କେବେ ଛାଇ ତ କେବେ ଆଲୁଅର ଲୁଚକାଳି ଖେଳୁ ଖେଳୁ ହଠାତ୍ କଳା ବାଦଲଟା ଆକାଶ ବୁକୁରେ ତା'ର କଳା ପରଦାକୁ ଢାଙ୍କି ଦେବ ବୋଲି କିଏ ଜାଣିଥିଲା? ଅବିନାଶ, ଯିଏ ତା' ବାପା-ମାଆଙ୍କୁ ଏତେ ଭଲ ପାଉଥିଲା, ସେହି ବାପା-ମାଆଙ୍କୁ ଏତେ ବଡ଼ ଦୁଃଖର ଜଞ୍ଜାଳ ଭିତରକୁ ଠେଲି ଦେଇ ନିଜେ ଏକା ଏକା ହୋଇ ଚାଲି ଯାଇ କ'ଣ ଠିକ୍ କରିଲା? 

            


Rate this content
Log in

Similar oriya story from Tragedy