ଆଦର୍ଶ ଜୀବନ
ଆଦର୍ଶ ଜୀବନ


ସବୁଦିନ ପରି ସେଦିନ ମଧ୍ୟ ମନୋଜ ବାବୁ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳକୁ ଦୀନ, ଦୁଃଖୀ, ଭିକାରୀମାନଙ୍କୁ ଖାଇବା ପାଇଁ ଅଭଡ଼ା ଦେବା ସମୟରେ ତାଙ୍କର ନଜର ପଡ଼ିଲା ଜଣେ ସମ୍ଭ୍ରାନ୍ତ ଘରର ବିଧବା ସ୍ତ୍ରୀ ଲୋକ, ଯିଏକି ନିଜକୁ ବହୁତ୍ ଲୁଚାଇବାକୁ ଚେଷ୍ଟା କରି ମଧ୍ୟ ସ୍ପଷ୍ଟ ଜଣା ପଡ଼ୁଥାଆନ୍ତି ଯେ ସେ ଜଣେ ସମ୍ଭ୍ରାନ୍ତ ବଂଶର ସ୍ତ୍ରୀ ଲୋକ କିନ୍ତୁ ପରିସ୍ଥିତିରେ ପଡ଼ି ଭିକ୍ଷା ମାଗିବାକୁ ଆସିଛନ୍ତି ବୋଲି। ମନୋଜ ବାବୁ ଜଣ ଜଣ କରି ସମସ୍ତଙ୍କୁ ଅଭଡ଼ା ଦେଉ ଦେଉ, ସେହି ଜାଗାରେ ଅଟକି ଯାଇ ପଚାରିଲେ, "ମାଆ, ଆପଣ କିଏ? ମୁଁ ପ୍ରତିଦିନ ପ୍ରଭୁଙ୍କ ଦର୍ଶନ ପରେ ଏଠାରେ ସମସ୍ତ ଦୀନ, ଦୁଃଖୀ, ଭିକାରୀମାନଙ୍କୁ ଅଭଡ଼ା ଖାଇବାକୁ ଦେଇଥାଏ କିନ୍ତୁ ଆପଣଙ୍କୁ କେବେ ଏଠାରେ ତ ଦେଖି ନାହିଁ!" ମନୋଜ ବାବୁଙ୍କ ମୁହଁରୁ ମାଆ ଡାକ ଶୁଣିବା ପରେ ବୃଦ୍ଧାଙ୍କ ଆଖିରୁ ଲୁହର ଧାର ଛୁଟି ଚାଲିଥାଏ। ସେ ଅଭଡ଼ା ନ ନେଇ ସେଠାରୁ ଚାଲି ଯାଉଥାଆନ୍ତି। ମନୋଜ ବାବୁ ବୃଦ୍ଧାଙ୍କ ହାତ ଧରି ପକାଇ କହିଲେ, "ମାଆ, ପୁଅ ଉପରେ କ'ଣ କୌଣସି ମାଆ, ରାଗ, ଅଭିମାନ କରି କିମ୍ବା ପୁଅ ଝିଅଙ୍କ ପରି ଅମୂଲ୍ୟ ଧନକୁ କ'ଣ କେହି ପାପ ଭାବି ଏକା ଛାଡ଼ି ଚାଲି ଯାଇପାରେ?" ମନୋଜ ବାବୁଙ୍କ ମୁହଁରୁ ଏପରି କଥା ଶୁଣି ବୃଦ୍ଧା ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ। ସେ ସଙ୍ଗେ ସଙ୍ଗେ ମନୋଜ ବାବୁଙ୍କୁ କୁଣ୍ଢାଇ ପକାଇ ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲେ। ଇତି ଅବସରରେ ସେଠାରେ ଲୋକ ଗହଳି ହୋଇଗଲା। ତେଣୁ ମନୋଜ ବାବୁ ସତେ ଯେମିତି ବୃଦ୍ଧାଙ୍କୁ ଚିହ୍ନିଲା ପରି, ସେଠାରୁ ଗହଳି ଭାଙ୍ଗି, ଏକାନ୍ତ ସ୍ଥାନକୁ ବୃଦ୍ଧାଙ୍କୁ ଧରି ପଳାଇ ଆସି, ତାଙ୍କ ଠାରୁ ସମସ୍ତ ଘଟଣା ବୁଝିଲେ।
ଗୋପୀନାଥ ପୁର ଗ୍ରାମର ପ୍ରଶାନ୍ତ ବାବୁ ଜଣେ ନୀତି, ଆଦର୍ଶର ସ୍କୁଲ ଶିକ୍ଷକ ଥିଲେ। ପ୍ରମିଳା ଦେବୀ ଜଣେ ସୁଗୃହିଣୀ। ସେତେବେଳେ ପ୍ରଶାନ୍ତ ବାବୁ ସ୍କୁଲରୁ ଯେତିକି ଦରମା ପାଉଥିଲେ, ସେଥିରେ ଘର ଚଳାଇ, ଦୁଇ ଦୁଇଟି ପୁଅଙ୍କୁ ପାଠ ପଢାଇ ଉଚ୍ଚଶିକ୍ଷିତ କରିବା ପାଇଁ, କେତେ ଥର ନିଜ ପେଟରେ ଉଦାକନା ଦେଇ, ସ୍ବାମୀ ସ୍ତ୍ରୀଙ୍କୁ ରାତି କଟାଇବାକୁ ପଡ଼ିଛି, କିନ୍ତୁ କେବେ ହାର୍ ମାନି ନଥିଲେ। ଶେଷରେ ତାଙ୍କ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ଆଶା ସଫଳ ହେଲା କିନ୍ତୁ ଦୁର୍ଭାଗ୍ୟକୁ ସେ ତାଙ୍କ ଦୁଇ ପୁଅ ଚାକିରୀ କରିବା ପୂର୍ବରୁ, ସମସ୍ତଙ୍କୁ ଛାଡ଼ି ଚାଲିଗଲେ ଆରପାରିକୁ।
ବଡ଼ ପୁଅ ପୁରୀରେ ପୋଲିସ ଅଧିକାରୀ ଅଛି। ସାନ ପୁଅ ପୁରୀ ମେଡିକାଲରେ ଡାକ୍ତର ଅଛି। ତୋ' ମଉସା ଯିବା ପରେ ପରେ ସେମାନେ ଚାକିରୀ ପାଇଗଲେ। ତା'ପରେ ମୁଁ ମଧ୍ୟ ତୋ' ମଉସାଙ୍କ ଦୟାରୁ ପେନସନ୍ ଦଶ ହଜାର ଟଙ୍କା ପାଉଛି। ଆମ ସଂସାର ଖୁବ୍ ଭଲରେ ଚାଲିଥିଲା। ହେଲେ ଦଇବ ସହିଲା ନାହିଁ। ଏହି ହଟିଆ, କାଳିଆ ଠାକୁରର ଛାତି ଫାଟିଗଲା। ମୋ ସଂସାର ଉପରେ ତା'ର କଳା ନଜର ପକାଇ ଦେଲା। ବଡ଼ ପୁଅ ତା'ର ଗୋଟିଏ ଅଜାତିର ଟ୍ରାଫିକ୍ ପୋଲିସ ଝିଅକୁ ଭଲ ପାଇ ବାହା ହୋଇ ଅଲଗା ରହିଲା। ସାନଟା ବି ତା' ଦେଖାଦେଖି ଗୋଟିଏ ଅଜାତିର ନର୍ସିଂ ଝିଅକୁ ବାହା ହୋଇ ଅଲଗା ରହିଲା। ତଥାପି ସେ ଅଲାଜୁକୀ, ପୋଡ଼ାମୁହିଁ ଦି'ଟାଙ୍କର ମୋ' ପେନସନ୍ ଉପରେ ନଜର ପଡ଼ିଲା। ଟଙ୍କା ଲୋଭରେ ମୋ'ର ଭେଣ୍ଡିଆ, ମାଇପ ବୁଧିଆ ପୁଅ ଦି'ଟାଙ୍କ କାନରେ କ'ଣ ମନ୍ତର ଫୁଙ୍କି ଦେଲେ ଯେ ଶେଷରେ ମୋତେ ପାଞ୍ଚ ପାଞ୍ଚ ହଜାର ଟଙ୍କାରେ ଫେବୃଆରୀ ମାସରେ ୧୪ ଦିନ ଆଉ ଅନ୍ୟ ମାସରେ ୧୫ ଦିନିଆ ଜଣେ ଜଣେ ପାଖରେ ରଖିବାକୁ ଭାଗ କରି ବାଣ୍ଟି ନେଇଗଲେ। ହେଲେ ଏ କ୍ୟାଲେଣ୍ଡରଟା ବି ଦାଉ ସାଜିଲା। ଅଧିବର୍ଷରେ ଫେବୃଆରୀ ମାସ ୨୯ ଦିନ ପଡ଼ିଲେ କି ଆଉ ଯେଉଁ ମାସ ୩୧ ଦିନିଆ ପଡ଼ିଲେ, ସେହି ସବୁ ଦିନ ମୋତେ କେହି ଖାଇବାକୁ ଦିଅନ୍ତି ନାହିଁ। ନିଆଁନଗା ପେଟକୁ ପୁରେଇବା ପାଇଁ ଦୂର ମନ୍ଦିରରେ ଯାଇ ଖାଇଦେଇ ଆସେ। ଆଜି ଏହି ନିଆଁନଗା ଦେହଟା ବି ମୋ' ସାଙ୍ଗରେ ହଟ କଲା। ଦୂରକୁ ଯାଇ ପାରିଲି ନାହିଁ ବୋଲି ନିଜକୁ ଲୁଚ଼ାଇ ଏହି ଜଗନ୍ନାଥ ମନ୍ଦିର ସାମ୍ନାରେ ବସିଗଲି ଯେ, ଦେଖିଲା ବେଳକୁ ତୋ' ନଜରରେ ପଡ଼ିଗଲି। ଏତେ ଲୋକ ସେଠି ରୁଣ୍ଡ ହୋଇଗଲେ। କେହି ଯଦି ଚିହ୍ନିକି ଯାଇ ସେ ମେଣ୍ଢାଙ୍କ ଆଗରେ କହି ଦିଏ, ତେବେ ଘରକୁ ଗଲେ କ'ଣ ହେବ କିଏ କହିବ?
ମନୋଜ ବାବୁଙ୍କ ଅଜାଣତରେ ତାଙ୍କ ଆଖିରୁ ଲୁହର ବନ୍ୟା ଛୁଟି ଚାଲିଥାଏ। ବୃଦ୍ଧା ନିଜର ରାଗ, ଅଭିମାନ ଓ ଅଭିଯୋଗ ସବୁ କହୁ କହୁ, ମନୋଜ ବାବୁଙ୍କ ଉପରେ ଆଖି ପଡ଼ିଗଲା। ସେ ସଙ୍ଗେ ସଙ୍ଗେ ମନୋଜ ବାବୁଙ୍କ ଆଖିରୁ ତାଙ୍କ ପଣତ କାନିରେ ଲୁହ ପୋଛୁ ପୋଛୁ ପଚାରିଲେ, "ଆରେ ବାପା, ତୁ କାହିଁକି ଏମିତି କାନ୍ଦୁଛୁ? ତୁ ତ ଏପର୍ଯ୍ୟନ୍ତ ତୋ' ବାବଦରେ ମୋତେ କିଛି କହିନାହୁଁ!" ମନୋଜ ବାବୁ ବୃଦ୍ଧାଙ୍କୁ କୁଣ୍ଢାଇ ପକାଇ କହିଲେ, "ମାଆ, ମୁଁ କ'ଣ ତୋ'ର ଗୋଟିଏ ପୁଅ ନୁହେଁ କି? ଆଉ ମୋ'ର ଅଧିକ ପରିଚୟ ତୋ'ର କ'ଣ ଦରକାର?" ବୃଦ୍ଧା କହିଲେ, "ହଁ ଯେ, କିନ୍ତୁ ତୋ'ର ନାଁ କ'ଣ? ତମ ଘର କେଉଁଠି? ତୋ' ବାପା ମାଆଙ୍କ ନାମ କ'ଣ? ତୋ'ର ଆଉ କିଏ କିଏ ସବୁ ଅଛନ୍ତି?" ମନୋଜ ବାବୁ କହିଲେ, "ମୋ' ନାଁ ମନୋଜ ପଟ୍ଟନାୟକ। ମୁଁ ଗୋଟେ ଜାରଜ ସନ୍ତାନ। ଅନାଥଟିଏ। ମୁଁ ଅନାଥାଶ୍ରମରେ ରହି ମଣିଷ ହୋଇଛି। ସେଇଠି ମୋ'ର ନାଁ ମନୋଜ ପଟ୍ଟନାୟକ ଦେଇଛନ୍ତି। ସେଠାରୁ ଶୁଣିଥିଲି କେହି ଜଣେ ମୋତେ ଜନ୍ମ ଦେଇ ଗୋଟିଏ କିଆବୁଦା ମୂଳରେ ଫିଙ୍ଗି ଦେଇଥିଲା। ମୋତେ ସେଠାରୁ ଜଣେ ଦୟାବାନ୍ ଲୋକ ନେଇ ଅନାଥାଶ୍ରମରେ ଛାଡ଼ି ଥିଲେ। ମୁଁ ଏବେ ଏହି ପୁରୀର କଲେକ୍ଟର ଅଛି। ଆପଣ କିଛି ଭୟ କରନ୍ତୁ ନାହିଁ। ଆପଣଙ୍କ ଦୁଇ ମେଣ୍ଢା ପୁଅ କେମିତି ଗେଣ୍ଡା ହୋଇ ଆସି, ଆପଣଙ୍କୁ ସସମ୍ମାନର ସହିତ ସାଙ୍ଗରେ ନେଇ ଘରେ ଭଲରେ ରଖିବେ, ସେହି ବ୍ଯବସ୍ଥା କରୁଛି। ନଚେତ୍ ଆପଣଙ୍କର ସେହି ଗେଣ୍ଡା ପୁଅ ଦୁଇଜଣ ଓ ଆପଣଙ୍କ ସେହି ଅଲାଜୁକୀ, ପୋଡ଼ାମୁହିଁ ବୋହୂ ଦୁଇଜଣଙ୍କ ଚାକିରୀ ଯଦି ନ ଖାଇଛି, ମୋତେ ଚିହ୍ନିବେ ସେମାନେ।" ଏହା କହି ସଙ୍ଗେ ସଙ୍ଗେ ସେମାନଙ୍କୁ ଶିଘ୍ର କଲେକ୍ଟର ଅଫିସକୁ ଡକାଇ ପଠାଇଲେ।
ବୃଦ୍ଧା ମନୋଜ ବାବୁଙ୍କ ମୁହଁକୁ ଅନାଇଲେ। ଦୂରକୁ ଘୁଞ୍ଚି ଯାଇ କହିଲେ, "ବାପା, ମୁଁ ବୁଢୀ ଲୋକ, ଆପଣଙ୍କୁ ଚିହ୍ନି ପାରିଲି ନାହିଁ। କେତେ କ'ଣ ଇଆଡ଼ୁ ସିଆଡ଼ୁ କଥା କହି ଦେଇଛି। କିଛି ଖରାପ ଭାବିବ ନାହିଁ କି ମୋ' ପୁଅ ବୋହୂଙ୍କୁ ଚାକିରୀରୁ ବାହାର କରିବ ନାହିଁ। ମୋ'ର ଭୁଲ୍ ହୋଇ ଯାଇଛି। ମୋତେ କ୍ଷମା କରନ୍ତୁ।" ସଙ୍ଗେ ସଙ୍ଗେ ମନୋଜ ବାବୁ ବୃଦ୍ଧା ପ୍ରମିଳା ଦେବୀଙ୍କୁ ଧରି ପକାଇ ମାଆ, ଏ ଆପଣ କ'ଣ କହୁଛନ୍ତି ବୋଲି କହି ବୁଝାଇ ଦେଲେ ଯେ ସେ ସେମାନଙ୍କୁ ଡରାଇବା ପାଇଁ ଏହିପରି ଗୋଟିଏ ଧମକ୍ ଦେବେ। ସେଥିରେ ସେମାନେ ଆଉ ଜୀବନରେ କେବେ ଆପଣଙ୍କୁ ଅବହେଳା କରିବେ ନାହିଁ। ବୃଦ୍ଧା ପୁଣି ଥରେ ମନୋଜ ବାବୁଙ୍କୁ କୁଣ୍ଢାଇ ପକାଇ ତାଙ୍କ ଦେହ ମୁଣ୍ଡକୁ ତାଙ୍କ ମମତାର କୋମଳ ସ୍ପର୍ଶରେ ଆଉଁସି ଦେଇ କହିଲେ, "ଧନ ରେ, ତୋ'ରି ପରି ପୁଅ ଆଜିର ସମସ୍ତ ବାପା ମାଆଙ୍କୁ ମିଳୁଥାଉ। ତତେ ଯେଉଁ ମାଆ ଜନ୍ମ ଦେଇ ତା'ର ପାପ ଭାବି ସେହି ପାପକୁ ଲୁଚାଇବା ପାଇଁ କିଆବୁଦା ମୂଳରେ ଫିଙ୍ଗି ଦେଇ ଗଲା, ତାକୁ ମୋ'ରି ମେଣ୍ଢା ପୁଅଙ୍କ ପରି ପୁଅ ମିଳୁଥାଉ। ଆଜି ଠାରୁ ତୁ ମଧ୍ୟ ମୋ'ର ଗୋଟିଏ ପୁଅ। ତୁ ମୋ' ବଡ଼ ପୁଅ। ଆଜି ଠାରୁ ତୁ ଆମ ସହିତ ରହିବୁ। ଆଜି ଆମେ ସମସ୍ତେ ମିଳିମିଶି ଆମ ଘର ଗଢିବା। ଏ ନାଟୁଆ କାଳିଆଟା ଏହି ନାଟକ ଦେଖାଇବା ପାଇଁ ଆଜି ତେବେ ତା' ଦୁଆରେ ବସାଇଥିଲା। ହେଉ, ଯାହା ତା'ର ଇଛା। କରି କରାଉଛି ସିଏ। ମିଛରେ ଯାହା ଆମକୁ ଏତେ ନଚାଉଛି। ହେ କାଳିଆ, ସବୁ ତୋ'ର ଇଚ୍ଛା। ସବୁ ତତେ ଲାଗିଲା। ମୋ' ତିନି ପୁଅ ବୋହୂଙ୍କୁ ହସ ଖୁସି ଆନନ୍ଦରେ ରଖିଥିବୁ। ଜୟ ଜଗନ୍ନାଥ ସ୍ବାମୀ"