ଝଞ୍ଜା
ଝଞ୍ଜା
ଭୁବନେଶ୍ଵର ଆଇ ଆର ସି ଭିଲେଜ୍ ର ଗୋଟିଏ ସଂଭ୍ରାନ୍ତ କଲୋନୀ । ସେକ୍ରେଟାରୀଏଟ୍ ରେ ଚାକିରୀ କାଳରେ ସୁହାସିନୀ ଙ୍କୁ ସୁଖୀ କରିବା ପାଇଁ ନିଜର ସମସ୍ତ ସମ୍ବଳ ଲଗାଇ ପ୍ଲଟ୍ ଟେ କିଣି ଏକ ମହଲା କୋଠା ଘର ଟିଏ କରିଥିଲେ ମଦନମୋହନ ବାବୁ। ଘର ଭଡା ଦେଇଥିଲେ, ଯାହା ଘରଭଡା ମିଳୁଥିଲା ସେଥିରେ ଆଉ କିଛି ମିଶାଇ ବ୍ୟାଙ୍କ୍ ଲୋନ୍ ଶୁଝିବା ହେଉଥିଲା। ଚାକିରି ସମୟ ତକ ନଅନମ୍ବର ର ସେ ଦୁଇ ବଖୁରିଆ କ୍ୱାର୍ଟର ରେ ବିତାଇ ସାରି ଅବସର ନେବା ବେଳକୁ ଦୁଇ ପୁଅ ଯାକ ବିଦେଶରେ । ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ତ ଲୋଡା, ଗାଆଁ ଜମିବାଡି ସବୁ ପୁଅ ମାନଙ୍କ ପାଠ ପଢାରେ ବଳି ପଡି ସାରିଛି , ଏବେ ଯିବେ କୁଆଡେ ? ଘରଭଡା ନମିଳିଲେ, ଲୋନ୍ ଶୁଝିବା ଅସମ୍ଭବ, ଏଣେ କ୍ୱାର୍ଟର ନଛାଡିଲେ ପେନସନ୍ ମିଳିବନି, ପିଲାମାନେ ନିଜ ପରିବାରକୁ ସମ୍ଭାଳିବାରେ ବ୍ୟସ୍ତ, କ’ଣ କରିବେ ? ଅଗତ୍ୟା ନିଷ୍ପତ୍ତି ନେଲେ ନିଜ ଘରେ ଥିବା ଭଡାଟିଆ ଙ୍କୁ ବାହାର କରି ସେଇଠି ନିଜେ ଆସି ରହିବା ପାଇଁ। ସୁହାସିନୀ ଖୁବ୍ ଖୁସି ହେଲେ । କ୍ୱାର୍ଟର ରେ ଲଗାଇଥିବା ଆମ୍ବ, ପିଜୁଳି ବାସଙ୍ଗ ଗଛ, ନାନା ରକମର ଫୁଲ ଗଛ କୁ ଛାଡି ଆସିବାର ଦୁଃଖ କୁ ଭୁଲିବା ପାଇଁ ନିଜ ଘର ଚାରି ପଟ ସଫା ସୁତୁରା କରି ଗଛ ଲଗାଇଲେ । ମଦନମୋହନ ବାବୁଙ୍କର ମଧ୍ୟ ଅବସର ପରବର୍ତ୍ତୀ ଅସରନ୍ତି ସମୟ ସବୁ ସୁହାସିନୀ ଙ୍କ ସହିତ ସେଇ ବଗିଚା ସଜାଡିବାରେ କଟିଲା। ପିଲା ମାନଙ୍କ ପାଖରେ ନଥିବାର ଦୁଃଖ ଆଉ ବାଧୁ ନଥିଲା ଦୁହିଁଙ୍କୁ । ଟୁଆଁ ଟୁଇଁ ଭଳି ପରସ୍ପରର ସାନ୍ନିଧ୍ୟ ରେ କଟି ଯାଉଥିଲା ସମୟ। ବର୍ଷେ ଦୁଇବର୍ଷ ରେ ଥରେ ପିଲାମାନେ ଆସି ବୁଲି ଯାଉଥିଲେ । ଏବେ ଆଉ କାହା ପାଖରେ ସମୟ ଅଛି ଯେ ବେଶୀ ଦିନ ରହିବ ସେମାନଙ୍କ ପାଖରେ ?
ଅଦିନିଆ ଝଡ ଭଳି ଆସିଲା ଭୟଙ୍କର କରୋନା ବେମାରୀ । ସାରା ବିଶ୍ବ କୁ ଛାରଖାର କରିଦେଲା । ଲକ୍ଷ ଲକ୍ଷ ଜୀବନ ଗ୍ରାସ କରି ହାହାକାର ଖେଳାଇଦେଲା ସାରା ବିଶ୍ବ ରେ । ବିଦେଶରୁ ଆସି ଦେଶରେ , ଦେଶ ରୁ ବ୍ୟାପି ରାଜ୍ୟ ରେ ତା’ର ମୃତ୍ୟୁ ର ତାଣ୍ଡବଲୀଳା ଚଳାଇଲା । କୌଣସି ପ୍ରତିକାର କରିବା ସମ୍ଭବ ନଥିଲା ମଣିଷ ର।କେବଳ ପ୍ରତିରୋଧ କରିବା ନିମନ୍ତେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଥିଲେ କେନ୍ଦ୍ର ସରକାର, ରାଜ୍ୟ ସରକାର । ଜୀବନ ଜୀବିକା ହରେଇ ପ୍ରାଣ ଭୟରେ ଅସଂଖ୍ୟ ପ୍ରବାସୀ ଓଡିଆଙ୍କ ଧାଡି ଛୁଟିଥିଲା ଭିଟାମାଟି କୁ। ପୂର୍ବରୁ କେବେ ଶୁଣି ନଥିବା କି ଜାଣିନଥିବା ଲକ୍ ଡାଉନ୍, ଶଟ୍ ଡାଉନ୍ ଭଳି ବ୍ୟବସ୍ଥା ଜାରି ହେଲା ସବୁଆଡେ। ଘର ଭିତରେ ଗୃହବନ୍ଦୀ ହୋଇ ରହିବାକୁ ପଡିଲା ସମସ୍ତଙ୍କୁ । ଜଳ ,ସ୍ଥଳ ,ଆକାଶ ସବୁ ଯାତାୟତ ର ମାଧ୍ୟମ କୁ ରଦ୍ଦ କଲେ ସରକାର। ଯିଏ ଯେଉଁଠି ଥିଲେ ସେଇଠି ରହି କାଳ କବଳରୁ ମୁକ୍ତି ପାଇବା ପାଇଁ ପ୍ରଚେଷ୍ଟା ରେ ରହିଲେ। ବଡ କଠିନ ହୋଇପଡିଲା ଏବେ ବର୍ଷିୟାନ ଲୋକମାନଙ୍କ ଜୀବନ। ବଜାର ସଉଦା ତ ଚାଲି ଚାଲି ଯାଇ ନେଇ ଆସୁଥିଲେ ମଦନମୋହନ ବାବୁ , ହେଲେ ସୁହାସିନୀ ଦେବୀଙ୍କ ମୁଣ୍ଡରେ ଚଡକ ପଡିଲା ଯେଉଁଦିନ ଝାଡୁପୋଛା କରି ଦେଇ ଯାଉଥିବା ଠିକା କାମବାଲି ଟି ଆସି ମନା କରିଦେଲା ସେ ଆଉ ଆସି ପାରିବନି ବୋଲି।
ସହଜେ ଆଣ୍ଠୁଗଣ୍ଠି ଧରି ବୋଉଲୋ, ବାପା ଲୋ ହୋଇ ରୋଷେଇ ଗଣ୍ଡାଏ କରୁଥିବା ସୁହାସିନୀ ଏବେ ଘର ଗୋଟାକର କାମ କରି କରି ନୟାନ୍ତ ହୋଇ ପଡୁଥିଲେ। ତାଙ୍କୁ ଦେଖି ଖୁବ୍ ଦୁଃଖିତ ହେଉଥିଲେ ମଦନମୋହନ ବାବୁ । ଚିରକାଳ ନିଜର ପ୍ରିୟତମା ପତ୍ନୀଙ୍କୁ ସୁଖରେ ରଖିବାକୁ ସତତ ଚେଷ୍ଟିତ ଥିଲେ ମଦନମୋହନ, ସେଥିପାଇଁ ତ ଗାଆଁ ରେ ବାପା ବୋଉଙ୍କୁ ମନେଇ ବାହାଘର ର ଦୁଇମାସ ପରେ ଭୁବନେଶ୍ଵର କ୍ୱାର୍ଟର କୁ ନେଇ ଆସିଥିଲେ ସେ । ବାପା ମାଆଙ୍କର ତିନି ପୁଅରେ ଗୋଟିଏ ଝିଅ ବୋଲି ଅତି ଅଲିଅଳରେ ବଢିଥିବା ତାଙ୍କର ସୁନ୍ଦରୀ ପତ୍ନୀ ଙ୍କୁ ତାଙ୍କର ନଥିଲା ଘରେ ସବୁ ସୁଖ ଦେବାକୁ ମନସ୍ଥ କରିଥିଲେ ଯୁବକ ମଦନମୋହନ । ସେଇ କଥା ସେ ରଖି ଆସିଛନ୍ତି ଆଜି ଯାଏଁ। ସୁହାସିନୀଙ୍କର ପ୍ରତି ଟି ଅଳି ଅଝଟ କୁ ପୂରଣ କରିଛନ୍ତି ଯଥାଶକ୍ତି ନିଜର ସାଧାରଣ ଆୟରେ । ସିଏ ଭୂବନେଶ୍ବର ରେ ଘର ତୋଳିବା ହେଉ କି ପିଲାମାନଙ୍କୁ ଇଂଲିସ୍ ମିଡିୟମ୍ ସ୍କୁଲ୍ ରେ ପଢାଇବାକୁ ହେଉ, ନିଜର ଭବିଷ୍ୟତକୁ ଚିନ୍ତା ନକରି କେବଳ ପ୍ରାଣପ୍ରିୟା ପତ୍ନୀ ସୁହାସିନୀ ଙ୍କୁ ସୁଖୀ କରିବା ପାଇଁ ଚାହିଁଛନ୍ତି । ଏବେ ଏଇ କଠିନ ସମୟରେ ମଧ୍ୟ ତାଙ୍କ ପାଖେ ପାଖେ ରହି ଘରର ସବୁ କାମରେ ସାହାଯ୍ୟ କରନ୍ତି ମଦନମୋହନ ବାବୁ । ଖୁବ୍ ଯତ୍ନ ନିଅନ୍ତି ସୁହାସିନୀଙ୍କର ।
ପ୍ରତିଦିନ ଭୋର୍ ପାଞ୍ଚଟା ପୂର୍ବରୁ ଉଠିବା ଅଭ୍ୟାସ ସୁହାସିନୀଙ୍କର। ସକାଳୁ ଉଠି ବଗିଚାରୁ ଫୁଲ ତୋଳିବେ ସିଏ ଆଉ ଗଛରେ ପାଣି ଦେଇ ବଗିଚା ସଜଡା ସଜଡି କାମ କରିବେ ମଦନମୋହନ । ଘର ଓଳା ପୋଛା କରି ନିତ୍ୟକର୍ମ ସାରି ସୁହାସିନୀ ଠାକୁରପୂଜା ସାରିଲାବେଳକୁ, ମଦନମୋହନ ଚାହା ତିଆରି କରି ସାରିଥିବେ। ଦୁହେଁ ସାଥି ହୋଇ ଚାହା ପିଇ ସାରିବା ପରେ ମଦନମୋହନ ଯିବେ ବଜାର ସଉଦା କରି।ସୁହାସିନୀ ରନ୍ଧା ବଢା କଲାବେଳକୁ ମଦନମୋହନ କେବେ ପରିବା କାଟି ଦେବେ ତ କେବେ ଶାଗ ବାଛି ଦେବେ, ସୁହାସିନୀ ମନେ ମନେ ହସୁଥିବେ, ଭାବୁଥିବେ ଏତେ କାମ ଜଣାଥିଲା ଟି ୟାଙ୍କୁ ! ଆଗରୁ ମୋ’ ସହିତ ମିଳିମିଶି କେବେ କିଛି କାମ କରିନଥିଲେ ତ !ଅଫିସ୍ ଯିବା ବେଳକୁ ହେଲେ ଏତିକି କାମ କରିଥାନ୍ତେ, ମୁଁ ଆଜି ଆଣ୍ଠୁ ଗଣ୍ଠି ବେମାରୀ ଭୋଗୁ ନଥାନ୍ତି । ମଦନମୋହନ ତାଙ୍କ ମୁହଁ କୁ ଚାହିଁ ସବୁ ବୁଝି ପାରୁଥିବେ ଆଉ ମୁରୁକି ହସୁଥିବେ। ଖୁବ୍ ସୁନ୍ଦର ଭାବରେ କଟି ଯାଏ ସେମାନଙ୍କ ସମୟ।
ସେଦିନ ଥିଲା ରବିବାର । ଅଭ୍ୟାସ ଅନୁସାରେ ସୁହାସିନୀ ଭୋର୍ ପାଞ୍ଚଟା ବେଳୁ ଉଠି ଫୁଲ ତୋଳୁ ଥାଆନ୍ତି,ଅଳ୍ପ କିଛି ଦୂରରେ ଛୋଟ ଲେମ୍ବୁ ଗଛମୂଳରେ ପାଣି ଦେଉଥାଆନ୍ତି ମଦନମୋହନ , ଏଇ ସମୟରେ ଗୋଟିଏ ବାଇକ୍ ଆସି ଅଟକିଲା ଘରର ଗେଟ୍ ପାଖରେ । ଦୁଇ ଜଣ ଆରୋହୀଙ୍କ ମଧ୍ୟରୁ ଜଣେ ଯୁବକ ଗେଟ୍ ପାଖରେ ଆସି କିଛି ପଚାରିଲା ସୁହାସିନୀ ଙ୍କୁ । ବୋଧହୁଏ କଥାଟି ସ୍ପଷ୍ଟ ଭାବରେ ଶୁଣି ପାରିଲେନି ସୁହାସିନୀ, ଫୁଲ ଡାଲା ଟି ହାତରେ ଧରି ସେ ଆଉ ଟିକିଏ ଆଗେଇ ଗଲେ ଗେଟ୍ ପାଖକୁ । ହଠାତ୍ ମଦନମୋହନ ଶୁଣି ପାରିଲେ ସୁହାସିନୀ ଙ୍କର ଚାପା ଚିତ୍କାର, ଧାଇଁ ଗଲେ ଗେଟ୍ ପାଖକୁ, ଦେଖିଲେ ଗେଟ୍ ବାହାରେ ଥିବା ଯୁବକ ଟି ଦୁଇ ହାତ ଗେଟ୍ ଭିତରକୁ ପୁରାଇ ଗୋଟାଏ ହାତରେ ଚାପି ଧରିଛି ସୁହାସିନୀ ଙ୍କର ମୁହଁ କୁ ଆର ହାତରେ ଛୁରୀଟେ ଧରିଛି ତାଙ୍କ ବେକରେ ଲଗାଇ । ସୁହାସିନୀ ସେ ଯୁବକ ର ବଳିଷ୍ଠ ପଞ୍ଝା ଭିତରେ ବଳି ପଡୁଥିବା ନିରୀହ ଛେଳିଟି ଭଳି ଲୁହ ଭର୍ତ୍ତି ଆଖିରେ ଚାହିଁ ରହିଛନ୍ତି ତାଙ୍କ ଆଡକୁ । ନିଜର ସମସ୍ତ ସାହସ ଖଟେଇ ସେ ଚିତ୍କାର କରି ଉଠିଲେ “ ହେ , ହେ କିଏ ତମେ ? କ’ଣ କରୁଛ ?? ଛାଡ ତାଙ୍କୁ ...” । ବାଇକ୍ ରେ ବସିଥିବା ଆର ଯୁବକ ଟି ଏଥର ଓହ୍ଲାଇ ଆସିଲା ଗେଟ୍ ପାଖକୁ, ହାତରେ ତା’ର ଉଦ୍ୟତ ରିଭଲଭର୍, ଲକ୍ଷ୍ୟ ମଦନମୋହନଙ୍କ ଛାତି ଙ୍କୁ , କଠୋର କଣ୍ଠରେ ଆଦେଶ ଦେଲା “ ଏ ବୁଢା ! ପାଟି ଚୁପ୍ କର । ତୋ’ ସ୍ତ୍ରୀ ବେକରୁ ହାର , ହାତରୁ ସୁନା କୁଡିଆ ମୁଦି ଖୋଲିକି ଶିଘ୍ର ଦେଇଦେ, ନହେଲେ ଦୁହିଁଙ୍କୁ ଏଇଠି ଖତମ୍ କରିଦେବୁ “। ପାଦ ତଳୁ ମାଟି ଖସି ଯାଉଥିଲା ମଦନମୋହନଙ୍କର, ବରଡା ପତ୍ର ପରି ଥରଥର ଥରୁଥିଲେ ସେ , ଚାରି ଆଡକୁ ବିକଳ ହୋଇ ଚାହିଁଲେ । ସକାଳ ହୋଇ ସାରିଥିଲେ ମଧ୍ୟ ରାସ୍ତା ରେ ଲୋକ ଚଳାଚଳ ନଥିଲା । କାହାକୁ ବା’ ଡାକିବେ ? କିଏ ଆସି ଉଦ୍ଧାର କରିବ ତାଙ୍କୁ? ନୀରବରେ ଲୁହ ଗଡାଇ କେବଳ ମନେ ମନେ ଈଶ୍ବର ଙ୍କୁ ପ୍ରାର୍ଥନା କଲେ ମଦନମୋହନ “ ହେ ପ୍ରଭୁ ! ସୁହାସିନୀ ଙ୍କୁ ରକ୍ଷାକର” । ଯୁବକ ଦୁହିଁଙ୍କ ଆଖିରେ ଯମରାଜ ଭଳି ଘାତକ ଦୃଷ୍ଟି । ସୁହାସିନୀ ଙ୍କ କଥା ଚିନ୍ତା କରି ଦେହ ଶୀତେଇ ଉଠିଲା, ପାଟି ଚୁପ୍ ରଖି ଧୀରେ ଧୀରେ ତାଙ୍କ ବେକରୁ ଚେନ୍, ହାତରୁ ସୁନା ମୁଦି ଓ ସୁନା ଚୁଡି ଦି’ପଟ କାଢି ବଢେଇଦେଲେ ସେଇ ବନ୍ଧୁକଧାରୀ ଯୁବକ ହାତକୁ । ବାମ ହାତରେ ଜିନିଷ ତକ ଧରି ବାଇକ୍ ଷ୍ଟାର୍ଟ୍ କଲା ସିଏ , ଚିଲ ପରି ଛୁରୀଟି ଘୋଷାରି ନେଇ ତା’ପଛରେ ବସି ପଡିଲା ଅନ୍ୟ ଯୁବକ ଟି । ବାଇକ୍ ଛୁଟାଇ ତୀର ଭଳି ପାର୍ ହୋଇଗଲେ ଦୁଇ ଯୁବକ । ଭୟ ରେ ମୂର୍ଚ୍ଛା ଯାଇଥିବା ସୁହାସିନୀ ଙ୍କୁ କୋଳରେ ଧରି ପିଲାଙ୍କ ଭଳି ରଡି ଛାଡି କାନ୍ଦୁଥିଲେ ମଦନମୋହନ । କିଛି ସମୟ ମଧ୍ୟରେ ରାସ୍ତା ରୁ ଲୋକମାନେ ଆସି ଗଦା ହେଲେ ଗେଟ୍ ପାଖରେ । କ’ଣ ହେଲା ? କ’ଣ ହେଲା ବୋଲି ସମସ୍ତେ କହୁଥିଲେ ହେଲେ ସେମାନଙ୍କ ମଧ୍ୟରୁ କେହି ଜଣେ ବି ଆଗେଇ ଆସୁନଥିଲେ ସେମାନଙ୍କ ପାଖକୁ କରୋନା ଭୟରେ । ମଦନମୋହନ ବାବୁ କାନ୍ଦି କାନ୍ଦି ସେମାନଙ୍କ ସହିତ ଘଟିଥିବା ଘଟଣା ଟି କହିଲେ ଏବଂ ପୋଲିସ୍ କୁ ଫୋନ୍ କରିବା ପାଇଁ ଅନୁରୋଧ କଲେ। କିଏ ଜଣେ ଫୋନ୍ କଲା ବୋଧହୁଏ । ପୋଲିସ୍ ଭ୍ୟାନ୍ ଆସି ପହଞ୍ଚିଲା କିଛି ସମୟ ପରେ ।
ପୋଲିସ୍ ଇନ୍ସପେକ୍ଟର ମଦନମୋହନ ଙ୍କର ବୟାନ ନେଇ ରିପୋର୍ଟ ଲେଖିଲେ । ଚୋର ଟି ସୁହାସିନୀ ଙ୍କୁ ଧରିବା ବେଳେ ବୋଧହୁଏ ଛାଟିପିଟି ହେବା ଯୋଗୁଁ ତାଙ୍କ ବେକ ପାଖରେ ଆଉ ହାତ ରେ ଛୁରୀ ବାଜି କ୍ଷତ ହୋଇଥିଲା, ରକ୍ତ ର ଧାର ଛୁଟୁଥିଲା ସେଇ କ୍ଷତ ସ୍ଥାନ ରୁ। ସେଥିପାଇଁ ଆମ୍ବୁଲାନ୍ସ କୁ ମଧ୍ୟ ଡାକିଲା ପୋଲିସ୍ । ଘର ତାଲା ଦେଇ ସ୍ୱାମୀସ୍ତ୍ରୀ ଦୁହେଁ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଲେ ଆମ୍ବୁଲାନ୍ସ ରେ।
କଥାରେ ଅଛି ବିପଦ କେବେ ଏକା ଆସେ ନାହିଁ , ସାଙ୍ଗସାଥୀଙ୍କୁ ଧରି ଆସେ। ସେମାନଙ୍କ କ୍ଷେତ୍ରରେ ତାହା ହିଁ ଘଟିଥିଲା। ଆଗ ଦୁହିଁଙ୍କର କରୋନା ଟେଷ୍ଟ ନହେଲେ ଚିକିତ୍ସା କରିବେନି ବୋଲି ସଫା ସଫା ଶୁଣେଇଥିଲେ ହସ୍ପିଟାଲ୍ କର୍ମଚାରୀ ମାନେ। ଆଗତୁରା ପାନ୍ଚ ପାନ୍ଚ ହଜାର ଟଙ୍କା ଜମା କରି କରୋନା ଟେଷ୍ଟ ହେଲା ବେଳକୁ ପଜିଟିଭ୍ ରିପୋର୍ଟ ଆସିଲା ସୁହାସିନୀ ଙ୍କର । ଚତୁର୍ଦ୍ଦିଗ ଅନ୍ଧକାର ଦିଶୁଥିଲା ମଦନମୋହନ ଙ୍କୁ, କ’ଣ କରିବେ ବୁଦ୍ଧିବାଟ ଦିଶୁ ନଥିଲା, ମୁଣ୍ଡ ବୁଲେଇ ପଡି ଯାଉ ଯାଉ ସେ ସେଇଠି ତଳେ ବସି ପଡିଲେ ଲଥ୍ କରି। ସୁହାସିନୀ ଙ୍କୁ କୋଭିଡ୍ ହସପିଟାଲ୍ କୁ ତୁରନ୍ତ ନେଇଗଲେ ହସ୍ପିଟାଲର କର୍ମଚାରୀ ମାନେ । ସେଇ ହସ୍ପିଟାଲରେ ମଦନମୋହନ ଙ୍କୁ ମଧ୍ୟ କ୍ୱାରେଣ୍ଟିନ୍ ରେ ରଖାଗଲା। ପୁଅ ଦୁହିଁଙ୍କୁ ଫୋନ୍ କରି ସବୁ କଥା ଜଣାଇ ଅଗତ୍ୟା ମଦନମୋହନ ପଡି ରହିଲେ ସେହି ହସ୍ପିଟାଲରେ କିଂକର୍ତ୍ତବ୍ୟବିମୂଢ ହୋଇ । ପୁଅ ଦୁଇଜଣ ଆମେରିକା ରୁ ଆସିବା ପାଇଁ ନିଜର ଅସମର୍ଥତା ଫୋନ୍ କରି ଜଣାଇଲା ବେଳକୁ ସୁହାସିନୀ ଙ୍କୁ କୋଭିଡ୍ ଗ୍ରାସ କରି ସାରିଥିଲା । ସରକାରୀ ନିୟମ ଅନୁଯାୟୀ ତାଙ୍କର ଶବକୁ ମଧ୍ୟ ସଂସ୍କାର କରି ଦିଆଯାଇଥିଲା । ମାନସିକ ଭାରସାମ୍ୟ ହରାଇ ମଦନମୋହନ ବାବୁ ଖିଆପିଆ ବନ୍ଦ କରି ସେମିତି ପଡି ରହିଥିଲେ ହସ୍ପିଟାଲ୍ ର କ୍ୱାରେଣ୍ଟିନ୍ ୱାର୍ଡ୍ ରେ। କେତେବେଳେ କାନ୍ଦି କାନ୍ଦି ସୁହାସିନୀ ସୁହାସିନୀ ବୋଲି ଡାକୁଥିଲେ ତ କେତେବେଳେ ଚୁପ୍ ହୋଇ ଆକାଶକୁ ଚାହିଁ ହସୁଥିଲେ। ହସ୍ପିଟାଲ୍ କର୍ତ୍ତୃପକ୍ଷ ମେସେଜ୍ କରି ଦେଇଥିଲେ ତାଙ୍କ ପୁଅ ମାନଙ୍କ ଠିକଣା ରେ । ଥାନାରେ କେଶ୍ ସେମିତି ଅନୁସନ୍ଧାନ ଅପେକ୍ଷା ରେ ଥିଲା । ଅଦିନିଆ ଝଞ୍ଜା ରେ ଉଜୁଡ଼ି ଯାଇଥିଲା ସୁହାସିନୀ ଆଉ ମଦନମୋହନ ଙ୍କର ସୁଖୀ ସଂସାର ।