STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଜହ୍ନ ଭିତରେ ମାତୃତ୍ୱ

ଜହ୍ନ ଭିତରେ ମାତୃତ୍ୱ

3 mins
173

  ସେଦିନ ଶାମୁକା ସାରଦାର ପ୍ରଶସ୍ତ ଛାତି ଉପରେ ଆଉଜି ପଡି ଯେବେ ପଚାରୁଥିଲା କୁହ ସାରଦା, କିଏ ତୁମ ମନ ଭିତରେ ହୃଦୟ ସିଂହାସନରେ ବସିଛି? ସାରଦା ଚଟ କରି ଉତ୍ତର ଦେଲା ଜହ୍ନ. ଫିକ କରି ହସି ଉଠିଲା ଶାମୁକା. ଆକାଶକୁ ଚାହିଁ କହିଲା ଏଇ ଜହ୍ନ! ଏ ତ ଗ୍ରହଟିଏ. ନାହିଁ ନାହିଁ ଏ ତ ପ୍ରେମିକା ଟିଏ. ଦେଖୁନ ତା ମୁଁହଁର ଲାଜକୁ, କାନ ଝୁମୁକା ଓ ମଥାର ଟିକିଲିକୁ. ହେ ବାଜେ କଥା ସବୁ କଣ ଯେ କୁହ ତୁମେ, ଜହ୍ନ କେମିତି କାହାର ପ୍ରେମିକା କି ପ୍ରେମିକ ହେବ? ତାର କୋଉ ଲିଙ୍ଗ କହିପାରିବ? ସାରଦା କହୁଥିଲା ନିଶ୍ଚୟ ଜହ୍ନ କେବଳ ସ୍ତ୍ରୀ ଲିଙ୍ଗ ଆଉ ଶାମୁକା କହୁଥିଲା ପ୍ରମାଣ କଣ? ମୁଁ ତ କହିବି ଜହ୍ନ କେବଳ କ୍ଲିବ ଲିଙ୍ଗ. ହୁଏତ କୋଉ ସାହିତ୍ୟିକ କି କବି ତାକୁ ସଜେଇ ପାରେ ପ୍ରେମିକା କି ପ୍ରେମିକ ହିସାବରେ କିନ୍ତୁ ଜହ୍ନ ନିଶ୍ଚୟ କ୍ଲିବ ଲିଙ୍ଗ

   ସାରଦା କହୁଥିଲା ଜମା ନୁହେଁ. ସେ ଫୁଲମତୀ, ରୂପବତୀ, ସାଜବତୀ ନାୟିକା ଟିଏ. ଶାମୁକା ଉଠି ଚାଲିଗଲା ହଷ୍ଟେଲକୁ. ଖୋଲା ପଡିଆର ଘାସ ଉପରେ ଶୋଇ ରହି ଜହ୍ନ ଭିତରେ ଜହ୍ନକୁ ହିଁ ଦେଖୁଥିଲା ସାରଦା. ସତରେ ଜହ୍ନ ନାମଧାରୀ ସ୍ତ୍ରୀ ଲୋକଟା ସିନା ଫଳ ବିକ୍ରୀ କରେ ଷ୍ଟେସନରେ କିନ୍ତୁସତରେ ଜହ୍ନଟିଏ ସେ. ଲୋକେ କୁହନ୍ତି ସେ କାଳେ ବିଧବା, ବିବାହ ବେଦୀକୁ ଯିବା ପୂର୍ବରୁ ତାକୁ ସଜେଇ ଦିଆଗଲା ବିଧବା ରୂପରେ.ତାକୁ ଚୁଡ଼ି, ଶାଢ଼ୀ ଅଳତା ସିନ୍ଦୁର ଟିକିଲି ପିନ୍ଧିବାକୁ ନିଷେଦ୍ଧ କରାଗଲା.ଆମିଷ ଓ ସୁସ୍ୱାଦୁ ଭୋଜନ ବାରଣ ତା ପାଇଁ. ଅନେକ ଅନେକ ସାମାଜିକ କଟକଣା ଭିତରେ ଜହ୍ନ ଭାଗ୍ୟ ଆକାଶରେ ବିଧାତା କଣ ଲେଖିଥିଲେ କେଜାଣି !ହାତଗଣ୍ଠି ପଡିବା ଆଗରୁ,ରୋଷଣୀ ଶୋଭାଯାତ୍ରା କରି ଆସୁଥିବା ତା ବର କୁଆଡେ ଦୁର୍ଘଟଣାରେ ମରିଯାଇଥିଲା. ନଦେଖି ନଚଳି ନଜାଣି ସେ ହେଲା ବିଧବା. ତା ବୈଧବ୍ୟ ଯନ୍ତ୍ରଣା ସହି ନପାରି, ତା ଯୋଗୁଁ ବାପା ତାର ଆଖିବୁଝିଲେ କିନ୍ତୁ ଏକମାତ୍ର ଝିଅ ଜହ୍ନ ବାପାଙ୍କ ଚାକିରୀ ପାଇଲା ରେଲୱେ ବିଭାଗରେ. ଡିୟୁଟି ନଥିବା ସମୟରେ ଫଳ ଦୋକାନ କଲା ଷ୍ଟେସନରେ ଜହ୍ନ. ସରକାରୀ ଓ ବେସରକାରୀ ଟଙ୍କାରେ ମାଆ ଓ ତା ତଳେ ଥିବା ପାଞ୍ଚ ଭାଇଭଉଣୀଙ୍କ ଦାଇତ୍ୱ କର୍ତ୍ତବ୍ୟ ନିଜ ମୁଣ୍ଡକୁ ଉଠେଇ ବି ଜହ୍ନ ସତରେ ଜହ୍ନ ପରି ସାରଦା ହୃଦୟରେ ରାଜ କରୁଥିଲା.

    ଅନେକଥର ସାମାଜିକ ବାଡ଼ବତା ଡେଇଁ ଯାଇ ଜହ୍ନକୁ ମନ କଥା ଖୋଲି କହିବାକୁ ସାହାସ ଜୁଟାଇ ପାରୁନି ସାରଦା. ଏଣେ ଶାମୁକା ହୃଦୟର ପ୍ରେମ କୁଳ ଲଙ୍ଘି ଯାଉଛି. ଆଜି ନିଶ୍ଚୟ ଫେରିଲାବେଳେ ଜହ୍ନକୁ ପଚାରିବ. ପଚାରିବ କଣ କହିଦେବ ମୁଁ ତତେ ଭଲ ପାଏ ଜହ୍ନ. ତୁ ମୋର ସ୍ବପ୍ନ. ତୋ ବିନା ମୋ ଜୀବନ ଅଧା ଅଧୁରା. ଏମିତି ଅନେକ ଥର ଭାବି ପାସେଞ୍ଜର ଟ୍ରେନରୁ ଓଲ୍ହେଇ ଜହ୍ନର ଫଳ ଦୋକାନକୁ ଯାଇ ଫଳରସ ଗ୍ଲାସ ହାତକୁ ନେଇ କେତେ ଇସାରା ଦେଇଥିଲେ ବି ଜହ୍ନ ପ୍ରତିକ୍ରିୟା ବିହୀନ. ସଦା ନିର୍ମଳ ପୂର୍ଣ୍ଣମୀ ଜହ୍ନ ପରି ହସିଦିଏ ଆଉ ପଚାରେ, ଆଜି କେତେ ପାଠ ପଢ଼ିଲ ସାରଦା ଭାଇ? ସାରଦା ମନ୍ତ୍ରମୁଗ୍ଧ ନୟନରେ ଚାହିଁଥାଏ ଜହ୍ନକୁ ତ ଫିକ ଫିକ ହସି ଜହ୍ନ କହେ, କାହାକୁ ପ୍ରେମ କରୁଛ କି ଏବେ, ସେମିତି ଜଣା ପଡୁଛ, ସାରଦା ସେଦିନ କହିଥିଲା ସାହାସ ସଞ୍ଚୟ କରି ହଁ ଜହ୍ନ ତତେ ଭଲପାଏ ମୁଁ, ହେଲେ ହସି ହସି ଗାଡିଯାଏ ଜହ୍ନ କହେ ମୁଁ କେବଳ ଆକାଶରେ ସବୁଠୁ ବଡ଼ ଉଜ୍ଜ୍ୱଳ ସନ୍ଧ୍ୟାତାରା ଟିଏ ସାରଦା ଭାଇ, କାହାର ପ୍ରେମିକା ନୁହେଁ, ସ୍ତ୍ରୀ ହେବା ଭାଗ୍ୟ ବି ମୁଁ ହରେଇ ସାରିଛି. ତମେ କଣ ଶୁଣିନ ଜହ୍ନ ଓ ନୀଳକଇଁ ସମ୍ପର୍କ ବିଷୟରେ. ମୋ ପାଇଁ ନୀଳକଇଁ ନୀଳବିଷ ପିଇ ମରିସାରିଛି କହି ଜହ୍ନ କାନ୍ଦି ପକାଏ. ଆଉ କିଛି କହିବାକୁ ସାହାସ ନକରି ଫେରିଆସେ ସାରଦା.

   ଆଜି କିନ୍ତୁ ସେ ଯେମିତି ହେଲେ କହିବ,ନା ଜହ୍ନ, ତୁ କ୍ଲିବ ନୁହଁ, ତୁ କେବଳ ମୋର, ମୋର ପ୍ରେମିକା କେବଳ ତୁ,ଆଉ ତୁ ରାଜି ହେଲେ ମୁଁ ତତେ ଘରଣୀ କରିବି. ଟ୍ରେନ ପ୍ଲାଟଫର୍ମରେ ଲାଗିବାକୁ ନିକଟ ହୋଇଆସୁଥିଲା, ସାରଦା ମନ ସମୁଦ୍ରରେ ଜୁଆର ପିଟି ହୋଇ କହୁଥିଲା ହଁ ଜହ୍ନ ମୁଁ ନୀଳକଇଁ, ଆସିଛି ଜହ୍ନ ପାଶେ ଧାଇଁ. ଭାବନାର ପୂର୍ଣ୍ଣଛେଦ ସହିତ ଗାଡି ରହିଲା ଷ୍ଟେସନରେ ଆଉ ତା ବସିଥିବା ଡବା ଠିକ ଜହ୍ନର ଫଳ ଭରା ଦୋକାନ ସାମ୍ନାରେ. ଦୂରରୁ ଜହ୍ନ ତାକୁ ପୂର୍ଣ୍ଣମୀ ଶଶୀ ପରି ଲାଗୁଥିଲା. ଜହ୍ନ ସହ ତା ସାଂସାରିକ ରୂପରେଖର ଭବିଷ୍ୟତ ଛାୟାଚିତ୍ର ଦେଖୁ ଦେଖୁ ସେ ଓଲ୍ହେଇବାକୁ ଯାଇ ଛିଟକି ପଡିଥିଲା.

    ଫଳ ଦୋକାନରୁ ଉଠି ଆସିଲା ଜହ୍ନ. ଚିତ୍କାର କରି, ଲୋକରଣ୍ୟ ଓ ଗହଳି ଭିତରୁ ଭିଡି ନେଇ ଛାତିରେ ଆଉଜେଇ କୋଳ କରିନେଲା ଜହ୍ନ ସାରଦାକୁ . ତହ୍ନ ତହ୍ନ କରି ଦେହମୁଣ୍ଡ ଅଣ୍ଡାଳି ପକେଇଲା କାଳେ କୋଉଠି କିଛି କ୍ଷତ ବା ରକ୍ତଧାର ଅନ୍ୱେଷଣରେ. ପରେ ପରେ ରେଲୱେ ଏମର୍ଜେନ୍ସିରେ ଉପଚାର କରାଇ ଯେବେ ଆଖିଖୋଲିଲା ସାରଦା ଜହ୍ନ ତାକୁ ମାଆ ପରି ମନେହେଉଥିଲା. ମମତାମୟୀ ନାରୀ ଜହ୍ନ ଭିତରେ ମାତୃତ୍ୱର ଝଲକରେ ସେ ଆତ୍ମହରା ଓ ବିଭୋର ହୋଇପଡ଼ିଲା. ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ, ସାରଦାକୁ ଦେଖିବାକୁ ଉତ୍କଣ୍ଠାରେ ଦଉଡି ଆସିଥିଲା ଶାମୁକା. ଜହ୍ନକୁ ଦେଖି ପଚାରିଥିଲା କିଏ ଏହି ଦେବୀ? ସେ ନଥିଲେ ତୁମକୁ ହୁଏତ ଏ ଅବସ୍ଥାରେ ଦେଖିବା ସମ୍ଭବ ହୋଇଥାନ୍ତା କି ନା. ସାରଦା ହସି ହସି କହୁଥିଲା ସେ ଭିନ୍ନ ଏକ ମାଆ, ଯାହା ହୃଦୟରେ ମାତୃତ୍ୱର ଗଙ୍ଗା ପ୍ରବାହିତ. ସେ କ୍ଲିବ ନୁହେଁ କାହାର ପ୍ରେମିକା ହୋଇପାରେନା, ସେ କେବଳ ନାରୀର ଜ୍ୱଳନ୍ତ ମମତାମୟୀ ରୂପ. ଶାମୁକା ସାରଦା କଥାରେ ମୁଗ୍ଧ ତଥା ସ୍ତବ୍ଧ ହେଉ ହେଉ କହୁଥିଲା ଓଃ ଇଏ ସେଇ ଜହ୍ନ ଯାହା ମୁହଁ ତୁମେ ଜହ୍ନ ଭିତରେ ତାଙ୍କୁ ଦେଖି କବିତା ଲେଖ. ସମସ୍ତେ ହସିଥିଲେ.ଫେରିଯାଉଥିଲା ଜହ୍ନ ଖାଲି ପଡ଼ିଥିବା ଫଳ ଦୋକାନକୁ.



Rate this content
Log in

Similar oriya story from Abstract