Basanta Kumar Bindhani

Abstract Classics Inspirational

4.4  

Basanta Kumar Bindhani

Abstract Classics Inspirational

ଝାପ୍ସା ରଜ

ଝାପ୍ସା ରଜ

2 mins
3.1K


ସଭ୍ୟତାର ଝଡ଼ରେ ସଂସ୍କୃତି ର ପ୍ରତିଦିନ ବଧ ହେଇ ଚାଲିଛି। ବାର ମାସ ରେ ତେର ପର୍ବ ଏବେ ଇତିହାସ ର କିଛି ପୃଷ୍ଠା ସାଜିବାକୁ ବସିଲାଣି । "ରଜ ମଉଜ" ର ସଂଜ୍ଞା ବି ଆଜିର ପିଢ଼ିଙ୍କୁ ଜଣା ନାହିଁ, ଆଉ ଯେଉଁଠି ଜଣା ଅଛି ତାହା କେବଳ ଗୋଟିଏ ବାକ୍ୟରେ ହିଁ ସୀମିତ ହୋଇରହିଛି ।

ରଜ ସକାଳର, ଗାଁ ଦାଣ୍ଡରେ ଛୋଟ ପିଲା ମାନେ ନୂଆ ବସ୍ତ୍ର ପିନ୍ଧି ବୁଲିବାର ଦୃଶ୍ୟ ଏବେ ଦେଖିବାକୁ ମିଳୁନି । ପଡିଶା ଘରର ରିଙ୍କୁ ଓ ପିଙ୍କି ନୂଆ ଜାମା କିଣି ଦବା ପାଇଁ ନିଜ ଗରୀବ ବାପା ପାଖରେ ଅଝଟ ବି କରୁନାହାଁନ୍ତି ।

ଗାଁ ମଝିର ବରଗଛରେ ଆଉ ସୁନାରି ବାଉଁଶର ଦୋଳି ସବୁ ବସୁନାହିଁ । ଯଦିବା ଗୋଟେ ବସୁଛି ହେଲେ କୁଆଁରୀ ଝିଅ ମାନଙ୍କର " ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ... ନେଇ ନୂଆ ସଜ ବାଜ" ଆଦି ରଜ ଦୋଳି ଗୀତ ଶୁଭୁ ନାହିଁ । ଆଉ ସେମାନଙ୍କୁ ଦେଖିବା ପାଇଁ ଝିପି ଝିପି ବର୍ଷାରେ ଗୋଟିଏ ସାଇକେଲରେ ଦୁଇ ଜଣ ବସି ପଡିଶା ଗାଁର ନୂଆକରି କଲେଜ ପଢୁଆ ପୁଅ ମାନେ ବି ଆସୁନାହାନ୍ତି । ଖାଇ ଦୋଳି, ଚକ୍ରୀ ଦୋଳି, ଡଙ୍ଗା ଦୋଳିର ନାମ ବି ହଜିଗଲାଣି ।

ତଳ ସାହିର ମାଗୁଣି ଜେଜେ ଧୋତିରେ କଛା ମାରି ବିଞ୍ଚଣା ଖଣ୍ଡେ ହାତରେ ଧରି ଭାଗବତ ଟୁଙ୍ଗୀ ପଛରେ ତାସ୍ ଖେଳିବାକୁ ଚାରି ଘର ବୁଲି ଡାକିବାକୁ ଆଉ ଆସୁନାହିଁ । ଗାଁ ମୁଣ୍ଡ ପୋଖରୀ ପାଖ ଠାକୁରାଣୀ ଆମ୍ବ ତୋଟାରେ ପସା ଖେଳର "କଚେ ପ ବାର" ର ଡାକ ମଧ୍ୟ ଶୁଭୁନାହିଁ ।

ପିଠା ପଣା ବି ଲୋକକଥା ହେବାକୁ ବସିଲାଣି । ଗାଁର ନୂଆ ବହୁଟିଏ ଏରୁଣ୍ଡି ବନ୍ଧ ପାଖରେ ନିଜ ଭାଈ କିମ୍ବା ବାପାର ରଜ ଭାର ନେଇ ଆସିବା ବାଟକୁ ଆଉ ଅପେକ୍ଷା କରୁ ନାହିଁ ।

ଏବେ ନା' ରଜ ଆସିବାର ଖୁସି ଅଛି ନା' ତିନି ଦିନ ପରେ ବିଦାୟ ନେବାର ଦୁଃଖ... କାହାକୁ ବି ତିଳେ ମାତ୍ର ଫରକ୍ ପଡୁନି । ଏଠି କେବଳ ପାଶ୍ଚାତ୍ୟ ସଂସ୍କୃତିର ଇଶାରାରେ ଆମ ମାନଙ୍କ ଦ୍ଵାରା ଓଡ଼ିଆ ସଂସ୍କୃତିର ଗଳା ରୋଧନ କରି ହତ୍ୟା ହୋଇ ଚାଲିଛି । ©ବସଂତ୍


Rate this content
Log in

Similar oriya story from Abstract