ଇମିଟେସନ ଚୁଡ଼ି
ଇମିଟେସନ ଚୁଡ଼ି
ସାବିତ୍ରୀ ମ୍ୟାଡମ ଆମ ପାଖ ପଡୋଶୀ । ଖୁବ ବଡଲୋକ ସେମାନେ । ତାଙ୍କ ସ୍ୱାମୀ ପୋଲିସ ବିଭାଗର ଜଣେ ଉଚ୍ଚ କର୍ମଚାରୀ । ପେଶାରେ ପୋଲିସ ହେଲେ ବି ଖୁବ ଶାନ୍ତ ସ୍ୱଭାବର ଲୋକ ଏବଂ ଖୁବ ଦୟାଳୁ ମଧ୍ୟ ପୋଲିସ ବାବୁ । ତାଙ୍କର ଦୁଇଟି ଝିଅ ଆଉ ଗୋଟିଏ ପୁଅ । ପୁଅ, ଝିଅମାନେ ବଡ ବଡ ସ୍କୁଲରେ ପାଠ ପଢ଼ନ୍ତି । କଥା କଥାରେ ଇଂରାଜୀ କୁହନ୍ତି । ମ୍ୟାଗି, ଚାଓମିନ୍, ପିଜା ହେଉଛି ତାଙ୍କର ସକାଳର ଜଳଖିଆ । ସାବିତ୍ରୀ ମ୍ୟାଡମ ପ୍ରତିଦିନ କିଟିପାର୍ଟିରେ ବ୍ୟସ୍ତ ରୁହନ୍ତି । ଘର କାମ କରିବାକୁ ତାଙ୍କୁ ସମୟ ନଥାଏ । ସମୟ ହେବ ବା କେଉଁଠୁ ? ଦିନରେ ଦୁଇଥର ହାତ ଆଉ ଗୋଡରେ ନେଲପଲିସ୍ ଲଗାଇବା ତାଙ୍କର ନିତିଦିନିଆ ଅଭ୍ୟାସ । ଭଳି ଭଳି ମ୍ୟାଚିଂ ଚୁଡ଼ି, କାନଫୁଲ, ନେକଲେସ୍ ସାଙ୍ଗକୁ ଅତ୍ୟାଧୁନିକିଆ ବ୍ଲାଉଜ, ମ୍ୟାଚିଂ ଶାଢ଼ୀ ଓ ହାଇହୀଲ୍ ପିନ୍ଧି ସେ ସାରାଦିନ ସଜେଇ ହୁଅନ୍ତି । ଏସବୁରୁ ଫୁରସତ ମିଳିଲେ ସିନା ସାବିତ୍ରୀ ମ୍ୟାଡମ ଘରକାମ କରିବେ । ସେଥିପାଇଁ ପୋଲିସ ବାବୁ ବାଧ୍ୟହେଇ ଚମ୍ପାକୁ ରଖିଲେ ଘରକାମ ପାଇଁ ।
ଚମ୍ପା ପନ୍ଦର କି ଷୋହଳ ବର୍ଷର ଝିଅଟିଏ । ଖୁବ ଗରିବ ଘରର ଝିଅ । ତା’ ମାଆ ମରିଗଲା ପରେ ବାପାଙ୍କ ନିର୍ଯାତନା ସହି ନପାରି ଘର ଛାଡି ଆସି ଷ୍ଟେସନରେ ଜରି ଗୋଟେଇ ନିଜର ଗୁଜୁରାଣ ମେଣ୍ଟଉଥିଲା । ଦିନେ ପୋଲିସ ବାବୁ ଡିଉଟି କରୁଥିବା ସମୟରେ ତାକୁ ଦେଖି ନିଜ ଘରକୁ ନେଇଆସିଥିଲେ । ଭାବିଥିଲେ ଗରିବ ଛୁଆଟାକୁ ପାଠ ପଢ଼ାଇବେ କିନ୍ତୁ ସାବିତ୍ରୀ ମ୍ୟାଡମ ତାଙ୍କୁ ଘର କାମରେ ଲଗାଇଦେଲେ । ଚମ୍ପା ଘରର ସବୁକାମ କରେ । ଅଇଁଠା ବାସନ ମାଜେ, ଘର ଝାଡ଼ୁ କରେ, କପଡା ସଫା କରେ ଏମିତିକି ବେଳେବେଳେ ପିଲାଙ୍କ ଜୋତା ମଧ୍ୟ ପଲିସ୍ କରିଦିଏ । ଏଡିକି ଟିକିଏ ଛୁଆ ହାତରେ ଏତେ ବଳ କୋଉଠୁ ଆସେ କେଜାଣି ? ପୋଲିସ ବାବୁ ଚମ୍ପାକୁ ଖୁବ ଭଲ ପାଆନ୍ତି ଠିକ୍ ନିଜ ଝିଅ ପରି । କିନ୍ତୁ ଘରର ବାକି ସମସ୍ତେ ଚମ୍ପାକୁ ବହୁତ ଗାଳି କରନ୍ତି, କଥା କଥାରେ ତାର ଭୁଲ୍ ଖୋଜନ୍ତି । ଘରର ବଳକା ବାସି ଖାଦ୍ୟ ଖାଇବାକୁ ଦିଅନ୍ତି ଚମ୍ପାକୁ । କିନ୍ତୁ ସେ ଦୁଃଖ କରେନି, ଯାହା ମିଳେ ଚୁପ୍ ଚାପ୍ ଖାଇଦେଇ ନିଜ କାମରେ ଲାଗିପଡ଼େ । କାମରୁ ଟିକିଏ ଫୁରସତ ମିଳିଲେ ପୋଲିସ ବାବୁ ଆଣିଦେଇଥିବା ବହି ପଢେ । ଖୁବ ବିଶ୍ୱାସୀ ଚମ୍ପା । ଘରର କୌଣସି ଦାମୀ ଜିନିଷ ବାହାରେ ପଡିଥିବାର ଦେଖିଲେ ତାକୁ ଆଣି ଝାଡ଼ିଝୁଡ଼ି ସାବିତ୍ରୀ ମ୍ୟାଡମଙ୍କ ହାତକୁ ବଢାଇଦିଏ । କୋଉ ଜିନିଷରେ ତା’ର ଲୋଭ ନଥାଏ । ନିଜ ଜିନିଷ କହିଲେ ତାର ଗୋଟେ ଚିରା ପୁଟୁଳି । ସେଇଥିରେ ଥାଏ ଦୁଇହଳ ପୁରୁଣା ଜାମା, ଦୁଇ କି ତିନି ଖଣ୍ଡ ପୁରୁଣା ବହି, ତା’ ମାଆର ଗୋଟେ ଫଟୋ ଆଉ ଗୋଟିଏ ଛୋଟିଆ ନାଲି କନାରେ ବନ୍ଧା ହେଇଥିବା କିଛି ଜିନିଷ । ବୋଧହୁଏ ତା’ ମାଆର ଅସ୍ଥି ହେଇଥିବ । ବାସ୍ ୟା’କୁ ଛାଡ଼ି ଚମ୍ପାର ଗୋଟିଏ ଦରଛିଣ୍ଡା ମସିଣା । ଯାହା ସେ ରାତିରେ ଶୋଇବା ପାଇଁ ବ୍ୟବହାର କରେ । ପ୍ରତିଦିନ ଚମ୍ପା ଶୋଇବା ପୂର୍ବରୁ ତା’ ମାଆର ଫୋଟୋକୁ କାଢି ଦେଖେ, ସେଇ ନାଲି ରଙ୍ଗର କନାକୁ ଖୋଲି ସେଥିରେ ଥିବା ଜିନିଷକୁ ଛୋଟ ପପି ଗୋଟେ ଦେଇ ପୁଣି ରଖିଦିଏ । ଏହା ହିଁ ତାର ନିତିଦିନର କାର୍ଯ୍ୟ ।
ଆଜି ରବିବାର । ଅଫିସ ଛୁଟି । ପୋଲିସ ବାବୁ ବସି ଖବରକାଗଜ ପଢ଼ୁଛନ୍ତି । ଚମ୍ପା ଚା’ ନେଇ ଆସିଲା । ହାତରେ ପିନ୍ଧିଥିଲା ହଳଦୀ ରଙ୍ଗର ଦାଉ ଦାଉ ହେଇ ଜଳୁଥିବା ଦୁଇପଟ ଚୁଡ଼ି । ଚମ୍ପା ପୋଲିସ ବାବୁଙ୍କୁ ପ୍ରଣାମ କଲା । ଚମ୍ପା ହାତରେ ଥିବା ଚୁଡ଼ି ଦୁଇପଟ ଦେଖି ପୋଲିସ ବାବୁ ସ୍ମିତହାସ୍ୟ ଦେଇ କହିଲେ - ଆରେ ଚମ୍ପା ଚୁଡ଼ି ଦୁଇପଟ ତୋ ଗୋରା ହାତକୁ ଖୁବ ଭଲ ମାନୁଛି । ହେଲେ ଟିକେ ବଡ ହେଇଗଲା । ଆଉ ଟିକେ ଛୋଟ ମାନେ ତୋ ହାତ ମାପର କିଣିଲୁନି ? ଚମ୍ପା ପୋଲିସ ବାବୁଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ପଛରୁ କାହାର କର୍କଶ ସ୍ୱର ଶୁଣି ଚମକି ପଡ଼ିଲା । ସାବିତ୍ରୀ ମ୍ୟାଡମ ଗର୍ଜନ କରି ଆସୁଛନ୍ତି - ତୋର ଏତେ ସାହାସ, ତୁ ମୋର ଚୁଡ଼ି ଚୋରି କରିବୁ । ରହ ଆଜି ତୋ ମଜା ବୁଝୁଛି, ତୋ ଜନ୍ମଦିନ ଛଡାଉଛି । ଚୋରଣୀ ଚମ୍ପା ।
ଏସବୁ ଶୁଣି ପୋଲିସ ବାବୁ ବୁଝିଗଲେ ଯେ ଆଜି ଚମ୍ପାର ଜନ୍ମଦିନ । ହେଲେ ସେ ଛୋଟ ପିଲାଟା କ’ଣ କଲା ଯେ ? ଏ ସାବିତ୍ରୀ ତାକୁ ଚୋରଣୀ ବୋଲି ଆକ୍ଷେପ କରୁଛନ୍ତି । ସାବିତ୍ରୀ ମ୍ୟାଡମ ଚମ୍ପାର କାନ ମୋଡି କହିଲେ -ଏଇ ଚୋରଣୀ, ମୋ ଦାମୀ ଇମିଟେସନ ଚୁଡ଼ି ଚୋରି କରି ନିଜେ ପିନ୍ଧିଛୁ । କୋଉଠୁ ଚୋରି କଲୁ କହ ? ଆଉ କ’ଣ ଚୋରି କରିଛୁ ଦେ’..ଶୀଘ୍ର ଦେ’..ନହେଲେ ତତେ ପୋଲିସରେ ଦେବି । ଚମ୍ପା କାନ୍ଦି କାନ୍ଦି ବିକଳରେ କହୁଥାଏ - ନା ମୁଁ ଚୋରି କରିନି । ଏଇଟା ମୋର । ମୁଁ ଦେବିନି । ଏଇଟା ମୋ ଚୁଡ଼ି । ଏଇଟା ମୋର । ଏସବୁ ଶୁଣି ପୋଲିସ ବାବୁ ସାବିତ୍ରୀ ମ୍ୟାଡମଙ୍କୁ କହିଲେ -କାହିଁକି ଛୋଟ ପିଲାଟା ସହିତ ଲାଗିଛ, ସେ କାହିଁକି ତୁମ ଇମିଟେସନ ଚୁଡ଼ି ଚୋରି କରିବ ? ଦେଖ ତମେ ଆଉ କୋଉଠି ରଖିଥିବ ? ପୋଲିସ ବାବୁଙ୍କ କଥାର ଉତ୍ତରରେ ସାବିତ୍ରୀ ମ୍ୟାଡମ କହିଲେ - ତମେ ଦେଖ ମୋ ଚୁଡ଼ି ବକ୍ସ ଖାଲି ପଡିଛି । ଆଉ ସେ ଚମ୍ପା ଯେଉଁ ଚୁଡ଼ି ପିନ୍ଧିଛି ସେଇଟା ମୋ ମାପର । ଏମିତି କହୁ କହୁ ଚମ୍ପାର ହାତରୁ ଚୁଡ଼ି ଦୁଇପଟ ଟାଣିନେଇ ନିଜ ହାତରେ ପିନ୍ଧିଦେଇ କହିଲେ - ଦେଖୁନ ଦେଖ,ଏଇ ଚୁଡ଼ି ଦୁଇପଟ କେମିତି ମତେ ପୁରା ଠିକ୍ ହେଉଛି । ଯଦି ଏଇଟା ମୋ ଚୁଡ଼ି ନୁହେଁ ତେବେ ମୋ ଚୁଡ଼ି ବକ୍ସରୁ ଚୁଡ଼ି କୁଆଡେ ଗଲା ? ଆଉ ଏତେ ଦାମୀ ଚୁଡ଼ି ଚମ୍ପା କୋଉଠୁ ଆଣିଲା ? ଏସବୁ ଶୁଣି ପୋଲିସ ବାବୁ ଚମ୍ପାକୁ କହିଲେ - ଚମ୍ପା ତୁ ଶେଷରେ ତୋ ମାଆର ଚୁଡ଼ି ଚୋରି କଲୁ ? ମୋ ମୁଣ୍ଡ ତଳକୁ କରିଦେଲୁ ଛିଃ ଛିଃ...!
ଚମ୍ପା କାନ୍ଦି କାନ୍ଦି କହିଲା ମୁଁ ଚୋରି କରିନି ବାବୁ! ମତେ ବିଶ୍ୱାସ କର । ମାଆ ମତେ ଏଇଟା ଦେଇଥିଲେ । ମୁଁ ଚୋରି କରିନି । ମୁଁ ସତ କହୁଛି । ହେଲେ କେହି ତା’ କଥା ଶୁଣିଲେ ନାହିଁ । ଏମିତି ଚୋରି, ପ୍ରମାଣ ଖୋଜାରେ ପୁରା ଦିନଟା ଚାଲିଗଲା । ସମସ୍ତେ କିଛି ନା କିଛି ଖାଇ ଶୋଇବାକୁ ଗଲେ କିନ୍ତୁ ଚମ୍ପା ସେମିତି ବାରଣ୍ଡାରେ ପଡିଥାଏ । ପୋଲିସ ବାବୁ ଭାବୁଥିଲେ ସତରେ କ’ଣ ଚମ୍ପା ଚୋରି କରିପାରିବ ? ଆଉ ଯଦି ସେ ଚୋରି କରିନି ତେବେ ଏତେ ଦାମୀ ଇମିଟେସନ ଚୁଡ଼ି ସେ ପାଇଲା କେଉଁଠୁ ? ଏସବୁ ଭାବୁ ଭାବୁ ପୋଲିସ ବାବୁଙ୍କର ମନେ ପଡ଼ିଲା ଯେ ଚମ୍ପା ସେତେବେଳେ ଚିତ୍କାର କରି କହୁଥିଲା, ମତେ ଏଇ ଚୁଡ଼ି ମାଆ ଦେଇଛନ୍ତି ବୋଲି । ସେ ସଙ୍ଗେସଙ୍ଗେ ସତ ଜାଣିବା ପାଇଁ ଚମ୍ପା ପାଖକୁ ଦୌଡିଲେ । ଚମ୍ପା ସେତେବେଳକୁ ନିଜ ମାଆର ଫୋଟୋକୁ ଛାତିରେ ଚାପି ଧରି କାନ୍ଦି କାନ୍ଦି ବାରଣ୍ଡାରେ କେଉଁ ଏକ କୋଣରେ ସୋଇପଡିଛି । ପୋଲିସ ବାବୁ ଧୀରେ ଧୀରେ ଚମ୍ପା ପାଖକୁ ଗଲେ । ତା ଛାତିରେ ଲାଗିରହିଥିବା ଫୋଟୋକୁ କାଢ଼ିଲେ ଆଉ ଦେଖିଲେ ସେଇ ଫୋଟୋଟି ଜଣେ ସ୍ତ୍ରୀ ଲୋକର । ଗୋରା ତକତକ ଚେହେରା । ବିଲକୁଲ ଚମ୍ପାର ଗଢ଼ଣ ପରି । ଇଏ ଚମ୍ପାର ମାଆଙ୍କ ଫୋଟୋ । ହେଲେ ହାତରେ ସେଇ ଏକା ପ୍ରକାର ଚୁଡ଼ି ଦୁଇପଟ । ପୋଲିସ ବାବୁ ଆଶ୍ଚର୍ଯ୍ୟ ହେଇ ଚମ୍ପାର ପୁଟୁଳିଟିକୁ ତନ୍ନ ତନ୍ନ କରି ଦେଖିଲେ । ସେ ଯେଉଁ ନାଲି କନାରେ ଚମ୍ପାର ମାଆଙ୍କ ଅସ୍ଥି ଥିବ ବୋଲି ଭାବୁଥିଲେ ସେଥିରେ ଗୋଟେ ଚୁଡ଼ିବକ୍ସ ଥିଲା ଆଉ ଖଣ୍ଡେ ଚିଠି ଥିଲା । ପୋଲିସ ବାବୁ ସେଇ ଚିଠିଟିକୁ ଖୋଲିଲେ । ଚିଠିରେ ଲେଖାଥିଲା -
" ପ୍ରିୟର ଚମ୍ପା,
ତୋ ବାପା ମଦ ପିଇବା ପାଇଁ ଘରର ସବୁ ଜିନିଷ ବିକ୍ରି କରିସାରିଲେଣି । ମୋ ପାଖରେ ତତେ ଦେବାପାଇଁ କିଛି ନାହିଁ । ଏଇ ଚୁଡ଼ି ଦୁଇପଟ ଶେଷ ସନ୍ତକ । ଏଇଟା ଖାଣ୍ଟି ସୁନା । ତୋ ବାପା ବଞ୍ଚିଛନ୍ତି ଯେତେବେଳେ ମୁଁ ସଧବା । ଆଉ ସଧବାମାନେ କେବେ ହାତ ଖାଲି କରିବା କଥା ନୁହେଁ । ହେଲେ ମୁଁ ସଧବା ରହି ଲାଭ କ’ଣ ? କେତେଦିନ ଯାଏ ଏଇ ଚୁଡ଼ି ଦୁଇପଟକୁ ତୋ ବାପାଙ୍କ ଠାରୁ ଲୁଚେଇ ରଖିବି । ସେ ଯେଉଁ ଦିନ ମୋ ହାତରେ ଏଇ ଚୁଡ଼ି ଦେଖିବେ ମଦ ପିଇବା ପାଇଁ ନିଜ ହାତରେ ମତେ ବିଧବା ସଜେଇ ମୋ ହାତରୁ ଖୋଲି ନେଇଯିବେ । ସେଥିପାଇଁ ଏଇଟା ମୁଁ ଏକ ନାଲି କନାରେ ଗୁଡେଇ ବାଡି ପଟେ ପୋତିଦେଉଛି । ତୋ ଜନ୍ମଦିନରେ ତ ତତେ କିଛି ଦେଇପାରିଲିନି । ଆରବର୍ଷ ଜନ୍ମଦିନରେ ତୁ ଏଇ ଚୁଡ଼ି ଦୁଇପଟ ପିନ୍ଧିବୁ । ହଁ ଏଇଟା ତତେ ଟିକେ ବଡ ହେବ, ହେଲେ ତୁ ବ୍ୟସ୍ତ ହବୁନି । ତୁ ଯେତେବେଳେ ମୋ ବୟସର ହେଇଯିବୁ ତତେ ଏଇ ଚୁଡ଼ି ଦୁଇପଟ ଠିକ୍ ହେବ । ମୁଁ ମରିଗଲା ପରେ ତୁ ମତେ ଏଇ ଚୁଡ଼ିରେ ଦେଖିବୁ ଆଉ ଭାବିବୁ ତୋ ମାଆ ତୋ ପାଖରେ ଅଛି ।
ଇତି
ତୋର ଅଭାଗିନି ମାଆ"।
ପୋଲିସ ବାବୁ ଏସବୁ ପଢି ଦୁଃଖରେ ଭାଙ୍ଗିପଡିଲେ । ଆଉ ସ୍ପଷ୍ଟ ଭାବରେ ଜାଣିଗଲେ ଯେ ଚମ୍ପା ଚୋରି କରିନି । ସେ ଚମ୍ପାକୁ ଭୁଲ୍ ମାଗିବା ପାଇଁ ତାକୁ ନିଦରୁ ଉଠାଇବାକୁ ଚେଷ୍ଟା କଲେ । ହେଲେ ଏ କ’ଣ ? ଚମ୍ପାକୁ ଯେତେ ଡାକିଲେ ବି ସେ ଉଠୁନି । ହାତ ଗୋଡ଼ ନାଠି କରି ପଡିଛି । କିଛି ସମୟ ପୋଲିସ ବାବୁ ଚମ୍ପାକୁ ନିରେଖି ଜାଣିବାକୁ ପାଇଲେ ଯେ ଚମ୍ପା ଆଉ ନାହିଁ । ସମସ୍ତଙ୍କୁ ଛାଡି ଆରପାରିକୁ ମାନେ ତା’ ମାଆ ପାଖକୁ ଚାଲିଯାଇଛି ।
ସକାଳ ହେଲା । ସାବିତ୍ରୀ ମ୍ୟାଡମ ରେଡି ହେଇ ଚମ୍ପା ଠାରୁ ଛଡେଇ ନେଇଥିବା ଚୁଡ଼ି ପିନ୍ଧି କର୍କଶ ଗଳାରେ ଚିତ୍କାର କରି ଡାକି ଡାକି ଆସିଲେ - ଆଲୋ ହେ ଚୋରଣୀ ଚମ୍ପା, ଆଜି ଚା'ଜଳଖିଆ ଦେବୁନି କି ? ପୋଲିସ ବାବୁ ସେତେବେଳକୁ ଚମ୍ପାର ମର ଦେହଟାକୁ କାନ୍ଧରେ କାନ୍ଧେଇ ବାଡିପଟ ଆଡକୁ ଯାଉଥିଲେ । ବାଡିପଟ ଝରକା ପାଖେ ଦେଖିଲେ ସାବିତ୍ରୀ ମ୍ୟାଡମଙ୍କ ହଜିଯାଇଥିବା ଇମିଟେସନ ଚୁଡ଼ି ଦୁଇପଟ ପଡିଛି । ପୁରାପୁରି ରଙ୍ଗ ଛାଡିଯାଇଛି ସେଇ ଚୁଡ଼ି ଦୁଇପଟରୁ । ତା ସାଙ୍ଗରେ ସବିତ୍ରୀ ମ୍ୟାଡମଙ୍କର କିଛି ପୁରୁଣା ରଙ୍ଗ ଛଡା ଇମିଟେସନ ଗହଣା ମଧ୍ୟ । ଏସବୁ ଦେଖି ପୋଲିସ ବାବୁ ଭାବୁଥିଲେ "ଏଇ ସ୍ତ୍ରୀ ଲୋକମାନେ କିଛିଟା ଅପ୍ରାକୃତିକ ଦାମୀ ଜିନିଷର ଲୋଭ ଫଳରେ ଜୀବନରେ ଅନେକ ପ୍ରାକୃତିକ ମୂଲ୍ୟବାନ ଜିନିଷ ହରାନ୍ତି । ଏଇ ଯେମିତି ସୁନା ଲୋଭରେ ସ୍ୱୟଂ ଲକ୍ଷ୍ମୀଙ୍କୁ " ।