ହସ ଲୁହ
ହସ ଲୁହ
ମଣିଷର ଜୀବନର ଚଲାପଥ ଅତ୍ୟନ୍ତ ଜଟିଳ। ଅନେକ ମିତ୍ର ଓ ଅନେକ ଶତୃ । ବିବିଧ ସମସ୍ୟା ଓ ବିବିଧ ସମାଧାନ । କେତେକ ସଫଳ ଓ କେତେକ ବିଫଳ । ଟିକେ ହସ ଓ ଟିକେ କାନ୍ଦ । ଗଭୀର ପ୍ରେମ ଓ ତୀବ୍ର ପ୍ରତାରଣା । ମଣିଷ ଏକ କ୍ଷୁଦ୍ର ମୀନ ସଦୃଶ ସମୁଦ୍ର ପରି ଅମାପ ଚିନ୍ତାଧାରାର ସ୍ରୋତରେ କେତେ ବେଳେ କ'ଣ କରିଥାଏ ତାହା ତା'କୁ ଜଣା ନଥାଏ। ଏଭଳି ଏକ ଅକଳନୀୟ ଗଭୀର ସମୁଦ୍ର ସ୍ୱରୂପ ବିଶାଳ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କରିଥାଏ ଅନେକ ସାଧନା; ଶୈଶବରେ ସେ ସାଧନାର ପ୍ରେରଣା ଆମକୁ ମିଳିଥାଏ ଆଦରଣୀୟ ମମତାମୟୀ ମାଆ ଠାରୁ ; ଉତ୍ସାହ ମିଳିଥାଏ ସ୍ୱର୍ଗ ଠାରୁ ଉଚ୍ଚ ଅନ୍ତରଙ୍ଗ ବାପା ଠାରୁ; ଯେତେବେଳେ କୈଶୋର ଅବସ୍ଥାରୁ ଯୌବନରେ ପଦାର୍ପଣ ହୁଏ ପ୍ରୋତ୍ସାହନ ମିଳିଥାଏ ପ୍ରେମିକ ଠାରୁ । ସଠିକ ଶୀର୍ଷକ ସ୍ଥାନରେ ପହଞ୍ଚିବାକୁ ହେଲେ ମଣିଷକୁ ଆବଶ୍ୟକ ହୋଇଥାଏ ଉପଯୁକ୍ତ ପିତୃମାତୃ, ସତ ସଜ୍ଜନ, ଅନୁକୂଳ ପରିବେଶ ଓ ମନଲାଖି ଜୀବନ ସାଥୀଟିଏ।
ସେଦିନ ୬୧ନଂ କ୍ରମିକ ଚିଠାଟି ଧରି ଆମ୍ଭେ ପୌଲସ୍ତୀ ସହ ୱେଟିଙ୍ଗ ରୁମରେ ଅପେକ୍ଷା କରି ରହିଥାଉ ଡକ୍ଟର ଏସ୍.ଏସ୍. ପ୍ରିୟଦର୍ଶିନୀ ମାଡାମଙ୍କୁ । ପୌଲସ୍ତୀର ଅସୁସ୍ଥତା ପାଇଁ ପରାମର୍ଶ ନିମିତ୍ତ ଆମେ ଯାଇଥାଉ ସେଠାକୁ । ହଠାତ୍ ଜଣେ ଭଦ୍ରବ୍ୟକ୍ତି ମୋ ପଛଆଡୁ ଆସି ମୋତେ କୋଳେଇ ନେଇଥିଲେ। ଅବାକ ହୋଇ ପଡିଲୁ ପୌଲସ୍ତୀ ଓ ମୁଁ । ତା' ପରେ ପରିଚିତ ହେଲୁ ଓ ପୌଲସ୍ତୀକୁ ମୁଁ କହିଥିଲି ଅତୀତର କଥା।
ମୁଁ ଯାଉଥାଏ ଦେବଗଡରୁ ସମ୍ବଲପୁର । ପ୍ରାୟ ୧୨୦କିମି ବାଟ । ବସ ଯାତ୍ରାରେ ଅଜାଣତରେ ମୋର ବନ୍ଧୁତ୍ୱ ହୋଇଯାଇଥିଲା । ଅମରେଶ ବାବୁଙ୍କ ସହ । ସେଇ ସ୍ୱଳ୍ପ ସମୟ ଭିତରେ ପରସ୍ପର ମଧ୍ୟରେ ଏକ ନିବିଡ଼ ବନ୍ଧୁତ୍ୱ ସ୍ଥାପନ ହୋଇଯାଇଥିଲା । ବାର୍ତ୍ତାଳାପରେ ସେ ମୋତେ କହିଲେ ତାଙ୍କ ଅତୀତ କଥା ।
ପ୍ରେମରେ ପ୍ରତାରିତ ହୋଇଥିବା ଜଣେ ମୁଁ ନିଃସହାୟ ମାନବ । ବେରୋଜଗାର ପାଇଁ ଆଜି ମୁଁ ଅପମାନିତ ହୋଇ ପ୍ରେମିକା ଘରୁ ଫେରିବା ପରେ ଗାଆଁରେ ନ ରହିବା ପାଇଁ ନିଷ୍ପତ୍ତି ନେଲି । ସେଥିପାଇଁ ଘରେ ଗୋଟିଏ ପତ୍ର ଲେଖିଦେଇ ଘର ଛାଡି ଚାଲି ଆସିଅଛି । କୁଆଡେ ଯିବି, କ'ଣ କରିବି ମୁଣ୍ଡକୁ ବୁଦ୍ଧି ଦିଶୁ ନାହିଁ। ମୋ ପାଖରେ କିଛି ପନ୍ଥା କରିବାକୁ ଅର୍ଥ ବି ନାହିଁ । ତାଙ୍କର ଏଭଳି ନିଃସହାୟ ଅବସ୍ଥା ଦେଖି ମୁଁ ତାଙ୍କୁ ମୋ ସାଙ୍ଗର ଏକ ଡାଇରି ଫାର୍ମରେ କାମ କରିବା ପାଇଁ ସୁପାରିଶ କରିଥିଲି । ତା' ପରେ ଅନେକ ଦିନ ପରେ ଦେଖା ପୁଣି କ୍ଲିନିକରେ ।
ଅନ୍ତିମ ବିଦାୟ ନେଇ ତା'ଙ୍କୁ ମୁଁ କହିଥିଲି ଅନ୍ଧକାର ପ୍ରେମ ଜାଲରେ ଛନ୍ଦି ହୋଇ ତୁମେ ହଜେଇ ଦେଇଥିବା ଦିନ ଗୁଡିକୁ ସାଉଣ୍ଟି ଆପଣଙ୍କ ଭବିଷ୍ୟତ ନଷ୍ଟ ନ କରି ଅଭାବ, ଅସୁବିଧା ଦୂର କରି ଚେଷ୍ଟା କରନ୍ତୁ ଏକ ପୂର୍ଣ୍ଣାଙ୍ଗ ଜୀବନ ବଞ୍ଚିବା ପାଇଁ । ସଂସାରଟିଏ କରି ପିଲାମାନଙ୍କୁ ପରିପକ୍ୱ ଶିକ୍ଷା, ଉପଯୁକ୍ତ ସ୍ୱାସ୍ଥ୍ୟ, ସମ୍ପୂର୍ଣ୍ଣ ବିକାଶ ଓ ଏକ ପରିପୂର୍ଣ୍ଣ ଜୀବନ ଦେଇ ସେମାନଙ୍କୁ ଅଗ୍ରସର କରାଇ ଗଢି ତୋଳିବେ ଗୋଟିଏ ସୁଖ ସଂସାର ଆଉ ତା' ପରେ ବହୁ ବର୍ଷ ପରେ ପୁଣି ଦେଖା । ଦୁର୍ଘଟଣା ଜନକ ଭାବରେ ପ୍ରଥମ ଦେଖା ହୋଇଥିଲା ଓ ପୁଣି ଦୁର୍ଘଟଣାଜନକ ଭାବେ ଦ୍ୱିତୀୟ ଥର ଦେଖା ।
ସେଇଠି ମନେ ପକାଇ ଅମରେଶ ବାବୁ କହିଲେ ଆପଣଙ୍କ ସାନ୍ତ୍ୱନା ଓ ପ୍ରେମର ପ୍ରତାରଣା ଆଜି ମୋ ପିଲାଙ୍କ ଜୀବନ ଗଠନ କରିବାର ପ୍ରେରଣା ଓ ସହାୟକ ହୋଇଛି । ଡକ୍ଟର S.S. ପ୍ରିୟଦର୍ଶିନୀ ହେଉଛି ମୋ ଝିଅ । ନୟନରୁ ଦୁଇଧାର ଲୋତକ ଝରି ପଡିଲା ଅମରେଶ ବାବୁଙ୍କର; କୋଳେଇ ନେଇଥିଲି ତାଙ୍କୁ ମୁଁ । କହିଲି ଲୁହ ନଥିଲେ ହସର ମୂଲ୍ୟ କେହି ବୁଝନ୍ତିନି ବନ୍ଧୁ । ମଣିଷ ଜୀବନ ପାଇଁ ହସ ଯେତିକି ଦରକାର ଲୁହ ମଧ୍ୟ ସେତିକି ଦରକାର ।
କିନ୍ତୁ ସେଇ ସମୟ ବ୍ୟବଧାନ ମଧ୍ୟରେ ଥିଲା ବିରାଟ ପରିବର୍ତ୍ତନ। ତେଣୁ ସମୟର ଖେଳ ଚକାଭଉଁରି ପରି।
