Jyotiranjan Sahu

Horror

5.0  

Jyotiranjan Sahu

Horror

ହଁ ! ସେଇଟା ଭୂତ ଥିଲା

ହଁ ! ସେଇଟା ଭୂତ ଥିଲା

6 mins
506


ଆଜିକୁ ପ୍ରାୟ ତିରିଶି ବର୍ଷ ତଳର ଜହ୍ନ ମାମୁଁ କଥା କେବେ ଆପଣ ମାନକଂର ମନେପଡେ !! ମନେପଡେ ସେ ଜୀବନ୍ତ ଚିତ୍ରସବୁ ! ଯେଉଁ ଚିତ୍ରସବୁକୁ ଦେଖିଲେ ମନରେ କେମିତି ଗୋଟିଏ ଶିହରଣ ଖେଳିଯାଏ ! ଆଜି ଯେତେବେଳେବି ମୋର ଜହ୍ନ ମାମୁଁ କଥା ମନେପଡେ ସେତେବେଳେ ମନେପଡିଯାଏ ବେତାଳ କଥାର ସେ ଭୟଂକର ମଣିଷ ଖପୁରୀ ଚିତ୍ରିତ ପୃଷ୍ଠାଟା । ଆଉ ସବୁଥରପରି ବେତାଳ କଥାର ଶେଷ ଚିତ୍ରଟାରେ ଲମ୍ବା ଲାଞର ବେତାଳଟା ଅନେକ ପ୍ରହେଳିକା ସୃଷ୍ଟି କରିଦିଏ ପାଠକ କଂ ମନରେ । ସବୁ ସ୍ମ୍ରତିଗୁଡା ଏବେ ଧୂଆଁଳିଆ ଦିଶିଲାଣି କିନ୍ତୁ ଆଜିବି ମହାରାଜା ବିକ୍ରମାଦିତ୍ୟକଂର ସେ ଶବ କାନ୍ଧେଇବା ଚିତ୍ରଟା ମନରେ ସତେଜ ହୋଇ ସେମିତି ରହିଛି । ସାନବେଳେ ଯେତେବେଳେ ମୁଁ ଅନ୍ଧାର ରେ ଭୟଭୀତ ହୋଇଯାଉଥିଲି ମନରେ ବେତାଳ କଥାର ରାଜାକଂ ସାହସ ମନେପଡିଯାଉଥିଲା । ମନେମନେ ମୁଁ ନିଜକୁ ସେ ବିକ୍ରମାଦିତ୍ୟକଂ ଜାଗାରେ ରଖିଦେଉଥିଲି । ମୋପରି ଅଧିକାଂଶ ଲୋକ ମନରେ ଭୟ ଆସିଲେବି ବେତାଳ ବା ଭୂତ ବିଷୟରେ ଜାଣିବାକୁ ସେମାନକଂର ଭାରି ଇଚ୍ଛା । ହୁଏତ ସେମାନେ ସର୍ବସମ୍ମୁଖରେ ନମାନିପାରନ୍ତି । ସେହିଭଳି ତିରିଶି ବର୍ଷ ତଳେ ସେଦିନ ବି ମନରେ ଭୟ ଥାଇ ମୁଁ ମୋ ଜେଜେକୁଂ କହିଲି " ଜେଜେ ! ଜେଜେ ! ମୋତେ ଗୋଟେ ଭୁତ ଗପ କୁହ " । ଏତିକି କହି ମୁଁ ଟିକିଏ ଜେଜେକଂ ଆଡକୁ ଭିଡିଗଲି । ଜେଜେ ହସିଦେଲେ । କହିଲେ " ଶୁଣ୍ ! ମୁଁ ନା' ଭୁତ ଦେଖିଛି " । ଏତିକି ଶୁଣିଦେଇ ମୋ ମନର ଉତ୍ସାହଟା ଦୁଇ ଗୁଣ ବଢିଗଲା । ଜେଜେ ଆରମ୍ଭ କଲେ :

" ମୁଁ ସେତେବେଳେ ଧାନ ବିକିବାକୁ ହାଟ ରୁ ହାଟ ବୁଲୁଥିଲି । ଆଜି ଏ ଗାଁ ହାଟ କାଲି ସେ ଗାଁ ହାଟ । ହାଟ ସାରି ଘରକୁ ଫେରିଲା ବେଳକୁ ରାତି କେତେଟା ହୋଇଯାଇଥାଏ ମୁଁ ଜାଣେନି ! ସେତେବେଳେ ଆଜିକାଲିକା ଭଳି ହାତ ଘଣ୍ଟା କାହିଁ ! ଦିନକର କଥା । ମାଟିଆ ବେଡା ହାଟ କୁ ଧାନ ବିକିବାକୁ ଯାଇଥାଏ । ଦୁଇଦିନ ପରେ ମକର । ପିଲାକଂ ପାଇଁ ନୂଆ ଜାମା ଆସିବ । ପିଠାପଣା ହେବ । ବନ୍ଧୁବର୍ଗ ଆସିବେ । ବାଣ କିଣା ହେବ । କେତେ କଥା ହେବ । ଆଉ ସେଇଥି ପାଇଁ ସେଦିନ ଧାନ ବିକିବା ନିହାତି ଦରକାର ହେଉଥାଏ । ହେଲେ ମୋର ଦୁର୍ଭାଗ୍ୟ ଯେ ସେଦିନ ମୋଠାରୁ କେହିହେଲେ ଧାନ କିଣିଲେ ନାହିଁ । ଜଗି ଜଗି ସଂଧ୍ୟା ହେଲା । ଶୀତ ଦିନେ ଟିକିଏ ଶୀଘ୍ର ସଂଧ୍ୟା ହୋଇଯାଏ । ସେଦିନ କିନ୍ତୁ ସଂଧ୍ୟାରୁ ପୁଣି ରାତି ହୋଇଗଲା । ମନ ଦୁଃଖରେ ମୁଁ ବସିଥାଏ । ସମସ୍ତେ ଧାନ ବିକି ହାଟ ଛାଡିବାକୁ ବସିଥାଆନ୍ତି । ହେଲେ ମୁଁ କିନ୍ତୁ ହାଟ ରେ ସେମିତି ବସିଥିଲି । ଅନେକ ସମୟ ବିତିଗଲା । ଦୁଇ ଚାରିଟା ହାଣ୍ଡିଆ ଦୋକାନ ଛାଡି ବାକି ସବୁ ବନ୍ଦ ହୋଇଯାଇଥାଏ । ଘର କୁ ଯିବି ବୋଲି ଭାବିଲେବି ଯିବି କେମିତି ? ଏତେ ଧାନ ଥାଏ ପାଖରେ ; ପୁଣି ଯିବାକୁ ପଇସା ନାହିଁ । ଭାବିଥିଲି ଧାନ ବିକି ସେହି ପଇସାରେ ଘରକୁ ଲୁଗାପଟା କିଣି ବେଳାବେଳି ଫେରିଯିବି । ଖୁବ୍ ବଳୁଆ ଥିଲି ମୁଁ । ଚାଲିଚାଲି ଘରକୁ ଫେରିଯିବି ବୋଲି ଭାବିଥିଲି । ସବୁଥର ଫେରିଲାବେଳେ ଚାଲିଚାଲି ଘରକୁ ଫେରେ । ଶଗଡ ବାଲାକୁ ପଇସା କିଏ ଦେବ ଯେ ! କିନ୍ତୁ ସେଦିନ ସବୁ ଏପଟ ସେପଟ ହୋଇଯାଇଥିଲା । ଶଗଡିଆ ସବୁ ହାଟ ଛାଡିସାରିଥିଲେ । ଧାନ ବିକ୍ରି ନହେଲା ପର୍ଯ୍ୟନ୍ତ ଉପାୟ ଆଉ କିଛି ନଥିଲା । ଧାନ ଟା ବିକ୍ରି ହେଲେ ଯେତେ ରାତି ହେଉ ମୁଁ ଚାଲିଚାଲି ଘରକୁ ଫେରିଯାଇ ପାରିବି । ହେଲେ ଧାନ ବିକ୍ରି ହେଲେ ତ ! ଅନେକ ସମୟ ପରେ ଲୋକଟିଏ ଆସିଲା ।

ସେତେବେଳକୁ ସଂଧ୍ୟା ଅନେକ ବେଳୁ ଗଡିସାରିଥାଏ । ସେ ଲୋକ ଟି ଆସି ପଚାରିଲା " ହୋଇରେ ! ଧାନ ମହଣ କେତେ "? ରାତି ମାଡିଆସୁଥିବାରୁ ମୋ ମୁହଁ ରୁ ବାହାରି ଗଲା " ଦୁଇ ଦିନ ପରେ ମକର । ଦେଖିକି ଯାହା ଦେବେ ଦିଅନ୍ତୁ ଆଜ୍ଞା । ମୁଁ ଶୀଘ୍ର ଘରକୁ ଫେରିବି । ରାତି ଏଣେ ଅନେକ ହେଲାଣି " । ସେ ଲୋକ ଯାହା ଦେଲା ସେତେକ ଅଣ୍ଟାରେ ଖୋସି ଘର କୁ ଫେରିଲି । ହାଟ ରୁ ଘର ତେଣେ ଆଠ/ ଦଶ ମାଇଲ ବାଟ । ତେବେ ଡେରି ହେବା ସତ୍ତ୍ବେ ମୁଁ ଘର କୁ ବାହାରିଲି । ଭାବିନେଲି ଚାଲିଚାଲି ଦୁଇ ଘଣ୍ଟାରେ ପହନ୍ଚିଯିବି । ଯଦି ରାସ୍ତାରେ ସାଇକେଲିଆ କେହି ମିଳିଲା ତାହେଲେ ତ ଶୀଘ୍ର ପହନ୍ଚିଯିବି । ମା ଦୁଆର ଶୁଣୀ ; ମା କଳାପାଟ ନାଁ ନେଇ ଯିବାକୁ ବାହାରିଲି । ସେତେବେଳେତ ପାଦଚଲା ରାସ୍ତା । ଆଜିକାଲିକା ଭଳି ରାସ୍ତାକଡ ଆଲୁଅ ବି ନଥିଲା । ମୁଁ ଶୀଘ୍ର ଶୀଘ୍ର ପାଦ ପକାଉଥାଏ ଘରକୁ ଫେରିବାକୁ ସେହି ଜହ୍ନ ରାତିରେ । ଅନେକ ବାଟ ଚାଲି ସାରିଥାଏ । ହେଲେ ସେଦିନ କାହିଁକି କେଜାଣି ବାଟ ଟା ବହୁତ ଲମ୍ବା ଜଣାପଡୁଥାଏ । ହାଡ ଭଂଗା ଶୀତୁଆ ରାତିରେ ମୋ ଦେହରୁ ଗମ୍ ଗମ୍ ଝାଳବହୁଥିଲା । ଅନେକ ବାଟ ଚାଲିଆସିଲା ପରେ ଝରଣ ଗାଁ ମୁଣ୍ଡ ପୋଖରୀ ଟା ଦିଶିଲା । ମନେମନେ ଭାବିଲି ଆଉ ତିନି ମାଇଲି ରହିଲା । ସେତିକିବେଳେ ମୋତେ ଲାଗିଲା କେହି ଜଣେ ଯେମିତି ମୋ ସହ ଚାଲିଛି । ଅନ୍ଧାର ରାତିରେ ଟିକ୍ ଭାବେ ଜଣାପଡୁନଥିଲାବ। କିନ୍ତୁ ମୁଁ ନିଶ୍ଚିତ ଥିଲି କେହି ଜଣେତ ମୋ ସହ ଚାଲୁଛି । ହେଲେ ଏତେ ରାତିରେ ! ମୋ ଦେହଟା ଟିକିଏ ଶୀତେଇ ଉଠିଲା । ମୁଁ ହନୁମାନ ଚାଳିଶା ମନମନେ ଗୁଣୁଗୁଣୁ କରିବା ଆରମ୍ଭ କରିଦେଲି । ମନେମନେ ଠାକୁରକୁଂ ଡାକୁଥାଏ ।

ସେତିକିବେଳେ ଦୂରରୁ ଲାଗିଲା ପୋଖରୀ ଆର ପାଖ ରାସ୍ତା କଡକୁ ଥିବା ବିରାଟ ଅଶ୍ବସ୍ତ ଗଛ ମୂଳରେ କେହି ଯେମିତି ଛିଡା ହୋଇଛି । ମୁଁ ଶୀଘ୍ର ଶୀଘ୍ର ପାଦ ପକାଇ ସେଠାରେ ପହନ୍ଚିଗଲି । ଅନ୍ଧାର ରେ ମୁହଁଟା ଯଦିଓ ଭଲ କି ଦେଖାଯାଉନଥାଏ କିନ୍ତୁ ସେ ଜହ୍ନ ରାତିରେ କେହିଜଣେ ଛିଡା ହୋଇଥିବାର ସ୍ପଷ୍ଟ ଜଣାପଡୁଥାଏ । ମୁଁ ସେଠାରେ ପହନ୍ଚି ଖୁବ୍ ଜୋର୍ ରେ ପାଟିକରି ପଚାରିଲି " କିଏ ସେଇଠି ଛିଡା ହୋଇଛ " ? କିଛି ସମୟ ପରେ ସେପଟରୁ ଉତ୍ତର ଆସିଲା " ଭାଇ ! ମୁଁ ! ଯିଏ ତୁମ ପାଖରୁ ଧାନ କିଣିଥିଲା । ମୋ ସାଂଗରେ ଟିକିଏ ଯାଆନ୍ତ ନି ! ମୋ ଶଗଡଟା ଟିକିଏ ଆଗକୁ କାଦୁଅରେ ପଶିଯାଇଛି । କାଦୁଅରୁ ଉଠିଗଲେ ମୁଁ ତୁମକୁ ନେଇ ତୁମ ଘରେ ଛାଡି ଆମ ଗାଁ କୁ ଚାଲିଯିବି " । ତେବେ ଏତେ ରାତିରେ ମଣିଷର ସ୍ବର ଶୁଣି ମନକୁ ଟିକିଏ ସାହସ ଆସିଲା । ବଢିଚାଲିଥିବା ହୃତସ୍ପନ୍ଦନଟା ଟିକିଏ ଶାନ୍ତ ପଡିଲା । ମନେମନେ ଭାବିଲି ଟିକିଏ ସାହାଯ୍ୟ କଲେ ସେ ଯଦି ମୋତେ ଘରେ ପହନ୍ଚାଇଦେବ ତାହାହେଲେ କ୍ଷତି କଣ ? ମୋତେ ବି ସାହସ ହେବ ଜଣେ ରୁ ଦି'ଜଣ ହେଲେ । ମୁଁ କହିଲି " ହଁ ଚାଲ ଚାଲ " । ଏହା ପରେ ସେ ଲୋକ ଜଣକ ଆଗେ ଆଗେ ଚାଲିଲା ; ଆଉ ମୁଁ ତାସହ ଗପି ଗପି ତା ପଛେପଛେ ଚାଲିଲି । ସେ ଲୋକଟି ପଚାରିଲା " ଏତେ ରାତିରେ ଏକୁଟିଆ ଚାଲିଚାଲି ଯାଉଛ ଯେ ! ଭୟ ଲାଗୁନି କି " ! ମୁଁ କହିଲି " ଭୟ କାହିଁକି ଲାଗିବ ! ତୁମେ ଆଜ୍ଞା ତ ଅଛ ! ଆଉ ତାପରେ ବି ଏଇ ରାସ୍ତା ଟା ମୋର ଭାରି ଜଣାଶୁଣା " । ଏହା ଶୁଣି ସେ ଲୋକଟି ଖୁବ୍ ଜୋର୍ ହସିଦେଲା । କହିଲା 'ଜାଣିଛ ନା' ! ଏଇ କିଛି ଦିନ ଆଗରୁ ଝରଣ ଗାଁ ସାହୁକାର କୁ କିଏ ଜଣେ ମାରିଦେଇଛି ' ? ' କିଏ ମାରିଲା ' ବୋଲି ମୁଁ ପଚାରିଲି । ସେ କହିଲା ' ଗତ ପୁନେଇଁ ରାତିରେ ମାଟିଆ ବେଡା ହାଟରୁ ସାହୁକାର ସୁଧ ନେଇ ଫେରୁଥିଲା । ବହୁତ ଖରାପ ଲୋକଟା । ଅଧିକ ଦି ଅଣା ନେଇଯିବ ସିନା ଅଣାଟିଏବି ଛାଡିବନି । ସୁଧ ଆଦାୟ କରୁକରୁ ବୋଧେ ଡେରି ହୋଇଯାଇଥିଲା । ଏଇ ତୁମ ଭଳିଆ ରାତି ଅଧରେ ଏଇ ରାସ୍ତା ରେ ଯାଉଥିଲା । ହଠାତ୍ ଗୋଟେ ଲୋକ ସହିତ ଦେଖ‍ାହେଲା । ଲୋକଟି ତାକୁ ପଇସା ଦେବ କହିଲା ଆଉ ସାହୁକାର ପଇସା ଲୋଭରେ ସେ ଲୋକସହ ଚାଲିଗଲା । ତାପରଦିନ ସାହୁକାର; ସେଇ ଯେଉଁ ପୋଖରୀ ମୁଣ୍ଡରେ ବଡ ବଉଳ ଗଛଟା ଦେଖୁନ ସେଇଠି ଜିଭ କାମୁଡି ମରିକି ପଡିଥିଲା । ଲୋକ କହିଲେ ସାହୁକାରକୁ ଚୋର ମାନେ ମାରିଦେଲେ । ବୋକା ଗୁଡାକ । ଜାଣି ନାହାନ୍ତି ଅଧ ରାତିରେ ଏହି ରାସ୍ତାରେ ଭୂତ ବୁଲେ ବୋଲି । ସାହୁକାର ଯେଉଁ ଲୋକଟା ସହ ପଇସା ଲୋଭରେ ଯାଇ ଥିଲା ସେଇଟା ପରା ବ୍ରହ୍ମ ରାକ୍ଷସଟା । କେତେବେଳେ କି ବେଶ ବଦଳେଇବ କହିହେବନି ' । ତା କଥା ଶୁଣି ମୋ ଚେତା ବୁଡିଗଲାପରି ଲାଗିଲା । ଏତେସମୟ ଧରି ସାହସରେ ବାଟ ଚାଲୁଥୁବା ମୋ ପ‍ଦ ଦୁଇଟା ହଠାତ୍ କେମିତି ଥରିବାକୁ ଲାଗିଲା । ମନେମନେ ଭାବୁଥାଏ କାହିଁ ଏତେବାଟ ଆସିଲା ପରେ ବି କେଉଁଠି ତ ଶଗଡଗାଡି ଟା ଦିଶୁ ନାହିଁ । ସବୁଆଡେତ ଖାଲି ଅନ୍ଧାର ଝିଂକାରୀର ଶବ୍ଦ ଆଉ ଜହ୍ନ ରାତିର ଅସ୍ପଷ୍ଟ ଦୁନିଆଁ । ମନଟାକୁ ମୋର ପାପ ଛୁଇଁଲା । ମୁଁ ମନେମନେ ଖୁବ୍ ଡରିଯାଇଥିଲି । ମନେରେ ଆସୁଥିଲା ଯଦି ଏତେ କଥା କେହି ଜାଣି ନାହାନ୍ତି ତାହା ହେଲେ ଏ ଲୋକଟା ଏତେ କଥା ଜାଣିଲା କେମିତି ? ହଠାତ୍ ମୋ ନଜରଟା ଯେତେବେଳେ ତା ଉପରେ ପଡିଲା ମୁଁ ଦେଖିଲି ଲୋକଟା ଏହା ଭିତରେ କେତେବେଳେ ଦୁଇ ମଣିଷ ଲମ୍ବା ହୋଇ ଯାଇଥିଲା । ସେତେବେଳକୁ ମୋର ପାଟି ଖନି ମାରିଗଲାଣି । ସେ ମୋ ସହ ଯାହା କଥା ହେଉଥିଲା ମୁଁ ଖାଲି ହଁ ନାଁରେ ଉତ୍ତର ଦେଉଥିଲି । ଆଗରେ ମରଣ କୁ ଦେଖି ମୁଁ ମୋ ଠେଗାଂ ଟା ସେ ଲୋକଟା ଆଡକୁ ଫିଂଗି ଏକ ନିଶ୍ବାସରେ ପଛକୁ ଦୌଡିଲି । ଦୌଡି ଦୌଡି ଝରଣ ଗାଁ ବିଷ୍ଣୁ ସାହୁ ପକୁଡି ଦୋକାନରେ ଅଚେତ୍ ହୋଇପଡିଗଲି ।

ତା ପରଦିନ ସକାଳୁ ଊଠି ଦେଖିଲି ମୁଁ ବନ୍ଚିଛି । ହଠାତ୍ ମୋତେ ଲାଗିଲା କିଏ ଯେମିତି ମୋ କାନ ପାଖରେ କହିଗଲା ' ବନ୍ଚିଗଲୁରେ ! ହେଲେ ମୁଁ ପୁଣି ଆସିବି " !! ଜେଜେକଂ କଥା ଶୁଣି ସାରିଲା ପରେ ମୁଁ କହିଲି " ଜେଜେ ! ସେଇଟା ଭୂତ ଥିଲା କି " ? ଏଥର ଜେଜେ ହସିଦେଇ କହିଲେ " ହଁ ! ସେଇଟା ଭୂତ ଥିଲା " ।


Rate this content
Log in

Similar oriya story from Horror