ହାଟପାଳି
ହାଟପାଳି


କାଲି ବୁଧବାରେ ହାଟପାଳି, କଣ ଦିଟା ଆଣନ୍ତି .. ଭାବି ହଉଥିଲା ମକୁ ମା' । ସିଏ ଘର ଚଳାଏ କହିଲେ ଭୁଲ ହବ, ଚଳାଏ ତା ଫୁଲ ବାରି ଆଉ ଝୁମ୍ପା, ତା କାଳୀଗାଈ .....ଯାହାର ଦୁଧ ଶାକରକୁ ବଳିପଡିବ ମଧୁରିରେ । ସିଏ ମାଟିଘଡି ଚାରିଟା ରଖିଥାଏ, ସେଇ ତାର ସବୁ ସମ୍ପଦ । ମାନେ ଗୋଟେରେ ତା ଝୁଅ ବାହା ପେଇଁ, ଗୋଟେ ତା' ମକୁର ଗୋଡ ନଗେଇବ ବୋଲିକା, ଗୋଟେ ତାର ସଂସାର ଚଳାଏ, ଡାଲି, ତେଲ ଲୁଣ.....ଆଉ ଗୋଟାକ ତା ସପନ । ତ' ନାଁ ତା ମା ସପନି ଦେଇ ନ ଥେଲା କି, ଏଇ ମକୁଟା ପେଟୁକୁ ଆଇଲାରୁ ତା ନାଁ ମକୁ ମାଆ ହେଲା ନା । ମକୁଟିର ଗୋଡ ପୋଲିଅରେ ଛୋଟେଇକି ସରୁଏଇ ଯାଇଛି, ବାଉଁଶ ନଳୀ କାଠି ପରି । ମନ ଉଣା ହଏନି ବୋଲି କହେନି ମକୁ ମା', କହେ ହ' କାଳିଆ ସାଆନ୍ତର ତ ପୁଣି ହାତ ପାଦ କିଛି ନ ଥାଇକି ଜଗତ ଚଳଉଛି, ରଜା ସାଜିଛି ...ଆଉ ମୋ ମକୁକୁ ସିଏ କଣ ଚାହିଁବନି କି । ମୁଁ କଣ ସହଜେ ଛାଡିଦେବି କି, ସିଏ ବା କୁଆଡେ ଭାବ ବିନୋଦିଆ, ଭାବ ଲଗେଇଦେବାରେ ମୁଁ କଣ କିଛି ଉଣା ରଖିବି କି । କୁହାବୋଲା କରି ମୋ ମକୁର ଗୋଡଟା ସଳଖେଇ ଦେବି ନା ।
ମା' ବୋଲି ସିନା ଏତେ ଦମ୍ଭ, ପିଲା ପାଇଁ କାଳିଆଠୁ ଡେଣା ମୂଲାଏ । ସାଙ୍ଗରେ ଦୀର୍ଘନିଶ୍ୱାସରୁ ପୁଞ୍ଜାଏ ପାଞ୍ଚୁଟା ଆଣ୍ଟେଇଥାଏ । ଝୁଅଟି ପୁଣି ବାହାତୋଳାକୁ ଯୋଗେଇଗଲେ ତା ପାଇଁ କି ପୁଣି ଜଗାକୁ ଫେରାଦ ହବ, ମନରେ ସଞ୍ଚେ ଭାବନାକୁ ।
କହନ୍ତି କୁଆଡେ ବଡ ଦେଉଳରେ ବଡ ଠାକୁରେ ଙ୍କୁ ଯାହା ମାଗିବ ତାହା ପାଇ, ସାନ ସାଆନ୍ତେ କୁଆଡେ ହାଟନାଟ ଲଗାନ୍ତି । ହେଲେ ମନ ବି ଟାଣନ୍ତି ସେଇ ସାନ ସାଆନ୍ତେ । ତା ଆଖିରୁ ତ ମନ ଫେରେନି, ମାଗିବ କଣ ବିସରି ଯାଏ । ଏ ସନ୍ ଆଉ ଭୁଲିବିନି, କାନିରେ ଗଣ୍ଠି ଆଣ୍ଟିଛି । ଲୁଗା କାନିଟା ଟିକେ ଜୋର୍ ପାଇଲେ ଚିର୍ ଶବଦ କରେ, ଯା ଆସ କରିଆକୁ ଏଇ ଖଣ୍ଡକ ।
ସପନିର ସପନ କଥା ପଛକୁ ଥାଉ, ଆଗେ ଏତକ କାମ ବଢୁ ।
******
କାଲି ହାଟ ପାଳି ଥେଲା । ଫୁଲ ଝୁଡିଏ ଆଉ ଛେନା, ଘିଅ, ଦହି ସଜ, ସଜ କରି ନେଇଥେଲା ମକୁ ମା '। ଚାରି ପାଞ୍ଚ ପାଳିରୁ କାଇଁ ଗରାଖ ଗାଢଉନାହାନ୍ତି । କଣ ଗୋଟା ମଡକ ପଡିଛି ବୋଲି କୁହାକୁହି ହଉଛନ୍ତି, କରନା ନା କଣ କରୁଣା । ସେଇ କୁଆଡେ ବାହାରକୁ ବାହାରିଲେ ତା ବସ୍ତାରେ ମଣ୍ଡାଖିଆ ଅସୁରୁଣୀ ବୁଢୀ ପରି ଗୋଟେଇନଉଚି । ସେ ନାଗି ହାଟବାଟ ପତଳା, ମାଛି ଉଡୁନି ।
କଣ କରିବ, ଯୋଉ ବାଟେ ବାଟେ ଯାଇଥେଲା ସେଇ ବାଟେ ବାଟେ ଲେଉଟିଲା । ବୁଜୁଳା ବସ୍ତାନୀ ଧରି, ଡାଲା ମୁଣ୍ଡେଇ, ଯାହାର ଯିଏ ଗଲେ । ମକୁ ମା କାନମୁଣ୍ଡା ଆଉଁସି ଘର ପିଣ୍ଢାରେ ପହଞ୍ଚିଲା । ମକୁର ଗୋଡ ଓଷଦ, ଝୁମ୍ପାର ଖୁରା ଫଟା ମଲମ, ସୁନୀଟିର ଫରକ ଖଣ୍ଡେ, ମକୁ ବା 'ର ଗୋଇଠି କାଟି ଦେଇଥିଲା ଗେଣ୍ଡା ଗହିରିଆ କିରି ଶୁକୁନଥେଲା ଯମା, ତା ପାଇଁ ବଇଦଠୁ କଣ ପଥି ଠୋପା, ସାର ମୁଠାଏ, ଚଉରା ପେଇଁ ନୂଆ କରିଆ ନାଲି କପଡା ଖଣ୍ଡେ ଏତକ ବରାଦ ଥେଲା ।
ତା ବାଁ ହାତ ବୁଢା ଆଙ୍ଗୁଠି କଣନଖା ମାଟି ପଶି ପଚୁଛି, ପୁଜଉଚି ସେ କଥା ପଛେ ପଛୁକୁ ଥାଉ ।
ଫୁଲ ଗଣ୍ଡାଏ ବିକିରି ହେଇଥେଲା, ସେଇ ଥେରେ ସୋରିଷ, ଫୁଟଣ ଦିଟା ଆଉ କଞ୍ଚା ପରିଆ ଦିଟା ଘିନିଆଇଥେଲା । ଆଉ ପଇସାଟାଏ ବଳିଲାନି । ଘଡିରେ କଣ ସଞ୍ଚିବ ।
ସଭିଏଁ ଚାହିଁ ବସିଥିଲେ ଘରେ, ହାଟରୁ ଫେରିଲେ ଘରେ ପସରା ମେଲିବ ବୋଲି, ପୁଣି ଆଖିର ଗୋଲାପି ଜୁଇ ଫୁଲ ଝରିଗଲେ ପାଣି ଫାଟିକି।
ଧିରେ ଧିରେ ଘଡି ସବୁ ଓବୁଡିପଡି ପେଟେଇଲେ, ସପନିର ସବୁ ସପନ ହାଟ ବାଟରେ ନିଗିଡି ବୋହି ଗଲା ।
କେବେ ଯୋଡି ହବ କିଏ କହିବ, ଏବେ ତ ଘଣ୍ଟା ବି ଅନିଶ୍ଚିତତାରେ ଟିକ୍ ଟିକ୍ କରୁଛି ।