ହାତର ତାକତ
ହାତର ତାକତ
ମାଗୁଣୀ ମଉସାଙ୍କ ଅଧା ହାତ ଦେଖୁ ଦେଖୁ ଦୁଆରେ ଅଭିଷେକ ବାବୁ ଡାକ ପକେଇଲେ ସ୍ତ୍ରୀ ଓ ପିଲାଙ୍କୁ ଦେଖ ଦେଖ କବାଟ ପାଖେ କିଏ ଆସୁଛନ୍ତି ଦେଖ.ତ ସୁଭଦ୍ରା ଆସିଯାଇଥିଲେ ଦର ଆଉଜା କବାଟ ଖୋଲି ମାଗୁଣୀ ମଉସାଙ୍କୁ ଭିତରକୁ ଆସିବାକୁ ଦେବାକୁ. ପିଲା ଦୁହେଁ ମଧ୍ୟ ମାଗୁଣୀ ଜେଜେ ଆମ ପାଇଁ କଣ ଆଣିଛ କହି ଦଉଡି ଆସିଲେ ପାଖକୁ. ମାଗୁଣୀ ଥକ୍କା ମାରି ବସିପଡିଲେ ତଳେ. ମୁହଁ ଦେହରୁ ଝାଳ ପୋଛି କହିଲେ ଅଁଳା ନବମୀକୁ ଗାଁକୁ କେହି ଗଲନି କି ସାକ୍ଷୀଗୋପାଳ ବଜାରରେ ଥିବା ସାକ୍ଷୀଗୋପୀନାଥ ମନ୍ଦିରରେ ମାଆ ରାଧାରାଣୀଙ୍କ ପାଦ ଦର୍ଶନ କଲନି କି ଓଡ଼ିଆଣୀ ବେଶ ଦେଖିଲନାହିଁ. ଏକାଦଶୀ ଚୁଡାଘଷା ଭୋଗ ଖାଇଲ ନାହିଁ ବୋଲି ମନ ବୁଝିଲାନି ତ ଏକାଦଶୀ ପରେ ଚୂଡ଼ାଘଷି ଭୋଗ କରି ନେଇଆସିଛି କହୁ କହୁ ଝିଅ ଚାନ୍ଦିନୀ ଓ ପୁଅ ଚାନ୍ଦ ଗିନା ଥାଳିଆ ଧରି ଦଉଡି ଆସିଲେ. ଚୁଡାଘଷା ସାଙ୍ଗକୁ ଦେଶୀ କଦଳୀ ପକେଇ ପିଲାଏ ଖାଉ ଖାଉ ମାଗୁଣୀ ମଉସାଙ୍କ ହାତକୁ କଫି ବଢ଼ାଉ ଥିଲେ ସୁଭଦ୍ରା. ମଉସା ତୁମ ହାତ ଆଧାରୁ ଏମିତି କଟିଯାଇଛି ଯେ. ହଁ ମାଆ ସେ କିଛି ନୁହଁ. ଗାଁରେ ତ ପାର୍ବଣ ଋତୁ ଲାଗିରହିଛି.ପଇଡ଼ ହାଣୁ ହାଣୁ ହାତରେ ବସିଗଲା ଚୋଟ. ପଇଡ଼ ତୋଳାଇବା, ହାଣିବା ପୁଣି ତାକୁ ଶଗଡ଼ରେ ଭରି ଆଣିବା ଭିତରେ ହାତରେ ଔଷଧ ଲଗେଇବାକୁ ମନେରହୁନି ପରା. ବ୍ୟସ୍ତ ହୋଇପଡିଲେ ଅଭିଷେକ ଓ ସୁଭଦ୍ରା. ଯଦି ହାତ କଟିଯାଏଇଥାଆନ୍ତା!ମାଗୁଣୀ କହୁଥିଲେ ଚୋଟ ବାଜି ହାତ ଅଧା ଯାଏଁ ଖଣ୍ଡିଆ ହୋଇଛି କାଲି ଶୁଖିଯିବନି.ପୁଅ ଝିଅ ଅଖାରୁ ପଇଡ଼ କାଢି ପିଇବାକୁ ବ୍ୟଗ୍ର ତ ମାଗୁଣୀ ମଉସା କହୁଥିଲେ ଜିଅନ୍ତା ମାଛ ଆଣିଛି. ଜରି ଖୋଲି ରତା, କଉ ଓ ମାଗୁର ମାଛକୁ ପାଣିଦେଇ ବଞ୍ଚେଇ ରଖ. ରାତି ପାହିଲେ ଛାଡଖାଇ. ସହରରେ ଯୋଉ ଦରଦାମ ସେଥିରେ ପୁଣି ଗହଳିରେ କୋଉଠୁ ଯାଇ ମାଛ ମାଉଁଶ କିଣିବ!ବରଂ ଦେଶୀ ମାଛରେ ଏ ବର୍ଷ ଛାଡଖାଇ କର. ନିତ୍ୟକର୍ମ ବଢ଼େଇ ମାଗୁଣୀ ମଉସା ଅରୁଆ ଭାତ ଓ ହବିଷ ଡ଼ାଲମା ଖାଇବସିଲା ବେଳେ ଅଭିଷେକ ଗାଁ ବିଷୟରେ ପଚାରୁଥାନ୍ତି. ଆନି ଖୁଡି ଘର ଖବର କଣ? ଅଇଁଠୁ କଣ କରୁଛି? ଦାମର କୁକୁଡ଼ା ଫାର୍ମ କେମିତି ଚାଲିଛି. ଜୁଲି କେମିତି ଅଛି?
ଖାଇବା ଥାଳିରୁ ଅଧା ହାତ ଅଟକି ଗଲା ମାଗୁଣୀ ମଉସାଙ୍କର. କହିଲେ ସେଇ ଜୁଲି କଥା କହିବାକୁ ଆସିଥିଲି ବାବୁ. ଝିଅଟା ମୋର ଏବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ ପାଇଛି. କହୁଛି ସହରରେ ପଢିବ. ତୁମେ ଯଦି ତାକୁ ଟିକେ ଏଠାରେ ରହିବାକୁ ଅନୁମତି ଦିଅନ୍ତ ତେବେ ଝିଅଟା ପାଠ ଦି ଅକ୍ଷର ପଢିଯାଆନ୍ତା. କହୁଥିଲା କଣ ରାଜାଧାନୀର ଭଲ କଲେଜରେ ପାଠ ପଢି ସିଟି କରି ଗାଁ ସ୍କୁଲରେ ମାଷ୍ଟରାଣୀ ହେବାକୁ ଲକ୍ଷ ରଖିଛି. ସୁଭଦ୍ରା କହିଲେ ହଁ ମଉସା ଜୁଳିତ ମୋ ନିଜ ନଣନ୍ଦ ଭଳି ହେଲେ ଏଠି ରହିଲେ ଏ ଛୁଆ ଦିଟା ତାଙ୍କୁ କଣ ପଢ଼େଇ ଦେବେ? ଚାନ୍ଦିନୀ କହୁଥିଲା ଜୁଲି ଅପା ଆସିଲେ ସେ ମୋ ସ୍କୁଲ ଟାସ୍କ କରିବାରେ ସାହାଯ୍ୟ କରିବେ ନା ଜେଜେ? ହଁ ମାଆ ଜୁଲି ରହିଲେ ତୁମ ଦୁହିଁଙ୍କୁ ପାଠ ପଢ଼େଇ ଦେବ. ତୁମର ଆଉ ଟ୍ୟୁସନ ସାର ଆସିବା ଦରକାର ହେବନି.ପୁଅ ଚାନ୍ଦ ମଧ୍ୟ କହୁଥିଲା ଅପା ଆସିଲେ ମୋ ସ୍କୁଲ ଡ୍ରେସ, ଜୋତା, ମୋଜା ସବୁ ପରିସ୍କାର କରିଦେବେ ନା ଜେଜେ?ମାଗୁଣୀ କହୁଥିଲେ ନିଶ୍ଚୟ ସେସବୁ ଅପା କରିବ . ପୁଣି ଭାଇ ଭଉଣୀ ଦୁହେଁ କହୁଥିଲେ ଏଥର ଭାରି ମଜ୍ଜା ହେବ ଆମକୁ ଆଉ ମାମା ପାପାଙ୍କଠୁ ଗାଳି ଶୁଣିବାକୁ ପଡ଼ିବନି. ହଁ ହଁ ଅପା ରହିଲେ ତୁମ ଦୁହିଁଙ୍କ ସବୁ କାମ କରିଦେବେ କହି ଦୀର୍ଘନିଶ୍ୱାସ ମାରି ମାଗୁଣୀ ଫେରିବା ପୂର୍ବରୁ କହିଲେ ତେବେ ଝିଅର କାଗଜ ପତ୍ର ଓ ଲୁଗାପଟା ସହ ତାକୁ ଏଠି ଛଡିଦେଇ ଯିବି. ଯା ହେଉ ତୁମେ ଏହି ଉପକାର କରିବ ବୋଲି ଭାବି ଶାନ୍ତିରେ ଗାଁକୁ ଫେରିବି. ମାଗୁଣୀ ମଉସା ଯିବାକୁ ବାହାରିଲେ. ବେଳ ଥାଉ ଥାଉ ଗାଁରେ ପହଁଞ୍ଚି ଜୁଲିକୁ ଖୁସି ଖବର ଦେବେ ତ ଏତିକି ବେଳେ ସୁଭଦ୍ରା କହିଲେ ସବୁ ଠିକ ଯେ ମଉସା କିନ୍ତୁ ଜୁଲି ଏଠି ଯଦି କାହାକୁ ଭଲପାଇ ତା ସହ ପଳାଏ ବା କିଛି ଦୁଷ୍କର୍ମର ଶୀକାର ହୁଏ ତେବେ ଆମକୁ ଆଉ ଦୋଷ ଦେବନି. ମାଗୁଣୀ ମଉସା ଯାଉ ଯାଉ କହିଲେ ଠିକ କଥା. ଆଜିକାଲି ସହରରେ ଝିଅ ପାଠପଢିବାକୁ ଆସି କେତେ ଘଟଣା ଘଟୁଛି.ମୁଁ ତାକୁ ଆଗ ସେସବୁ କଥା ପଚାରେ. ହେଲେ ମାଆ କାଲିକି କାଲି ଚାନ୍ଦିନୀ ବଡ଼ ହୋଇ କଲେଜ ଗଲେ ତୁମେ କି ଗ୍ୟାରେଣ୍ଟି ଦେବ? ସୁଭଦ୍ରା ଚିହିଁକି ଉଠିଲେ କହିଲେ ଏଡ଼େ ବଡ଼ କଥା କହିବାକୁ ତୁମ ଜିଭ ଲେଉଟିଲା ମଉସା. କାନ ମୁଣ୍ଡା ଭାଁ ଭାଁ ହୋଇଗଲା ମାଗୁଣୀ ମଉସାଙ୍କର. ଉଁ ଚୁଁ କହୁନଥିଲେ ଅଭିଷେକ. ଶଗଡ଼ ଗଡି ଗଲା ଯାଏଁ ଦେଖାଯାଉଥିବା ତାଙ୍କ ପାଞ୍ଚଣ ଧରା ଅଧା ହାତକୁ ଅନେଇ ରହିଥିଲେ ଅଭିଷେକ. ସେଇ ହାତ ତାଙ୍କୁ ବଡ଼ କରିବାରେ କେଵେ ହେଳା କରିନି ଆଉ ଆଜି ତାଙ୍କ ଝିଅକୁ ତାଙ୍କ ଘରେ ଜାଗା ଦେବାକୁ ଜୋର କରି କାହିଁକି କିଛି କହିଲେନି ଭାବି ଅଭିଷେକଙ୍କ ହୃଦୟ ମକଚି ହେବା କଥା ସୁଭଦ୍ରା ବା ପିଲାମାନଙ୍କୁ ଜଣା ନଥିଲା. ଜୁଲିକୁ ଧରି ମାଗୁଣୀ ମଉସା କିନ୍ତୁ ଆସିନଥିଲେ କେଵେ ଭୁବନେଶ୍ୱର.
