Sachidananda Kar

Tragedy Classics

4  

Sachidananda Kar

Tragedy Classics

ହାତ : ଜଣେ ବାପାର

ହାତ : ଜଣେ ବାପାର

2 mins
623



       - " ତୁମ ଦ୍ବାରା କିଛି ହବନି। "


         ବାରଣ୍ଡାରେ ଗୋଟେ ଆରାମ ଚେୟାରରେ ନିଜର ଜରା କବଳିତ ଦେହକୁ ଲୋଟାଇ ଦେଇଥିବା ବାପ ପାଖରେ ପହଞ୍ଚି ପୁଅ କହିଲା। 


        " କାହିଁକି ଭଗବାନ ତୁମକୁ ହାତ ଦି'ଟା ଦେଇଥିଲେ କେଜାଣି!ଖଣ୍ଡିଆଙ୍କ ଭଳି ବସି ବସି ଦିନ କାଟୁଛ।କେମିତି ଭଲ ଲାଗୁଛି ତୁମକୁ?କେମିତି ତୁମର ଭାତ ହଜମ ହେଉଛି? "

    

        ପୁଅ ପଛେ ପଛେ ବୋହୂ ବାହାରିପଡି କହିଲା।


       ସକାଳ ସମୟ।ମନେମନେ ଅତୀତକୁ ଖୋଜୁଥିଲେ ସେ।ବୟସ ଆସି ସତୁରି ଟପିଲାଣି।କେତେବେଳେ କୋଉ କଥା।ତେଣୁ  ପୁଅ,ବୋହୂଙ୍କ କଥା ଶୁଣିବା ପରେ ତାଙ୍କୁ ଆକାଶରୁ ଛିଣ୍ଡି ତଳକୁ ଗଳିପଡିଲା ଭଳି ଲାଗିଲା। 


        - " ମୋ ହାତ ପାଇଁ ଆଉ କିଛି କାମ ବାକି ରହିଗଲା କି? " ଆଶ୍ଚର୍ଯ୍ୟ ହୋଇ ସେ ଏମିତି ଭାବିଲେ।


         ହେଲେ ଏମିତି ତ କେବେ ଭାବି ନ ଥିଲେ ସେ!ବରଂ ଭାବୁଥିଲେ ବୋଧହୁଏ ଏଣିକି ତାଙ୍କ ହାତରେ ଆଉ କିଛି କାମ ନାହିଁ ବୋଲି।  ସେ ଟିକେ ଅଡୁଆରେ ପଡିଗଲେ।କଥା କହିଦେଇ ପୁଅ,ବୋହୂ ଦୁହେଁ ଘର ଭିତରକୁ ଚାଲିଗଲେଣି ସେତେବେଳକୁ।ସେମାନଙ୍କ କଥାର ଆଘାତ ଜନିତ ପୀଡାରେ କଷ୍ଟ ପାଉଥିଲା ତାଙ୍କ ବୟସ୍କ ମନ ଓ ହୃଦୟ।ସେ ପୁଣି ତାଙ୍କ ଅତୀତକୁ ଖୋଜିବାକୁ ଚାହିଁଲେ। 


        ଏଇ ହାତ ଦିନେ ଖଡିଛୁଆଁରୁ ଆରମ୍ଭ କରିଥିଲା ତା'ର କାମ।ଓଡ଼ିଆ, ଇଂରାଜୀ ଅକ୍ଷର ଲେଖିବାକୁ କେତେ କଷ୍ଟ କରି ନ ଥିଲା ଏଇ ହାତ!ମିଶାଣ,ଫେଡାଣରେ ଭୁଲ୍ କରି ଚାଏଁ ଚାଏଁ ବେତ ପାହାର ବି ଖାଇଥିଲା।ସାଙ୍ଗମେଳରେ ବୁଦା ଭିତରେ ପଶି କଣ୍ଟେଇକୋଳି ତୋଳିଲାବେଳେ କେତେ ଲହୁଲୁହାଣ ହୋଇଥିଲା ବି। ନିଜର ହାତପାପୁଲି ଦୁଇଟାକୁ ଚାହିଁ ଚାହିଁ ସେ ଭାବୁଥିଲେ ଏସବୁ କଥା।ବିଗତଦିନର ଦୃଶ୍ୟ ତାଙ୍କ ଆଖି ଆଗରେ ଠିଆ ହୋଇ ଯାଉଥିଲା। 


        ସେ ବଡ ହେଲେ।ବାପାଙ୍କ ସାଙ୍ଗରେ ବିଲକୁ ଗଲେ।ସେଇ ହାତରେ କୋଦାଳ ଧରି ମାଟି ହାଣିଲେ।ଆଉ ଟିକେ ବଡ ହେଲାରୁ ସେ ଲଙ୍ଗଳକଣ୍ଟି ଧରି ଜମି ଚଷିଲେ।ଜମିରୁ ଧାନ, ମୁଗ,ବିରି,ବାଦାମ ଇତ୍ୟାଦି ଫସଲ ଅମଳ କଲେ।ଆଜି ବି ତାଙ୍କର ମନେଅଛି ସେଦିନର କଥା।ଲୋକେ ତାଙ୍କୁ ବାହାବା ଦେଇ କହୁଥିଲେ - " ଆରେ,ମାଗା'ଇ!ତୋ ହାତରେ ତ ସୁନା ଫଳୁଛିରେ! " 


         ସେ ଆହୁରି ବଡ଼ ହେଲେ।ତାଙ୍କ ବାପା ତାଙ୍କୁ ହାତକୁ ଦି'ହାତ କରିଦେଲେ।ଆଉ ଗୋଟିଏ ହାତର ଦାୟିତ୍ୱ ନେଲେ ସେ।ସଂସାର ଆରମ୍ଭ କଲେ। ସଂସାରର ବୋଝକୁ ନିଜ ହାତରେ ନିଜ ମୁଣ୍ଡକୁ ନେବା କ'ଣ କମ୍ କଥା କି?ବିନା ଦ୍ବିଧାରେ ଉଠାଇଲେ ସେ।ମାୟା, ମମତାର ବନ୍ଧନରେ ବାନ୍ଧି ରଖିଲେ ନିଜ ହାତ ଦୁଇଟାକୁ।ପୁତ୍ର, କନ୍ୟା ପ୍ରାପ୍ତିର ସୁଖ ଓ ସନ୍ତୋଷରେ ମସଗୁଲ ରହିଲେ। 

     ଆଜି ବି ଏସବୁ ତାଙ୍କର ମନେଅଛି।ସେ ଭୁଲିନାହାନ୍ତି ଆଦୌ।  ସେତେବେଳେ ଜହ୍ନ ଆଲୁଅକୁ ଧରି ରଖିଥିଲେ ସେ ତାଙ୍କ ହାତମୁଠାରେ।ସୁଖର ସୁନ୍ଦର ଋତୁମାନେ ଥିଲେ ତାଙ୍କ ସହିତ।ସ୍ବପ୍ନମାନେ ବିଞ୍ଚି ହୋଇ ପଡୁଥିଲେ ତାଙ୍କ ଘର ଅଗଣାରେ।ଆଉ ସେତେବେଳେ ଯେତେ ଦୁଃଖ, ଦୁର୍ଦ୍ଦଶା ଓ ଅଭାବ ଆସୁଥିଲା ସବୁ ସମ୍ଭାଳି ପାରୁଥିଲା ତାଙ୍କ ହାତ।ନିଜ ହାତର ମଜବୁତ ପଣକୁ ସେ ଅନୁଭବ କରିଥିଲେ ସେତେବେଳେ।ନିଜ ହାତ ଉପରେ ବି ତାଙ୍କର ଶହେରୁ ଶହେ ବିଶ୍ୱାସ ଥିଲା। 


         ହାତର ଆଉ କ'ଣ ଏମିତି କାମ ବାକି ରହିଗଲା ଯେ!ପିଲାମାନେ ପାରିଗଲେଣି କେବେଠୁଁ।ଘରକୁ ବୋହୂ ଆସିଲାଣି।ତେଣୁ ତାଙ୍କ ହାତ ପାଇଁ ଆଉ କିଛି କାମ ବାକି ଥିବ - ସେମିତି ଆଦୌ ଭାବୁ ନ ଥିଲେ ସେ।ତାଙ୍କୁ ଜମାରୁ ସେପରି ଲାଗୁ ନ ଥିଲା। 


         - " ତୁ କହୁଛୁ ସିନା, ପୁଅ!ତୁମେ କହୁଛ ସିନା, ବୋହୂ!ହେଲେ ମୋ ଏ ଜରା ଦୁର୍ବଳ ହାତ ପାଇଁ ଆଉ କି କାମ ବାକି ଅଛି ଯେ? " ଏତିକି ସେ କହିଦେବା ପାଇଁ ଚାହିଁଲେ।ହେଲେ କହିପାରିଲେନି।କାରଣ ପୁଅ,ବୋହୂ ଦୁହେଁ ସେଠାରେ ନ ଥିଲେ ସେତେବେଳେ। 


         - " ନା,କାହିଁକି କହିବି ମୋ ହାତ ପାଇଁ ଆଉ କିଛି କାମ ନାହିଁ ବୋଲି!ବାପାମାନେ ମଲାଯାଏ କାମ କରନ୍ତି ପରା!ତେଣୁ ଯାଉଛି, ମୋ ପାଇଁ କ'ଣ କ'ଣ କାମ ସବୁ ଅଛି ପୁଅ,ବୋହୂଙ୍କୁ ପଚାରି ବୁଝିନେବି।" ସେ ଏମିତି ଭାବି ନିଜ ମନକୁ ବୁଝାଇଦେଲେ ସିନା,ହେଲେ ବସି ବସି ନିଃଶଦ୍ଦରେ କାନ୍ଦିବାକୁ ଲାଗିଲେ।


Rate this content
Log in

Similar oriya story from Tragedy