PRIYARANJAN SAHOO

Abstract

3.5  

PRIYARANJAN SAHOO

Abstract

ହାଏରେ ଯୁଗ

ହାଏରେ ଯୁଗ

4 mins
144


ନିଜର ପ୍ରତିଟି କାର୍ଯ୍ୟକଳାପକୁ ଷ୍ଟାଟସ୍ ମାଧ୍ୟମରେ ଜଣାଉଥିବା ସୁକାନ୍ତ ବାବୁଙ୍କର ଷ୍ଟାଟସ୍ ହଠାତ୍ ନୀରବି ଯାଇଥିଲା ପୁଅର ଆକସ୍ମିକ ମୃତ୍ୟୁରେ ! ସମସ୍ତ ସମୀକରଣର ଅନ୍ତଃ ଘଟି ଆବିଷ୍କୃତ ହେଉଥିଲା ଏଇ କରୁଣ ବିଚ୍ଛେଦର ଯାତନାପୁଞ୍ଜ l ହେଲେ ବାପା ଆଗରେ ପୁଅର ଏମିତି ଚାଲିଯିବାଟା ବେଶୀ ଶୋକାକୁଳ କରିଦେଉଥିଲା l ଯେକୌଣସି ପଦବୀରେ ଥିଲେ ବି 'ବାପା'ର ସ୍ଥାନ ତ ନିଆରା ନା ! ସମ୍ପର୍କର ନିବିଡ଼ତା, ଆତ୍ମୀୟତା ମଧ୍ୟ ତଦୂର୍ଦ୍ଧ୍ବ l ବାହୁନି ବାହୁନି ଲୁହ ନିଗାଡୁଥିଲେ ସେ l ସେଇ ବାଷ୍ପରୁଦ୍ଧ କାନ୍ଦଣା ଭିତରୁ ରଇଜଳା ଯୁଗକୁ, ସର୍ବଗ୍ରାସୀ ଦୁନିଆଁର ନିୟମକୁ ଅଥର୍ବ କହି ଗାଳିଦେବା ସ୍ପଷ୍ଟ ବାରି ହୋଇଯାଉଥିଲା l ଗୋଟିଏ ବୋଲି ବିଶିକେଶନ, ନା ଆଗକୁ କେହି ଅଛି ନା ପଛକୁ ? ତା'ର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନଥିଲେ ସେ । ଅସହାୟ ହୋଇଉଠୁଥିଲା ସେଇ ଯନ୍ତ୍ରଣା, ଯେତେବେଳେ ଆମ୍ବୁଲାନ୍ସରୁ ଶବ ଆସି ଘର ପିଣ୍ଡା ଛୁଇଁଥିଲା ଏ ଦୁଃଖଦ ମୁହୂର୍ତ୍ତ ଭିତରେ ବାବୁ ଆଜ୍ଞା କିଛି କ୍ଷଣ ପାଇଁ ଫେରିଯାଇଥିଲେ ସେ ପୁରୁଣା ଦିନକୁ ଛାଏଁ ଛାଏଁ ଭାସି ଆସୁଥିଲା ପୁଅର ଘଟଣାସବୁ ।

   ହାତୀ ସୁନାକଳସ ଢାଳିବା ପରି ସୁକାନ୍ତ ବାବୁଙ୍କର ପଦୋନ୍ନତି,ନୂତନ ଗୃହପ୍ରବେଶ, ତା' ପଛକୁ ପଛ ପୁତ୍ର ସନ୍ତାନ ଲାଭ । କାହା ଭାଗ୍ୟରେ ଥାଏ ? ଏକବାରେ ଖୁସିରେ ଆତ୍ମହରା । କ୍ରମଶଃ ଅମାର ଭର୍ତ୍ତି ହେବା ସଙ୍ଗେ ସଙ୍ଗେ ଚନ୍ଦ୍ରକଳା ପରି ବଢ଼ିଚାଲେ ପୁଅ । ସର୍ବୋପଲବ୍ଧ ପରିବେଶରେ ବୃଦ୍ଧିପାଏ ପୁଅର ଚାହିଦା, ବଢ଼ିଚାଲେ ତା'ର ଆନୁସଙ୍ଗିକ ଫାଜେଲାମି.. ଯେଉଁଥିପାଇଁ ଅଧିକାଂଶ ସମୟ ଘରେ ଅନୁପସ୍ଥିତ ରହିବାରେ ମାହିର ହୋଇଯାଏ । କ'ଣ ଦିଟା ଡିଗ୍ରୀ ହାସଲ କରି ପଇସା ଉଡ଼େଇବାରେ ବ୍ୟସ୍ତ । ଛୋଟବେଳେ ଭଳି ଭଳି ରାଇମ୍ ଆବୃତ୍ତି କରି ଲୋକଲୋଚନରେ ପ୍ରଶଂସା ସାଉଁଟୁଥିବା ପିଲା ଆଜି ଭଳିକି ଭଳି ବାର୍ ରେ ନିଜର ଉପସ୍ଥାନ ସୁଦୃଢ କରୁଥିଲା । ତା' ଛଡ଼ା ଧନୀ ବାପର ପୁଅ ନିଜର କର୍ମ ଅପେକ୍ଷା ଅଶାଳୀନତାରେ ବେଶ୍ ସଚେତନ । ଅଭାବ ତ ସାତ ସପନ ! ଏତେ ବଡ଼ ବାବୁଙ୍କର ତିଳେ ବି ସମୟ ନଥାଏ ତା' ଗତିବିଧି ଉପରେ ନଜର ରଖିବା କିମ୍ବା ତା' ସହ କିଛି ସମୟ ବିତେଇବା ପାଇଁ । "କେବଳ ଟଙ୍କା ଖର୍ଚ୍ଚ କରିଚାଲ, ପିଲା ଛାଏଁ ଛାଏଁ ମଣିଷ ହୋଇଯିବ" - ଏଇ ମାନସିକତାର ବଶବର୍ତ୍ତୀ ବାବୁ ଆଜ୍ଞା । ଅବଶ୍ୟ ବ୍ୟସ୍ତତାର ଦ୍ୱାହି ଦେଇ ଅର୍ଥ ଉପାର୍ଜନରେ ମାତୁଥିବା ଲୋକଙ୍କୁ ଭଲମନ୍ଦ ବିଚାରରେ ନିଘା ନ ଥାଏ । ଧନ ସର୍ବସ୍ବ ହେବା ସେମାନଙ୍କ ଉପପାଦ୍ୟ ପାଲଟି ଯାଏ । ଧୀର ପାଣି ପଥର କାଟିଲା ପରି ଦୈନନ୍ଦିନ ଫାଷ୍ଟ୍ ଫୁଡ୍, ମାଦକ ଦ୍ରବ୍ୟର ନିରବଚ୍ଛିନ୍ନ ମୋହ ପୁଅର ଅଙ୍ଗ ପ୍ରତ୍ୟଙ୍ଗକୁ ଗ୍ରାସ କରିସାରିଥିଲା । ଏ ତ ରକ୍ତମାଂସର ଶରୀର ନା ! କେତେ ପରିମାଣର ବିଷଜ୍ୱାଳାକୁ ସହ୍ୟ କରିପାରିବ ? ଆରମ୍ଭ ହେଲା ପୋଷଣ ବ୍ୟତିକ୍ରମ, ଆକସ୍ମିକ ଭାବେ ମୂଲ୍ୟହୀନ ହୋଇପଡୁଥିଲେ ଆଭ୍ୟନ୍ତରୀଣ କଳକବ୍ଜା । ଏପଟେ ବାବୁଙ୍କର ଧନ ବର୍ଷା ଆରମ୍ଭ ହେଉଥିଲା । ଅନେକ ପରୀକ୍ଷା ନିରୀକ୍ଷା ପରେ ମଧ୍ୟ କେତେ ବା ଟ୍ରାନ୍ସପ୍ଲାଣ୍ଟ କରାଯାଇପାରିବ ! ଶେଷରେ ସବୁର ଅନ୍ତ ଘଟାଇ ଡାକ୍ତର କହିଲେ "ସରି ସାର୍ ! ହି ଇଜ୍ ନୋ ମୋର୍ ।" ବାସ୍ ! କାହାଣୀ ତ' ଶେଷ ନା ! ଶତ ପ୍ରାଚୁର୍ଯ୍ୟର କୁବେରଗାଦିରେ ବି ଜୀବନ ମରଣର ଫଳାଫଳ ତ ଶୂନ !

   ଏ ପ୍ରସଙ୍ଗରେ କ'ଣ ବା ତର୍ଜମା କରିବେ ! ପୁଅକୁ ସବୁଥିରେ ଆଡ଼ଭାନ୍ସ, ପ୍ରତିଷ୍ଠିତ କରିବାକୁ ବଳଦିଆ ସୂତ୍ରରେ ଅର୍ଥଶ୍ରାଦ୍ଧ କରିଚାଲିଥିବା ବାପା କ'ଣ ଜାଣିଥିଲା ତା'ର ପରିଣାମ ?! ସେଇ ସ୍ବପ୍ନ ଯେ ଅଟକିଯିବ କିଏ ଜାଣିଥିଲା ? ବାସ୍ ! ବାବୁ ଆଜ୍ଞା ଦୁଃଖର ଅତଳ ସାଗରରେ ପଡ଼ି ମଧ୍ୟ ସମସ୍ତଙ୍କୁ ଦୋଷ ଦେଇ ଚାଲିଥିଲେ, ବିଶେଷ ଭାବରେ ଏଇ ଚିରାଚରିତ ଯୁଗକୁ । ଏଠି କେଉଁ ଯୁଗର ଦୋଷ ଦେଇହବ ଆଜ୍ଞା ! ଦୋଷ କରୁଛି ଯୁଗ ନା ନିଜେ ! ଏ ତ ଏମିତିକା ଏକ ଯୁଗ ଯେ- ସ୍ୱାବଲମ୍ବୀର ସୁଆଙ୍ଗ ରଚି ସହାୟତା ଆଳରେ କୋଢ଼ିଆ କରିଦିଆଯାଉଛି । ଆଉ କ'ଣ ସେ ଫଳର ପ୍ରାକୃତିକ ମିଠାପଣ ଅଛି ?! ତା'ଛଡ଼ା ଫାଷ୍ଟଫୁଡ୍ ରେ ଦିବାରାତ୍ର ବୁଡ଼ି ରହୁଥିବା ଲୋକ ଏଇ ସବୁ ଝିଂଝଟିଆ ପରିବାପତ୍ର କଥା ଜାଣିବେ ବା କେମିତି ? ଆଜିର ଭଦ୍ରସମାଜ ଡାଳିମ୍ବ କହିଲେ ହସୁଛନ୍ତି- କେବଳ ପୋମେଗ୍ରାନେଟ୍ । ବାସ୍ ! ଫୋ ଫା ଦିଟା ଇଂଲିଶ୍ ଝାଡ଼ିଦେଲେ ଯାଇ ସମ୍ଭ୍ରାନ୍ତ ଶ୍ରେଣୀରେ ଗଣା । ଆଉ ଯଦି ସ୍ଵିଗି-ଜୋମାଟୋରୁ ଦୁଲ୍ ଦାଲ୍ ଅର୍ଡର୍ ନକରି ରୁଟି ସନ୍ତୁଳା ଖାଇଲ, ତମେ ହେଲ ମଫୁ ମରହଟ୍ଟିଆ । ମଝିରେ ଗୋଟିଏ ସମୟ ଥିଲା- ଯେତେବେଳେ ପୁଅଟେ ଝିଅ ସାଙ୍ଗ ଧରି ବୁଲିଲେ କଥା ସରିଲା ; ସେ ତେଜ୍ୟ ପୁତ୍ର କିମ୍ବା ଘରୁ ବାହାର ଇତ୍ୟାଦି ଇତ୍ୟାଦି । ଆଜି ଯଦି ଦିଚକିଆରେ ଘାଇଁ ଘାଇଁ ନ ବୁଲି ଆସିଲ ; ତମେ କାଳେ ଆଡ଼ଭାନ୍ସ ହେଇପାରିନ । ଏସବୁ ଯୁଗର ବିବର୍ତ୍ତିତ ରୂପ ବୋଲି ବାବୁଏ ମତ ଦିଅନ୍ତି..ଦେଖନ୍ତି..ଜାଣନ୍ତି..ପରଖନ୍ତି.. ହେଲେ ମଧ୍ୟ ବିବର୍ତ୍ତନର ପାହାଚରେ ପାଦ ଥାପିବାକୁ ଅଧିଆ ପଡ଼ନ୍ତି । କିନ୍ତୁ ଏ ଅନ୍ତହୀନ ପାହାଚ ଡେଇଁ ଡେଇଁ ଗନ୍ତବ୍ୟହୀନ ଦିଶାରେ ଆଗେଇଗଲା ପରେ କ'ଣ ଘଟିଲା, ଘଟୁଛି ବା ଘଟିବାର ଅଛି ତା' କେବଳ ଭୁକ୍ତଭୋଗୀ ହିଁ କହିପାରିବେ...।

   ଏଇମିତି କିଛି କ୍ଷଣ ମାନସିକ ଭାବେ ଉଚ୍ଚ ପଦବୀରୁ ଓହରିଆସି ଦେଖୁଥିଲେ ପ୍ରକୃତରେ ଏ ଦୁନିଆଁର ଗତି କ'ଣ ? ବୁଝିପାରୁନଥିଲେ ଏ ମାନସାଙ୍କ । ଭାବୁଥିଲେ ସମାଜ ସହ ତାଳ ଦେବାକୁ ହେଲେ କେମିତି ? ଯେଉଁ ସମାଜ ଗୋଟେ ସଂସ୍କୃତିର ଢଙ୍ଗ କରି ଅପସଂସ୍କୃତିକୁ ସ୍ଵାଗତ କରୁଛି ? ବାସ୍ତବକୁ ଅଣଦେଖା କରି ଛଦ୍ମବେଶକୁ ପ୍ରୋତ୍ସାହନ ଦେଉଛି ? ପାରମ୍ପରିକତାରେ ଅବାନ୍ତର ଛୁଙ୍କ ଦେଇ ପାଶ୍ଚାତ୍ୟଗାମୀ ହେଉଛି ? ସେଇ ସମାଜର ଚକ୍ରବ୍ୟୁହ ଭିତରେ ଥାଇ ବାବୁ ଆମର ବୁଝିପାରୁଥିଲେ କିଛି କିଛି- 'ଚକ୍ ଚକ୍ କରି ଆକର୍ଷଣ କରୁଥିବା ସବୁକିଛି ସୁନା ନୁହେଁ ବୋଲି' । ତଥାପି ସବୁ ପରେ ବି ସେ ଓଡ଼ିଆ । ଓଡ଼ିଆର ରକ୍ତ ବୋହୁଛି ତାଙ୍କ ଦେହରେ । ଏଇ ଦୁଃଖଦ ପରିଣାମ ପରେ ସୁକାନ୍ତ ଵାବୁ ନିଷ୍କର୍ଷ ପାଇସାରିଥିଲେ ଯେ- ସମାଜ ସହ ତାଳ ଦେଇ ଚାଲିବା ହେଉଛି ପାରିବା ପଣିଆ । କିନ୍ତୁ ସେ ତାଳ ଯଦି ଅଦୃଶ୍ୟ କାଳକୁ ସ୍ଵାଗତ କଲା ତ କଥା ସରିଲା ଶେଷରେ ମଥା ପିଟି ଜନତାଏ କହିବୁଲୁଥିବେ "ହାୟରେ ଯୁଗ ।


Rate this content
Log in

Similar oriya story from Abstract