ଭାଗବଣ୍ଟା
ଭାଗବଣ୍ଟା
ପଦ୍ମପୁର ଗାଁ ସେଦିନ ଭାରି ଆନମନା ଲାଗୁଥିଲା । ପାଞ୍ଚଖଣ୍ଡ ଗାଁର ଗଣ୍ୟମାନ୍ୟ ବ୍ୟକ୍ତି ଜନାର୍ଦ୍ଦନ ବାବୁଙ୍କର ପାରଲୌକିକ କ୍ରିୟାର ଏକାଦଶାହ । ଯା' ହେଉ କୋୖଣସି ମତେ ଦଶାହର ରାତି କଟିଯାଇଥିଲା । ସୂରୁଜ ମଥାନ ଛୁଇଁଲା ବେଳକୁ ଆଜ୍ଞାଙ୍କ ଘରୁ କିଛି ଆଭାସ ମିଳୁଥିଲା ଆପେ ଆପେ । କୋଉ ଦାଣ୍ଡ ସୁନ୍ଦର କଥା ଯେ...କିଏ କାହାକୁ କହିବୁଲିବ ?!! ଘରକଥା ଦାଣ୍ଡରେ ପଡ଼ୁଥିଲା...ଆରମ୍ଭ ହେଉଥିଲା କୁହୁଳୁଥିବା ଲୋଭର ଜାଗତିକ ମହାଭାରତ- ଲୌକିକ/ଚିରାଚରିତ ପରମ୍ପରା- "ଭାଗବଣ୍ଟା"...ଖାସ୍ କରି ସମ୍ପତ୍ତି ପାଇଁ । ନ ହେବ ବା କେମିତି ?? ଲୋଭ ତ ସମ୍ଭ୍ରମତା,ଖାନଦାନୀର ମାନମର୍ଯ୍ୟାଦାକୁ ଖାତିର କରେନି...! ଯାହା ଘଟିଚାଲୁଥିଲା ଜନାର୍ଦ୍ଦନ ବାବୁଙ୍କ ପରିବାରରେ ଆକସ୍ମିକ ଭାବେ । ଏତେ ସମ୍ପତ୍ତି ଯେ ବସି ଖାଇଲେ ବୋଧେ ସରିବନି !! ନଡ଼ିଆ ବଗିଚା,ଆମ୍ବତୋଟା,ଚାଷଜମି,ମାଛପୋଖରୀ,ଧାନମିଲ୍...ଏମିତି କେତେ କ'ଣ...। ଘରଣୀ ଅନ୍ନପୂର୍ଣ୍ଣା ଦେବୀଙ୍କର ବାହୁଟି,କଙ୍କଣ,କାନଫୁଲ,ଚାପସରି ଇତ୍ୟାଦି । ସେ ତ' ସ୍ଵୟଂ ମାଲିକାଣୀ...!
ଆଖପାଖ ଇଲାକାରେ ପୁରନ୍ତା ଘରଟିଏ । ତିନିପୁଅ,ଅଲିଅଳି ଝିଅ..। ନିଜ ଜୀବନକାଳରେ କଠୋର ପରିଶ୍ରମ ଓ ଅଧ୍ୟବସାୟ ବଳରେ ପିଲାମାନଙ୍କୁ ପାଠଶାଠ ପଢ଼ାଇ ବଡ଼ କରିଥିଲେ । ତା'ରି ଭିତରେ କଷ୍ଟେମଷ୍ଟେ ଏତକ ସ୍ଥାବର-ଅସ୍ଥାବର ସମ୍ପତ୍ତି ଅର୍ଜନ କରିଥିଲେ, ଖାଇପିଇ ଶେଷ ଜୀବନରେ ହସଖୁସିରେ ଟିକେ ରହିବେ ବୋଲି ଜୀବନର ଶେଷପର୍ଯ୍ୟାୟ ଭିତରେ ତିନିପୁଅଙ୍କ ହାତକୁ ଦିହାତ ସହ ଭଲଘରେ ଝିଅର ବାହାଘର ବି ସାରିଦେଇଥିଲେ । କୋଉଥିରେ କାହାକୁ ଊଣା ରଖିନଥିଲେ । ମଝିଆଁ,ସାନ ଦି'ଜଣ ନିଜ ପରିବାର ସହ ବିଦେଶରେ । ଜଣେ ଆମେରିକା ତ ଜଣେ ଅଷ୍ଟ୍ରେଲିଆ ; ସେଠାକାର ନାଗରିକତ୍ବ ଗ୍ରହଣ କରିବା ସହ ସୁପ୍ରତିଷ୍ଠିତ ମଧ୍ୟ । ନିଜ ଭାଗ୍ୟକୁ ନେଇ ବଡ଼ପୁଅ ରାଜଧାନୀର ଏକ ଘରୋଇ କମ୍ପାନୀରେ ଚାକିରୀ କରି ତା' ଗୁଜୁରାଣ ମେଣ୍ଟାଏ । କିନ୍ତୁ ଭାରି ଖୁସି ଥାଏ ନିଜ ଚାରିପ୍ରାଣୀଙ୍କୁ ନେଇ । ଡିହରେ ଜନାର୍ଦ୍ଦନ ବାବୁ ଓ ପତ୍ନୀ ଅନ୍ନପୂର୍ଣ୍ଣା ଦେବୀ । ସବୁ କର୍ତ୍ତବ୍ୟ ସାରିଦେଇ ଶାନ୍ତିରେ ଟିକେ ନିଃଶ୍ବାସ ମାରିବେ ବୋଲି ଭାବିଲା ବେଳକୁ କି' ରୋଗ ହେଲା କେଜାଣି ଦି' ଚାରି ଦିନରେ ଆରପାରିକୁ ବାଟ କାଟିଲେ ଜନାର୍ଦ୍ଦନ ଆଜ୍ଞା । ସେବା ପାଇବା ଭାଗ୍ୟରେ ନଥିଲା ; କି କାହାକୁ ସୁଯୋଗ ଦେଲେନି କେଜାଣି ?! ତା' କେବଳ ଜଣେ ଅନୁଭବୀ ହିଁ ଠଉରେଇପାରିବ ! ତା'ଛଡ଼ା ଏକବିଂଶ ଶତାବ୍ଦୀରେ ସେବାର ସ୍ଥାନ କାହିଁ ? ବାସ୍ ଖାଲି ବିନା ରୋଗବୈରାଗ୍ୟ ସନ୍ତୁଳନରେ ଶ୍ମଶାନମାଟିକୁ ଆପଣେଇବା ହିଁ ଅହୋଭାଗ୍ୟ । ଶେଷ ସୁଯୋଗ ପାଇଲେନି ଦେଖିବାକୁ ନିଜ ସନ୍ତାନ ଓ ନାତିନାତୁଣୀମାନଙ୍କୁ । ଅର୍ଜ୍ଜିତ ସମ୍ପତ୍ତିମାନେ ନିଜ ନିଜ ଗାମ୍ଭୀର୍ଯ୍ୟରେ ଠିଆ ହୋଇଥାନ୍ତି-ଦେଖୁଥାଆନ୍ତି ; କିନ୍ତୁ ଫେରେଇ ଆଣିପାରୁନଥାନ୍ତି ପିଲାମାନଙ୍କୁ । କେହି ବି ଆସିପରିଲେନି କର୍ମଜଞ୍ଜାଳ ଯୋଗୁଁ । ବାସିପୋଡ଼ା ହୁଅନ୍ତୁ ପଛେ ଯଥାକଥାରେ ବାବୁଙ୍କ ସ୍ଥୂଳଶରୀରଟି ମାଟିରେ ମିଶିଗଲା ବଡ଼ପୁଅର ମୁଖାଗ୍ନିରେ । ଅବଶ୍ୟ ବୟସର ଶେଷକ୍ଷଣରେ ନିଜଲୋକଙ୍କ କୋଳାହଳ ଅମୃତ ପରି ଲାଗେ । ଏପରିକି ନିର୍ମାଲ୍ୟ ବି ଊଣା ପଡ଼ିଯାଏ । କିନ୍ତୁ ଆଜିର ସମାଜରେ ଏଇ ଅମୃତର ଧାପେ ଆଭାସ ପାଇବାକୁ ହେଲେ କେତେ ମାନସାଙ୍କ ସହ ଯୁଝିବାକୁ ପଡ଼େ ତା' କହିହେବନି !! ଛାଡ଼ିଦେଇଗଲେ ବୁଢ଼ୀକୁ ଏକ ବାହ୍ୟ ପରିପୂର୍ଣ୍ଣ ନିଃସ୍ଵ ଜଞ୍ଜାଳରେ ଘାଣ୍ଟିହେବାକୁ । ଭିଲିଯାଇଥିଲେ କିଛି ଭବିଷ୍ୟତ ଯୋଜନା କରିବାକୁ । କିନ୍ତୁ ଉଚ୍ଚଶିକ୍ଷିତ,ଭଦ୍ରସମାଜର ସମ୍ଭ୍ରାନ୍ତ ଶ୍ରେଣୀର ପୁଅଝିଅମାନେ ଟିକେ ହେଲେ ସମୟ ନଷ୍ଟ କରିବାକୁ ଚାହିଁଲେନି । ଯିଏ ଚାଲିଗଲା ସେ ତ ଆଉ ଫେରିଆସିବନି..ଅଯଥାରେ ମନଦୁଃଖ କରି ବାହୁନି ହେବାକୁ ସେମାନେ ଶ୍ରେୟ ମଣିଲେନି । ବରଂ ନିଜନିଜର ଚାହିଦାକୁ ଏକଜୁଟ କରିବାରେ ଲାଗିପଡ଼ିଲେ । ତାଲିକା ପ୍ରସ୍ତୁତି ଚାଲିଲା... ମନ୍ତ୍ରଣାର ଲେଖନୀ ମୁନରେ । ସମୟ କମ୍ ! ଏଇ ଝିଂଝଟ ସରିଲେ ଯେଝା ବାଟରେ ଯିଏ ଚାଲିଯିବେ । ଏପଟେ ଘିଅମହୁ ପାଇବା ସମୟ ଆସିଯାଇଥିଲା...! ତା'ରି ଭିତରେ ଅଲିଅଳି ଝିଅ ଆରମ୍ଭକଲା... ଯିଏ ଯାହା ନିଅ ପଛେ ଏଇ ଘରଟା ମୋର ! ଆକାଶରୁ ଛିଡ଼ିପଡ଼ିବା ପରି ହୋଇଥିଲେ ମଧ୍ୟ ଗୋଟାଏ ବୋଲି ଝିଅ ତ ନ ନେବ କେମିତି !! ସେଇ ଅଲିଅଳି ପଣରେ ହାତେଇ ନେଲା ଘରଟାକୁ । ବାକି ସ୍ଥାବର ଅସ୍ଥାବର ସମ୍ପତ୍ତି ମଝିଆଁ-ସାନ ଦିହେଁ ବାଣ୍ଟିକୁଣ୍ଟି ନେଇଗଲେ... ବଡ଼ ପୁଅ ଭାଗରେ ଗୋଚର ଜମି କିଛି ଛାଡ଼ିଦେଇ ! ବାସ୍ ଯଥାକଥାକେ ସବୁ ଭାଗ ହୋଇଗଲା- ଭାଗ ପାଇ ଭାଗୀଦାର ବି ଖୁସ୍ । ହେଲେ କିଛି ବଳିପଡ଼ିଲା । 'ତା'କୁ ନେବ କିଏ' ବୋଲି ଦେଖାଣିଆ ବ୍ୟସ୍ତତା ଦୃଷ୍ଟିଗୋଚର ହେଉଥିଲା । ସେଇ ଭାଗଟିକୁ ନ ନେବା ପାଇଁ ଚମତ୍କାର ବାହାନା ବନେଇ ଚାଲିଥିଲେ ସେଇ ଭାଗୀଦାରମାନେ । ସେଇ "ଭାଗ"ଟି ବି ନିରୁପାୟ,ନିଃସହାୟ । ସେ 'ଭାଗ' ବି ଏମିତି ଯେ ଆଜିର ଦୁନିଆଁ ତା'କୁ 'ବୋଝ'ର ଆଖ୍ୟା ଦେଇ ଆପଣେଇବାକୁ ନାରାଜ । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବଡ଼ ପୁଅ ଆଗେଇ ଆସିଲା ସେଇ ଅଦରକାରୀ ଭାଗଟିକୁ ନିଜର କରିବାକୁ । ସେ ଶ୍ରମ ସାର୍ଥକ କରି ଭାଗୀଦାର ବନିଗଲା । ସତେ କି' ତା' ବାସ୍ତବ ଜୀବନର ନିଭୃତ ଆତ୍ମାକୁ ବୁଢ଼ୀ ଅସୁରୁଣୀର ଫରୁଆରୁ ହାସଲ କରିନେଲା । ନିଜର ବଡ଼ିମା କିମ୍ବା ଜ୍ୟେଷ୍ଠର କର୍ତ୍ତବ୍ୟପଣରେ ନୁହେଁ; ବରଂ ତା' ହୃଦୟର ଲୁକ୍କାୟିତ ସ୍ବପ୍ନକୁ ନିଜେ ହିଁ ସାକାର କରିନେଲା । ସେମିତି କିଛି ମତଲବ୍ ନଥିଲା କି ନିଜ ଋଣ ପରିଶୋଧ କରି ଅନ୍ଧ ଦୁନିଆର ବାହାବାଃ ନେବ ବୋଲି ।
ଏଇ ଭାଗବଣ୍ଟାର ଶୀତଳ ଯୁଦ୍ଧରେ ସେ ଯାହା ହାସଲ କରିଥିଲା... ତାହା ଥିଲା ବର୍ଣ୍ଣନାତୀତ । କିନ୍ତୁ ସେଇ ଅକ୍ଷମତା ଭିତରେ ମଧ୍ୟ ତା'ର ବାଷ୍ପରୁଦ୍ଧ କଣ୍ଠ କହିଚାଲିଥିଲା.. "ବୋଉଲୋ ! ତୁ କେବଳ ମୋର...!!" ସେତେବେଳେ ସେ ଲାଗୁଥିଲା ଜଣେ ଦିଗବିଜୟୀ ସମ୍ରାଟ୍ ପରି... ଆପେ ଆପେ ପାଲଟି ଯାଉଥିଲା କୋଟିସମ୍ପତ୍ତିର ଅଧିପତି କୁବେର !! ଭାରି ଆଶ୍ୱାସ ଲାଗୁଥିଲା ତା'କୁ ! ଏମିତି ହୃଦୟଖୋଲା ଆନନ୍ଦ ସେ କେବେ ପାଇନଥିଲା । କାହିଁକି କେଜାଣି ଅଜାଣତରେ ଏ ଅନ୍ଧ ସମାଜର ଦେଖଣାହାରୀଙ୍କ ଆଖିଦିଟାରୁ ଦି' ବୁନ୍ଦା ଲୁହ ଝରିପଡ଼ୁଥିଲା....!!
