STORYMIRROR

PRIYARANJAN SAHOO

Inspirational

4  

PRIYARANJAN SAHOO

Inspirational

ପଇସାପ୍ୟାରା ଦୁନିଆଁ

ପଇସାପ୍ୟାରା ଦୁନିଆଁ

2 mins
232


    କିଛି ବର୍ଷତଳର ଅଙ୍ଗେନିଭା କଥା ! ଯୌଥ ପରିବାରର କଥାଟିଏ । ସେମିତି ଆର୍ଥିକ ସମୁନ୍ନତ ନ ହେଲେ ବି ଗୁଜୁରାଣ ଦୃଷ୍ଟିକୋଣରୁ ଆପାତତଃ ସ୍ୱଚ୍ଛଳ । ମୁଖିଆ ହଳକ ବି ଏଯାଏଁ ସବଳ । ଗାଁ ଘରେ କେବଳ ବଡ଼ପୁଅର ପରିବାର । ଘର ବୋଇଲେ ଦୁଇବଖରା କୋଠାଘର ଓ ବସାଉଠା ପାଇଁ ସୁଉଚ୍ଚ ଚାଳଘରଟିଏ ଯୋଉ ଚାଳଘରଟିରେ ପରିବାରର ସମସ୍ତେ ଚଳପ୍ରଚଳ କରି ନିଜ ଗୋଡ଼ରେ ନିଜେ ଠିଆହୋଇପାରିଛନ୍ତି । ଅବଶ୍ୟ ଏଇ ବଡ଼ପୁଅ, ତା' ସ୍ତ୍ରୀ, ଦୁଇପିଲାଙ୍କ ପାଇଁ ଯଥେଷ୍ଟ ଏତକ ବଖରା ! ତଥାପି ଧର୍ମପତ୍ନୀଙ୍କ ମନରେ ବସାବାନ୍ଧେ ନୂଆଘର କରିବାର ଦୁର୍ବାର ଆକାଂକ୍ଷା ! ସ୍ବାମୀ ଶିକ୍ଷକତା କରୁଥିବାରୁ ସ୍ୱଳ୍ପ ଦରମାରେ ଏସବୁ ଆଖିପିଛୁଳାକେ କରିବା ସମ୍ଭବପର ନୁହଁ । କିନ୍ତୁ ମହାରାଣୀ ନଛୋଡ଼ବନ୍ଧା ! ଏମିତି ପ୍ରାୟ ସ୍ବାମୀ ଆଗରେ ଫେରାଦ ହୁଅନ୍ତି "ଆଜି ଚାଳଘରୁ ସାପ ବାହାରିଲା କାଲି ବେଙ୍ଗ,ବିଛା ପୁଣି ଉପରୁ ପାଣି ଗଳିଲା ଇତ୍ୟାଦି ଇତ୍ୟାଦି" ! ଏହାଛଡ଼ା ପୁଣି "ଜାଣିଛ ଅମୁକ ବାବୁଙ୍କର ମାସକରେ ଏତେ ଘର କଲେଣି,ତାଙ୍କ ସ୍ତ୍ରୀଙ୍କର କେତେ ଭରି ସୁନା,ୟାଙ୍କ ବାବୁଙ୍କର କାର୍, କି ବଡ଼ବଡ଼ିଆ ଚଳଣି ସେମାନଙ୍କର ଆଉ ଆମର ଯୋଉ କତରାକୁ ସେଇ କତରା

ଏମିତିଆ ଅବାନ୍ତର ଫେରାଦିର ମାତ୍ରା ବଢ଼ିଚାଲିଲା ! ଲୋକଟି ତ' ଆଉ ଶ୍ରୀକୃଷ୍ଣ ନୁହଁ ଯେ ସ୍ତ୍ରୀ ପାଇଁ ପାରିଜାତ ଆଣିବାକୁ ସିଧା ସ୍ୱର୍ଗଉପରେ ଆକ୍ରମଣ କରିବସିବ ?! ସ୍ୱଳ୍ପ ଆୟରେ ବି ଶାନ୍ତିରେ ଥିବା ଲୋକଟି ଏବେ ପରିଶ୍ରମର ମାତ୍ରା ଅପ୍ରତ୍ୟାଶିତ ଭାବେ ବଢ଼ାଇବାକୁ ଲାଗିଲା । ଅଖିଆ-ଅପିଆ ସାଇକଲ ପେଲି ପେଲି ଟିଉସନ କଲା କେବଳ କିଛି ପଇସା ଠୁଳ କରିବ ବୋଲି ! ସବୁ ପରେ ବି ସୁଦୃଶ୍ୟ ଘର ସୁରୁଖୁରୁରେ ଠିଆ ହୋଇଗଲା, ହେଲେ ଲୋକଟିର ଶରୀର କ୍ଷୀଣ ଓ ରୋଗାକ୍ରାନ୍ତ ହୋଇଉଠିଲା ପରେ ପରେ, ଶେଷରେ ଅକାଳ ମୃତ୍ୟୁ ପାଇଲା ନିଜ ପ୍ରାଣକୁ "ସ୍ତ୍ରୀ-ସନ୍ତୁଷ୍ଟି ଯଜ୍ଞ"ରେ ଆହୂତି ଦେଇସାରିବା ପରେ !


    ଅଥଚ ସ୍ତ୍ରୀ ତା' ଶବ ପାଖରେ ବାହୁନା ପକେଇ କହୁଥିଲା"ଆଉ ଦି'ଟା ବର୍ଷ ହେଲେ ବଞ୍ଚିଯାଇଥାଆନ୍ତ ! ମୋ ପିଲା ଦି'ଟା ଟିକେ ମଣିଷ ହେଇଯାଇଥାଆନ୍ତେ ! ଘର ଏବେ ରଙ୍ଗୀନ୍ ମୁଦ୍ରାରେ ଦଣ୍ଡାୟମାନ, ଭଡ଼ା ବି ଆସୁଛି, ପିଲାମାନେ ଲାଗିଗଲେଣି ପଦସ୍ଥ ଅଧିକାରୀ ଭାବରେ, ବ୍ୟାଙ୍କ୍ ବାଲାନ୍ସ ବି ବଢ଼ିଚାଲିଛି ହେଲେ କିଞ୍ଚିତ ଅନୁଶୋଚନା ବି ନାହିଁ ଓଲଟା ଶାଶୂ ଉପରେ ରାଗ "କି ଛୁଆ ଜନମ କରିଥିଲ ଯେ ମତେ ଅଧା ବୟସରୁ ବିଧବା କରିଦେଲା"ଏମିତି କେତେ କ'ଣ ଏତେ ପରିଶ୍ରମ କରିଥିବା ଲୋକଟିର ଛବିଟିଏ ବି ଘରେ ରଖିଲାନି । ଧନ୍ୟ ତୁ ନାରୀ ! ସାବିତ୍ରୀ ସ୍ଵର୍ଗରେ ଥାଇ କେତେ କ'ଣ ଭାବୁଥିବେ ନିଜ ଭାଗ୍ୟକୁ ନିନ୍ଦିବାକୁ ପଛଉନଥିବେ ! ହେଲେ ଏ ପରା ଆଜିର ଅର୍ଦ୍ଧାଙ୍ଗିନୀ ! ନବଗୃହ-ବ୍ୟାଙ୍କ୍ ବାଲାନ୍ସ- ସ୍ଵର୍ଣ୍ଣ ଲୋଲୁପିନୀ ଧନପ୍ରେୟସୀ ସଦା ବହ୍ୱାଶୀ ! ଅବଶ୍ୟ ସମସ୍ତେ ସେପରି ନ ହୋଇଥାଇପାରନ୍ତି !


    ସାହିପଡ଼ିଶା-ଗାଁ ଲୋକେ କୁହାକୁହି ହେଲେ,"ରାହାଗିଳି ମାଇକିନା ସ୍ୱାମୀକୁ ଖାଇ ରାଣ୍ଡ ହେଇ ସାଆନ୍ତାଣୀ ପାଲଟିଯାଇଛି ।" କହିବା ଲୋକ ତ ଆଜିବି କହୁଛନ୍ତି..ହେଲେ ସେଥିରେ ତା'ର ପରବାୟ ନାହିଁ । ସେ ତା' ଚିରାଚରିତ ଢଙ୍ଗରେ ମନପ୍ରାଣ ଦେଇ ଉପଭୋଗ କରିଚାଲିଛି ନଶ୍ଵର ଜଡ଼ବସ୍ତୁ ସବୁକୁ । ହେଲେ ନିଜ ରକ୍ତମାଂସ ଶରୀରକୁ ତିଳ ତିଳ ଦଗ୍ଧ କରି ବଳିଦାନ ଦେଇଥିବା ଲୋକଟି କଥା କିଏ ପଚାରେ ! ବାସ୍, ଦେଖଣାହାରୀ ଖାଲି ତା'ର ସଦଗତି ପାଇଁ ପ୍ରାର୍ଥନା କରିବା ଛଡ଼ା ଆଉ କ'ଣ ବି କରିପାରିବେ ?କାରଣ ଏ ପରା ପଇସାପ୍ୟାରା ଦୁନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational