BIMALENDU PADHI

Inspirational

4  

BIMALENDU PADHI

Inspirational

ଗୁରୁଙ୍କର ମହାନତା ତଥା ଆବଶ୍ୟକତା

ଗୁରୁଙ୍କର ମହାନତା ତଥା ଆବଶ୍ୟକତା

4 mins
376



ସନାତନ ଧର୍ମ ବିଶ୍ବର ସର୍ବ ପୁରାତନ ଧର୍ମ ବୋଲି ବିବେଚନା କରାଯାଇଛି। ଏହି ଧର୍ମରୁ ହିଁ ଅନ୍ୟାନ୍ୟ ଧର୍ମମତର ଉତ୍ପନ୍ନ ହୋଇଛି । ସନାତନ ଧର୍ମରେ ଈଶ୍ୱରଙ୍କ ପରିକଳ୍ପନା ସହ ବେଦ ଏବଂ ଉପନିଷଦ ମାଧ୍ୟମରେ ଜୀବନରେ ବଞ୍ଚିବାର ଏକ ଉତ୍ତମ ପଦ୍ଧତି ପ୍ରତିଷ୍ଠା କରାଯାଇଛି। ସୃଷ୍ଟିର ପ୍ରାରମ୍ଭରେ ଯେତେବେଳେ ଆଦିମମାନବ ଘଞ୍ଚ ଅରଣ୍ୟ ମଧ୍ୟରେ ବାସକରୁଥିଲା। ସେତେବେଳେ ସେଠାରେ ଉଚ୍ଚକୋଟିର ନ୍ୟାୟ ବିଚାର ଥିଲା । ବେଦ ଅପୌରଷେୟ ଅର୍ଥାତ ସୃଷ୍ଟିର ପ୍ରାରମ୍ଭରେ ବିଶ୍ବପିତା ପରମାତ୍ମା ଆଦି ଗୁରୁ ତପସ୍ୟା ରତ ପବିତ୍ରାତ୍ମା ଚାରି ଜଣ (ଆଦିତ୍ୟ,ବାୟୁ,ଅଗ୍ନି,ଅଙ୍ଗିରସ) ଋଷିଙ୍କ ଅନ୍ତଃକରଣରେ ସତ୍ୟ ଜ୍ଞାନ ଆଧାର ବେଦବାଣୀ ପ୍ରକଟିତ କରିଥିଲେ।ଏହି ଉଚ୍ଚକୋଟୀର ବେଦର ତତ୍ବଜ୍ଞାନକୁ ନେଇ ସନାତନ ଧର୍ମର ପ୍ରତିଷ୍ଠା ହୋଇଛି। 


ସନାତନ ଧର୍ମରେ ଜ୍ଞାନକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। କାରଣ ମନୁଷ୍ୟ ଦ୍ୱାରା ଧର୍ମର ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଜ୍ଞାନ ନିତାନ୍ତ ଆବଶ୍ୟକ ଅଟେ।ବେଦଜ୍ଞାନ ବୁଝାଇବା କିମ୍ବା ମାନବୀୟ ଗୁଣ ଧର୍ମକୁ ସାଧାରଣ ଲୋକଙ୍କ ଅନ୍ତରରେ ଧାରଣ କରାଇବା ପାଇଁ ଶିକ୍ଷା ଦେବା  ଶିକ୍ଷକଙ୍କ କାର୍ଯ୍ୟ ଅଟେ। ଏହି ବେଦଜ୍ଞାନ ପ୍ରଦାତା ଶିକ୍ଷକଙ୍କୁ ହିଁ ଗୁରୁ ଆଖ୍ୟା ଦିଆଯାଇଛି।


ବାସ୍ତବରେ କହିବାକୁ ଗଲେ ଆମେ ସମସ୍ତ ଗୁରୁଙ୍କୁ ଶିକ୍ଷକ ଭାବରେ ନାମିତ କରିପାରିବା। କିନ୍ତୁ ସମସ୍ତ ଶିକ୍ଷକଙ୍କୁ ଗୁରୁଙ୍କ ଆସ୍ଥାନରେ ସ୍ଥାନୀତ କରିପାରିବା ନାହିଁ | ତେଣୁ ଇଂରାଜୀ ଭାଷାର ଗୁରୁ ବୋଲି ନକହି Teacher ଅର୍ଥାତ ଶିକ୍ଷକ ଓ ଅଧ୍ୟାପକ ବୋଲି କୁହାଯାଇଛି ।ଗୁରୁ ହେଉଛି ସଂସ୍କୃତ ଭାଷାର ଏକ ଶବ୍ଦ ଯାହାକୁ ହିନ୍ଦୀ, ଇଂରାଜୀ କିମ୍ବା ବିଶ୍ବର ଅନ୍ୟ ଯେକୋୖଣସି ଭାଷାରେ ଗୁରୁ ହିଁ କୁହାଯିବ। 


ଓଡିଆ ଭାଗବତରେ ଉଲ୍ଲେଖ ଅଛି :-

"ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର"।


ଶିଷ୍ୟଙ୍କୁ ବେଦଜ୍ଞାନାଲୋକ ପ୍ରଦାନ ପୂର୍ବକ ଅଜ୍ଞାନ ରୂପକ ଅନ୍ଧକାର ବିନାଶ କରନ୍ତି ଯେ ସେ ହେଉଛନ୍ତି ଗୁରୁ। ସେହି ଗୁରୁ ଆଦର୍ଶ ଜୀବନ ଯାପନ କଳା ଶିକ୍ଷା ଦେଇଥାଆନ୍ତି। ସେ ଶିଷ୍ୟଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିବା ସହ ପରମାତ୍ମା ସାକ୍ଷାତ୍କାର ପାଇଁ ମାର୍ଗଦର୍ଶକ ସାଜିଥାଆନ୍ତି। ତେଣୁ ଉପଯୁକ୍ତ ଗୁରୁଙ୍କୁ ଈଶ୍ବରଙ୍କ ମାନ୍ୟତା ଦେବାରେ ଭାଗବତ ବାଣୀର ଯଥାର୍ଥତା ରହିଛି। ଈଶ୍ବରୀୟ ଜ୍ଞାନରେ ଭକ୍ତିପୁତ ସହକାରେ ଗୁରୂଙ୍କ ସତ୍କାର କରିବା ଉଚିତ। 

ଗୁରୁଙ୍କ ଭୂମିକା ବିଷୟରେ ବିସ୍ତୃତ ଭାବରେ ଜାଣିବା ପୂର୍ବରୁ, ଆମେ ଜଣେ ଶିକ୍ଷକଙ୍କ ସଂଜ୍ଞା, ଏହାର କାର୍ଯ୍ୟ ଏବଂ ଏହାର ପ୍ରକାର ବିଷୟରେ ଜାଣିବା ଉଚିତ।  ତେବେଯାଇ ଆମେ ଗୁରୁଙ୍କ ପରିଭାଷାକୁ ଭଲ ଭାବରେ ହୃଦୟଙ୍ଗମ କରିପାରିବା


ଆଦିମ ଯୁଗରୁ ଆଧ୍ୟାତ୍ମିକ ଉନ୍ନତି ପାଇଁ ଗୁରୁଙ୍କ ଆବଶ୍ୟକତା ନିଶ୍ଚିତ ଭାବେ ରହି ଆସିଛି।


ଉପଯୁକ୍ତ ଜ୍ଞାନ ପ୍ରାପ୍ତ ହୋଇ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବାପାଇଁ ମାର୍ଗଦର୍ଶକ ତଥା ଗୁରୁଙ୍କ ସାନ୍ନିଧ୍ୟ ଏକାନ୍ତ ଆବଶ୍ୟକ ଅଟେ।


“ମାତା ନିର୍ମାତା ଭବତି” ଅର୍ଥାତ୍ ଶିଶୁର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶର ଅଭିବୃଦ୍ଧିରେ ମାତାର ଗୁରୁ ଦାୟିତ୍ଵ ରହିଥାଏ। ତେଣୁ ମାଆ ଶିଶୁର ପ୍ରଥମ ଗୁରୁ ଅଟେ।

 ଯେତେବେଳେ ପିଲାର ବିଦ୍ୟା ଗ୍ରହଣର ବଯସ ହୋଇଯାଏ ସେତେବେଳେ ବାପା ପିଲାକୁ ଉତ୍ତମ ଶିକ୍ଷାର ବ୍ୟବସ୍ଥା କରାଇ ଥାଆନ୍ତି। ତେଣୁ ବାପା ହେଉଛନ୍ତି ପିଲାଟିର ଦ୍ଵିତୀୟ ଗୁରୁ ।


 ଆଧୁନିକ ଯୁଗରେ ବିଦ୍ୟାଳୟରେ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ନିମନ୍ତେ ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା ନାହିଁ। ସେଠାରେ ଭାଷା, ଗଣିତ ସହ କେବଳ ଭୌତିକ ଜ୍ଞାନର ଶିକ୍ଷା ଦିଆଯାଇଥାଏ। ସେହି ବିଦ୍ୟା ପରିବାର, ସମାଜ ଓ ରାଷ୍ଟ୍ରର ଭୌତିକ ବିକାଶର ସହାୟକ ହେବା ସହ ରୋଜଗାରକ୍ଷମ କରାଇଥାଏ। 

   ଯେହେତୁ ବିଦ୍ୟାଳୟରେ ଶିକ୍ଷକଙ୍କ ପାଖରେ ଆଚରଣ ଗତ ସଂସ୍କାର ନାହିଁ ସେଠାରେ ଶିଷ୍ୟଙ୍କ ନୈତିକ ଶିକ୍ଷା ପାଇବାର ସୁଯୋଗ ମଧ୍ୟ ନାହିଁ।    

 

 ଭୌତିକଜ୍ଞାନର ଆବଶ୍ୟକତା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକଜ୍ଞାନର ମଧ୍ଯ ବିକାଶ ହେବା ଉଚିତ। ତେବେ ଯାଇ ପରିବାରରେ ଉତ୍ତମ ସନ୍ତାନ, ସମାଜରେ ଉତ୍ତମ ବ୍ୟକ୍ତିବିଶେଷ ଓ ରାଷ୍ଟ୍ରରେ ଉପଯୁକ୍ତ ନାଗରିକ ଉପଲବ୍ଧ ହୋଇପାରିବେ। 


ତେଣୁ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ନିମନ୍ତେ ଉପଯୁକ୍ତ ଗୁରୁ ପ୍ରାପ୍ତି ପାଇଁ ଅନୁସନ୍ଧାନର ଆବଶ୍ୟକତା ରହିଛି।


ଗୁରୁଙ୍କ ଯୋଗ୍ୟତା ବିଷୟରେ ଜାଣି ଉପଯୁକ୍ତ ଗୁରୁଙ୍କ ଆଶ୍ରୟ ନେଲେ ଉତ୍ତମ ମାର୍ଗ ଦର୍ଶନ ମିଳିଥାଏ।

ବର୍ତ୍ତମାନ ଆମେ ଶିକ୍ଷକ ତଥା ଗୁରୁଙ୍କ ପ୍ରକାର ଭେଦ ବିଷୟରେ ଜାଣିବା।

 ଗୁରୁ କିଏ ? ଗୁରୁଙ୍କ ସଜ୍ଞା ନିରୁପଣ କରିବାକୁ ଯାଇ କୁହାଯାଇଛି ଯେ,” ‘ଗିରତି ଅଜ୍ଞାନାନ୍ଧକାରଂ ଇତି’ ଗୁରୁ।“

ଅର୍ଥାତ ଯାହାଙ୍କର ଉପସ୍ଥିତିରେ ଶିଷ୍ୟର ହୃଦୟାକାଶରୁ ଅଜ୍ଞାନର ଅନ୍ଧକାର ଦୂର ହୋଇ ଜ୍ଞାନର ଆଲୋକ ପ୍ରଜ୍ବଳିତ ହୋଇଥାଏ ସେ ପ୍ରକୃତ ଗୁରୁ ଅଟନ୍ତି।  

ଆଚାର୍ଯ୍ୟ -“ ‘ଆଚାରଂ ଗ୍ରହୟେ ତିତି’ ଆଚାର୍ଯ୍ୟ।“ ଗୁରୁ ବାକ୍ୟ ମାଧ୍ୟମରେ ନୁହେଁ ନିଜେ ଉତ୍ତମ ଆଚରଣର ଅଧିକାରୀ ହୋଇ ଶିଷ୍ୟମାନଙ୍କୁ ଉତ୍ତମ ଆଚରଣ ପାଇଁ ଦିଗ୍ ଦର୍ଶନ ଦେଇଥାଆନ୍ତି।ତେଣୁ ସେ ଆଚାର୍ଯ୍ୟ ପଦବାଚ୍ୟ ଅଟନ୍ତି। 


ପୁରୋହିତ :- “ ‘ପୁରୋ- ଦଧାତିତି ପୁରୋହିତ।“ 

(ମନୁ ୪ ଅଧ୍ୟାୟ ୧୯୦ ରୁ ୧୯୪ ଶ୍ଲୋକ)  

“ପୁର ଏନ ଦଧାତିତି”ପୁରୋହିତ।“ 

(ମହାଭାରତ,ଶାନ୍ତି ପର୍ବ ୭୬ ଅଧ୍ୟାୟ ୬ ଶ୍ଲୋକ)  


ଅର୍ଥାତ ‘ପୁରୋ’ ଅର୍ଥାତ୍ ଅଗ୍ରଭାଗରେ ‘ଏନ ଦଧାତିତି’ ଯେ ଧାରଣ କରନ୍ତି। ସମାଜର ଅଗ୍ରଭାଗରେ ରହି ଶିଷ୍ୟମାନଙ୍କୁ ଉତ୍ତମ ମାର୍ଗ ପ୍ରଦର୍ଶନ କରୁଥିବା ହେତୁ ସେ ପୁରୋହିତ ପଦବାଚ୍ୟ ଅଟନ୍ତି।     


ଗୁରୁଙ୍କ ଲକ୍ଷଣକୁ ନେଇ ଭାଗବତ ଏକାଦଶ ସ୍କନ୍ଦ, ଚତୁର୍ଥ ଅଧ୍ୟାୟରେ ଉଲ୍ଲେଖ ଅଛି :-   


ଉତ୍ତମ ଗୁରୁ ଆଶ୍ରାକରି, ଗୁରୁ ବଚନ ଶିରେ ଧରି।  ଯେ ଗୁରୁ ଜାଣେ ବେଦତତ୍ତ୍ଵ,ନିର୍ଗୁଣ ଆତ୍ମାଜ୍ଞାନ ରତ।  

ସମଦରଶୀ ନିଷ୍ଠାପର, ତପ କଷଣ ସହେଧୀର। ନିରତେ ଥାଏ ପରହିତେ, ଈଶ୍ଵର ମାୟା ଜାଣେ ଚିତେ।                      

ଏମନ୍ତେ ଗୁରୁ ପାଦେ ଭଜି,ହିଂସା କପଟ ଦୂରେ ତେଜି।                    

ସେବା କରିବ ଦୃଢ ଚିତେ,ଯେ ଗୁରୁ ଶିଷ୍ୟ ଭାବ ମତେ।


 ଗୁ୍ରୁଙ୍କ ଲକ୍ଷଣକୁ ନେଇ ଯଜୁର୍ବେଦ ୭ ଅଧ୍ୟାୟ ୪୩ ମନ୍ତ୍ରରେ ଉଲ୍ଲେଖ ହୋଇଛି :-   

    

 ଶିଷ୍ୟ କହୁଛନ୍ତି ଯେ ଆମେ ବ୍ରାହ୍ମଣ ଗୁରୁଙ୍କ ଶିଷ୍ୟ ହେବା ପାଇଁ ଚାହୁଁଛୁ। ସେ ଶୃତି,ସ୍ମୃତି, ଯୋଗଶାସ୍ତ୍ରାଦି ସୈଦ୍ଧାନ୍ତିକ ଓ କ୍ରିୟାତ୍ମକ ଶାସ୍ତ୍ରରେ ପ୍ରବୀଣ ହୋଇ ବ୍ରହ୍ମଜ୍ଞାନୀ ହୋଇଥିବେ। ତାଙ୍କର ଗୁଣ, କର୍ମ, ସ୍ଵଭାବ ଓ ଆଚରଣ ବ୍ରାହ୍ମଣ ତୁଲ୍ୟ ହୋଇଥିବ।ପିତା ପୁତ୍ରର ସମ୍ପର୍କ ରକ୍ଷାକରି ଶିଷ୍ୟମାନଙ୍କର ସମସ୍ତ ସମସ୍ୟାର ସମାଧାନ କରୁଥିବେ। ଶିଷ୍ୟମାନଙ୍କ ଉଚ୍ଚାରଣ ଓ

ଆଚରଣରେ ବ୍ରାହ୍ମଣ ତୁଲ୍ୟ ହେବାପାଇଁ ମାର୍ଗ ଦର୍ଶନ କରାଇବେ। ଶିଷ୍ୟ ମାନଙ୍କଠାରୁ ଦକ୍ଷିଣା ସ୍ଵରୂପ ବେଦଜ୍ଞାନ ଓ ଯଜ୍ଞର ପ୍ରଚାର ପ୍ରସାର କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା ନିମନ୍ତେ ପ୍ରେରଣା ଦେଉଥିବେ। ସେହିଁ ବ୍ରାହ୍ମଣ ଅର୍ଥାତ୍ ବ୍ରହ୍ମଜ୍ଞାନୀ ଗୁରୁ ଅଟନ୍ତି।  

            

ତୈତ୍ତେରିୟ ଉପନିଷଦ ମଙ୍ଗଳାଚରଣ ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କଥା ଉଲ୍ଲେଖ ହୋଇଛି। ଗୁରୁ ଓ ଶିଷ୍ୟ ଉଭୟଙ୍କ ମଧ୍ୟରେ ରକ୍ଷା, ଭୋଗ, ବୁଦ୍ଧି ଓ ତେଜସ୍ଵୀତା ପ୍ରାପ୍ତିର ସାଧନ ଏକ ସାଥିରେ ସାଧିତ ହେବା ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।


ଉତ୍ତମ ବ୍ରହ୍ମବେତ୍ତା ଗୁରୁ ଶିଷ୍ୟମାନଙ୍କୁ ଆଧ୍ୟାତ୍ମିକ ପଥରେ ଆଗେଇବା ନିମନ୍ତେ ମାର୍ଗ ଦର୍ଶନ କରାଇଥାଆନ୍ତି। ସେ ଶିଷ୍ୟମାନଙ୍କୁ ସଦ୍ ମାର୍ଗରେ ଆଗେଇବା ପାଇଁ ପ୍ରେରଣାର ଉତ୍ସ ଅଟନ୍ତି।


ଆଦର୍ଶ ଶିଷ୍ୟ ଗୁରୁଙ୍କ ନିର୍ଦେଶିତ ମାର୍ଗରେ ଅଗ୍ରସର ହୋଇଥାଏ।ପରିବାର,ସମାଜ ତଥା ରାଷ୍ଟ୍ରର ହିତ ସାଧନ କରିବା ସହ ଜୀବନରେ ଶୀର୍ଷସ୍ଥାନ ଅଧିକାରର ସୁଯୋଗ ଲାଭ କରିଥାଏ।  


ଯେଉଁ ଶିଷ୍ୟ ଗୁରୁଙ୍କ ନିର୍ଦେଶକୁ ପାଳନ କରିବାରେ ଅବହେଳା କରିଥାଏ ସେ ନିଜେ ହିଁ ତାର ଅବକ୍ଷୟ ଘଟାଉଥିବାର ଜ୍ଵଳନ୍ତ ଉଦାହରଣ ହୋଇରହିଥାଏ।   

  


Rate this content
Log in

Similar oriya story from Inspirational