ପ୍ରଭୁଙ୍କ ପ୍ରେରଣାର ସ୍ବରୂପ
ପ୍ରଭୁଙ୍କ ପ୍ରେରଣାର ସ୍ବରୂପ
ପ୍ରଭୁଙ୍କ ପ୍ରେରଣା ର ସ୍ବରୂପ
ଋଷି- ପରମେଷ୍ଠି ପ୍ରଜାପତି । ଦେବତା - ସବିତା| ଛନ୍ଦ ସ୍ବରାଡ୍ ବୃହତି , ବ୍ରାହ୍ମ୍ୟୁଷ୍ନିକ୍।
ସ୍ବର-ମଧ୍ୟମଃ, ଋଷଭଃ॥
ଓମ୍ ଇଷେ ତ୍ବର୍ଜେ ତ୍ବା ବାୟବ ସ୍ଥ ଦେବୋ ବଃ ସବିତା ପ୍ରାର୍ପୟତୁ ଶ୍ରେଷ୍ଠତମାୟ କର୍ମଣଽଆପ୍ୟାୟଧ୍ବମଧ୍ୟାଽଇନ୍ଦ୍ରାୟ ଭାଗଂ ପ୍ରଜାବତୀରନମୀବାଽଅୟକ୍ଷମା ମା ବ ସ୍ତେନଽଈଶତମାଧଶଁସୋ ଧୃବାଽଅସ୍ମିନ୍ ଗୋପତୌ ସ୍ୟାନବ୍ରହ୍ମୀର୍ଯଜମାନସ୍ୟ ପଶୁନ୍ ପାହି॥
(ଯଜୁଃ- ୧/୧)
ଜୀବ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଯେ, ଆମ୍ଭେ ଆପଣଙ୍କ ପ୍ରେରଣା ପାଇବା ପାଇଁ ଆପଣଙ୍କ ନିକଟରେ ଉପବେଶନ କରିଅଛୁ। ଆମ୍ଭମାନଙ୍କୁ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଶକ୍ତି ପ୍ରାପ୍ତ ଓ ଉତ୍ସାହିତ ହେବା ପାଇଁ ସର୍ବୋତ୍ତମ ପ୍ରେରଣା ଦିଅନ୍ତୁ, ଯାହାକୁ ଧାରଣ କରି ଆମ୍ଭେ ସର୍ବଶ୍ରେଷ୍ଠ କର୍ମ କରିବାରେ ଗତିଶୀଳ ହୋଇପାରିବୁ। ପ୍ରେରଣା, ଶକ୍ତି ଓ ଉତ୍ସାହ ଏହି ତିନୋଟିରେ ଯୁକ୍ତ ଜୀବନ ବାସ୍ତବିକ ଜୀବନ ଅଟେ।
ଏହି ମନ୍ତ୍ର ରେ ଉପାସକ ଜୀବକୁ ପ୍ରଭୁ ତେରଟି ପ୍ରେରଣା ପ୍ରଦାନ ପୂର୍ବକ କହୁଛନ୍ତି :-
୧-(ବାୟବଃ ସ୍ଥ )"ବା ଗତୌ" ହେ ଜୀବ, ତୁମେ ଗତିଶୀଳ ହୁଅ। ଆଳସ୍ୟତା ତୁମକୁ ସ୍ପର୍ଶ ନକରୁ। ଆତ୍ମା ଶବ୍ଦର ଅର୍ଥ ସତତ ଗତିଶୀଳ ଅଟେ। ଅକର୍ମଣ୍ୟତା ଶରୀରକୁ ଜୀର୍ଣ୍ଣ ଶୀର୍ଣ୍ଣ କରିଦେବା ସ୍ଥଳେ କ୍ରିୟାଶୀଳତା ଶରୀର ର ବିକାଶର କାରଣ ହୋଇଥାଏ।
୨-(ସବିତା ଦେବଃ ବଃ ଶ୍ରେଷ୍ଠତମାୟ କର୍ମଣେ ପ୍ରାର୍ପୟନ୍ତୁ)ତୁମେ ବେଦ ତତ୍ତ୍ବଜ୍ଞାନୀ ମାନଙ୍କ ଆଶ୍ରୟ ନିଅ, ଯାହା ଫଳରେ ବିଦ୍ବାନ ମାନେ ତୁମକୁ ସର୍ବଶ୍ରେଷ୍ଠ କର୍ମ କରିବା ପାଇଁ ପ୍ରେରଣା ଦେବେ।
୩-(ଆପ୍ୟାୟଧ୍ବମ)ଏହି ପ୍ରକାରେ ତୁମେ କ୍ରିୟାଶୀଳ ହୁଅ, ଏବଂ ଶ୍ରେଷ୍ଠତମ କର୍ମରେ ନିଜକୁ ନିୟଜିତ କରାଅ।
୪-(ଅଘ୍ନ୍ୟା)"ଅ ହନ୍ ୟ" ତୁମ ଠାରେ ଉତ୍ତମ ଅହିଁସାର ସ୍ବରୂପ ପ୍ରକାଶିତ ହେଉ।
୫-(ଇନ୍ଦ୍ରାୟ ଭାଗମ୍ ) ତୁମେ ଇନ୍ଦିୟାଦି ଭୋଗ ବିଳାସ ଠାରୁ ଦୂରେଇ ଇନ୍ଦ୍ରିୟ ସମୁହକୁ ସର୍ବଶ୍ରେଷ୍ଠ କଲ୍ୟାଣକାରକ କର୍ମରେ ନିୟୋଜିତ କରାଅ।
୬-(ପ୍ରଜାବତୀ)ଉତ୍ତମ ପ୍ରଜା ଉତ୍ପନ୍ନ କର।
୭-( ଅନମୀବା)ଶରୀରକୁ ନୀରୋଗ ରଖିବାରେ ଯତ୍ନବାନ ହୁଅ। ଇନ୍ଦ୍ରିୟ ମାନଙ୍କୁ ଅସତ୍ କର୍ମରୁ ନିବୃତ ପାଇଁ ସଚେତନ ହୁଅ।
୮- (ଅଯକ୍ଷ୍ମା) ତୁମ ପ୍ରକୃତିକୁ ଠିକ୍ ମାର୍ଗରେପରିଚାଳିତ କର, ଯାଫଳରେ ରାଜଯକ୍ଷ୍ମା ତୁମ ନିକଟରୁ ଦୁରେଇ ରହିବ।
୯- (ମା ବଃ ସ୍ତେନଃ ଈଶତ) ସ୍ତେନ ଅର୍ଥାତ୍ ବିନାଶ୍ରମରେ ଧନ ଉପାର୍ଜନରେ ମନ ନିବେଶ ନହେଉ। ଜୁଆ ଖେଳିବା, ଲଟେରି, ଅନ୍ୟର ଧନ ଅପହରଣ କରିବା, ଚୋରି କରିବା ଆଦି କର୍ମରୁ ନିଜକୁ ଦୂରେଇ ରଖ।
୧୦-(ଅଘଶଂସଃ) ପାପ କର୍ମ ଠାରୁ ଦୂରରେ ରୁହ।ପାପ କର୍ମକୁ ଉତ୍ତମ ରୂପେ ଚିତ୍ରଣ କରୁଥିବା ବ୍ୟକ୍ତି ଶାସନ କ୍ଷେତ୍ରକୁ ନଆସନ୍ତୁ।
୧୧-(ଧୃବା ଅସ୍ମିନ୍ ଗୋପତୌ ସ୍ୟାତ୍) ଗୋପତୌ ଅର୍ଥାତ୍ ଇନ୍ଦ୍ରିୟ ମାନଙ୍କ ସ୍ବାମୀ ହୁଅ। "ଗୋ" ର ଅନ୍ୟ ଅର୍ଥ ବାଣୀ ଅର୍ଥାତ୍ ବେଦବାଣୀ ର ସ୍ବାମୀ ପରମାତ୍ମାଙ୍କ ନିକଟରେ ମନକୁ ସ୍ଥିର ରଖି ନିବାସ କର।
୧୨- "ବହ୍ନୀ" ବହୁତ ହେବା ଅର୍ଥାତ୍ ଆତ୍ମକୈନ୍ଦ୍ରୀକ ନହୋଇ ତଥା ସ୍ବାର୍ଥ ରହିତ ହୋଇ ସମସ୍ତ ପ୍ରାଣୀଙ୍କ ମଙ୍ଗଳ ଭାବନାରେ ନିଜକୁ ସାମିଲ କରିଦେବା। ' ଏକ ହଂ ବହୁ ସ୍ୟାମ' ମୂଁ ଏକରୁ ବହୁତ ହୋଇଯିବି ଅର୍ଥାତ୍ ସମସ୍ତଙ୍କ ଉପରେ ଆଧିପତ୍ୟ ଭାବନା ଠାରୁ ଦୂରେଇ ରହିବା।
୧୩-"ଯଜମାନସ୍ୟ" ଏହି ସୃଷ୍ଟି ଯଜ୍ଞକୁ ପରିଚାଳନା କରୁଥିବା ମୋର ପ୍ରଭୁ ! ଯଜମାନର (ପଶୁନ୍ ପାହି) କାମ, କ୍ରୋଧାଦି ପଶୁମାନଙ୍କୁ ସୁରକ୍ଷିତ ରଖନ୍ତୁ।ହରିଣକୁ ସୁରକ୍ଷିତ ରଖିବା ଆବଶ୍ୟକ ନାହିଁ କିନ୍ତୁ ସିଂହକୁ ଦୃଢ ପିଞ୍ଜରା ଭିତରେ ରଖିବା ନିହାତି ଆବଶ୍ୟକ ଅଟେ।ସେହିପରି କାମ କ୍ରୋଧାଦି ପଶୁମାନଙ୍କୁ ପ୍ରାର୍ଥନା ରୂପକ ଦୃଢ ପିଞ୍ଜରା ଭିତରେ ରଖିବା ଅାବଶ୍ୟକ ଅଟେ। କାମ ଦ୍ବାରା ପ୍ରଜନନାତ୍ମକ ପରି ପବିତ୍ର କର୍ମ ସମ୍ପାଦନ କରାଯାଇଥାଏ। କିନ୍ତୁ ସେ ଅନିୟନ୍ତ୍ରିତ ହେଲେ ଶରୀରକୁ ତେଜ,ଓଜ ଓ ଶକ୍ତିହୀନ କରିଦେଇ ଥାଏ। କ୍ରୋଧ ଅନିୟନ୍ତ୍ରିତ ହେଲେ ଅନର୍ଥ ର ମୁଳ କାରଣ ସାଜିଥାଏ। "ସତ୍ୟାକାର ତ୍ରୟୋଦଶ"ପ୍ରଭୁଙ୍କଏହି ତେରଟି ଉପଦେଶ ସତ୍ୟ ସ୍ବରୂପ ଅଟେ।
ପଭୁଙ୍କ ଏହି ପ୍ରେରଣାକୁ ଆପଣାଇ ନିଜକୁ ସର୍ବଶ୍ରେଷ୍ଠ କର୍ମରେ ନିୟଜିତ କରିବା ଫଳରେ ପରମ ସ୍ଥାନ ପ୍ରାପ୍ତ ହୋଇଥାଏ। ସର୍ବଶ୍ରେଷ୍ଠ କର୍ମକୁ ହିଁ ଯଜ୍ଞ କୁହାଯାଏ।