STORYMIRROR

BIMALENDU PADHI

Others

4  

BIMALENDU PADHI

Others

ବୈଦିକ ସଂସ୍କୃତିରେ ନାରୀ

ବୈଦିକ ସଂସ୍କୃତିରେ ନାରୀ

2 mins
95


ବୈଦିକ ସଂସ୍କୃତିରେ ନାରୀ ନମସ୍ୟା ତଥା ପୂଜ୍ୟା ଅଟେ। ପ୍ରତ୍ୟେକ ଧର୍ମ କାର୍ଯ୍ୟରେ ତାର ସ୍ଥାନ ସ୍ବାମୀର ଦକ୍ଷିଣ ପାର୍ଶ୍ବରେ ଅଟେ। ସେ ସନ୍ତାନର ପ୍ରଥମ ଗୁରୁ ଅଟେ। ନାରୀ ଭୋଗ୍ୟ ବସ୍ତୁ ନୁହେଁ। ସେ ଗୃହ ରୂପୀ ସାମ୍ରାଜ୍ୟର ସାମ୍ରାଜ୍ଞୀ ଅଟେ। " ଜନନୀ ଜନ୍ମଭୂମି ଶ୍ଚ ସ୍ବର୍ଗାଦପି ଗରୀୟସି", "ମାତା ନିର୍ମାତା ଭବତି", ଏହି ଚିନ୍ତାଧାରା କୁ ନେଇ ବୈଦିକ ସଂସ୍କୃତିରେ ନାରୀକୁ ଉର୍ଦ୍ଧ୍ବ ସ୍ଥାନରେ ସ୍ଥାପିତ କରାଯାଇଛି।


  ଆମ ସଂସ୍କୃତିରେ ନାରୀର ମହାନତାକୁ ନେଇ ବିଭିନ୍ନ ନାମକରଣ କରାଯାଇଛି। ମାତୃଜାତି ସେହି ଶବ୍ଦଗୁଡିକର ପ୍ରକୃତ ଅର୍ଥକୁ ଅବଗତ ହେବା ଉଚିତ। ସେ ନିଜକୁ ବୁଝିବା ସହ ପରିବାରକୁ ଉନ୍ନତ ମାର୍ଗରେ ଅଗ୍ରସର କରାଇଲେ ଉତ୍ତମ ସମାଜ ଗଠନ ହୋଇପାରିବ। ଉତ୍ତମ ମେଧା ସମ୍ପର୍ନ୍ନ ନାଗରିକକୁ ନେଇ ରାଷ୍ଟ୍ର ସମୃଦ୍ଧିଶାଳୀ ହୋଇପାରିବ।


 ନାରୀ ଗୃହରାଜ୍ୟର ନେତ୍ରୀ ଅଟେ। ସେ ଉଚିତ ସମୟରେ ଉଚିତ ନେତୃତ୍ବ ନେଇ ଗୃହ ରୂପୀ ରାଜ୍ୟକୁ ସଜାଡିବାରେ ସହାୟିକା ହୋଇଥାଏ।ସେ ସମସ୍ତଙ୍କ ସହ ମିତ୍ରତା ଆଚରଣ ପୂର୍ବକ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥାଏ। ତେଣୁ ସେ 'ନାରୀ' ପଦବାଚ୍ୟା ଅଟେ।

 ସେ ଗୃହର ଯାବତୀୟ ଭାର ବହନକରି ଚାଲିଥାଏ। ମନ ନିବେଶ ପୂର୍ବକ ପରିବାର ପରିଜନ ତଥା ଅତିଥି ଅଭ୍ୟାଗତଙ୍କ ଉତ୍ତମ ସତ୍କାରରେ ନିଜକୁ ନିୟୋଜିତ କରିଥାଏ। ତେଣୁ ତାର ନାମ 'ଭାର୍ଯ୍ୟା' ଅଟେ।

 ସେ ସର୍ବ ଉତ୍ତମଗୁଣ ଯୁକ୍ତା, ଗୃହର ନିୟନ୍ତ୍ରଣ କର୍ତ୍ତ୍ରୀ ଅଟେ। ଗୃହର ସ୍ଥିତିକୁ ସ୍ଥିର ରଖିଥାଏ। ତେଣୁ ସେ 'ସ୍ତ୍ରୀ' ପଦବାଚ୍ୟା ଅଟେ।

 ପତି ଅବାଟରେ ତଥା ପତନାଭିମୁଖୀ ହେଉଥିବା ଜାଣି ସେ ତାଙ୍କୁ ପତନ ମୁଖରୁ ଉଦ୍ଧାର କରିବା ପାଇଁ ଚେଷ୍ଟିତ ହୋଇଥାଏ। ତେଣୁ ତାର ନାମ 'ପତ୍ନୀ' ଅଟେ।

 ପୁରୁଷ ନାରୀର ଗର୍ଭରୁ ଜନ୍ମ ନେଇଥାଏ। ତେଣୁ ତାର ନାମ 'ଜାୟା' ଅଟେ।

 ସେ ପରିବାରର ମନୋରମା ଅଟେ। ତାର ବଚନର ମଧୁରତାରେ ପରିବାର ପରିଜନଙ୍କ ମନକୁ ଜୟ କରିଥାଏ। ତେଣୁ ତାକୁ 'ରମଣୀ' ବୋଲି କୁହାଯାଇଛି। 

 ନାରୀ ସମସ୍ତଙ୍କ ପୂଜନୀୟା ଅଟେ। ସେ ଭଦ୍ରା, ମହୀୟସୀ, ପୂଜା ତଥା ସତ୍କାର ଯୋଗ୍ୟା ହେତୁ 'ମହିଳା' ପଦଵାଚ୍ୟା ଅଟେ।

 ସେ ସର୍ବ ସୁଲକ୍ଷଣା ହେତୁ ଗୃହର 'ଲକ୍ଷ୍ମୀ' ବୋଲି କୁହାଯାଇଛି। ଗୃହର ମଣି ସଦୃଶା ହୋଇଥିବା ଯୋଗୁଁ ତାକୁ 'ଗୃହିଣୀ' ବୋଲି କୁହାଯାଇଛି। ସବୁ ଧର୍ମକାର୍ଯ୍ୟରେ ତାର ପ୍ରାଧାନ୍ୟତା ହେତୁ ସେ 'ସହଧର୍ମିଣୀ' ପଦବାଚ୍ୟା ଅଟେ।


  ସେ ଗୃହର ସୌନ୍ଦର୍ଯ୍ୟବର୍ଦ୍ଧନ ଅର୍ଥାତ୍ ଗୃହକୁ ସୁନ୍ଦର ଭାବରେ ସଜାଇ ରଖୁଥିବା ଯୋଗୁଁ ତାର ନାମ 'କାନ୍ତା' ଅଟେ। ବାପଘର ଓ ଶ୍ବଶୁର ଘର ଏହି ଦୁଇକୁଳର ହିତ ଚିନ୍ତା କରୁଥିବା ଯୋଗୁଁ ତାର ନାମ ଦୁହିତା ଅଟେ। କୁଳର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି କୁଳକୁ ଧନ୍ୟା କରୁଥିବା ଯୋଗୁଁ ତାର ନାମ 'କନ୍ୟା' ଅଟେ।


   ପୃଥିବୀ ଭଳି ସହନୀୟା ଯୋଗୁଁ ତାର ନାମ 'ମାଆ' ଅଟେ। "ମାତା ନିର୍ମାତା ଭବତି" ଉତ୍ତମ ସନ୍ତାନ ନିର୍ମାଣ କରୁଥିବା ଯୋଗୁଁ ସେ 'ମାତା' ପଦବାଚ୍ୟା ଅଟେ।

   ମାତୃଜାତି ତାଙ୍କ ନିକଟରେ ରହିଥିବା ଏହିସବୁ ଗୁଣକୁ ଜାଣି କର୍ତ୍ତବ୍ଯ ପଥରେ ଅଗ୍ରସର ହେବା ଉଚିତ। ଏହାଫଳରେ ସେହି ନାମକରଣ ସ୍ବାର୍ଥକ ହୋଇପାରିବ। ଘର ସ୍ବର୍ଗରାଜ୍ୟରେ ପରିଣତ ହେବ। ସମାଜ ଓ ରାଷ୍ଟ୍ରକୁ ଉତ୍ତମ ନାଗରିକ ପ୍ରଦାନ କରି ରାଷ୍ଟ୍ରକୁ ଜ୍ଞାନ, ଅର୍ଥ ଓ ମେଧାଶକ୍ତିରେ ସମୃଦ୍ଧିଶାଳୀ କରିବାରେ ସେ ସହାୟିକା ହୋଇପାରିବେ ।


Rate this content
Log in