STORYMIRROR

Anil Kumar Parhi

Inspirational

2  

Anil Kumar Parhi

Inspirational

ଗପ ହେଲେ ବି କଥାଟି ସତ - 18

ଗପ ହେଲେ ବି କଥାଟି ସତ - 18

7 mins
14.9K


ଅନୀଲ କୁମାର ପାଢୀ

ଡବଲ୍ ସେଞ୍ଚୁରୀ

ଟିକେ ସମୟ ଲାଗିଗଲା ଆମକୁ କ୍ରିକେଟ୍ ଖେଳ ବିଷୟରେ ଜାଣିବା ପାଇଁ। ଆମେ ଜଡିଦା ପିଲାଏ ସେତେବେଳକୁ ଗୋଟିଡାବଳରେ ସଶକ୍ତ ଏବଂ ଅପ୍ରତିଦ୍ବନ୍ଦ୍ବୀ। ଏପରି ପାରଦର୍ଶିତାରେ ଆମେ ସନ୍ତୁଷ୍ଟ ଥିଲାବେଳେ କିଏ କାହିଁକି ଆମକୁ କ୍ରିକେଟ ନିଶାରେ ପକେଇଲା ଏହା ଅବଶ୍ୟ ଅନୁସନ୍ଧାନ ସାପେକ୍ଷ! ହେଲେ, ଏହି ଅଧମର ଯାହା ମନେପଡେ ରାଉରକେଲାରେ ରହୁଥିବା ମୋ କକାଙ୍କ ପୁଅ, ସେମାନଙ୍କ ସାଙ୍ଗ କିରଣ ପଣ୍ଡା, ସୁଧୀର ଚାନ୍ଦ ଇତ୍ୟାଦିଙ୍କର ଆମ ଗାଁକୁ ଖରାଛୁଟି କାଟିବା ଅବସରରେ ଆସିବା ସମୟରେ ଏହି ଖେଳ ଆମ ଗାଁକୁ ଅନୁପ୍ରବେଶ କରିଥିଲା। ଆମେ ଗାଁ ପିଲାଏ ଅନୁକରଣରେ ଧୁରନ୍ଧର। ସେମାନଙ୍କ ପରି ଚିକ୍କଣିଆ ବ୍ୟାଟ୍, ବଲ୍ ରେ ଆମେ ସିନା ଖେଳି ପାରିବୁନି, ହେଲେ ଆମ ପାଖରେ ସାଧନ କିଛି କମ୍ ନଥିଲା।

ବେଳେବେଳେ ନଡିଆଗଛରୁ ବାହୁଙ୍ଗାମାନ ଖସୁଥିଲା। ସେହି ବାହୁଙ୍ଗାକୁ କଟୁରୀରେ ଚାଞ୍ଚି ଆମେ ବ୍ୟାଟ୍ ବନେଇଲା ବେଳେ ଶୁଖି ଖସିପଡୁଥିବା ଛୋଟ ନଡିଆ ଗୁଟୁମା, ପିତା ଅସାଡୁଆ, ଶାଲମା ଆଦି ଆମର ବଲ ବନୁଥିଲେ। ଆମେ ଆଗେ ଗାଁ ଦାଣ୍ଡରେ ଖେଳୁଥିଲୁ, ପରେ ଧାନକଟା ପରେ ବିଲକୁ ଚାଞ୍ଚି ଓ ପରେ ଆମ ଗାଁ ପଛରେ ଥିବା ବେହେରାସାହି ପଡିଆରେ ଖେଳିବା ଆରମ୍ଭ କଲୁ।

ଧୀରେଧୀରେ ଆମ ରୁଚିର ପରିବର୍ତ୍ତନ ହେଲା। ଆମମାନଙ୍କ ସହ ଯୋଡିଯାଇଥିଲେ ଆମ ଗାଁର ଦିଗ୍ଗଜ ଖେଳାଳୀ ବ୍ରହ୍ମାନନ୍ଦ, ନନ୍ଦା, କଙ୍କୁଲି ଇତ୍ୟାଦି। ଏହିମାନଙ୍କ ଅନୁସନ୍ଧାନ ଓ ଗବେଷଣା ପରେ ଏକ ନବୀନ ଉପାୟ ବାହାରିଥିଲା। ଆମ ଗାଁର ବଢେଇ ମୂଷାଦାଦି। ମୂଷାଦାଦିର ଘର ପୁଷ୍ଟିସାହିରେ। ସେ ଦ୍ବିପ୍ରହରରେ କାମରୁ ଘରକୁ ଫେରେ। ସେତେବେଳେ ଆମ ଅଞ୍ଚଳରେ ଚାଳଛପର ଘର ଟାଇଲ ଛପର ଘରରେ ବଦଳି ଯିବାର ସମୟ। ଆମ ଗାଁର ପ୍ରଥମ ଟାଇଲ ଛପର ଘର ଶିବଦାଦିର। ତା ଘରକୁ ବନେଇଥିଲେ ମୂଷାଦାଦି ଆଉ ସାନ ରାମ ପଣ୍ଡା।

ମୂଷାଦାଦି ଟିକେ ଗଡପଡ ହୋଇ ଉଠିଲାବେଳକୁ ରବିବାରିଆ ଦ୍ବିପ୍ରହରରେ ଆମେ ମାଟୁ କି ବାଡିପଟୁ ଖୋଜି କାଠ ଗଡ କି ରଦ୍ଦି ପଟା ନେଇ ତା ପାଖରେ ହାଜର। ସେ କେବେ ଆମ ଉପରେ ବିରକ୍ତ ହୁଏନା ଯଦିଓ ଦେହରେ ଅତ୍ୟଧିକ ବାଳ ଯୋଗୁଁ ସେ ଟିକେ ଭାଲୁ ପରି ଲାଗୁଥାଏ। ସେ ବାରିସୀ ଆଉ ଅନ୍ୟ ମିସ୍ତ୍ରୀ ସରଞ୍ଜାମ ଧରି ଆମ ବ୍ୟାଟ୍ ତିଆରିରେ ଲାଗିଯାଏ। ଅଧଘଣ୍ଟାରେ ବ୍ୟାଟ୍ ରେଡି। ଆମେ କଅଁଳିଆ ନାଗାର୍ଜୁନ ଡାଙ୍ଗରେ ଷ୍ଟମ୍ପ ବନାଉ ଓ ବେହେରାସାହି ପଦା ଆଡେ ଗଡିପଡୁ। ବେହେରାସାହି ପଦା ବେହେରାସାହିଆଙ୍କ ଗୋରୁଚରା ପଦା। ପାଖରେ ବେହେରା ସାଇ ପୋଖରୀ। ପୋଖରୀ ଆଡି ମଡାପଦା। ବର୍ଷାଦିନ ପରେପରେ, ଠିକ୍ ଧାନକଟା ସରିବା ପରେପରେ ବେହେରାସାଇ ପଦା ଶୁଖିଯାଏ, ହେଲେ ଗାଈଗୋରୁଙ୍କ ଖୂରା ଚିହ୍ନ ରହିଯାଏ। ଖାଲିପାଦରେ ରନ୍ ରୋକିବାକୁ ତା'ରି ଉପରେ ଆମେ ଯେତେବେଳେ ଦୌଡୁ ଆମ ପାଦ ଲହୁଲୁହାଣ ହୋଇଯାଏ।

ବେହେରା ସାହି ପଦାରେ ଖେଳିବା ପରେ ମୋର କିଛି ସାଙ୍ଗ ବାଦ୍ ପଡିଲେ। ଗଜ, ମନମଥିଆ ଆଉ ପୁନିଆ ପରି କିଛି। ସେମାନଙ୍କୁ କ୍ରିକେଟ୍ ଖେଳ ଶିଖିନାହାନ୍ତି କହି ବହିଷ୍କୃତ କରାଯାଇଥିଲା। ସେମାନେ ରାଗରେ ମୋତେ ଆଉ ଗୋଟିଡାବଳ ଖେଳରେ ମିଶଉନଥିଲେ।

ଗଜଘର ଘର ଆଗ ରାସ୍ତା। ସେଇଟା ଆମ କ୍ରିକେଟ୍ ମଇଦାନ ଥିଲା। ଗୋଟିଏ ପଟେ ଘର ଆଉ ଆରପଟେ କାନକୋଳି, ବରକୋଳି, ଶିଝୁ ଆଉ ଜାହାଜି ଗଛର ବାଡ। ମଝିରେ ଆମ ଖେଳ। ଏଇଠି ଖେଳିବା ଛାଡି ମୁଁ କେବେ ବି ବେହେରାସାଇ ପଡିଆ ଯାଇନଥାନ୍ତି। ହେଲେ, କାଣ୍ଡିସାଇର ମନମଥିଆ ସବୁ ବିଗାଡି ଦେଇଥିଲା। ନହେଲେ, ଜରି ଓ କାଗଜକୁ ସୁତୁଲିରେ ବାନ୍ଧି ଆମେ ବଲ ତିଆରି କରିବାର ସୂତ୍ର ହାସଲ କରିସାରିଥିଲୁ।

ଦିନେ, ଗାଁ ଦାଣ୍ଡରେ ଆମ ଖେଳ ଚାଲିଥାଏ। ମଙ୍ଗିଳିଆ ବ୍ୟାଟିଙ୍ଗ କରୁଥାଏ। ମୁଁ ଫିଙ୍ଗୁଥାଏ ବଲ୍। ମଙ୍ଗିଳିଆ ଦଳ ଆଗେ ବ୍ୟିାଟିଙ୍ଗ କରି ସୁଦ୍ଦୁ ଦଶ ରନ୍ କରିଥାଏ। ଏହି ସମୟରେ ମୁଁ ବଲଟିଏ ଫିଙ୍ଗିଲି ଆଉ ମଙ୍ଗିଳିଆ ( ମନମଥିଆର ଡାକ ନାମ ) ଏତେ ଜୋରରେ ବାଡେଇଲା ଯେ ବଲଟି କେଉଁଠି ବାଡ ଭିତରେ ପଶିଗଲା। ଆମେ ବଲ ଖୋଜୁଥାଉ ଆଉ ଏପଟେ ମଙ୍ଗିଳିଆ ରନ୍ ପରେ ରନ୍ ଦୌଡୁଥାଏ। ଏକ, ଦୁଇ, ଦଶ, ଚାଳିଶି.....। ଆମେ ବାଡଗଛ ବିଦାରି ପକାଉଥାଉ। ବଲ ମିଳୁନଥାଏ ଏଣେ ସେ ଧାଉଁଥାଏ। ଶହେ, ଶହେ ଦଶ, ଶହେ ପଚାଶ......। ବଲ ମିଳିଲା ବେଳକୁ ମଙ୍ଗିଳିଆର ଡବଲ ସେଞ୍ଚୁରୀ। ଗୋଟିଏ ଥର ବଲ ମାରି ଦ୍ବିଶତକ କରିଥିବାରୁ ସେ ଗର୍ବରେ ଚାଲୁଥାଏ। ମୁଁ ପ୍ରତିବାଦ କଲି ଯେ ଏମିତି ରନ୍ ହୁଏନାହିଁ। ମୋ କଥା କେହି ଶୁଣିଲେ ନାହିଁ। ଆମେ ସେଦିନ ମ୍ୟାଚ୍ ହାରିଲୁ ଓ ମୁଁ ଶପଥ କଲିଯେ ନା ଏମାନଙ୍କ ସହ ନୁହେଁ, ବରଂ କଙ୍କୁଲି, ନନ୍ଦା ଆଉ ବ୍ରହ୍ମାନନ୍ଦ ସହ ଖେଳିବି।


Rate this content
Log in

Similar oriya story from Inspirational