DR SAMIR RANJAN BEHERA

Tragedy

4  

DR SAMIR RANJAN BEHERA

Tragedy

ଗେଣ୍ଡାଳିଆ ର ଅନ୍ତର୍ଦହନ

ଗେଣ୍ଡାଳିଆ ର ଅନ୍ତର୍ଦହନ

4 mins
219


ଦୁଇଦିନ ହେଲା ବର୍ଷା ବର୍ଷୁଛି l ପିଲାଗୁଡା କିଛି ଖାଇନାହାନ୍ତି l ବସାଟା ବି ପବନରେ ଅଧା ଭାଙ୍ଗିଗଲା ଯେ କେତେବେଳେ ଖସି ପଡିବ l କିଚିରି ମିଚିରି କରି ବହୁତ ଡହଳ ବିକଳ ହଉଛନ୍ତି l

ବର୍ଷା ଟିକେ କମିଗଲାଣି, ଯାଏ କୁଆଡେ କଣ ଖାଦ୍ୟ ମିଳିବ l ଆଣି ଟିକେ ଛୁଆମାନଙ୍କ ପାଟିରେ ଦେବି l

ଏତେ ବାଟ ଉଡିଲିଣି... କାହିଁ କେଉଁଠି କିଛି ବି ଦିଶୁନି l ହେ ପ୍ରଭୁ କିଛି ତ ଖାଦ୍ୟ ମିଳିଯାଉ l ମୁଁ ଉପାସ ରହେ ପଛେ, ମୋ ଛୁଆ ଗୁଡାଙ୍କୁ ଟିକେ କଣ ଖୁଏଇ ପାରେ l

ମାଆ ଗେଣ୍ଡାଳିଆଟି ଉଡି ଉଡି ତା କଅଁଳା ପିଲା ପାଇଁ ଖାଦ୍ୟ ଖୋଜୁଛି l ଚାରିଆଡେ ଜଳମଗ୍ନ l କିଛି କୁଆଡେ ଦେଖାଯାଉନି l ମାଆ ଗେଣ୍ଡାଳିଆ କଣ ତା ଛୁଆକୁ କିଛି ଖୁଏଇ ପାରିବ l

ଏଇଠି ଗୋଟେ ନଳବଣ ଦେଖାଯାଉଛି l ହଁ ଏଇଠି ନିଶ୍ଚୟ କିଛି ମିଳିଯିବ l ମୁଁ ସେ ବଣରେ ପଶିଗଲି l ଦେଖିଲି ଦୁଇ ତିନିଟା ମାଛ ଚଡ ଚଡ ହେଉଛନ୍ତି l ଯାହାହେଉ ମୋ ଛୁଆମାନଙ୍କ ପାଇଁ ଖାଦ୍ୟ ମିଳିଗଲା l ମୁଁ ଅତି ଖୁସିରେ ମାଛଟାକୁ ଖୁମ୍ପି ଧରିଲି ଆଉ ଉଡିବାକୁ ଉଦ୍ୟତ ହେଲି l ହେଲେ ଏ କଣ ମୋତେ କିଏ ଗୋଟେ ଟାଣି ଧରୁଛି l କାହିଁ କେହି ତ ନାହିଁ l ମୁଁ ଯେତେ ଚେଷ୍ଟା କଲେ ବି ଖସି ପାରିଲିନି l ମୋର ଗୋଡଟା ରୁନ୍ଧି ରୁନ୍ଧି ଯାଉଛି l ଜାଣିବାକୁ ପାଇଲି ଯେ କିଛି ଫାସ ମୋ ଗୋଡ଼ରେ ଲାଗିଯାଇଛି l ମାଛଟାକୁ ସେମିତି ଧରି ବହୁତ ଚେଷ୍ଟା କଲି l ହେଲେ ସବୁ ଅରଣ୍ୟ ରୋଦନ ପାଲଟିଗଲା l ଏହା ଭିତରେ ଦୁଇ ତିନି ଘଣ୍ଟା ହେଇଗଲାଣି l ମୋର ଉତ୍କଣ୍ଠା ବଢ଼ିବାରେ ଲାଗିଲା l ମୋ ପିଲାମାନେ କଣ କରୁଥିବେ l ହେ ଈଶ୍ୱର ମୋତେ ସାହାଯ୍ୟ କର l ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କଲି l ହଠାତ ଦେଖିଲି ଦୁଇ ତିନି ଜଣ ମଣିଷ ମୋ ଆଡକୁ ଆସୁଛନ୍ତି l

ଓହୋ ଯାହା ହେଉ ପ୍ରଭୁ ମୋ ଡାକ ଶୁଣି ମଣିଷକୁ ପଠେଇଦେଲେ ମୋତେ ଉଦ୍ଧlର କରିବେ l

ଭାଇ ଭାଇ ଶୀଘ୍ର ଟିକେ ଖୋଲିଦିଅ l ମୋ ଛୁଆମାନେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି, ମୁଁ ଯାଇ ତାଙ୍କ ପାଟିରେ ଯାଇ ଆଗ କିଛି ଦିଏ l ହେଲେ ଏ କଣ ଏମାନେ ମୋତେ ଖୋଲିବା ବଦଳରେ ମୋ ଦୁଇ ଗୋଡକୁ ବାନ୍ଧିଦେଇ ଗୋଟେ ଅଖାରେ ପୁରେଇ ଦେଲେ l ଆଉ ଖାଲି ହସୁଥାନ୍ତି l

-" ଓହୋ ଆଜି ଗୋଟେ ମସ୍ତ ମାଲଟେ ମିଳିଗଲା l ରାତିରେ ମଜା ଆସିଯିବ l"

ମୁଁ ଚିତ୍କାର କରୁଥାଏ l "ଭାଇନା ମୋତେ ଛାଡିଦିଅ l ମୋର କୁନି କୁନି ଛୁଆ ଚାହିଁ ବସିଛନ୍ତି l ମୋତେ ନପାଇଲେ ସେମାନେ ମରିଯିବେ l ପ୍ଲିଜ ଭାଇନା ତମକୁ ହାତ ଯୋଡୁଛି l ମୋତେ ଦୟା କର l"

ମୋର କିଛି ବି କଥା ତାଙ୍କ କାନରେ ପଡ଼ିଲାଣି ଶେଷରେ ବାନ୍ଧି ମୋତେ ଗୋଟେ ଝଙ୍କl ତଳେ ରଖିଦେଲେ l

ମୁଁ ଖାଲି ମଣିଷମାନଙ୍କ ସ୍ୱର ଶୁଣୁଥାଏ l

-" ଓ ଆଜି ଲଞ୍ଚଟା ଜମିଯିବ l ମସ୍ତ ଗେଣ୍ଡାଳିଆଟେ ଧରା ପଡିଲା

ଆଜି ବଢିଆ ଜମିଯିବ l ଦୁଇକିଲୋ ପାଖାପାଖିରେ ନଟିଆ l ପୁରା ପେଟ ପୁରା ଖାଇବା l"

-" ବାପା, ମୁଁ ବି ଗେଣ୍ଡାଳିଆ ଖାଇବି, ଆଗଥର ମୋତେ କମ ମାଂସ ଦେଇଥିଲ, ଏଥର ବେଶୀ ଖାଇବି l

ମୋତେ ଆଉ ଜାଣିବା ପାଇଁ ବେଶୀ କିଛି ନଥିଲା l ମୁଁ ଜାଣିଯାଇଥିଲି ଯେ ମୁଁ ରକ୍ଷକ ହାତରେ ନୁହଁ ବରଂ ଭକ୍ଷକ ହାତରେ ପଡିଯାଇଛି l ମାନବ ହାତରେ ନୁହଁ ବରଂ ଦାନଵ ହାତରେ ପଡିଯାଇଛି l ହେ ପ୍ରଭୁ ମୋତେ ବଞ୍ଚାଅ l ଏ ରାକ୍ଷସଗୁଡା ମୋତେ ମାରିଦେବେ l

ମୋ ଅନ୍ତର ଜଳୁଥାଏ l ମୋ ଛୁଆ ମାନଙ୍କର ଡାକ ମୋ କାନରେ ପଡୁଥାଏ l ମୋ ଛାତି ଫାଟିଯାଉଥାଏ l ଶରୀର ମୋର ଶକ୍ତିହୀନ ହେଇଯାଉଥାଏ l

"ହେ ମଣିଷ ଭାଇ.. ମୋର ଚାରିଟା କଅଁଳା ଛୁଆ ଅଛନ୍ତି ମୋତେ ମାରନି... ତମର ଧର୍ମ ହେବ l ମୋତେ ବଞ୍ଚେଇ ଦିଅ l

କିଛି ସମୟ ପରେ ମୋତେ ସେ ଝଙ୍କା ଭିତରୁ ଘୋଷାରି ଆଣିଲେ l ମୁଁ ଛାଟିପିଟି ହେଉଥାଏ l ଆଉ ବିକଳରେ ଚିତ୍କାର କରୁଥାଏ-

ହେ ଭାଇ ମୋତେ ଛାଡିଦିଅ, ମୁଁ ମୋ ଛୁଆମାନଙ୍କୁ ଥରେ ଦେଖି ଆସି ପୁଣି ଫେରି ଆସିବି l ହାତ ଯୋଡୁଛି, ଗୋଡ ଧରୁଛି l ମୋ ଛୁଆମାନେ ଭୋକରେ ଡହଳ ବିକଳ ହଉଛନ୍ତି l ସେମାନେ ମରିଯିବେ l

ହଠାତ ମୋ ବେକ ରୁନ୍ଧି ହେଇଗଲା l ନିଃଶ୍ୱାସ ଅଟକି ଗଲା l କିଛି ଧାରୁଆ ଅସ୍ତ୍ର ମୋ ଶରୀରକୁ କାଟିବାରେ ଲାଗିଲା l ବାସ୍... ଶେଷ ହେଇଗଲା............

କିନ୍ତୁ ହଠାତ ମୁଁ ଉଡିବାରେ ଲାଗିଲି, ଆଉ ସିଧା ମୋ ଛୁଆ ପାଖରେ ପହଞ୍ଚିଲି l ସେଠି ଦେଖିଲି ମୋର ଦୁଇଟା ଛୁଆ ମରିଯାଇଥିଲେ, ଆଉ ଗୋଟେ ଖାଲି ଡହଳ ବିକଳ ହେଇ ମୋତେ ଖୋଜୁଛି l

-" ଆଉ ବ୍ୟସ୍ତ ହୁଅନି ଧନମାନେ ମୁଁ ଆସିଗଲିଣି l ତମର ଆଉ କିଛି ଅସୁବିଧା ହେବନି l ଏ କଣ ମୁଁ ମୋ ଛୁଆମାନଙ୍କୁ ଛୁଇଁ ପାରୁନି l ଉଡ଼ିଗଲି କିଛି ଖାଦ୍ୟ ପାଇଁ... ହେଲେ ମାଛ ବି ଛୁଇଁ ପାରୁନି l

ମୋର ଆଉ ଜାଣିବାକୁ ବାକି ନଥିଲା, ଯେ ମୁଁ ଆତ୍ମା ହେଇ ସାରିଥିଲି l ସେ ନର ରାକ୍ଷସମାନେ ମୋ ଶରୀରକୁ ଖିନ୍ ଭିନ୍ କରି ଝୁଣି ଝୁଣି ଖାଇଯାଇଛନ୍ତି l

ମୋ ଛାତି ଫାଟି ଉଠିଲା.... ମୋ ହୃଦୟ ଦଗ୍ଧୀଭୂତ ହେବାରେ ଲାଗିଲା

" ହେ ପ୍ରଭୁ.. କାହିଁକି ଆମ ପଶୁ ପକ୍ଷୀ ପାଇଁ ଏତେ ଅନ୍ୟାୟ... କାହିଁକି ଆମକୁ ବଂଚିବାର ଅଧିକାର ଦେଇନ....

ମୋ ଛୁଆମାନେ କି ଅନ୍ୟାୟ କଲେ...

କାହିଁକି ତାଙ୍କୁ ଦଣ୍ଡ ଦେଲ.....

କାହିଁକି ମୋତେ ରକ୍ଷା କଲନି l ଶହେ କୋଷରୁ ତ ଗଜ ଡାକ ଶୁଣି ତାକୁ ରକ୍ଷା କରିଥିଲ.... ତାହେଲେ ମୁଁ କି ପାପ କରିଥିଲି, ମୋ ଡାକ କାହିଁକି ଶୁଣିଲନି l

ଆମ ଜୀବନ କଣ ଏମିତି ଅନ୍ୟର ଆମୋଦ ପ୍ରମୋଦ ପାଇଁ.....

ଆମ ଜୀବନ କଣ ଅଦିନରେ ଝଡ଼ିବା ପାଇଁ....

ଆମ ଜୀବନରେ କଣ ଖୁସି ହସ ପରିବାର ଛୁଆ ବାପା ମାଆ କିଛି ନାହିଁ l ତାହେଲେ କାହିଁକି ଆମକୁ ଛୁଆ ଜନ୍ମ ପାଇଁ ଆସିର୍ବାଦ କରୁଛ l କାହିଁକି ଏ ଭାବପ୍ରବଣ ଡୋରୀରେ ବାନ୍ଧି ଦେଉଛ l

ଉତ୍ତର ଦିଅ ପ୍ରଭୁ ଉତ୍ତର ଦିଅ... ତମକୁ ଏ ମାଆ ଗେଣ୍ଡାଳିଆର ରାଣ l ଆଉ ଯଦି ନିରବ ରହୁଛ ତାହେଲେ ଧ୍ୱଂସ କରିଦିଅ ଆମ ପକ୍ଷୀ ପଶୁକୁ l ମୁକ୍ତି ଦେଇ ଦିଅ..... ତମ ଶ୍ରୀଚରଣରେ ଲୀନ କରିଦିଅ l"



Rate this content
Log in

Similar oriya story from Tragedy