ଗଛ
ଗଛ
ସୁନେଲି ଆକାଶରେ ଲାଲ ସୁରୁଯର କିରଣ ସକାଳକୁ ଚମକାଇ ଦେଉଛି ।କାକଳିର ଗୁଞ୍ଜରଣ ଦିନଟିର ସୁନ୍ଦରତାରୁ ସୂଚାଇଦେଉଛି ।ଶଶାଙ୍କବାବୁ ଆନନ୍ଦ ମନରେ ଘରୁ ବାହାରୁଛନ୍ତି ସବୁଦିନ ପରି ନିତ୍ୟକର୍ମ କରିବାକୁ । ହଠାତ୍ କାନକୁ ଅସ୍ତବ୍ୟସ୍ତ କରି ପକାଇଲା ଫଗୁଆର ଭୀମ ରଡି ,ଅଶ୍ରାବ୍ୟ ଭାଷାର ଗର୍ଜନ ଗାଳି ।
- କି ଗଛ ଲଗେଇଚି ଯେ ଘରଦ୍ୱାର ପତର । ସୁନା ଫଳୁଛି ଏଥିରେ । ଯେତେ କହିଲେ ହାଣୁନି
- ଆରେ ସୁନା ନଫଳୁ ,ଛାଇ ତ ପାଉଛୁ । ତୋ ଛୁଆପିଲା ଛାଇରେ ଖେଳୁଛନ୍ତି । ତୁ ଛାଇରେ ସାଇକେଲ,ଗାଡି ଥୋଉଛୁ ।
- ଗଲା ସେଇଠୁ ।ତୁ ଓଳୋଉନୁ ଏସବୁ ।ତୋ ଗଛ ତୋ ଫଳ ।ଆଉ ପତର ଓଳେଇବି ମୁଁ ।
- ତୁ ଚଳୁଛୁ ଆଉ ମୁଁ ଓଳେଇବି । ପୁଣି ତୁତ ଦେଖୁଛୁ ମୁଁ ତ ଜଞ୍ଜାଳି ଲୋକ , ସମୟର ଅଭାବୀ
- ମୁଁ ଏତେ କଥା ଜାଣେନା । ଗଛ କାଟିବୁ ତ କାଟେ ନହେଲେ ଦେଖିବୁ
- କଣ ଦେଖେଇବୁ ...?
ଚାଲିଲା ମହାଭାରତ ,ରକ୍ତର ହୋଲି ।ସୁନେଲି ସକାଳ ଲାଲ ମଧ୍ୟାହ୍ନରେ ତାତି ଉଠିଲା । ସବୁଜ ପତ୍ର ରକ୍ତଜବା ହୋଇଉଠିଲା । ହାହାକାର ଶବ୍ଦରେ ଗାଁ ଦାଣ୍ଡ ଦୋହଲି ଗଲାଣି ।ଉଭୟ ପରିବାର ଶ୍ରୀହୀନ,ନିଶ୍ଚିହ୍ନ ଆଜି ।
କୋଟ ବାରଣ୍ଡା । କାଉ ପଲପଲ । ଚୁଙ୍ଗୁଲିଆ ,ମିଛୁଆଙ୍କ ଆଡାସ୍ଥଳୀ। ସାକ୍ଷୀଙ୍କୁ କେତେ ରକମରେ ମିଛସତ କହିବାର କୌଶଳ ବୁଝାଇବାରେ ଲାଗିପଡିଛନ୍ତି ୪-୫ ଓକିଲ । ଜଜ୍ କଣ ପଚାରିବ ? କେମିତି ଉତ୍ତର ଦେବ ? ଓଲଟା ସିଧା ପ୍ରଶ୍ନର ଉତ୍ତର କେମିତି କେମିତି ଇତ୍ୟାଦି ଇତ୍ୟାଦି ।ମୁଁ ପାତି ବସିଛି ଫଗୁଆ । ଆଉ ତା ଭୀମ ଚେହେରା ନାହିଁ । ଶୁଖି କଳାକାଠ ପଡିଲାଣି । ଆଖିର ପାଣି ମଲାଣି ତାରିଖ ଦୌଡିଦୌଡି ।ଡାକ୍ତରଖାନାରୁ କୋଟ ,କୋଟରୁ ଡାକ୍ତରଖାନା । ଚାରିମାସ ହେଲା ଗାଁ ଦେଖିନି । ପୁଅଟା ଦେହରେ ତିନି ଲକ୍ଷ୍ୟ ଗଲାଣି ଅଣ୍ଟା ସଳଖୁନି । ଆଖିଆଗରେ ନାଚି ଉଠୁଛି ସେ କରାଳ ଦୃଶ୍ୟ ....।
ଯଦୁ ଓକିଲ ଶିରସ୍ତା । ଆଁ କରି ବସିଚି ଶଶାଙ୍କ । ହସହସ ମୁହଁ ଆଉ ନାହିଁ ,କଳା ବାଦଲ ଘୋଡେଇ ଦେଇଛି ।ଟିକେ ରାଗରୁ ଆଜି ଏ ଦଶା । ସାନ ଭାଇ ପାଗଳ ସଦୃଶ । ତାଳୁରେ ରକ୍ତ ଜମାଟ ବାନ୍ଧିଥିଲା ,ଆଉ କ୍ଷଣେ ବିଳମ୍ବରେ ପ୍ରାଣ ଚାଲି ଯାଇଥାନ୍ତା । ଲକ୍ଷ୍ମୀ କିଆରୀ ବିକି ପାଞ୍ଚ ଲକ୍ଷ ଲଗେଇ ଅପରେସନ ହୋଇଛି । ନିଜ ଛୁଆକୁ ଜାଣି ପାରୁନି ସେ ।ଏସବୁ ଭାବି ଚିତ୍କାରୀ ଉଠିଛି ସେ । ଏ ମୁଁ କଣ କରିଦେଲି ...।
ଯଦୁ ଓକିଲ ଭାରିଭଲ ଲୋକ ସେ । ଗରୀବଗୁରୁବାଙ୍କୁ ନ୍ୟାୟ ଦେବାରେ ଜଣେ ନାଁକରା ସେ । ଦୁଇ ଜଣଙ୍କ ମୀମାଂସା କରେଇଛନ୍ତି ସେ । ତୁଟିଛି ଗଛ ରହିବନି କାହା ବାଡିରେ । ଉଭୟ ପାଚେରୀ କାନ୍ଥ କରିବେ । ତାହା ହିଁ ହୋଇଛି । ନା ଆଉ ପଡୁଛି ପତର ,ନା ହେଉଛି କଳି । ଆଉ ସକାଳୁ ଶୁଭୁନି ପକ୍ଷୀର ମଧୁର କିଚିରିମିଚିରି ସ୍ୱର । ହେଲେ ଖରାହେଲେ ସମସ୍ତେ ଝୁରୁଛନ୍ତି ଛାଇ । ନିଶ୍ଚିହ୍ନ ଆଜି ଗଛ ।