ସ୍ୱପ୍ନ ହେଲେ ବି ସତ
ସ୍ୱପ୍ନ ହେଲେ ବି ସତ


ମନୋରଂଜନ ବାବୁ ଜଣେ ସରଳ , ଉଚ୍ଚ ଶିକ୍ଷିତ,ଭଦ୍ରବ୍ୟକ୍ତି ଭାବରେ ପାଞ୍ଚଖଣ୍ଡ ଗାଁରେ ବେଶ୍ ପରିଚିତ । ସ୍ୱଭାବରେ ଟିକେ ବଦରାଗୀ ହେଲେବି ତାଙ୍କ ଦେହରେ ଅନ୍ୟାୟ,ଅନୀତି ଯାଏ ନାହିଁ । ସବୁବେଳେ ତାଙ୍କର ରୋକଠୋକ କଥା । ଯେଡେବଡ ଦୁର୍ଦ୍ଦାନ୍ତ, ଧନଶାଳୀ ବ୍ୟକ୍ତି ଅନ୍ୟାୟ କରିଥିଲେ ତା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ସେ । କେବେ ବି ଅନ୍ୟାୟ ଆଗରେ ହାରିଯାଇ ନାହାଁନ୍ତି ସେ । ଗାଁର ପ୍ରତ୍ୟେକ ଜାନିଯାତ୍ରା, ପର୍ବପର୍ବାଣି ଭଲମନ୍ଦରେ ଆଗରେ ମନୋରଂଜନ । ଈଶ୍ୱର ଭକ୍ତି ଯେପରି ଦରିଦ୍ର ଦୁଃଖି ରଙ୍କିଙ୍କ ପ୍ରତି ମମତା ବି ସେମିତି । ନିଜ ପାଖରେ ଯାହା ବି ଥାଏ ଅନ୍ୟକୁ ଦେବାରେ ସେ ଆନନ୍ଦ ପାଆନ୍ତି ।
ଆଜିକାଲି ଭାରତରେ ଆଉ ଋତୁ ପରିବର୍ତ୍ତନ ଠିକ୍ ରେ ହେଉନି ।କେବେ ଆଶାଢ ଶ୍ରାବଣରେ ବସୁଧା ଫାଟି ଆଁ କରୁଛିତ ଆଉକେବେ ବୈଶାଖମାସରେ ବାତ୍ୟା ,ଲଘୁଚାପ। ମଧୁସୂଦନଙ୍କ ଛଅ ଋତୁ ବାରମାସର ଗୀତ ଯେମିତି ବଦଳୀଗଲାଣି । ତିନି ଋତୁକୁ ଛାଡି ଆଉ ତିନି କୁଆଡେ ପଳେଇଲେଣି । ପ୍ରାକୃତିକ ବିପର୍ଯ୍ୟୟ ଆଉ ଓଡିଶା ଛାଡୁନି । ଗଲା ପାଞ୍ଚ ସାତ ବର୍ଷହେଲା ହୁଡୁହୁଡୁ, ତିତିଲି, ଫନି ପରି ବାତ୍ୟାର କଷଣ ସହିସହି ଓଡିଆ ଜାତି ଦୁର୍ବଳହୋଇଗଲାଣି । ତଥାପି ଏ ବୀରଜାତି ଲଢିଛି ଲଢୁଛି ଆଉ ଲଢୁଥିବ ସେଥିରେ ତିଳେ ମଧ୍ୟ ସନ୍ଦେହ ନାହିଁ । ସବୁ ବର୍ଷପରି ଏ ବର୍ଷ ଗ୍ରୀଷ୍ମର ପ୍ରଭାବ ବହୁତ ବେଶି ତା ସାଙ୍ଗକୁ ମହାମାରୀ କରୋନା ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରିପକାଇଛି । ସରକାର ସମଗ୍ରଦେଶକୁ ତାଲାବନ୍ଦ କରି ରଖିଛନ୍ତି । ଚାରିଆଡେ ପ୍ରବାସୀ ଶ୍ରମିକଙ୍କର ଦାରୁଣ ଚିତ୍କାର । ସରକାର ପାରୁପର୍ଯ୍ୟନ୍ତେ ସମସ୍ତଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ।
ବୈଶାଖମାସ ଖରା ମନୋରଂଜନ ବାବୁ କ୍ଷେତ କାମସାରି ଘରକୁ ଫେରିଛନ୍ତି । ଘରେ ବାସି ପଖାଳ ତୋରାଣୀ ସାଙ୍ଗକୁ କଞ୍ଚାଆମ୍ବ ଛେଚା,ବିରିବଡି ଚୁରା ମାଆ ବାଡିଦେଲେ । ଆହଃ ସତେ ଅବା ଗରୀବର ଅମୃତ ପଖାଳ ତୋରାଣୀ। ବଡବଡ ହୋଟେଲର ନାମୀଦାମୀ ଖାଦ୍ୟ ତୁଚ୍ଛ ତା ଆଗରେ । ପୁଣି ଆମ୍ବ ଚଟଣି , ତା କଥା କହିଲେ ନସରେ । ଟିପେଟିପେ ଚଟଣିରେ ମୋର ତ ଦେଢବେଲା ଭାତ ଉଠିଯାଏ । ପଖାଳ ତୋରାଣୀ ମନ୍ଦେକ ପେଟକୁ ଥଣ୍ଡା । ମନୋରଂଜନ ପଖାଳ ଖାଇସାରି ବାହାରିଲେ ବାଡିରେ ଥିବା ଆମ୍ବଗଛମୂଳକୁ । ଦୌଡିଆ ଖଟଟି ପକେଇଦେଇ ନିଶ୍ଚିନ୍ତା ନିଦରେ ଶୋଇଗଲେ ସେ । କେତେବେଳେ ଅଖି ଦି ଟା ବୁଦିହୋଇଯାଇଛି ତାହା ତାଙ୍କୁ ଜଣା ନାହିଁ । ଆଖିଆଗରେ ଭାସିଆସିଛି ଅନେକ କଥା । ହଠାତ୍ ତାଙ୍କୁ ଦୃଶ୍ୟମାନ ହେଲା ..
ଗାଁ ମୁଣ୍ଡରେ ବଡପାଟ ଦଣ୍ଡା । ଦଣ୍ଡାକଡ ବରଗଛମୂଳେ ବିଜେ ମାଅ ଗୋଜବାୟାଣୀ । ମନ୍ଦିରକୁ ଲାଗିଛି ବଡ ଚାନ୍ଦେନୀ । ସେ ସେଠାକୁ ସବୁଦିନ ଯାଆନ୍ତି । ଘଣ୍ଟେ ଦି ଘଣ୍ଟା ବସନ୍ତି ।ବଡପାଟ ପାଣି ଭାରିଥଣ୍ଡା ସେଠିଟିକେ ବୁଡ ନପକେଇଲେ ଶାନ୍ତିଲାଗେ ନାହିଁ । ସେଦିନ ସେ ସାଇକେଲଟି ଧରି ଯାଇଛନ୍ତି । ସଡକଦାଢରେ ରଖି ଚାନ୍ଦେନୀ ଉପରେ ବସିଛନ୍ତି । ହଠାତ୍ ଘଟିଲା ଏକ ବଡ ଅଘଟଣ । ଯଦୁ ରାଜନେତା ପୁଅ ରାଘବ ନିଜର ବାଇକ ଧରି କ୍ଷିପ୍ରବେଗରେ ଆସିଲା । ସାଇକେଲଟିକୁ ଏତେ ଜୋରରେ ଧକ୍କାଦେଲା ଯେ ସାଇକେଲ ଚୁରମାର। ରହରହ କହୁକହୁ ସେ ଜାଗା ଛାଡି ଚମ୍ପଟ । ଫୋନକରି ତାକୁ ପଚାରିବାରୁ ନାନା କଳିର ଆରମ୍ଭହେଲା । ପ୍ରଥମେ ରଘୁ ନାନା ଅସଭ୍ୟ ଭାଷାରେ ଗାଳିଗୁଲଜ କଲା । ନିଜର ଦୋଷମାନିବାକୁ ନାରାଜ । ଡରେଇବାକୁ ଯାଇ ମନୋରଂଜନ ତାକୁ ମାରିବାର ଭୟ ଦେଖାଇଲେ । ପଞ୍ଚାୟତରେ ପକାଇବାକୁ କହଲେ ।ବାସ୍ ଏତିକି କଥା ।
ଗାଁ ସରପଞ୍ଚ ଲକ୍ଷ୍ମୀଧରବାବୁ । ଭାରୀ ଭଲଲୋକ । ତାଙ୍କୁ ଯାଇ କଥାଟି ଜଣାଇଛନ୍ତି ମନୋରଂଜନ । ଏତିକିବେଳେ ସୁକୁଲୁ ଚିତ୍କାର କରିକରି ସେଠି ପହଁଚିଛି । ଟିଭିରେ କୁଆଡେ ତାଙ୍କ ଗାଁ ନାଁ କହୁଛି । ସମସ୍ତେ ଟିଭି ଖୋଲି ଦେଖୁଛନ୍ତି । ବଡବଡ ଅକ୍ଷରରେ ଲେଖୁଛି " ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ମନୋରଂଜନ ପ୍ରଧାନ ଜଣେ ବ୍ୟକ୍ତିଙ୍କୁ ମାରିଦେବାର ଧମକ ଦେଇଛନ୍ତି । ରେକଡିଂକୁ ଭଲକରି ଶୁଣି ନିଅନ୍ତୁ ।" ସମସ୍ତେ ହତଚକିତ । ଗୋଟେ ପଟର ବୟାନ ବାଜୁଥିଲା ରେକଡିଂରେ ।
ପୋଲିସ କେସ ହେଲା , କିଛି ନବୁଝି ପୋଲିସ୍ ବାନ୍ଧିନେଲେ ମନୋରଂଜନଙ୍କୁ । କୋଟରେ କେତେ ଯୁକ୍ତିତର୍କ କଲେ ଓକିଲମାନେ । କେତେ ସାକ୍ଷୀ ପ୍ରମାଣ ଖୋଜାପଡିଲା ହେଲେ ରେକଡିଂକୁ ଆଧାରକରି ନ୍ୟାୟପାଳିକା କହିଲେ" machine can not say lie " ।ଏହି ନ୍ୟାୟରେ ସଜାହେଲା । ଜେଲରେ ରହିଲେ ମନୋରଂଜନ ।
ମହାଆନନ୍ଦରେ ରାଘବ ମାଂସ ମଦର ଆୟୋଜନ କରିଛି । ଦି ଚାରୋଟି ମଦୁଆଙ୍କୁ ଧରି ମଦମାଂସ ଭକ୍ଷଣ ଚାଲିଛି । ଅନ୍ୟାୟର ବିଜୟ ହୋଇଛି । କଙ୍କଡାକୁ ଗୋଳିପାଣି ସୁହାଇଛି । ଭାଷା, ଅଭାଷା କୁଭାଷାରେ ଫାଟିପଡୁଛି ସେ ସ୍ଥାନ ।ସମସ୍ତେ ନିଶାରେ ଚୁର୍ ମଦୁଆ ଭିତରୁ ଜଣେ ପଚାରୁଥାଏ ଆରେ ସେ ଘଟଣା କଣ କିରେ , ସେ ଶଳା ଜାଣିପାରିଲାନି ଫସିଗଲା । ବୟାନବାଜି ଆରମ୍ଭକଲା ରାଘବ । ଘଟିଥିବା ସବୁକଥା ଓଗାଳି ଦେଲା ନିଶାରେ । ଏସବୁର ଭିଡିଓ ରେକଡିଂ କରୁଥିଲେ CBI ଅଫିସର । ପୋଲିସ ବଳଧରି ରାଘବକୁ ନେଇଗଲେ ଥାନାକୁ । ନିସ୍ତୁକ ପିଟିଚାଲିଲେ ତାକୁ । ଚିତ୍କାରରେ ଫାଟିପଡିଲା ଥାନା । ଚିତ୍କାର ଶୁଣି ଉଠିପଡିଲେ ମନୋରଂଜନ । ଦେଖିଲେ ପାଖରେ ବିଲେଇଟା ବୋବୋଉଛି .......................