Manas Kumar Behera

Tragedy Inspirational


3  

Manas Kumar Behera

Tragedy Inspirational


ପଥର ତଳର ମଣିଷ

ପଥର ତଳର ମଣିଷ

5 mins 8 5 mins 8

ହରିହର ପ୍ରଧାନ।ବୟସ ତିନି କୋଡି ଡେଇଁଲାଣି। ପତଳା ଡେଙ୍ଗା ଶରୀର। ଗୋଲଗୋଲ ଆଖି ଡୋଳା କାଚବାଟିପରି ଦିଶିଲାଣି । ମୁଣ୍ଡବାଳଗୁଡାକ ଦରପଚିଲା ,କାଶ ତଣ୍ଡିପରି ଅଗଗୁଡାକ ଧଳା ପଡିଗଲାଣି । ଚାରି ପ୍ରାଣୀର କୁଟୁମ୍ବ ତାର । ପିଲା ପିଲି ପାଳି ନାହାଁନ୍ତି ।ପୁଅଟି ଦଶମଶ୍ରେଣୀ ପରୀକ୍ଷା ଦେଇଛି । ସାନ ଝିଅର ସପ୍ତମ । ଦୁହେଁ ଭାରି ଭଲ ପଢନ୍ତି । ଯେତେ ଯାହା କଷ୍ଟ ପଡୁପଛେ ପିଲା ଦି'ଟାକୁ ମଣିଷ କରିବାକୁ ବୁଢା ଢେର ସ୍ୱପ୍ନ ଦେଖୁଛି । ବୟସର ଅପରାହ୍ଣରେ ବୁଢା ଗାଁ ଗାଁ ବୁଲି ମୁଢି,ମଟର, ବୋଟ ବିକୁଛି । ଦି'ପଇସା ନେଲେ ଚାରିପ୍ରାଣୀ ମୁହଁରେ ଦାନାଟିକେ ଦିଏ । ତା ସ୍ତ୍ରୀ ରମାମଣି , ରୋଗିଣା ମଣିଷ ,କାଶ ଶ୍ୱାସ ବେମାରୀଟା ତାକୁ ଧରିଛି । ବୁଢା କେତେ ମେଡିକାଲ ବୈଦ୍ୟ ନଦେଖେଇଛି ହେଲେ ଯୋଉଆକୁ ସେଇଆ । ଦିନକୁଦିନ ବଢୁଛି ହେଲେ କମିବାର ନାଁ ଧରୁନି । ଔଷଧ ପତର ପାଇଁ ମାସକୁ ହଜାରେ ଟଙ୍କା ଯାଉଛି ଆଉ ଯାହା ରୋଜଗାର ଶାଗଭାତରେ ବୁଢାର ଶେଷ । ସବୁଦିନ ବେପାରକୁ ଗଲେ ଡାଲି,ଚାଉଳ,ପରିବା କିଣି ଆଣେ ହରିହର। ଯୋଉଦିନ ବେପାର ବନ୍ଦ ସେଦିନ ଖାଡା ଉପାସରେ ପରିବାରଟା ରହେ । କୋଉ ବିଲ ବାଡି ଅଛି ଯେ ତୋଳି ଆଣିଲେ ଖାଇବ । ସରକାରୀ ଯୋଜନା ତା'ପାଇଁ ସାତସପନ । ମାଗଣା ଖାଦ୍ୟଯୋଜନା ରାସନ କାର୍ଡ ଖଣ୍ଡେ ବି ନାହିଁ । ଷାଠିଏ ଡେଇଁଥିଲେ ବି ଭତ୍ତାପାଇବାରୁ ସେ ବଞ୍ଚିତ । କୁଜିରାଜନେତାଙ୍କ ପେଟରୁ ବଳିଲେ ତ ଗରୀବ ଗୁରୁବା ପାଇବେ । ତାଙ୍କୁ ତ ନିଅଣ୍ଟ । ୟା କଥା ପଚାରେ କିଏ ?


ପ୍ରଧାନ ଘର ବଂଶଜ ସେ ।ଭାରୀ ସ୍ୱାଭିମାନୀ। ପୂର୍ବକାଳରେ ରାଜାରାଜୁଡା ସମୟରେ ତା ପୂର୍ବଜଙ୍କର ଗାଁରେ ଦାଢ କାଟୁଥିଲା ।ସହସ୍ର ହଜାର ହଜାର ଏକର ଜମିଥିଲା ତାଙ୍କର । କେତେ ମୂଲିଆ ଚାକର ତାଙ୍କ ଦୁଆରେ ଖଟନ୍ତି । ତା ଜେଜେ ଆର୍ତ୍ତତ୍ରାଣ ପ୍ରଧାନ ଭାରି ସଚ୍ଚୋଟ ମଣିଷଥିଲେ । ଇଂରେଜ ବିରୋଧରେ ଅନେକ ଥର ଲଢେଇ କରି କାରାବରଣ କରିଥିଲେ ସେ। ଗରୀବ ଗୁରୁବାଙ୍କୁ ବହୁତ ଭଲପାଆନ୍ତି ସେ। ଅମାରଅମାର ଧାନ ଚାଉଳ ବାଣ୍ଟି ଦିଅନ୍ତି । ଅନ୍ନଛତ୍ର ଖୋଲିଦିଅନ୍ତି ଭୋକିଲାଙ୍କ ପାଇଁ । ଭୂଦାନ,ଗ୍ରାମଦାନ ଆନ୍ଦୋଳନରେ ସବୁ ଜମାବାଡି ଦାନ କରିଦେଇଥିଲେ ।ଆଉ ଯୋଉ ଖଣ୍ଡେଅଧେ ଥିଲା ତାକୁ ବାପା ମଦ ପିଇ ପିଇ ସାରିଦେଲେ । ଶେଷରେ ସେ ବି ଅଧାବୟସରୁ ସଂସାର ଛାଡିଥିଲେ ।ସେତେବେଳକୁ ହରିହରକୁ ଦଶ ବର୍ଷ ବୟସ ହୋଇଥାଏ । ସେଇ ଦିନୁ ହରିଆ ମହାଜନରୁ ମୂଲୀଆ ହୋଇଛି । ଘରଘର ବୁଲି କାମ ପାଇଟି କରିଛି,ମେଣ୍ଡା ଗାଈ ଚରେଇଛି । କେବଳ ଚାଖଣ୍ଡେ ପେଟ ପାଇଁ ।


ଏଇ କେତେ ବରଷ ହେଲାଣି ହରିହର ମୁଢି,ମଟର,ବୋଟ ବ୍ୟବସାୟ କରୁଛି । ସେଥିରେ ଯେତିକି ମିଳିଲା ସେତିକିରେ ତା ଘରସଂସାର ଗୋଟେ ପ୍ରକାର ଚଳିଯାଉଛି । ସବୁଦିନ ସକାଳୁ ସକାଳୁ ଆସି ଆମ ଦୁଆରେ ହାଜର ହୁଏ । ଆମ ସାହି ସାରା ପ୍ରାୟ ସମସ୍ତେ ମୁଢି ସକାଳ ସଞ୍ଜରେ ଖାଆନ୍ତି । ପାଶ୍ଚାତ୍ୟ ଦେଶର ବିସ୍କୃଟଠାରୁ ଆମ ଦେଶୀମୁଢି ବହୁତ ଭଲ । ଆମେ ୟାକୁ ଭାରତୀୟ ବିସ୍କୃଟ ବୋଲି କହୁ । ହାତକୁ ଖସ୍ ଖସ୍ ପାଟିକୁ ମଚ୍ ମଚ୍ ଲାଗେ । ଏଥିରେ ସୋରିଷ ତେଲ,କଞ୍ଚାଲଙ୍କା ଖଣ୍ଡ ,ପିଆଜ ଚୁନଚୁନ କରି ମିଶିଇଦେଲେ ଭିଟାମେରୀ ବିସ୍କୃଟ ବି ତା ସରି ହେବନି । ପ୍ରତିଦିନ ଦି ଚାରି ସେର ମୁଢି,ସେରେ ବୋଟ ଦେଇଯାଏ ହରି। ସଂଜବେଳେ ଅଗଣାରେ ବସି ଭାରି ଆନନ୍ଦରେ ଖାଏ । ଏଇ କେତେ ଦିନ ହେଲା ସେ ଆଉ ଆସିନି , ଲକ ଡାଉନ ହୋଇଛି ବୋଲି। ମୁଁ ବି ଆଉ ମୁଢି ଖାଇବାକୁ ପାଇନି । ମିକ୍ସର, ବିସ୍କୃଟରେ ଚଳଉଛି ହେଲେ ମୁଢି ମଜା ଏ ସବୁ ଦେଇ ପାରୁନି ।


"ମାଆ ମୁଢି ରଖିବ ମୁଢି " - ଦି ଚାରିଥର ଆମ ଦୁଆରେ କେହି ଡାକିଲା ପରେ ମୁଁ ଓ ମୋ ମାଆ ବାହାରକୁ ଗଲୁ । ସେଠି ଯାହା ଦେଖିଲି ମୁଁ ନିଜକୁ ବିଶ୍ୱାସ କରିପାରିଲିନି । ଯେମିତି କେହି ଜଣେ ଶହେ ବର୍ଷ ଯାଏଁ ଉପବାସରେ ଥିବା ମଣିଷ । ମୁଁ ଚିହ୍ନି ପାରିଲିନି ପ୍ରଥମେ ପ୍ରଥମେ । ଅନ୍ନାହାର କ୍ଲିଷ୍ଟ ମୁହଁ । ଦେହସାରା ହାଡରେ ଛାଉଣୀ ହୋଇଛି । ଥରଥର ଶରୀର । ଓଠ କଳା ପଡିଯାଇଛି ।ଆଖି ଡୋଳା କାଚବାଟି ପରି ଦେଖାଯାଉଛି ।


- ହରିହର , ଏ କି ଚେହେରା ତୁମର ?- ମୁଁ ପଚାରିଲି

- ବାବୁ କଣ କରିବା , ଗରୀବ ବୁଢା ନୋକ ମୁଁ । ଆଉ କଣ ଭଲ ଚେହେରା ଆସିବ ।

- ତୁମେ ବହୁତ ଝଡିଯାଇ ଦୂର୍ବଳ ଦେଖାଯାଉଛ !

- ହଁ ବାବୁ ସବୁ ଏଇ ନକ ଡାଉନୁ ପାଇଁ ।

- ଲକ ଡାଉନ କିପରି ତୁମ ଚେହେରାକୁ ଏମିତି କଦାକାର କଲା । ତୁମେ କରୋନାରେ ପ୍ରପୀଡିତ ହୋଇଥିଲ କି ? 

- ନା ନା ବାବୁ । ଜଗନ୍ନାଥଙ୍କ କୃପାରୁ ସେ ରୋଗ ଆମକୁ ଛୁଇଁବନି ହେଲେ ବାବୁ 

ତା ମୁହଁ ଟିକେ ମଳିନ ପଡିଗଲା ।

- ଲକଡାଉନ ତ ସମସ୍ତଙ୍କ ମଙ୍ଗଳ ପାଇଁ ହୋଇଥିଲା ହେଲେ ତୁମର ଏ ଅବସ୍ଥା ସେ କିପରି କଲା - ମୁଁ ଉତ୍ସୁକତାର ସହ ପଚାରିଲି

-ଶୁଣ କହୁଛି ବାବୁ - ଦୁଃଖିତ ବଦନରେ ଲକ ଡାଉନରେ ତା ଜୀବନରେ ଘଟିଥିବା ଘଟଣା ଆରମ୍ଭ କଲା 

ବାବୁ ମୁଁ ମୁରୁଖ ଲୋକଟେ ,ପାଠ ଶାଠ ପଢିନି । ଟିଭି,ରେଡିଓରୁ ଯାହା ଶୁଣିବା କଥା । ଏଇ ରୋଗଟା କୁଆଡେ ଚୀନରୁ ଆସିଛି ଭାରି ଭୟାନକ ରୋଗବାବୁ ।ଛୁଇଁ ଦେଲେ ଜଣକଠୁ ଆଉଜଣକ ଦେହକୁ ମାଡିଯାଉଛି । ସରକାର ଦେଶକୁ ବଞ୍ଚେଇବାକ ନକଡାଉନ,ସଟ ଡାଉନ କଲେ ହେଲେ ବାବୁ ଜାଣିଛ ଏ ରୋଗ କେମିତି ଆସିଲା ? ସେଇ ବଡ ନୋକିଆ ମାନଙ୍କ ପାଇଁ । ଭିଟାମାଟିକୁ ଛାଡି ଆହୁରି ଧନୀ ହେବା ଲୋଭରେ ଚୀନ,ଆମେରିକା,ଲଣ୍ଡନ ସମୁଦ୍ର ପାରିହୋଇକି ଗଲେ । ଚାଷ ଜମି ପଡିଆ ପଡିଲା ତାଙ୍କ ପାଇଁ ।ସେମାନେ ରୋଗଧରି ଆସିଲେ ଆମ ଦେଶକୁ ,ସବୁଆଡେ ରୋଗ ବ୍ୟାପିଲ। ସରକାର ଆମ ଗରୀବଗୁରାବଙ୍କୁ ବଞ୍ଚେଇବା ପାଇଁ ନକଡାଉନ କଲେ ହେଲେ ବଞ୍ଚିଲେ ସେଇମାନେ ଯାହାର ଗଚ୍ଛିତ ଧନ ଥିଲା । ବଜାରରୁ ମାସମାସକ ପାଇଁ ବସ୍ତାବସ୍ତା ଡାଲିଚାଉଳ,ତେଲଲୁଣ ,ପନିପରିବା ବୋହିନେଲେ । ଆମେ ମାସକ ପାଇଁ କିଣିବାର ପଇସା କୋଉଠୁ ପାଇବୁ । ଡେଲି ଖଟିଲେ ଖାଉଥିବା ମଣିଷଟିଏ ମୁଁ । ସକାଳ ରୋଜଗାର ସଂଜକୁ ନିଅଣ୍ଟ । ସେ ସମୟରେ ବେପାର ବି ବନ୍ଦ । ଟଙ୍କା ପଇସାର ଘୋର ଅଭାବ । ଘରେ ଯାହା ଖୁଦ ମରୁଖ ଦିନେ ଖାଇ ଚାରିଦିନ ଉପାସେ ରହୁ । ତୁମକୁ ମିଛ ମୋତେ ସତ ବାବୁ । ଆଠ ଦିନ ବାସୀ ତୋରାଣୀ ପି ପି ରହିଛି । ମୋ ସ୍ତ୍ରୀର ଔଷଧ ସରାଯାଇଥିଲା ବାବୁ । ତା ମଙ୍ଗଳ ସୂତ୍ର ବନ୍ଧା ପକେଇବାକୁ ଯାଉଥିଲି ରବି ବଣିଆ ପାଖକୁ ,ବାଟରେ ପୋଲିସ୍ ଠାରୁ ଚାରି ଠେଙ୍ଗା ଖାଇଛି । ଯେତେ ଅନୁନୟ ବିନୟ ହେଲେ ବି ଔଷଧ ଟିକେ ପାଇଁ ଛାଡିଲେନି । ଶେଷରେ ମୋତେ ଛାଡି ମୋ ସ୍ତ୍ରୀ ଆରପାରି ହୋଇଗଲା ବାବୁ ।

ଏତିକି କହି ଭେଁଭେଁ ହୋଇ କାନ୍ଦି ଉଠିଲା ହରିହର । ଅଜାଣତରେ ମୋ ଆଖିରୁ ଲୁହ ଟୋପେ ଖସିଗଲା ।

- କାନ୍ଦନି ହରିହର । ଯାହା ତ ହବାର ଥିଲା ହେଲା ।

ତା ଆଖିରୁ ଲୁହ ପୋଛିଲା ହରିହର । କଥା କଥା ଭିତରେ ପାଞ୍ଚ ସେର ମୁଢି ମାପି ସାରିଥାଏ । ବୋଉ ମୁଢିଧରି ଭିତରକୁ ଗଲା କୁଲାରେ କୁଲେ ଚାଉଳ , କିଛି ପରିବା ଆଣି ତାକୁ ଦେଲା । ମୁଁ ମୋ ସାଧ୍ୟ ହିସାବରେ ତାକୁ କିଛି ଅର୍ଥ ଦେଲି ।ପ୍ରଥମେ ପ୍ରଥମେ ନିଜ ସ୍ୱାଭିମାନ ଦୃଷ୍ଟିରୁ ସେ ନେଉ ନଥିଲା । ବୋଉର ମୋର ତାକୁ ବହୁତ ବୁଝାବୁଝି କରିବାରୁ ଡାଲାରେ ସବୁ ଥୋଇଲା । ଆସୁଛି ମାଆ କହି ପେଙ୍ଗେଇ ପେଙ୍ଗେଇ "ମୁଢି ନବ ମୁଢି" ଡାକିଡାକି ଆର ସାହି ଆଡେ ଯାଉଥାଏ । ମୁଁ ତାକୁ ଅପଲକ ନୟନରେ ଉଣ୍ଡି ଭାବୁଥାଏ ସତେ ଅବା ବେଙ୍ଗଟିଏ ପଥର ତଳେ ଚାପି ହୋଇଯାଇଥିଲା । ଶୀତର ପ୍ରକୋପ ସହି ନପାରି ପଥରତଳେ ଆଶ୍ରୟ ନେଇଥିଲା କିନ୍ତୁ ପଥର ଯେ ତାକୁ ଚାପି ଦବ ତାକୁ ଜଣା ନଥିଲା ।ସେମିତି ମଣିଷକୁ ନାନା ଦୈବ ଦୁର୍ବିପାକ ରୂପକ ପଥର ଚାପିଦିଏ ପୁଣି ପଥର ତଳୁ ବାହାରି ଅଣ୍ଟା ସଳଖେ । 


        


Rate this content
Log in

More oriya story from Manas Kumar Behera

Similar oriya story from Tragedy