ଗାନ୍ଧାରୀଙ୍କ ଅହଙ୍କାର ଭାଙ୍ଗିଗଲା
ଗାନ୍ଧାରୀଙ୍କ ଅହଙ୍କାର ଭାଙ୍ଗିଗଲା


କାହିଁ କେଉଁ କାଳରୁ ହସ୍ତିନା ନିକଟ ଯମୁନା ନଦୀ କୂଳରେ, ଭଗବାନ୍ ଶଙ୍କରଙ୍କର ଏକ ସୁନ୍ଦର ମନ୍ଦିରଥିଲା l ମନ୍ଦିରରେ ପୂଜିତ ଲିଙ୍ଗ, ଶ୍ରୀବିରାଜେଶ୍ୱର ନାମରେ ବିଖ୍ୟାତ ଥିଲେ l ସେହି ଲିଙ୍ଗ ଭକ୍ତବାଞ୍ଛା ପୂରଣକାରୀ ଖୁବ୍ ପ୍ରତ୍ୟକ୍ଷ ଥିଲେ l ବାବାଙ୍କୁ ଭକ୍ତି ଭରେ ପୂଜା କଲେ ସମସ୍ତଙ୍କ ଅଭୀଷ୍ଠ ପୂର୍ଣ୍ଣ ହେଉ ଥିଲା l ପାଣ୍ଡବ ଜନନୀ କୁନ୍ତୀ ତାଙ୍କ ପୁତ୍ର ମାନଙ୍କ ମଙ୍ଗଳ କାମନା କରି ପ୍ରତ୍ୟହ ପୂଜା କରିବା ପାଇଁ ଇନ୍ଦ୍ରପ୍ରସ୍ଥରୁ ଆସୁଥିଲେ l ବଡ଼ି ଭୋରରୁ ସେ ବାବାଙ୍କୁ ଲକ୍ଷେ ଚମ୍ପା ଅର୍ପଣକରି ଫେରି ଯାଉଥିଲେ l ତାଙ୍କ ପୂଜାହିଁ ବାବାଙ୍କ ପ୍ରଥମ ପୂଜା ଥିଲା l
ପ୍ରଥମ ପୂଜା ଉଦ୍ଦେଶ୍ୟରେ ଗାନ୍ଧାରୀ ମଧ୍ୟ ପ୍ରତ୍ୟହ ପ୍ରଭାତରୁ ଯାଇ ପହଞ୍ଚୁଥିଲେ l କିନ୍ତୁ ସେ ଆଶ୍ଚର୍ଯ୍ୟ ହେଉଥିଲେ ସେ ପହଞ୍ଚିବା ପୂର୍ବରୁ କିଏ ପୁଜା ସାରି ଚାଲିଯାଉଛି l ଏହା ପ୍ରତ୍ୟହ ଲକ୍ଷ୍ୟକରି ଗାନ୍ଧାରୀ ଦିନେ ଦାସୀ ମାନଙ୍କୁ କହିଲେ, ମୁଁ ଏଠାକୁ ପ୍ରତ୍ୟହ ପ୍ରଥମ ପୂଜା ପାଇଁ ଆସୁଛି l ଶ୍ରୀବିରାଜେଶ୍ୱର ପ୍ରସନ୍ନ ହେଲେ ମୋର ପୁତ୍ରମାନେ ରାଜ ଚକ୍ରବର୍ତ୍ତୀ ସମ୍ରାଟ ହେବେ l ମାତ୍ର ମୁଁ ଦେଖୁଛି, ଏଠାରେ କିଏ ଆଗରୁ ଆସି ପୂଜା ସାରି ଚାଲି ଯାଉଛି l ମୋର ଉଦ୍ଦେଶ୍ୟ ବିଫଳହେବା ଦେଖି ହୃଦୟ ବିଦୀର୍ଣ୍ଣ ହେଉଛି l
ନିତ୍ୟ ନୈମିତ୍ତିକ ଭାବେ ଏପରି କୁନ୍ତୀ ଓ ଗାନ୍ଧାରୀ ଏପରି ପୂଜାକରି ଚାଲିଥାନ୍ତି l କେହି କାହାକୁ ଜାଣି ପାରନ୍ତି ନାହିଁ l ଦିନେ ଗାନ୍ଧାରୀ ଅତି ଦୁଖିତ ହୋଇ ପୁତ୍ର ଦୂର୍ଯ୍ୟୋଧନକୁ ଏ କଥା କହିଲେ l ମାଆଙ୍କ ସେ ଦୁଃଖ ଦେଖି, ଦୂର୍ଯ୍ୟୋଧନ କହିଲେ, ମାଆ ! ତୁମେ ଆଉ ମନ ଦୁଃଖ କରନା, ମୁଁ ପ୍ରଭୁ ବିରାଜେଶ୍ୱରଙ୍କ ପୂଜା ପାଇଁ ସ୍ବର୍ଣ୍ଣ ଚମ୍ପା ଗଢ଼ାଇ ଦେଉଛି l ତୁମେ ପ୍ରଭୁଙ୍କୁ ଏଣିକି ସ୍ୱର୍ଣ୍ଣଚମ୍ପା ଲାଗିକରିବ l ସେପରି ହେଲା l ଗାନ୍ଧାରୀ ସ୍ଵର୍ଣ୍ଣଚମ୍ପା ଲାଗି କରି ପୂଜାକରି ଚାଲିଲେ l
କିନ୍ତୁ ତାଙ୍କ ପୂଜା ପ୍ରଥମ ନହେଇ ପାରୁଥିବା ଦେଖି ତାଙ୍କ ମନ ଅଥୟ ହେଉଥାଏ ଓ ତାଙ୍କ ଏକାଗ୍ରତା ଭଙ୍ଗ ହେଉଥାଏ l
ଏପରି ଚାଲିଥାଏ, ଦିନେ ଗାନ୍ଧାରୀ ଏବଂ କୁନ୍ତୀଙ୍କ ଭେଟ ହୋଇଗଲା l ଗାନ୍ଧାରୀ ବୁଝି ପାରିଲେ କୁନ୍ତୀ ହିଁ ପ୍ରଥମେ ପୂଜା ସାରି ଚାଲି ଯାଉଛନ୍ତି l ଉଭୟଙ୍କ ମଧ୍ୟରେ ଭୀଷଣ କଳି ଆରମ୍ଭ ହୋଇଗଲା l କୁନ୍ତୀ ବିନମ୍ରଭାବରେ କହିଲେ, ଭଉଣୀ ! କେତେ ଦୂର ଇନ୍ଦ୍ରପ୍ରସ୍ଥରୁ ମୋତେ ଆସିବାକୁପଡ଼ୁଛି ପ୍ରଭୁଙ୍କ ପୂଜାପାଇଁ l ଏଣୁ ମୁଁ ଶୀଘ୍ରଶୀଘ୍ର ପୂଜାସାରି ଚାଲି ଯାଉଛି l ସିଆଡ଼େ ଗଲେ ନଅରରେ ପୁଣି କେତେ କାହିଁ କାର୍ଯ୍ୟ l ଆପଣ ତ ଏଇ ପାଖରେ ଅଛନ୍ତି l ସଅଳ ଟିକିଏ ଆସି ଗଲେ ହୁଅନ୍ତା ନାହିଁ l
ଦୁହିଁଙ୍କ ଭିତରେ ଏପରି ଉଚ୍ଚବାଚ ଚାଲିଥାଏ ଏହି ସମୟରେ, ପ୍ରଭୁ ବିରାଜେଶ୍ୱର ସେଠାରେ ପ୍ରକଟ ହୋଇ କହିଲେ, ତୁମେ ମାନେ ପରସ୍ପର ଭିତରେ କାହିଁକି ଏପରି କଳହ କରୁଛ l ତୁମ ମାନଙ୍କୁ ଏକ ସମାଧାନ ସୂତ୍ର ମୁଁ କହି ଦେଉଛି l ଏହାକୁ ଯିଏ ପାଳନ କରି ପାରିବ, ସିଏ ମୋର ପ୍ରଥମ ପୂଜାର ଅଧିକାରିଣୀ ହେବ l ଆଗାମୀ କାଲି ତୁମ ମାନଙ୍କ ଭିତରୁ ମୋତେ ଯିଏ ଏକଲକ୍ଷ ସ୍ଵର୍ଣ୍ଣ ଚମ୍ପା ଅର୍ପଣ କରି ପାରିବ ସିଏ ମୋର ପ୍ରଥମ ପୂଜାର ଅଧ
ିକାର ପାଇବ l ପ୍ରଭୁଙ୍କ ନିର୍ଣ୍ଣୟ ଶୁଣି ଦୁହେଁ ଫେରି ଆସିଲେ l ଗାନ୍ଧାରୀ ମନେ ମନେ ଖୁବ୍ ଖୁସି ହେଲେ l କିନ୍ତୁ ଲକ୍ଷେ ସ୍ୱର୍ଣ୍ଣ ଚମ୍ପା କଥା ଶୁଣି କୁନ୍ତୀ ଖୁବ୍ ଦୁଃଖିତ ହୋଇ ଫେରିଲେ l
ଗାନ୍ଧାରୀ ହସ୍ତିନାକୁ ଆସି ଦୁର୍ଯ୍ୟୋଧନକୁ ଏ କଥା କହିବାରୁ ସେ କହିଲେ, ଓ ଏହି କଥା, ମାଆ ତୁମେ ନିଶ୍ଚିନ୍ତ ରୁହ l କାଲି ତୁମ ପୂଜା ପାଇଁ ନିଶ୍ଚୟ ମୁଁ ଲକ୍ଷେ ସ୍ୱର୍ଣ୍ଣ ଚମ୍ପା ଯୋଗାଡ଼ କରିଦେବି l ଏପରି କହି ସେ ସବୁ କାରିଗର ମାନଙ୍କୁ ନିର୍ଦ୍ଦେଶ ଦେଲେ ଆଜି ରାତିପାହିବା ପୂର୍ବରୁ ତୁମେମାନେ ଲକ୍ଷେ ସ୍ୱର୍ଣ୍ଣଚମ୍ପା ମାଆଙ୍କ ପୂଜା ପାଇଁ ଯେମିତି ହେଲେ ଗଢ଼ିଦେବ l ନିର୍ଦ୍ଦେଶ ଅନୁଯାୟୀ କାରିଗରମାନେ ସଙ୍ଗେ ସଙ୍ଗେ କାର୍ଯ୍ୟରେ ଲାଗି ପଡ଼ିଲେ l
ଲକ୍ଷେ ସ୍ବର୍ଣ୍ଣଚମ୍ପା ସେତେବେଳେ କୁନ୍ତୀଙ୍କ ପକ୍ଷରେ ସମ୍ଭବ ନଥିଲା l କାହାକୁ କହିବେ ସେ ମନର କଷ୍ଟ ମନରେ ମାରି ଦୁଃଖରେ ଶୋଇ ପଡିଲେ l ପାଣ୍ଡବ ମାନେ ମାତାଙ୍କୁ ଏପରି ଶୋଇଥିବା ଦେଖି କାରଣ ପଚାରନ୍ତେ କୁନ୍ତୀ ସବୁ କଥା ଖୋଲି କରି କହିଲେ l ଅର୍ଜୁନ ତାଙ୍କୁ ସାନ୍ତ୍ଵନାଦେଇ କହିଲେ, ମାଆ ତୁମେ ଆଦୌ ବିଚଳିତ ହୁଅନାହିଁ l ପ୍ରତିଶ୍ରୁତି ଦେଉଛି କାଲି ପ୍ରଭାତରେ ତୁମ ପାଇଁ ଏକ ଲକ୍ଷ ସ୍ୱର୍ଣ୍ଣ ଚମ୍ପା ଯେମିତ ହେଉ ଯୋଗାଡ଼ ହୋଇଯିବ l କୁନ୍ତୀ କିଛି ବୁଝିପାରିଲେ ନାହିଁ l କିନ୍ତୁ, ପୁତ୍ରମାନଙ୍କ ସାମର୍ଥ୍ୟ ପ୍ରତି ତାଙ୍କ ଆସ୍ଥା ଥିବାରୁ ସେ ଆଶ୍ବସ୍ତ ହେଲେ l
ପର ଦିନ ପ୍ରଭାତ ହେଲା l ପ୍ରଭୁଙ୍କ ପୂଜା କରିବାକୁ ମନ୍ଦିର ଗଲେ ମାଆ କୁନ୍ତୀ ଶୂନ୍ୟ ହସ୍ତରେ l ପ୍ରଭୁଙ୍କ ପୂଜାରେ ବସିଲେ, ନିଷ୍ଠାର ସହ l ଏହି ସମୟରେ ଏକ ବିଚିତ୍ର ଘଟଣା ଘଟିଲା l କୁଢ଼ କୁଢ଼ ସ୍ୱର୍ଣ୍ଣଚମ୍ପା ଶୁନ୍ୟରୁ ଆସି ପ୍ରଭୁ ବିରାଜେଶ୍ୱରଙ୍କ ଉପରେ ଛାଇ ହୋଇ ଗଲା l ଗାନ୍ଧାରୀ ହସ୍ତରେ ଲକ୍ଷେ ସ୍ଵର୍ଣ୍ଣ ଚମ୍ପା ଧରି ପହଞ୍ଚି ଶୁଣନ୍ତିତ କୁନ୍ତୀଙ୍କ ପୂଜା ସରି ଯାଇଛି l ପ୍ରଭୁ ବିରାଜେଶ୍ୱର ଲକ୍ଷଲକ୍ଷ ସ୍ୱର୍ଣ୍ଣ ଚମ୍ପାରେ ଭୂଷିତ ହୋଇଛନ୍ତି l ପ୍ରଭୁ ପ୍ରକଟ ହୋଇ ଦେବୀ କୁନ୍ତୀଙ୍କୁ ବରଦେଲେ, ଦେବୀ ! ତୁମ ପୂଜାରେ ମୁଁ ସନ୍ତୁଷ୍ଟ ହୋଇଛି l ତୁମର ପୁତ୍ର ମାନେ ଯଶସ୍ଵୀ ହୋଇ, ଏ ପୃଥିବୀରେ ରାଜ ଚକ୍ରବର୍ତ୍ତୀ ବୋଲାଇବେ l ଆଜି ଠାରୁ ମୁଁ ଶ୍ରୀ କୁନ୍ତେଶ୍ୱର ନାମରେ ବିଖ୍ୟାତ ହେବି l ଗାନ୍ଧାରୀଙ୍କ ସମସ୍ତ ଅହଙ୍କାର ଭାଙ୍ଗିପଡ଼ିଲା l ମନ ଦୁଃଖରେ ସେ ନାଟ ଫେରିଆସିଲେ l ଆନନ୍ଦ ମନରେ କୁନ୍ତୀ ଇନ୍ଦ୍ରପ୍ରସ୍ଥ ବାହୁଡ଼ିଲେ l
ସେଦିନ ଘଟିଥିବା ସେହି ଚମତ୍କାରିତା ବିଷୟରେ ଖବର ନେବାରୁ ଜଣାପଡ଼ିଲା, ଅର୍ଜୁନ ଦେଇଥିବା କଥା ଅନୁସାରେ ତାଙ୍କ ଗାଣ୍ଡିବ ଧନୁରେ ସୁରପତି ଇନ୍ଦ୍ରଙ୍କୁ ପ୍ରାର୍ଥନାକରିଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ l ପୁତ୍ରର ପ୍ରାର୍ଥନାକୁ ଇନ୍ଦ୍ର ନଶୁଣନ୍ତେ କିପରି l ଏଣୁ ତାଙ୍କ ନିର୍ଦ୍ଧେଶରେ ଧନପତି କୁବେର ସେଦିନ ସ୍ୱର୍ଣ୍ଣଚମ୍ପା ବୃଷ୍ଟି କରିଥିଲେ l ସେହି ଘଟଣାର ମୁକ ସାକ୍ଷୀ ରୂପେ ଆଜି ବି ବିରାଜମାନ କରୁଛନ୍ତି ପ୍ରଭୁ ଶ୍ରୀ କୁନ୍ତେଶ୍ୱର ମହାଦେବ l
!!! ଜୟ ପ୍ରଭୁ କୁନ୍ତେଶ୍ୱର !!!