ବୃନ୍ଦାବନରେ ଗୋପେଶ୍ୱର ମହାଦେବ
ବୃନ୍ଦାବନରେ ଗୋପେଶ୍ୱର ମହାଦେବ


ସେଦିନ ଥାଏ ଶରଦ ପୂର୍ଣ୍ଣିମା l ଭଗବାନ ଶ୍ରୀକୃଷ୍ଣ ତ୍ରେତୟା ଯୁଗର ରାମାଵତାରରେ ଦଣ୍ଡକାରଣ୍ୟର ମୁନିଋଷି ମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ବ୍ରଜ ପୁରର ଗୋପୀ ମାନଙ୍କ ସହ ବୃନ୍ଦାରଣ୍ୟରେ ମହାରାସ କରୁ ଥାନ୍ତି l କୃଷ୍ଣଙ୍କ ମୋହନ ମୁରଲୀର ସ୍ଵନ ବୃନ୍ଦାବନର ବନଭୂମିକୁ ମୁଖରିତ କରୁଥାଏ l ବିଛୁରିତ ହୋଇ ପଡ଼ିଥାଏ ଶରଦ ପୂର୍ଣ୍ଣିମାର ନିର୍ମଳ ଜ୍ୟୋତ୍ସ୍ନା l ଶ୍ରୀକୃଷ୍ଣଙ୍କ ବଂଶୀଧ୍ୱନୀ ଶୁଣି, ଗୋପିକା ଗଣ ବାତୁଳି ପ୍ରାୟ ହୋଇ ଧାଇଁ ଆସିଲେ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ମଧୁବନକୁ l
ବୃନ୍ଦାବନ ରାସକୁଞ୍ଜରୁ ତ ବଂଶୀ ବାଜୁଥିଲା, କିନ୍ତୁ ସେହି ଦିବ୍ୟଧ୍ୱନୀ ତ୍ରିପୁରରେ ଗୁଞ୍ଜାୟ ମାନ ହେଉ ଥିଲା ଯାହା କେବଳ ଭଗବତ ପ୍ରେମୀ କୃଷ୍ଣପ୍ରେମୀ ଭକ୍ତ ମାନଙ୍କ କର୍ଣ୍ଣ କୁହରରେ ଶୁଣା ଯାଉଥିଲା l ସେହି ପରମ ଆନନ୍ଦମୟୀ ଧ୍ୱନୀ କୃଷ୍ଣଭକ୍ତ ଦେବ ଦେବ ମହାଦେବଙ୍କ କର୍ଣ୍ଣରେ ପଡ଼ିଲା l ମହାଦେବ ଦିନେ ବାଳ କୃଷ୍ଣଙ୍କ ଦର୍ଶନ ପାଇଁ ଯୋଗୀ ବେଶରେ ଆସି ମାଆ ଯଶୋଦାଙ୍କ ଦ୍ୱାରରେ ତିନି ଦିନ କାଳ ବସି ରହିଥିଲେ l ସେ ଆଉ ଶ୍ରୀକୃଷ୍ଣଙ୍କ ବଂଶୀର ଧ୍ୱନୀ ଶୁଣି ସମ୍ଭଳା ପଡ଼ନ୍ତେ କିପରି l ମାଆ ଉମାଙ୍କୁ ଧରି ସେ ଆସି ବୃନ୍ଦାବନରେ ପହଞ୍ଚିଗଲେ l
ଭୋଳାନାଥ ଭୋଳା ହୋଇ ଆସିଛନ୍ତି ମହାରାସ ଉତ୍ସବ ଦେଖିବାପାଇଁ, ସିଧାଯାଇ ପହଞ୍ଚି ଗଲେ ସେ ରାସସ୍ଥଳୀ ନିକଟରେ l ଦେବଙ୍କୁ ଦୁର୍ଲଭ ସେ ରାସ ଉତ୍ସବ କଅଣ କେହି ଦେଖିପାରନ୍ତି l ଜଣେ ଗୋପୀ ପ୍ରବେଶ ପଥରେ ଭୋଳାନାଥଙ୍କୁ ବାଧା ଦେଇ କହିଲା, ଏହା ମହାରାସ ସ୍ଥଳୀ l ଏଠାରେ ଅନ୍ୟ କୌଣସି ପୁରୁଷ ପ୍ରବେଶ ବର୍ଜିତ, କେବଳ ପରମ ପୁରୁଷ କୃଷ୍ଣଙ୍କ ପାଇଁ ଏହା ଉନ୍ମୁକ୍ତ l ଶିବ ତାଙ୍କର ପରିଚୟ ଦେଇ କହିଲେ,ହେ ଦେବୀ ମୁଁ କେଡ଼େ ଆଶା ନେଇ ଭଗବାନଙ୍କ ଏ ଦିବ୍ୟ ମହାରାସ ଦେଖିବା ପାଇଁ ଧାଇଁ ଆସିଛି l ମୋତେ କ'ଣ ସେ ସୌଭାଗ୍ୟ ପ୍ରାପ୍ତ ହେବ ନାହିଁ l ଗୋପୀ ଜଣକ କହିଲା, ଯଦି ଆପଣ ମହାରାସ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଜଣେ ଗୋପୀ ବେଶ ହୋଇ ଆସନ୍ତୁ l ଗୋପୀର କଥା ଶୁଣି ମହାଦେବ ବଡ଼ ନିରାଶ ହୋଇପଡ଼ିଲେ l ଏତିକି ବେଳେ ମା' ପାର୍ବତୀ ଗୋପୀଟିକୁ କହିଲେ, ହେ ଦେବୀ ! ମୁଁ ତ ସ୍ତ୍ରୀ ତୁମେ ମୋତେ ଏହି ମହାରାସ ଦର୍ଶନ କରିବାକୁ ଅନୁମତି ଦିଅ l
ଗୋପୀଟି ମାଆ ପାର୍ବତୀଙ୍କୁ ସ୍ୱାଗତ କରି ଭିତରକୁ ଛାଡ଼ିଦେଲା l ଭୋଳାନାଥ ନିରାଶ ହୋଇ ଫେରି ଆସିଲେ l
ଭୋଳାନାଥ ମହାରାସ ଦେଖିବାପାଇଁ ଦୃଢ଼ ନିଶ୍ଚୟ କଲେ କି ମୁଁ ଗୋପୀ ବେଶ ଧାରଣ କରିବି l ମାତ୍ର ଏହା କିପରି ସମ୍ଭବ ହୋଇ ପାରିବ l ଏମିତି ଚିନ୍ତା କରି କରି ସେ ଯାଇ ଯମୁନା ତଟରେ ପହଞ୍ଚିଲେ l
ଶିବଙ୍କର ଏ ଉଦାସ ଭାବ ଦେଖି, ଯମୁନା ଦେବୀ ପ୍ରକଟ ହୋଇ ଶଙ୍କରଙ୍କୁ ଏମିତି ନିରାଶ ହେବାର କାରଣ ପଚାରିଲେ l
ମହାଦେବ ଦେବୀ ଯମୁନାଙ୍କୁ ସବୁ କଥା ଆମୁଳ ଚୂଳ କହି ଦେଲେ l ମହାଦେବ ତାଙ୍କୁ ମହାରାସ ଦେଖିବାର ପ୍ରବଳଉତ୍କଣ୍ଠା ପ୍ରକାଶ କଲେ ଓ ତାଙ୍କୁ ଏଥିରେ ସାହାଯ୍ୟକରନ୍ତୁ ବୋଲି କହିଲେ l ଦେବୀଯମୁନା ହର ହର ମହାଦେବଙ୍କୁ କହିଲେ ଆସନ୍ତୁ, ଆପଣଙ୍କୁ ମୁଁ ଗୋପୀବେଶ କରିଦେବି l ଏହାକହି ସେ ନିଜ ଜଳରେ ଶିବଙ୍କ ଅଭିଷେକ କଲେ ଓ ତାଙ୍କୁ ନାନା ବସ୍ତ୍ର,ଆଭୂଷଣ ପିନ୍ଧାଇ ଗୋପୀ ବେଶରେ ସଜାଇ ଦେଲେ l ବାବା ନିଜକୁ ଗୋପୀ ବେଶରେ ଦେଖି ଖୁବ ଆନନ୍ଦିତ ହେଲେ l
ଲେହେଙ୍ଗା, ଚୁନରୀ ପିନ୍ଧି ଭୋଲେନାଥ ଚାଲିଲେ ରାସ ସ୍ଥଳୀକୁ l ସେହି ଜଗୁଆଳି ଗୋପୀକୁ ଯାଇ କହିଲେ,ମୁଁ ଶ୍ରୀକୃଷ୍ଣଙ୍କ ମହାରାସ ଦେଖିବା ପାଇଁ ଆସିଛି ମୋତେ ରାସ୍ତାଦିଅ l ସେ ଗୋପୀ ଜଣକ ଶିବଙ୍କୁ ଜଣେ ଗୋପୀ ମନେ କରି ଛାଡ଼ି ଦେଲା l
କିନ୍ତୁ ଭୋଳାନାଥ ଶ୍ରୀକୃଷ୍ଣଙ୍କ ସାମ୍ନାକୁ ଆସିବାରୁ ସେ ତାଙ୍କୁ ଚିହ୍ନିନେଲେ l ସେ ଅତ୍ୟନ୍ତ ହର୍ଷହୋଇ ତାଙ୍କୁ ସ୍ୱାଗତ କରି କହିଲେ, ଆସ ଆସ ହେ ମୋର ଗୋପେଶ୍ଵର ନାଥ, ତୁମେ ଏହି ମହାରାସ ସ୍ଥଳୀକୁ ଆସି ଯାଇଛ, ଏଣୁ ମୁଁ ବଡ଼ ଆନନ୍ଦିତ l ଶ୍ରୀକୃଷ୍ଣ ଗୋପୀ ମାନଙ୍କ ସହ ଛଦ୍ମ ଗୋପୀ ମହାଦେବଙ୍କ ସହିତ ରାସକ୍ରୀଡ଼ା କଲେ l ଶ୍ରୀଧାମ ବୃନ୍ଦାବନରେ ମହାଦେବଙ୍କ ସେ ଗୋପୀବିଗ୍ରହ ଶ୍ରୀଗୋପେଶ୍ଵର ମହାଦେବ ନାମରେ ଏବେ ପୂଜିତ l ଶିବରାତ୍ରୀ ଦିନ ତାଙ୍କୁ ଷୋଳଶୃଙ୍ଗାର ବେଶ କରାଯାଏ l କୁହାଯାଏ ଏହି ଶିବଲିଙ୍ଗ ପ୍ରାୟ ଚାରି ହଜାର ବର୍ଷ ପୁରୁଣା l କାଳ କାଳ ପାଇଁ କଥା ରହିଯାଇଛି :-
ମହାରାସ ଦେଖନ ଆଇ ଶିବ ବନି ଗୋପୀ l
ଗୋପେଶ୍ଵର ମହାଦେବ ବୃନ୍ଦାବନମେଁ ତପୀ l
!!! ଜୟ ଭୋଲେନାଥ !!!