ଦୂର ଦିଗନ୍ତ
ଦୂର ଦିଗନ୍ତ
ସନ୍ଧ୍ୟା ଓହ୍ଲାଇ ଆସୁଛି ଆକାଶରୁ ବାଦଲର ପାହଚ ଡେଇଁଡେଇଁ । ସିନ୍ଦୁରିମାରେ ଆଚ୍ଛାଦିତ ପ୍ରତୀଚୀ ଗଗନ । ଲାଲଟୁକୁଟୁକୁ ସୂର୍ଯ୍ୟ ଲୁଚିଗଲେଣି ଅସ୍ତାଚଳ ଉହାଡରେ । ଏବେ ରାତ୍ରୀ କଳାଶାଢୀରେ ଘୋଡି ହୋଇ ଓହ୍ଲାଇ ଆସିବ ପୃଥିବୀ ବକ୍ଷକୁ । ଆଚ୍ଛାଦିତ କରିଦେବ ତାର କଳାରଙ୍ଗରେ । ସଭିଏଁ ପଶୁପକ୍ଷୀ, ମଣିଷ ଫେରିଆସିବେ ଆଶ୍ରୟ ସ୍ଥଳକୁ ବିଶ୍ରାମ ନେବାପାଇଁ । ରାତିଟିଏ ବିଶ୍ରାମ ନେଲେ ପୁଣି ଦେହରେ ଶକ୍ତି ଉଜ୍ଜିବିତ ହେବ । ନୀଡ ଫେରନ୍ତା ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ଭାସି ଆସୁଛି ଚତୁର୍ଦ୍ଦିଗରେ । ମିନା କେତେବେଳୁ ସଫେଇ ନଈ କୂଳରେ ବସି ପ୍ରକୃତିର ଏ ରୂପ ସୁଷମାକୁ ଉପଭୋଗ କରି ଚାଲିଛି । ଯେତେବେଳେ ଅନ୍ଧାର ଆସି ତା ଆଖପାଖରେ ତାର ଆଧିପତ୍ୟ ଜମାଇବାକୁ ଲାଗିଲା ସେ ଫେରିଆସିଲା ତା ଭାବନା ରାଜ୍ୟରୁ । ଏତେବେଳଯାଏ ସେ ଅନାବନା ଅନେକ ଭାବନାରେ ବୁଡି ରହିଥିଲା । ତାକୁ ବେଶି ଚିନ୍ତିତ କରୁଥିଲା ଛୋଟ ପୁଅର ବ୍ୟବହାର । ପତିଙ୍କ ଦେହାନ୍ତ ପରେ ଗୃହର ସବୁ ଚିନ୍ତା ତା ଉପରେ ମାଡି ପଡିଛି । ବଡ ଝିଅ ଓ ବଡ ପୁଅର ବାହାଘର ସ୍ବାମୀ ଚାକିରି ରେ ଥିବା ସମୟରେ ସାରି ଦେଇଥିଲେ । ସ୍ୱାମୀ ଜଣେ ଶିକ୍ଷକ ଥିଲେ । ଉତ୍ତମ ସଂସ୍କାର ଦେଇ ପିଲାଙ୍କୁ ଭଲ ମଣିଷ କରି ଗଢିଛନ୍ତି । ବଡ ଝିଅ ସୋମ୍ୟା ଓ ବଡପୁଅ ସୁକେଶ ଦୁଇଜଣ କଲେଜରେ ଅଧ୍ୟାପକ ଭାବେ କାମ କରନ୍ତି ।
ଛୋଟ ପୁଅ ସୁକାନ୍ତ ଇଞ୍ଜିନିୟରିଂ ପଢିଲା । ଭଲ ଚାକିରି ବି ପାଇଲା । ଦରମା ବି ମନ୍ଦ ନୁହେଁ ।
ଚାକିରି ହେଲାପରେ ମିନା ଭାବିଲା ସୁକାନ୍ତର ବିବାହ କରିଦେବ । ତାର ବି ଏବେ ଦେହ ଭଲ ରହୁନି । ବାମ ପଟ ଛାତିରେ ବେଳେ ବେଳେ ଯନ୍ତ୍ରଣା ଅନୁଭବ କରୁଛି । ଆଜିକାଲି ଲୋକଙ୍କର ଯୋଉ ହାର୍ଟଆଟେକ ହୋଇ ମୃତ୍ୟୁ ହେଉଛି ତାହା ଦେଖି ତାକୁ ବି ଭୟ ହେଲାଣି । କେତେବେଳେ ତାର କଣ ହୋଇଗଲେ ଛୋଟ ପୁଅକୁ ଦେଖିବାକୁ କେହିନାହିଁ । ବୋହୁଟିଏ ଆଣିଦେଲେ ଦୁହେଁ ଦୁଇଜଣକୁ ସମ୍ଭାଳିନେବେ । ହେଲେ ପୁଅ ରାଜି ହେଉନି ବିବାହ ପାଇଁ ।
ସେ ଟିକେ ଭଲ ଭାବରେ ଜମିଗଲେ ଯାଇ ବାହା ହେବ ବୋଲି କହୁଛି । ଏବେଠୁ ଦୁଇଜଣଙ୍କ ଦାୟିତ୍ୱ ତୁଲାଇ ପାରିବନି କହୁଛି । ସେ ଦୁଇ ତିନିବର୍ଷ ବିଦେଶରୁ ବୁଲି ଆସିଲା ପରେ ଯାଇ ବିବାହ କରିବ । ହେଲେ ସେତେଦିନ ଯାଏ ସେ ନିଜେ ବଞ୍ଚିଥିଲେ ତ?
ଏବେ ପୁଅ ଘରେ ରହି କାମ କରୁଛି । ମିନା ଦେଖୁଛ ସୁକାନ୍ତ ସକାଳୁ ମୋବାଇଲ ଟି ଧରି ବସିରହୁଛି । ବ୍ରସ କର, ଖାଇବୁ କହି ଯେତେ ଥର ଡାକିଲେ ବି ଶୁଣୁନି । ଦିନେ ବିରକ୍ତ ହୋଇ ମିନା ତା ପାଖକୁ ଆସିଲା । ରାଗରେ କହିଲା, କଣ ଏତେବେଳୁ ଏମିତି ମୋବାଇଲରେ ଖେଳୁଛୁ ? ଦଶଟା ହେଲାଣି । କିଛି ଖାଇନୁ ଏତେବେଳଯାଏ?ସେ କହିଲା ମୁଁ ସେମିତି ମାହାଳିଆରେ ବସିନି । ଏଇ ଦେଖ୍ କହି ମୋବାଇଲକୁ ତା ମୁହଁ ପାଖେ ଗେଞ୍ଜିଦେଲା । ଏକ ଡାଏଗ୍ରାମ ଯାହା ତଳୁ ଉପରକୁ ଉଠିଥିଲା ସେମିତି କିଛି ଚିତ୍ର ସେ ଦେଖିଲା । ସେମାନେ ହାଇସ୍କୁଲରେ ଗ୍ରାଫ କଲାବେଳେ ଏମିତି ଡାଏଗ୍ରାମ ଆଙ୍କୁଥିଲେ । ମିନା କହିଲା ଏଇଟା କଣ ଦେଖାଉଛୁ । ଏହାତ ଏକ ଡାଏଗ୍ରାମର ଚିତ୍ର ଯାହା ତଳ ଉପର ହୋଇ ଉପରକୁ ଉଠିଛି ।
ସୁକାନ୍ତ କହିଲା । ସେଇଟା ତ ଟ୍ରେଡିଙ୍ଗ କହନ୍ତି । ମୁଁ ଏଠି ତୁଚ୍ଛାରେ ବସିନି । ଷ୍ଟକ୍ ମାର୍କେଟରେ ଟ୍ରେଡିଙ୍ଗ କରୁଛି । ଦେଖ ଦୁଇ ତିନିଘଣ୍ଟାରେ ମୋର ବାରହଜାର ଲାଭ ହେଇଛି ।
ତାପରଦିନ ସୁକାନ୍ତ ଶୋଇଗଲା ବହୁସମୟ । ମିନା ସକାଳୁ ଉଠାଇଲା ହେଲେ ଶୁଣିଲାନି । ଏଗାରଟାରେ ସେଦିନ ଉଠିଲା । ଆଉ ଲ୍ୟାପଟପ ଖୋଲି ଚିଲ୍ଲେଇ ଉଠିଲା । ଆଜି ମୋର ବଡ ଲସ୍ ହୋଇଗଲା । ମିନା କହିଲା କଣ ଲସ୍ ହୋଇଗଲା ?ସେ କହିଲା ଆଜି ମାର୍କେଟ ପୂରା ଦମରେ ଚାଲିଛି । ମୁଁ ଯଦି ସକାଳୁ ଉଠି ଟ୍ରେଡିଙ୍ଗ କରିଥାନ୍ତି ଆଜି ଛଅଗୁଣା ଲାଭ ହୋଇଥାନ୍ତା । ତାପରେ ସେ ନିଜ କାମରେ ଲାଗିଗଲା ଗୋଟାଏ ପଟେ ଅଫିସ କାମ କରୁଥାଏ ଅନ୍ୟପଟେ ଟ୍ରେଡିଙ୍ଗ ବି ଦେଖୁଥାଏ । ଦୁଇପହରେ ଦୁଇଟା ବେଳକୁ ମିନା ଲଞ୍ଚ୍ ଖାଇବାକୁ ଡାକିଲା । ସୁକାନ୍ତ କହିଲା । ଆଜି ଯଦି ସକାଳୁ ମୁଁ ଟଙ୍କା ଲଗାଇଥାନ୍ତି ଏବେ ମୋର ଷାଠିଏ ହଜାର ଲାଭ ହୋଇଥାନ୍ତା । ଯାହା ମାତ୍ର ଦଶହଜାର ହେଲା ।
ମିନା ଦେଖିଲା ଏ ଟ୍ରେଡିଙ୍ଗ ବି ଏକ ଜୁଆ । କେତେବେଳେ ମାର୍କେଟ ଭଲ ଚାଲିଲେ ଲାଭ ହେଉଛି । ତ କେତେବେଳେ କ୍ଷତି ସହିବାକୁ ବି ପଡୁଛି । ପୁଅ କହୁଥିଲା ତାର ଜଣେ ସିନିୟର ଦଶବର୍ଷରେ ଦଶକୋଟି କମାଇ ପାରିଛନ୍ତି ଏହି ଟ୍ରେଡିଙ୍ଗ ବ୍ୟବସାୟରୁ ।
ନିଜ ଦରମାର କିଛି ଅଂଶ ଏଥିରେ ବିନିଯୋଗକରି ସେ ଏତେ ଦୂର ପହଞ୍ଚିଗଲେ । ତାଠୁ ପ୍ରେରଣା ପାଇ ସେ ବି ଏବେ ଘରେ ବସି କିଛି ରୋଜଗାର କରି ପାରୁଛି । ଦରମାତକ ସେ ସବୁ ଜମା କରି ରଖୁଛି । ସେଥିରୁ କିଛି ଟ୍ରେଡିଂରେ ଲଗାଉଛି । ଯାହା ଆଠଦଶ ହଜାର ଲାଭହେଉଛି ସେଥିରେ ଘରଭଡା ଓ ଆଜେବାଜେ ଖର୍ଚ୍ଚ ତୁଲାଉଛି ।
ଦିନେ ଜଣେ ଷ୍ଟକମାର୍କେଟରେ ନାମ କରିଥିବା ଲୋକ ଆସିଥିଲେ ତାଙ୍କ ଘରକୁ । ତାଙ୍କ ପାଖରୁ ସୁକାନ୍ତ କିଛି ବ୍ୟବସାୟର ଟିପ୍ସ ନେଲା । ସେ ଏ ବ୍ୟବସାୟ ବାବଦରେ ବହୁତ କିଛି ଶିଖାଇଦେବେ ବୋଲି କହିଲେ । ଯାରି ଫଳରେ ସେ ଘରେ ବସି ବଡଧରଣର ଅର୍ଥ ରୋଜଗାର କରିପାରିବ । ତାକୁ ବିଦେଶ ଯିବାକୁ ପଡିବନି । ଯଦି ଜଣେ ଘରେ ବସି କମାଣି କରିପାରିବ
ତେବେ ଏ କରୋନା, ଓମିକ୍ରନ ସମୟରେ ବିଦେଶ ଯିବା କି ଦରକାର?
ଏବେ ସୁକାନ୍ତର ବିଦେଶ ଯିବା ଭୂତ ଟିକେ ମନରୁ ଓହ୍ଳାଇ ଗଲା । ସେ ଘରେ ରହି ଅନ୍ଲାଇନ ଅଫିସ କାମ ସହ ତାର ମାର୍କେଟିଙ୍ଗ୍ କାମ ବି କଲା । ଭଲ ରୋଜଗାର କଲା ଦୁଇ ଆଡୁ । ଘରେ ରହି ମାଆର କାମରେ କିଛି କିଛି ସାହାଯ୍ୟ ବି କଲା । ଏବେ ମିନାର ଚିନ୍ତାବି ଟିକେ କମିଗଲା । ତାର ଦେହ ବି ଭଲ ରହିଲା ।
ସୁକାନ୍ତ ଦୁଇ ବର୍ଷପରେ ବିବାହ ହେବାକୁ ବି ରାଜି ହୋଇଗଲା । ମିନା ଭଲ ସଂସ୍କାରି ଝିଅଟେ ବୋହୁ କଳି ଆଣିଛି । ଯିଏ ଶିକ୍ଷିତ ହେଇବି ଗୃହ କାମ ସହ ତାର ଯତ୍ନ ନେଉଛି । ସୁକାନ୍ତର ଯାହା ଆୟ ହେଉଛି ସେଥିରେ ସେମାନେ ଆରାମରେ ଚଳି ପାରୁଛନ୍ତି ।
ପ୍ରକୃତରେ ମଣିଷର ଶାନ୍ତି ତା ମନରେ ଥାଏ । କେବେ କେବେ ଯେତେ ଧନ ଥିଲେ ବି ଶାନ୍ତି ପାଇପାରେନା । ଆଉ ମନ ବୁଝିଲେ ଅଳ୍ପରେ ବି ସବୁ ଖୁସି ପାଇଯାଏ । ସୁକାନ୍ତ ଏବେ ନିଜ ସହରରେ ରହି ସ୍ୱଚ୍ଛଳ ଜୀବନ ବଞ୍ଚିପାରୁଛି । ତା ସହ ନିଜ ପରିବାରକୁବି ଖୁସି ଦେଇ ପାରୁଛି ।
ମିନାର ଡର ଥିଲା ଦିଗନ୍ତର ଯାତ୍ରା ପଥେ ଗଲେ ସୁକାନ୍ତ ତା ପାଖରୁ ଦୂରେଇଯିବ । ହେଲେ ଯା ହଉ ସେ କଥା ବୁଝିଲା ଓ ନିଜ ଦେଶରେ ରହି ନିଜ ଲକ୍ଷ୍ୟ ବି ପୂରଣ କରି ପାରିଲା । କେବଳ ବିଦେଶକୁ ଗଲେ ଯାଇ କମାଣି କରି ହୁଏନି ଯଦି ଲଗନ ଅଛି ନିଜ ଘରେ ବସି ବି ଜଣେ ରୋଜଗାର କରି ପାରିବ । ଏକଥା ସୁକାନ୍ତ କରି ଦେଖାଇଦେଲା ।
