Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Abhiram Mandal

Tragedy

5.0  

Abhiram Mandal

Tragedy

ଦୁର୍ଘଟଣା

ଦୁର୍ଘଟଣା

8 mins
653


-"ଓହଃ..ଏତେ ସମୟ ହେଲା କଣ କରୁଛ..? ତମ ସ୍ତ୍ରୀ ଲୋକ ମାନଙ୍କର ସବୁବେଳେ ଏଇ problem । ସଜେଇ ହେଉଥିବେ ତ ହେଉଥିବେ...ଦିନମାନ ବିତି ଗଲେ ବି ତମର ସଜେଇ ହବା ସରିବନି ।" ବିରକ୍ତ ହେଇ ସ୍ତ୍ରୀ ପ୍ରତି ଏତକ ଝାଡ଼ି ଦେଲି । ଘଣ୍ଟାଏ ହେଲା ମୁଁ ଅପେକ୍ଷା କରି ବସିଛି, ହେଲେ ସେ ଘର ଭିତରେ ସଜେଇ ହବାରେ ବ୍ୟସ୍ତ ।

-"କଣ ମାଡାମଙ୍କର ସରିଲା ନା ନାହିଁ ?" ଆଉ ଥରେ ପ୍ରଶ୍ନ କଲି ।

-"ହଁ..ହଁ.. ଯାଉଛି ...ଯାଉଛି ।" ଘର ଭିତରୁ ସ୍ତ୍ରୀଙ୍କ ଜବାବ ଆସିଲା ।

-"ଏମିତି ଯାଉଛି ଯାଉଛି କହି ଘଣ୍ଟାଏ ବିତିଲାଣି , ଆଉ କେତେ ସମୟ ଯିବ ?"

-"ସରିଲା ପରା...ଏତେ ବ୍ୟସ୍ତ କାହିଁକି...?"

-"ମୁଁ ବ୍ୟସ୍ତ ହଉଛି ? ତମର ସମୟ ଜ୍ଞାନ ଅଛି ନା ନାହିଁ ? ଘରୁ ବାହାରୁ ବାହାରୁ ୬ ଟା ବାଜିଲାଣି ...ଆଉ ପହଞ୍ଚିବା କେତେ ବେଳେ , କଣ ରାତି ଅଧରେ ..? ତା' ପରେ ତମ ବାପ ଘର ଗାଁର ଯେଉଁ ରାସ୍ତା ତ ..." ମୋ ପାଟିରୁ କଥା ସରିଛି କି ନାହିଁ ଧଡାସ୍ କରି ସେ ଘର ଭିତରୁ ବାହାରି ଆସିଲେ ।


-"ଦେଖ...ଆଉ ଯାହା କହୁଛ କୁହ, ହେଲେ ମୋ ବାପଘର ନାଁ ଧରିବନି କହି ଦଉଛି ।" ମୁହଁକୁ ଫୁଲେଇ ମୋ ପାଖରେ ଠିଆ ହେଲେ । ସବୁ ଝିଅଙ୍କ ମନରେ ନିଜ ଵାପଘରର ଅଭିମାନ ରହିଥାଏ । ତେଣୁ ସେମାନେ ନିଜ ବାପଘର ବିରୁଦ୍ଧରେ କୌଣସି କଥା ଶୁଣିବାକୁ ପସନ୍ଦ କରନ୍ତିନି ।

-"ହେଲା ଏବେ.... ମୁଁ ତମ ବାପଘର ବିରୁଦ୍ଧରେ କିଛି କହିବି ନାହିଁ ...ଏଥର ଯିବା ନା ଆଉ କିଛି ବାକି ଅଛି ?" ମୁଁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଲି ।

-"ନାଇଁ ଚାଲ.." ମୁହଁରେ ସ୍ମିତ ହାସ୍ୟ ଭରି ସ୍ତ୍ରୀ ଉତ୍ତର ଦେଲେ ।


ଅନେକ ଦିନ ପରେ ଆମେ ସ୍ମୃତି (ମୋ ସ୍ତ୍ରୀ) ର ବାପଘର ଗାଁକୁ ଯାଉଛୁ । ମୁଁ ଭୁବନେଶ୍ୱରରେ ରହିବା ପରଠୁ ଏଇଟା ବୋଧହୁଏ ଆମର ପ୍ରଥମ ଗସ୍ତ । ତା ଛଡା ଯିବାର ଆଉ ଏକ କାରଣ ବି ଅଛି । ମୋ ଶଳା ବିନୋଦ ଆଜି ସସ୍ତ୍ରୀକ ଗାଁକୁ ଫେରୁଛି । ସେଥିପାଇଁ ମୋ ସ୍ତ୍ରୀ ତାକୁ ଦେଖା କରିବା ପାଇଁ ବ୍ୟସ୍ତ ହେଇ ପଡ଼ିଥିଲେ । ବିନୋଦ ତା ସ୍ତ୍ରୀକୁ ନେଇ ବାଙ୍ଗାଲୋରରେ ରହେ । ସେଠାରେ ସେ ଏକ ବଡ଼ construction company ର chief engineer । ଗତ ବର୍ଷ ତାର ବାହାଘର ହେଇଥିଲା । କିନ୍ତୁ ଦୁର୍ଭାଗ୍ୟକୁ ଆମେ ତା ବାହାଘରରେ ଯୋଗ ଦେଇ ପାରିନଥିଲୁ । କାହିଁକି ନା ସେତେବେଳକୁ ମୋର ଦିଲ୍ଲୀରେ training ଚାଲିଥାଏ ଆଉ ଆମେ ସେଠି ରହୁଥାଉ । ସ୍ମୃତିଙ୍କ ଖୁବ ମନ ଦୁଃଖ ହେଇଥିଲା । ଗୋଟିଏ ବୋଲି ଭାଇର ବାହାଘର , ସେଥିରେ ସେ ଯୋଗ ଦେଇ ପାରୁନି । ହେଲେ ମୁଁ ଥିଲି ନାଚାର । ବାହାଘର ପରେ ସେ ତା' ସ୍ତ୍ରୀକୁ ନେଇ ତା' କର୍ମସ୍ଥଳୀ ବାଙ୍ଗାଲୋରକୁ ଚାଲି ଯାଇଥିଲା । ତେଣୁ ତା ସ୍ତ୍ରୀକୁ ଆମେ କେହି ଦେଖି ନଥିଲୁ । ଖାଲି ଯା ସେ ପଠାଇଥିବା ବାହାଘରର କେତେଟା ଫଟୋରେ ତାକୁ ଦେଖିଥିଲୁ ।


ବର୍ଷକ ପରେ ସେ ଆଜି ଫେରୁଛି । ୧୫ ଦିନ ଆଗରୁ ସେ ଆମକୁ telegram କରି ତା ଆସିବା ତାରିଖଟା ଜଣାଇ ଦେଇଥିଲା । ( ସେ ସମୟରେ ମୋବାଇଲର ପ୍ରଚଳନ ହେଇ ନଥିଲା ) ଆଉ ଅନୁରୋଧ କରି କହିଥିଲା ଯେମିତି ବି ହେଉ ଆମକୁ ତା ଗାଁରେ ପହଞ୍ଚିବାକୁ ପଡିବ । ସେଥିପାଇଁ ସ୍ମୃତି ୪ ଦିନ ହେଲା ମତେ ଆଉ ରଖେଇ ବସେଇ ଦେଉନାହାନ୍ତି । ନୂଆ ଭାଉଜର ହାତ ପରଶା ଖାଇବାକୁ ମନ ତାଙ୍କ ବ୍ୟାକୁଳ ।


ଗାଡି ଚାଲିଥାଏ । ପ୍ରାୟ ୫-୬ ଘଣ୍ଟାର ବାଟ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ପାଖରେ ତାଙ୍କ ଗାଁ । ପହଞ୍ଚୁ ପହଞ୍ଚୁ ନିଶ୍ଚୟ ରାତି ୧୨ ହବ । ସେଥିପାଇଁ ମୁଁ ଗାଡିର speed ଟିକେ ବଢ଼େଇ ଦେଲି । ସ୍ମୃତି କିନ୍ତୁ ବିନୋଦର ପିଲାବେଳ କଥା ଗପିବାରେ ଲାଗିଥାଏ ।

-"ବୁଝିଲ ନା..ବିଟୁ(ବିନୋଦର ଡାକ ନାଁ ) ପିଲାଦିନେ ଖୁବ ଅଝଟିଆ ଥିଲା । ଟିକିଏ ଟିକିଏ କଥାରେ କାନ୍ଦି କାନ୍ଦି ମାଟିରେ ଗଡି ଯାଏ । ସେଥିପାଇଁ ତା ସହିତ କେହି ଲାଗନ୍ତିନି । ଆଉ ଯଦି ବା କିଏ ତା ସହ ଲାଗି ଦେଇଛି...ତେବେ କଥା ସଇଲା । କାନ୍ଦ ଆରମ୍ଭ କରିବ ଯେ ସ୍ୱୟଂ ବ୍ରହ୍ମା ଆସିଲେ ବି ବୁଝେଇ ପାରିବେନି । ଘଣ୍ଟାଏ ଖଣ୍ଡେ କାନ୍ଦିଲା ପରେ ସେ ଚୁପ ହୁଏ । ତେବେ ଏତିକିରେ କଥା

ସରେନା । ଚକାପାଡି ଋଷିଙ୍କ ପରି ବସି ଯିବ ଯେ କାହା କଥା ଶୁଣିବନି । ହେଲେ ତାର ଏ ମୌନବ୍ରତ ଭାଙ୍ଗିବାର ଟ୍ରିକଟା କେବଳ ମତେ ହିଁ ଜଣା ଥିଲା । ମୁଁ ତା' ପାଖରେ ଖାଲି ଏତିକି କହିଦିଏ-ରାଜା ରାଣୀ ଗପ କିଏ ଶୁଣିବ ? ତା ପରେ ବିଟୁ ଦୌଡ଼ି ଆସେ ମୋ ପାଖକୁ ଆଉ କହେ-ମୁଁ ଶୁଣିବି ...ମୁଁ ଶୁଣିବି...। ଦାଣ୍ଡ ଅଗଣାରେ ଆମେ ଦୁହେଁ ବସି ଯାଉ, ଆଉ ଖୋଲିଯାଏ ଗପର ପସରା । ବିଟୁ ମୋ ପାଖରେ ବସି ମୁଣ୍ଡ ଟୁଙ୍ଗାରି ହୁଁ ମାରେ । ବେଳେ ବେଳେ ଗପ ଶୁଣୁ ଶୁଣୁ ସେ ସେଇଠି ଶୋଇଯାଇଥାଏ । ମୁଁ ବୋଉକୁ ଡାକେ, ସେ ଆସି ତାକୁ ନେଇଯାଏ । ବିଟୁ ଖାଲି ମୋ ଭାଇ ନଥିଲା, ସେ ମୋ ଶରୀରର ଅଭିନ୍ନ ଅଙ୍ଗ ପାଲଟି ଯାଇଥିଲା । ତା ଦେହରେ ଯଦି କଣ୍ଟାଟିଏ ଫୁଟୁଥିଲା ତେବେ କଷ୍ଟ ମୁଁ ଅନୁଭବ କରୁଥିଲି । ବିଟୁକୁ ମୁଁ ଖୁବ ଗେହ୍ଲା କରୁଥିଲି । ତାର ସବୁ ଭୁଲ ସବୁ ଦୋଷକୁ ମୁଁ ମୋ ମୁଣ୍ଡକୁ ନେଇ ଗାଳି ଶୁଣୁଥିଲି ହେଲେ ବିଟୁ ପ୍ରତି ଆଞ୍ଚ ଆସିବାକୁ ଦେଉ ନଥିଲି । ଆଉ ବିଟୁ ମତେ ଭାରି ଭଲ ପାଉଥିଲା । ତାର ସବୁ ଦୁଃଖ କଷ୍ଟ ସେ ଖାଲି ମତେ ହିଁ ଜଣାଉଥିଲା । ତମର ମନେ ଅଛି ନା...ଆମ ବାହାଘର ବେଳର ଘଟଣା... ଯେତେବେଳେ ସେ ଜାଣିଲା ଯେ ତାର ଅତି ଆପଣାର ଅପାକୁ ତମେ ତାଠୁ ଛଡେଇ ନେଇଯିବ, ସେତେବେଳେ କାନ୍ଦି କାନ୍ଦି ତା ଅପାକୁ ନ ନେବା ପାଇଁ ତମ ପାଖରେ ଅଳି କରିଥିଲା । ଏବେ ସେ କଥା ଭାବିଲା ବେଳକୁ ହସ ଲାଗୁଛି ।"


ସେତେ ଵେଳକୁ ଆମ ଗାଡ଼ି ବ୍ରହ୍ମପୁର ସହର ଟପି ଗୋପାଳପୁର ରାସ୍ତାରେ ଆଗେଇ ଚାଲି ଥାଏ। ରାତି ୧୧.୩୦ ହେବ । ହଠାତ ଗାଡ଼ି ଆଗକୁ ସ୍ତ୍ରୀ ଲୋକଟାଏ ପଶି ଆସିଲା । ଭୟରେ ମୋ ଆଖି ବୁଜି ହେଇଗଲା, ମୁଁ ବ୍ରେକ କଷିଲି । ଏକ କର୍କଶ ଶବ୍ଦ କରି ଗାଡ଼ି ତା ଠାରୁ ପ୍ରାୟ ୧ ଫୁଟ ଦୂରରେ ଛିଡ଼ା ହୋଇଗଲା । ବଞ୍ଚିଗଲା ମଣିଷ, ନ ହେଲେ .....। ମୋ ହାତ ଗୋଡ଼ ଥରିବାରେ ଲାଗିଥିଲା । ମୋ ସ୍ତ୍ରୀଙ୍କ ଗପ ଵି ବନ୍ଦ ହେଇଗଲା । ଏତେ ରାତିରେ ନିର୍ଜନ ରାସ୍ତାରେ ଏକୁଟିଆ ସ୍ତ୍ରୀ ଲୋକକୁ ଦେଖି ଆମର ସନ୍ଦେହ ଵଢିଗଲା ।ହେଲେ ଆମେ କିଛି ପ୍ରତିକ୍ରିୟା ପ୍ରକାଶ କରିବା ଆଗରୁ ସେ ସ୍ତ୍ରୀ ଗାଡ଼ିର ଡୋର ପାଖକୁ ଚାଲି ଆସିଲା । ତା ବେଶଭୁଷାରୁ ସେ ଜଣେ ସମ୍ଭ୍ରାନ୍ତ ଘରର ସ୍ତ୍ରୀ ପରି ଲାଗୁଥିଲା । କିନ୍ତୁ ମୁହଁରେ କୌଣସି ଏକ ଭୟର ଆଭାସ । ଧଇଁସଇଁ ହେଇ କିଛି କହିବାକୁ ଲଗିଲା । ସ୍ପଷ୍ଟ କିଛି ବୁଝି ହେଉ ନଥିଲେ ବି ମୁଁ ଅନୁମାନ କରି ନେଲି ସେ କିଛି ସାହାଯ୍ୟ ଆଶା କରୁଛି । ପାଖରେ ଥିବା ପାଣି ବୋତଲ ତା ଆଡ଼େ ଵଢାଇଲି । ସେ ପାଣି ପିଇ ଟିକେ ସାଷ୍ଟାଙ୍ଗ ହେଲା ପରେ କହିଲା


-"ସାର, ମୋତେ ଟିକେ help କରନ୍ତୁ, ମୋ ସ୍ୱାମୀଙ୍କର accident ହେଇଛି, ଚେତା ନାହିଁ । ତାଙ୍କୁ ଟିକେ hospital ନେଇ ଚାଲନ୍ତୁ । ଏତିକି ସାହାଯ୍ୟ କରନ୍ତୁ।" ସେ ଅନୁନୟ ହେଲା।

-"accident ? କେମିତି ହେଲା ?" ତଥ୍ୟ ସଂଗ୍ରହ ପାଇଁ ପଚାରିଦେଲି।

-"ଆମେ ଘରକୁ ଫେରିବା ଵେଳେ ଏକ ଟ୍ରକ ଆମ ଗାଡ଼ିକୁ ଧକ୍କା ଦେଇ ଚାଲି ଗଲା । ତା ପରେ କଣ ହେଲା ମୁଁ ଜାଣିନି,ଚେତା ଆସିବା ପରେ ଦେଖିଲି ଡ୍ରାଇଭର ମରି ଯାଇଛି । ମୋ ସ୍ଵାମୀଙ୍କୁ ଖୁବ ଆଘାତ ଲାଗିଛି। ପଛ ସିଟରେ ଥିବାରୁ ମୋର ଵିଶେଷ କିଛି କ୍ଷତି ହେଇନି। ଵହୁତ କଷ୍ଟରେ ଗାଡ଼ି ଵାହାରକୁ ଆସିଲି,ତାଙ୍କୁ ଵି ବାହାରକୁ ଆଣିଲି, ଵହୁତ ଵେଳ ହେଲା ଚେଷ୍ଟା କରୁଛି କୋଉ ଗାଡ଼ି ରେ ତାଙ୍କୁ hospital ନେଵି,ହେଲେ ଦୂର୍ଭାଗ୍ୟ କେହିବି ମତେ ସାହାଯ୍ୟ କରୁନାହାନ୍ତି । ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ଦୟା କରନ୍ତୁ, ତାଙ୍କୁ ଟିକେ hospital ନେଇ ଚାଲନ୍ତୁ।"


ଏତେ ଵେଳ ଯାଏ ଚୁପ ଵସିଥିବା ମୋ ସ୍ତ୍ରୀ ହଠାତ ପାଟି କରି ଉଠିଲେ -"ନାଇଁ ନାଇଁ ଆମର ସେ ଝାମେଲାରେ ପଡିଵାରେ ନାହିଁ ।ଆଜିକାଲି ଵେଳକାଳ ଯାହା ହେଲାଣି ସେଥିରେ ହାତେ ମାପି ଚାଖଣ୍ଡେ ଚାଲିବା ବୁଦ୍ଧି ମାନର କାମ । ଚିହ୍ନା ନାହିଁ ଜଣା ନାହିଁ କଣ ନାହିଁ କଣ ହେବ, ତମେ ଚାଲିଲ ।"

ସ୍ତ୍ରୀଙ୍କ ବାକ୍ୟ ଵାଣ ତାକୁ ଆଘାତ ଦେଲା-"ଆପଣ ସେମିତି କୁହନ୍ତୁନି, ଏ ନିର୍ଜନ ଜାଗାରେ ମୋର କେହି ସାହା ଭରସା ନାହାନ୍ତି, ମୁଁ ଆପଣଙ୍କ ଛୋଟ ଭଉଣୀ ପରି, ମୋର ଏତିକି ଅଳି ରଖନ୍ତୁ ।"

ମୋ ସ୍ତ୍ରୀ କିନ୍ତୁ ଏକଵାର ନାରାଜ,ରାଗିଵା ପରି କଣ୍ଠକୁ ଟାଣ କରି କହିଲେ -"ତମକୁ କଣ ବେଳ ଜଣା ପଡୁନି,ଚାଲ ଏଠୁ ଶୀଘ୍ର ।"

ଅଗତ୍ୟା ମୁଁ ଗାଡି start କଲି,ସେ ସ୍ତ୍ରୀ ଲୋକର ସଵୁ ଅନୁନୟକୁ ପଛରେ ପକାଇ ଆମ ଗାଡ଼ି ଗୋପାଳପୁର ଆଡେ ଆଗେଇ ଚାଲିଲା । ମୁଁ କିନ୍ତୁ ମନେ ମନେ ଭାବୁଥିଲି, ଜଣେ ଅସହାୟ ସ୍ତ୍ରୀ କୁ ଛାଡି ଚାଲି ଆସି ଆମେ କିଛି ଭୁଲ କରୁନୁ ତ ?


ସ୍ମୃତିଙ୍କ ବାପଘରେ ପହଞ୍ଚିଲା ବେଳକୁ ତାଙ୍କର ସମସ୍ତେ ବିଛଣାକୁ ଗଲେଣି I ଯଦିଓ ସେମାନେ ସମସ୍ତେ ଆମ ଅପେକ୍ଷାରେ ଥିଲେ, କିନ୍ତୁ ଆମର ଡେରି ହେବା ଦେଖି ଭାବି ନେଇଥିଲେ ଯେ ଆମେ ଆଉ ଆସିବୁ ନାହିଁ ବୋଲି I ଆମକୁ ଦେଖିଲା ପରେ ସେମାନେ ବଡ ବ୍ୟସ୍ତ ହେଇ ଆମର ଖାଇବା ପିଇବାର ବନ୍ଦୋବସ୍ତ କରିବାକୁ ବାହାରିଲେ I ମୁଁ କିନ୍ତୁ ମନା କରି କହିଲି,"କିଛି ବ୍ୟସ୍ତ ହେବା ଦରକାର ନାହିଁ, ଆମେ ବ୍ରହ୍ମପୁରରୁ ଖାଇଦେଇ ଆସିଛୁ " I ସ୍ମୃତି ବିନୋଦକୁ ଖୋଜିବାରୁ ଜଣା ପଡିଲା କି ସେମାନେ ଏ ଯାଏ ଘରକୁ ଆସି ନାହାନ୍ତି, ହୁଏତ କିଛି ଅସୁବିଧା ହେଇଥିବ, ଏଇ କଥା ଭାବି ସେଦିନ ରାତିରେ ସମସ୍ତେ ଶୋଇଗଲୁ I


ତା' ପର ଦିନ ସକାଳ, ଆମେ ବିଛଣା ଛାଡି ନଥାଉ,ଦାଣ୍ଡ କବାଟରେ କିଏ କରାଘାତ କଲା I ମୋ ଶାଶୁ କବାଟ ଖୋଲି ଚମକି ଉଠିଲେ, ଆଖି ଆଗରେ ପୋଲିସ I ଏତେ ସକାଳୁ ପୋଲିସକୁ ଦେଖି ଶାଶୁ ଛାନିଆ ହେଇ ଡାକ ପକେଇଲେ, କଣ ହେଲା କଣ ହେଲା ବୋଲି ଆମେ ସମସ୍ତେ ଦାଣ୍ଡ ଦୁଆରେ ଜମା ହେଇଗଲୁ I ହେଲେ ପୋଲିସ ଯାହା କହିଲା ସେସବୁ ଶୁଣି ଆମ ମୁଣ୍ଡରେ ଚଡକ ପଡିଗଲା, ବିନୋଦର accident ହେଇଛି, ସେ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲରେ I ମୁଁ ସେମାନଙ୍କୁ ସାନ୍ତ୍ୱନା ଦେଇ ଗାଡି ବାହାର କଲି ମେଡିକାଲ ଯିବା ପାଇଁ I ମୋ ଶାଶୁ ଆଉ ସ୍ମୃତି ବାହାରିଲେ ମୋ ସହ I


ମେଡିକାଲରେ ପହଞ୍ଚି ବିନୋଦର ବେଡ଼ ପାଖକୁ ଗଲୁ, ସେ ପୋଲିସ ଜଣଙ୍କ ବି ଆମ ସହ ଥାଆନ୍ତି I ହେଲେ ସେତେବେଳକୁ ସବୁ ସରି ଯାଇଥିଲା, ବିନୋଦର death ହେଇ ସାରିଥିଲା, ବେଡ଼ ପାଖରେ ସ୍ତ୍ରୀ ଲୋକଟିଏ ବାହୁନି ବାହୁନି କାନ୍ଦୁ ଥାଏ I ମୁଁ ଅନୁମାନ କଲି ସେ ବୋଧହୁଏ ବିନୋଦର ସ୍ତ୍ରୀ I ମୋ ଶାଶୁ ପୁଅର ଶବକୁ ଦେଖି ମୋ ପୁଅ କହି ମୁର୍ଚ୍ଛା ଚାଲିଗଲେ, ସ୍ମୃତିର ବି ସେଇ ଏକା ଅବସ୍ଥା I ପାଣି ଛଟାଛଟି କରିବାରୁ ସେମାନଙ୍କ ଚେତା ଫେରିଲା I


 -"ମାଡାମ ଦେଖନ୍ତୁ ଆପଣଙ୍କ ପରିବାର ଲୋକ ଆସିଛନ୍ତି "I ପୋଲିସ ଜଣଙ୍କ କାନ୍ଦୁଥିବା ସ୍ତ୍ରୀ ଲୋକକୁ ସୂଚାଇ ଦେଲା I ସେ ଆମକୁ ବୁଲି ଚାହିଁଲା, ସେ ଆମକୁ ଦେଖି ଚିତ୍କାର କରି ଉଠିଲା-"ଏମାନେ ଏଠି କାହିଁକି ? ଚାଲିଯାଅ ଚାଲିଯାଅ ଏଠୁ "I

 -"ମାଡାମ କାହାକୁ ଆପଣ କଣ କହୁଛନ୍ତି? ଇଏ ପରା ଆପଣଙ୍କ ନଣନ୍ଦ ନଣନ୍ଦୋଇ " I ପୋଲିସ ଜଣଙ୍କ ସୂଚାଇ ଦେଲା I ଚକ୍ଷୁ ତାଙ୍କର ବିସ୍ଫାରିତ ହେଇଗଲା, ଅବିଶ୍ୱାସ ଭରା ଚାହାଣି ରେ ଆମକୁ କିଛି ସମୟ ଚାହିଁଲା,ଆଉ ତା ପରେ କୋହ ଭରା କଣ୍ଠରେ କହିବାକୁ ଲାଗିଲା-"ଓଃ .... ଆପଣ ତା ହେଲେ ସେଇ ଅପା ନା, ଯାହାଙ୍କ କଥା କହିଲା ବେଳେ ବିନୋଦଙ୍କ ପାଟିରେ ବାଟୁଳି ବାଜୁ ନଥିଲା, କେତେ ସରାଗରେ ସେ ବାଙ୍ଗାଲୋରରୁ ଧାଇଁ ଆସିଥିଲେ ଆପଣଙ୍କ ସାଥିରେ ଛୁଟି କଟାଇବା ପାଇଁ, ହେଲେ ସବୁଦିନ ପାଇଁ ତାଙ୍କର ଛୁଟି ହେଇଗଲା, ସେଥିପାଇଁ ଆପଣ ଦାୟୀ , ସେ accident ରେ ମରି ନାହାନ୍ତି ଆପଣ ତାକୁ ମାରି ଦେଇଛନ୍ତି "I

କଇଁ କଇଁ ହେଇ କାନ୍ଦି ଉଠିଲା ସେ I ସ୍ମୃତି ନିଜକୁ ଦୋଷୀ ମନେ କରୁଥିଲେ -" ଆରେ ଏମିତି କହନିରେ, ମୁଁ କଣ ଜାଣିଥିଲି ବିଟୁର accident ହେଇଛି ବୋଲି, ଆଉ ତତେ ବି ଆମେ ଚିହ୍ନି ପାରି ନଥିଲୁ ...ନହେଲେ ...." ।

 

ଆହତ ସର୍ପ ପରି ଗର୍ଜି ଉଠିଲା ବିନୋଦ ର ସ୍ତ୍ରୀ -"ନହେଲେ ସାହାଯ୍ୟ କରିଥାନ୍ତେ ? କାହିଁକି ନା ସେତେବଳେ ସେ ହେଇଥାନ୍ତେ ଆପଣଙ୍କ ନିଜ ଲୋକ, ଆଉ ନିଜ ଲୋକଙ୍କୁ ସାହାଯ୍ୟ କରିବା ଆପଣଙ୍କ ଧର୍ମ, ହେଲେ ମୁଁ ଯେତେବେଳେ ନେହୁରା ହେଉଥିଲି ବିନୋଦଙ୍କୁ ମେଡିକାଲ ନେଇ ଯିବା ପାଇଁ,ଆପଣ ମୋ ଆକୁଳ ନିବେଦନକୁ କର୍ଣ୍ଣପାତ ନକରି ସେଠାରୁ ଚାଲି ଆସିଥିଲେ, କାରଣ ମୁଁ ଥିଲି ଆପଣଙ୍କ ପାଇଁ ପର ରାସ୍ତାକଡ଼ର ଲୋକ, ଆପଣ ସାହାଯ୍ୟ କରିଥାନ୍ତେ କୋଉ ଖୁସିରେ ? ରାସ୍ତାରେ ଆହତ ହେଇ ପଡିଥିବା ଲୋକଟା ମରିଗଲେ ଆପଣଙ୍କ ଯାଏ କେତେ ଆସେ କେତେ ? ସ୍ୱାର୍ଥ ଆଉ ଅର୍ଥ ମୋହରେ ଅନ୍ଧ ହେଇ ଆପଣ ମାନବିକତାକୁ ଭୁଲି ଯାଇଛନ୍ତି, ଭୁଲିଛନ୍ତି ମୂଲ୍ୟବୋଧକୁ, ଚାଲି ଯାନ୍ତୁ ଏଠୁ, ଆପଣଙ୍କ ଏଠି ନିଜର କେହି ନାହାନ୍ତି , ଯେ ମରି ଯାଇଛନ୍ତି ସେ ଆପଣଙ୍କ ଭାଇ ନୁହେଁ , ସେ ମୋ ସ୍ୱାମୀ, କେବଳ ମୋର "I ସ୍ଥାଣୁ ପାଲଟି ଯାଇଥିଲେ ସ୍ମୃତି, ପାଟି ରୁ ତାଙ୍କର ବାକ୍ୟ ସ୍ଫୁରୁ ନଥିଲା, ମୁଁ ବି ଜଡ ପାଲଟି ଯାଇଥିଲି I ଏ ଘଟଣା ପାଇଁ ମୁଁ ବି ନିଜକୁ ସମ ପରିମାଣରେ ଦୋଷୀ ମନେ କରୁଥିଲି, ଏ ଦୁର୍ଘଟଣା ଥିଲା ଆମ ପାଇଁ ଏକ ଶାସ୍ତି, ସାମାଜିକ ମୂଲ୍ୟବୋଧ, ମାନବିକତାକୁ ଯିଏ ପାସୋରି ଦିଏ ଭଗବାନ ତାକୁ ଏଇପରି ଦଣ୍ଡ ଦିଅନ୍ତି I



Rate this content
Log in

More oriya story from Abhiram Mandal

Similar oriya story from Tragedy