ଦୁଇ ହାତ
ଦୁଇ ହାତ


ସନ୍ ୧୯୭୮.....
ଲକ୍ଷଣପୁରର ରାମିଆ ଭାରତୀୟ ସ୍ଥଳସେନାରେ
ଜଣେ ପାଚକ ବା ରୋଷେୟା ଭାବେ କାମ ପାଇ ୩ ବର୍ଷ ହେଲା ଘରକୁ ଆସିନଥିଲା ।
ଏବେ ଏତେ ଦିନ ରହିଲା ପରେ ସେ ଗାଆଁକୁ ଫେରୁଛି ବୋଲି ଚିଠି ଖଣ୍ଡିଏ ପଠେଇଛି ।
ଗାଆଁରେ ବଡ଼ ବଡ଼ ଲୋକେ ତା ଆସିବା ବାଟକୁ ଅନେଇ ରହିଛନ୍ତି ।
ରାମିଆ ଆଇଲେ କେମନ୍ତ ଘଟଣା ଘଟିବ ତାକୁ ଦେଖିବା ସକାଶେ ସେମାନଙ୍କ ମନରେ ପ୍ରବଳ କୌତୁହଳ ବସା ବାନ୍ଧି ଅଛି ।
ତିନି ବର୍ଷ ତଳେ ରାମିଆ ସାନ୍ତରାସାହି ମାଗୁଣି ପ୍ରଧାନ ଝିଅ ସୁଲାକୁ ବାହା ହୋଇ ଘରକୁ ଆଣିଥିଲା ଯେ ବାହାଘରର ମାସେ ନ ପୁରୁଣୁ ଆର୍ମୀରେ କାମ ପାଇଗଲାରୁ ସେଇ ଦିନଠୁ ଯାଇଛି ଯେ ଯାଇଛି ଆଉ ଫେରିବା ନାଆଁ ଧରିନି...
ସୁଲା କେତେ ଦିନ ନୂଆବୋହୂ ଭଳି ସକେଇ ସକେଇ କାନ୍ଦିଲା । ନୂଆ ଭୂଆସୁଣି ପରି ସବୁ ରୀତିନୀତି ପାଳିଣ
ରହିଲା । କିଛି ଦିନ ଉତ୍ତାରୁ ତା ଚାଲିଚଳଣ ବଦଳିବା ସହ କପଡ଼ା ର ଆକାର ବି ଛୋଟ ହୋଇ ହୋଇଗଲା ।
ସେ ଯୁଆଡେ ଯାଏ ଲୋକେ ତାଟକା ହେଇ ଅନେଇ ଥାଅନ୍ତି ।
ଗାଆଁରେ ସୁଲା ନାଆଁରେ ନାନାପ୍ରକାର କଥା ଶୁଣାଗଲା
କିନ୍ତୁ ତା ଶାଶୁକୁ ଏସବୁ ଭଲ ଲାଗୁନଥିଲା । ସେ ତ ତା ବୋହୂ କୁ ଦିନ ରାତି ଗଧଭଳି ଖଟୁଥିବାର ଦେଖେ । ସେ ବା କାହିଁକି ଏସବୁ କଥାକୁ ପରତେ ଯିବ...
କେତେ ଲୋକ ଆସି ବୁଢି଼କୁ ବୁଝାଇ ଗଲେ
“ବୋହୂ କୁ ତାଗିଦ କର ନହେଲେ କାଲିକୁ ନାକ କାଟିଦେଲା ଭଳିଆ କାମ କରିଦେବ”
ହେଲେ ବୁଢୀ ସେମାନଙ୍କ କଥାକୁ ଗୁରୁତ୍ୱ ଦିଏନି ।
ଚାହୁଁ ଚାହୁଁ ଦି ବର୍ଷ ବିତିଗଲା । ସୁଲାର ଚାଲିଚଲଣ ବି କେତେ ବଦଳିଗଲାଣି । ସେ ଆଉ ନିଜକୁ ନୂଆବୋହୂ ଭଳି ଘରକଣରେ ବସିଯିବାର ବସ୍ତୁ ଭାବୁନାହିଁ । ସକାଳ ହେଲେ ତାକୁ ବିଲକୁ ଯିବାକୁ ହୁଏ । ଗାଈଗୋରୁ ଙ୍କ ପାଇଁ ଘାସ କାଟିଆଣି ସେମାନଙ୍କ ଗୁହାଳ ପୋଛି ତାଙ୍କୁ ଖାଇବାକୁ ଦେଇ ଆପେ ଗାଧୋଇ ଚା ଖାଇ ପୁଣି ବିଲ ଆଡେ଼ ଚାଲିଯାଏ ଯେ ସୂର୍ଯ୍ୟ ମୁଣ୍ଡ ଉପରେ ହେଲେ ଘରକୁ ଫେରେ । ଘରକୁ ଆସି ରୋଷେଇ କରି ଶାଶୁକୁ ଖାଇବାକୁ ଦେଇ ପୁଣି ବିଲ ଆଡେ଼ ଚାଲିଯାଏ ଯେ ସଂଧ୍ୟାରେ ଫେରେ ।
ଗାଆଁରେ ମହିଳାମାନଙ୍କ ସହ ତାର ଦେଖା ସାକ୍ଷାତ ବିଶେଷ ନାହିଁ କିନ୍ତୁ ବିଲ ବାଡ଼ିରେ ପୁରୁଷଙ୍କ ସହ କେତେ ପ୍ରକାରର ରଙ୍ଗ ରହସ୍ୟ ହୁଏ ସମସ୍ତେ ଦେଖନ୍ତି ଜାଣନ୍ତି ତା ଶାଶୁକୁ କୁହନ୍ତି ।
ବୁଢି ସବୁଜାଣେ ଜାଣି ମଧ୍ୟ ଚୁପ୍ ରୁହେ କଣ୍ ବା କରିବ,
ଆପଣା ସୁନା ଯେବେ ଭେଙ୍ଗି ତା ପକ୍ଷେ ଆଉ ଚାରା କ'ଣ ?
ଶେଷକୁ ବୁଢୀ ଏକ ଉପାୟ ପାଞ୍ଚକରି ତା ଦିଅର ପୁଅକୁ କିଛି ଦିନ ନିଜ ଘରେ ରହିବାକୁ ଡକେଇପଠେଇଲା ।
ଖବର ପାଇ ନବଘନପୁରରୁ ନରହରି ପ୍ରଧାନ ପୁଅ ନୀଳ
ଲକ୍ଷଣପୁର ଆସିଲା । ତା ଆସିବା ପରେ ପରେ ସୁଲାର ଚାଲି ଚଳଣି ପୁଣି ନୂଆବୋହୂ ପରିକା ହୋଇଗଲା ।
ଦେଖିଲା ଲୋକ ତାଟକା,ଶୁଣିଲା ଲୋକ ଆଶ୍ଚର୍ଯ୍ୟ । ନୀଳ ଲକ୍ଷଣପୁରରେ ରହି ତା ବଡ଼ପା ଶଶୁର ଘର ବିଲବାଡି଼ କାମ ଦେଖିଲା ।
ଏଣେ ସୁଲାର ଶାରୀରିକ ପରିବର୍ତ୍ତନ ଦେଖି ସଭିଏଁ ସଂଦେହ କରୁଥାନ୍ତି । ଗାଆଁର ବହୁତ ଲୋକ ବୁଢୀକୁ ବୁଝାଇଲେ
ବେଳ ଥାଉଁ ଥାଉଁ ପାପକୁ ଧୋଇ ଦେ ନହେଲେ ଜୀବନଯାକ ଅପମାନିତ ହେବାକୁ ପଡି଼ପାରେ ହେଲେ କାହିଁକି କେଜାଣି ବୁଢୀକୁ ଏସବୁ କଥା ଭଲ ଲାଗିଲା ନାହିଁ । ତେବେ ଏସବୁ କଥା ଜଣାପଡିଗଲାରୁ ନୀଳକୁ ନବଘନପୁର ଯିବାକୁ ହେଲା ।
ସମୟ ପାଣି ଭଳି ବହିଯାଏ । ଚାହୁଁ ଚାହୁଁ ସୁଲାର ପୁଅଟିଏ ବି ହୋଇଗଲା । ଗାଆଁରେ ସମସ୍ତେ ଛି ଛାକର କଲେ,ତାଙ୍କ ଘର ସହ ପାଣି ଅଚଳ କରିଦେଲେ ହେଲେ ତଥାପି ରାମିଆ ମାଆ ବୁଢୀର ବୋହୂ ସରଧା କମି ନଥିଲା ।
ପୁଅ ରାମିଆ କୁ ତା ମାଆ ଝଅଟ୍ ଏକ ଚିଠି ଲେଖିଲା ।
"ବାପ ରାମିଆ ତୋର ଏଇ ସପ୍ତା ପୁଅଟିଏ ହୋଇଲା ଶିଘ୍ର ଆସି ଘରେ ହାଜର ହୁଅ"
ଚିଠି ପାଇ ତାହାର ପ୍ରତ୍ୟତ୍ତରରେ ଆଉ ଏକ ଚିଠିରେ ସେ ସପ୍ତାହ ପରେ ଆସୁଛି ବୋଲି ଜଣାଇଥିଲା ।
ସେଇଥିପାଇଁ ଗାଆଁରେ ସମସ୍ତେ ଆଜି ତା ବାଟକୁ ଚାହିଁ ବସିଛନ୍ତି । କହିଥିବା ଦିନର ଏକ ଦିନ ପରେ ରାମିଆ
ଲକ୍ଷଣ ପୁରରେ ଆସି ପହଞ୍ଚିଲା ।
ଲୋକେ ତାକୁ ପୁଅକଥା କହିଲେ । ସେ କଥା କାଟିବାକୁ ଚେଷ୍ଟା କଲା । ଲୋକେ କହିଲେ ସେ ପିଲାଟା ପାପ ସମ୍ପର୍କ ଯୋଗୁଁ ଜନ୍ମ ହୋଇଛି,ତୋ ସ୍ତ୍ରୀ ଅନୈତିକ କାର୍ଯ୍ୟ କରିଛି
ତାକୁ ଶିଘ୍ର ଘରୁ ବାହାର କରିଦେ ଏଇଥିରେ ତୋ ମଙ୍ଗଳ ।
କିନ୍ତୁ ରାମିଆ ର ସେହି ଏକାକଥା ତା କେମନ୍ତ ହେବ
ଯା ହେଲେ ସୁଲାକୁ ସେ ଅଗ୍ନି ଆଗରେ ସାଖିରଖି ବାହା ହୋଇଛି । ତେବେ ମୁଁ ଏକଥା ଜାଣିଲା ପରେ ତାକୁ ବହେ ବାଡେଇଛି ଗାଳୀ ମନ୍ଦ କରିଛି ! ରାମିଆ କହିଲା ...
ସେଇଠୁ ଲୋକ ତାକୁ ଆଉଥରେ ବୁଝେଇବା ଆରମ୍ଭ କରିଦେଲେ ।
“ପର ଟା ପର ନିଜଟା ନିଜର ! ପର ପିଲାକୁ କାଖେଇ ବୁଲିଲେ କି ଲାଭ କାଲିକୁ କେ ଜାଣେ ଗୋଇଠା ମାରିବ !”
ରାମିଆ ଗାଆଁ ଲୋକଙ୍କୁ ହାତ ଯୋଡ଼ି କହିଲା-
“ଆପଣ ମାନେ ବଡ଼ ତେଣୁ ସମସ୍ତ ଙ୍କର ସମ୍ମାନ କରେ
ଏ ପିଲାଟି ଯେତେ ଯାହା ହେଲେ ବି ଆମ ଘରର ,ଏକା ରକ୍ତର ପର ନୁହେଁ ! ସେ ବଡ଼ ହେଲେ ମୋ ଆଶାବାଡି ହେବ । ମୋ କାମରେ ହାତ ଦେଇ ମୋତେ ସାହାଯ୍ୟ କରିବ ! ତା ଏଇ ଦୁଇ କୁନି କୁନି ହାତରେ ସେ ମୋ ବୃଦ୍ଧାବସ୍ଥାର ସାହାରା ହୋଇବ !”
ସେଦିନ କାହିଁକି କେଜାଣି ରାମିଆ କଥାରେ
ସେଠି ଉପସ୍ଥିତ ଲକ୍ଷଣପୁରର ଲୋକେ କାନ୍ଦି ପକେଇଲେ ।
ରାମିଆ ର ଉଦାରତା ତାଙ୍କ ପଥର ମନକୁ ବି ତରଳେଇ ଦେଇଥିଲା । ଗାଆଁ ଲୋକେ ବାଃ ରାମିଆ ବାଃ କହି କହି ଘରକୁ ଫେରିଲେ ।