STORYMIRROR

Subrat Kumar Muduli

Inspirational

4  

Subrat Kumar Muduli

Inspirational

ଦୁଇ ବୁନ୍ଦା ଲୁହ

ଦୁଇ ବୁନ୍ଦା ଲୁହ

2 mins
28.3K


ପ୍ରତି ଶନିବାର ମୁଁ ଘରେ ନପହଞ୍ଚିବା ପୂର୍ବରୁ ପାରବୁଢୀ ପହଞ୍ଚିଯାଏ ଆମ ଘରେ । ମୁଁ ଲଗେଇ ଦିଏ ଆଉ ସେ ମୋ’ ମୋବାଇଲ ଫୋନରେ କଥା ହୁଏ କଲିକତାରେ ଚାକିରି କରୁଥିବା ତା’ ପୁଅ ଗୋବିନ୍ଦ ସହ । ପ୍ରତିଥର ସେ ଗୋବିନ୍ଦ ସହ କଥା ହେଲା ବେଳେ ମୁଁ ଶୁଣେ କାରଣ ବୁଢୀକୁ ବିନା ଲାଉଡ ସ୍ପିକରରେ କିଛି ଶୁଭେନି । ତା’ ପୁଅର ବୁଢୀସହ ଟାଇଁଟାଇଁ କଥାବାର୍ତ୍ତା ଜମା ମୋ’ ମନକୁ ପାଏନି ଭାରି ଦୁଃଖ ଲାଗେ ବେଳେ ବେଳେ ପୁଅ ଫୋନ କାଟି ଦେବା ପରେ ବି ବୁଢୀ ନଜାଣିପାରି କହୁଥାଏ .....ବାହାର ଜାଗା ଦେହ ପା’ ଜଗିରଖି ଚଳିବୁ ଆହୁରି କେତେ କ’ଣ ।

ସେଦିନ ବି ଶନିବାର ଥିଲା ବୁଢୀ ଆସିଥିଲା ପୁଅକୁ ଫୋନ କରି କହିବ ଇନ୍ଦିରା ଆବାସ ଘର ମିଳିଛି ସେ ଆଉ କିଛି ଟଙ୍କାଧରି ଆସିଲେ କାମଟା ଉତୁରି ଯିବ । ଯା’ ହେଉ ଫୋନ ଲାଗିଲା ପୁଅ ବି ହଁ ମାରିଲା ,ବୁଢୀର ଖୁସି କହିଲେ ନସରେ । ସେଇଦିନ ଠାରୁ ବୁଢୀ ସ୍ଵପ୍ନ ଦେଖୁଥିଲା ନୂଆ ଚୂନଦିଆ କୋଠା ଘରର ।

ୟା’ ଭିତରେ ଅନେକ ଶନିବାର ଗଲାଣି ବୁଢୀ ମୋ’ ପାଖକୁ ଆସେ ମୁଁ ଫୋନ ଲଗାଏ କିନ୍ତୁ ଲାଗେନି । ବୁଢୀ ଲୁଚେଇ ଲୁଚେଇ କାନ୍ଦେ ଯା’ ହେଉ ଗତ ଶନିବାର ଫୋନ ସିନା ଲାଗିଲାନି କିନ୍ତୁ ଫେସବୁକରେ ତା’ ନୂଆ ପୋଷ୍ଟ ଦେଖି ମୁଁ ଆଉ ସହି ପାରିଲିନି ସିଧାଯାଇ ପହଞ୍ଚିଲି ବୁଢୀଘରେ । ଘର ବାଘମୁହିଁରେ ଥିବା ତା’ ଚୁଲିରେ ବର୍ଷାପାଣି ଭର୍ତ୍ତିଥିଲା ଜାଣିଲି ବୁଢୀ ଉପାସରେ ଶୋଇଥିଲା । ତାକୁ ପୁଅର ଫଟକୁ  ଜୁମକରି ଦେଖେଇଲି ବିଚାରୀ ବୁଝି ପାରୁନଥିଲା ଓଲଟା ମୋ’ ସହ ଯୁକ୍ତି କରି କହୁଥିଲା ......ମୋ’ ଡାହାଣ ଆଖି ଡିଆଁରୁ ମୁଁ ଜାଣିଥିଲି ମୋ’ ପୁଅ ଖୁସିରେ ନାହିଁ ବୋଲି ହେଇଟି ଦେଖୁନୁ ଖାଲି ହଳଦିଆ ଭାତ ଖାଉଛି ଶାଖାଫାକା କିଛି ନାହିଁ । ବୁଢୀ ପୁଅର ଫଟ ଦେଖି କାନ୍ଦୁଥିଲା ଆଉ ମୁଁ ତା’ ଠାରୁ  ଦୁରେଇକି ଲୁଚିଲୁଚି ମୋ’ ଆଖିରେ ଜକେଇ ଆସିଥିବା ଦୁଇବୁନ୍ଦା ଲୁହ ପୋଛୁଥିଲି । ଆଖିରେ ନାଚୁଥିଲା ଗୋବିନ୍ଦର ଫଟ ମିଶା ଆଜିକା ପୋଷ୍ଟ .......ଏଞ୍ଜଈଙ୍ଗ ହାଇଦ୍ରାବାଦି ଦମ ବିରିୟାନୀ ଆଟ ଡାଉନ ଟାଉନ ରେଷ୍ଟୁରାଣ୍ଟ କୋଲକାତା ଉଇଥ ସୁଇଟ ସ୍ଵପ୍ନା ଆଣ୍ଡ ଫିଫଟିନ ଅଦର୍ସ ।


రచనకు రేటింగ్ ఇవ్వండి
లాగిన్

Similar oriya story from Inspirational