STORYMIRROR

Subrat Kumar Muduli

Others

3  

Subrat Kumar Muduli

Others

ଅବିଶ୍ୱାସୀ

ଅବିଶ୍ୱାସୀ

2 mins
29.3K


ମୁଁ ପ୍ରାୟତଃ ସବୁ ବେଳେ ଆକାଶକୁ ମିନା ନାଁରେ ମିଛରେ ଏଣୁ ତେଣୁ କହି ପଇସା ଝଡଉଥିଲି । ମୁଁ ଜାଣେ ସେ ମିନାକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲା ତା’ଠୁଁ ବେଶି ବିଶ୍ଵାସ କରୁଥିଲା ମୋ’ ମଧ୍ୟସ୍ତି ପଣିଆକୁ । ମୋର ମନେ ଅଛି ବେଳେ ବେଳେ ସେ ମତେ ମନ ଇଚ୍ଛା ଖାଇବାକୁ ଦେଇ ନିଜେ ଗୋଟେ କପ ଚା’ରେ ସନ୍ତୁଷ୍ଟ ହେଉଥିଲା । ମୁଁ କିନ୍ତୁ ଚାହୁଁନଥିଲି ସେ ତା’ ପ୍ରେମରେ ସଫଳ ହେଉ ବୋଲି କାରଣ ମୁଁ ବି ମନେ ମନେ ଭଲ ପାଉଥିଲି ମିନାକୁ । ଆକାଶ ମିନା ପାଇଁ ମତେ ଦେଉଥିବା ପ୍ରତ୍ୟେକ ଚିଠିକୁ ମୁଁ ତାକୁ ଲୁଚେଇ ପଢୁଥିଲି ଆଉ ପରେ ଫାଡି ଫିଙ୍ଗି ଦେଉଥିଲି ଅଳିଆ ଗଦାରେ । ସତ କହୁଛି ମିନାର ଉତ୍ତର ପାଇବା ଆଶାରେ ଆକାଶ ଯେତେ ବ୍ୟାକୁଳ ନଥିଲା ମୁଁ ତା’ଠୁଁ ଅଧିକ ବ୍ୟାକୁଳ ଥିଲି ମୋ’ର ଭଲ ପାଇବା ବିଷୟରେ ମିନାକୁ ଜଣେଇବାକୁ ।

ସେଦିନ ମିନାକୁ ମୋ’ ପାଖରେ ପାଇଲି, ମୁଁ ମୁହଁ ଖୋଲିବା ପୂର୍ବରୁ ସେ ମତେ କହିଲା କାଳେ ସେ ବି ମନେ ମନେ ଭଲ ପାଉଥିଲା
ଆକାଶକୁ । ମିନା ପାଖରୁ ଆକାଶ ପାଇଁ ଚିଠି ପାଇ ସାରିବା ପରେ ମୁଁ ପହଞ୍ଚି ପାରୁନଥିଲି ଏକ ନିର୍ଦ୍ଧିଷ୍ଟ ନିଷ୍ପତ୍ତିରେ ।  ରାତିସାରା ଭାବିଲି ଶେଷରେ ସ୍ଥିର କଲି ଆକାଶକୁ ଫେରେଇ ଦେବି ତା’ର ଭଲପାଇବା । ଦୁର୍ଭାଗ୍ୟ ବଶତଃ ପରଦିନ ଶ୍ରୀୟା ଟକିଜ ଆଗରେ ପକେଟ ମାର ହୋଇଗଲା ମୋ’ ପର୍ସ ଯେଉଁଥିରେ ଥିଲା ସେଇ ମୂଲ୍ୟବାନ ଚିଠିଟି । ଆକାଶକୁ କହିଲି ସେ ବେଦମ ହସିଲା ଆଉ କହିଲା ..... ମୁଁ ଲଭରେ ସଫଳ ହେଲି ସେଇଟା ମୋର ଭାଗ୍ୟ ମୋର ଚିଠି ଫିଟି କିଛି ଦରକାର ନାହିଁ । ବୋଧେ ଆକାଶ ବିଶ୍ଵାସ କରୁନଥିଲା ସେଇ ସତ ଘଟଣାକୁ । କଥା ଆଗକୁ ବଢିବା ଆଗରୁ ମିନା ବାପାଙ୍କର ରାଉରକେଲା ବଦଳି ହୋଇଗଲା ଆଉ ଛକି ପଡିଗଲା ଦୁହିଙ୍କ ସମ୍ପର୍କରେ ।

ଏବେ ବି ପନ୍ଦର ବର୍ଷ ପରେ ଯେବେ ମୁଁ ଶ୍ରୀୟା ଟକିଜକୁ ଯାଏ ସମୟ ପାଇଲେ ମନେ ମନେ ଖୋଜେ ସେଇ ଚିଠିକୁ ଆଉ ଭାବେ ଯଦି ମୁଁ ସେଇଟା ପାଇଯାଏ ତା’ହେଲେ ମୁଁ ପ୍ରାୟଶ୍ଚିତ କରିପାରିବି ମୋ’ କୃତକର୍ମର ହେଲେ ମୁଁ ଜାଣେ ସେଇଟା ମତେ କେବେ ବି ମିଳିବନି କାହିଁକି ନା ମୁଁ ଥିଲି ବିଶ୍ଵାସର ମୁଖା ତଳେ ଲୁଚିଥିବା ଜଣେ ବିରାଟ ଅବିଶ୍ଵାସୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍