Subrat Kumar Muduli

Others

3  

Subrat Kumar Muduli

Others

ସ୍ୱାର୍ଥପର

ସ୍ୱାର୍ଥପର

1 min
14.2K


ଗାଁ ନିଶାପରେ କଥା ଛିଡିଲାନି ଶେଷକୁ ଛତିଶ ଡକାହେଲା ସମାଧାନର ରାସ୍ତା ଖୋଲିଲା । ଜମି ତିନିମାଣ ଦୁଇଭାଇଙ୍କ ନାଁରେ ବଣ୍ଟା ହେଲା ଆଉ ଘରଢିଅରେ କିଳା ବାଡିଆହେଲା । ଧାନ,ବିରି,ମୁଗ,ଗରା ମାଠିଆଠୁଁ ଆରମ୍ଭ କରି ହେଁସ ମସିଣା ଯାଏ ସବୁର କଡାଗଣ୍ଡା ହିସାବ ଚାଲିଥିଲା ଆଖଆଖ ମଉଜାର ବଛାବଛା ମୁରବୀ ମାନଙ୍କ ଦ୍ଵାରା । ବହୁତ ଆଗରୁ ବୁଢାକୁ ନେଇ ଅଙ୍କ ଛିଡୁନଥିଲା ଦୁଇଭାଇ କେହି ବି ରାଜି ନଥିଲେ ବୁଢାକୁ ପାଖରେ ରଖିବା ପାଇଁ । ଶେଷରେ ସମସ୍ତେ ବୁଢା ପ୍ରସଙ୍ଗକୁ ଆସିଲେ ଦୁଇଭାଇ ପାଳିକରି ବାପାକୁ ଖାଇବାକୁ ଦେବାକୁ ରାଜିହେଲେ । କଥା ଆହୁରି ଜଟିଳ ହେବା ପୂର୍ବରୁ ବୁଢା ନିଜେ ସମାଧାନର ରାସ୍ତା ବାହାରକଲା କହିଲା ସେ ହଡା ବଳଦସହ ଗୁହାଳରେ ରହିବ । ଦୁଇଭାଇ ଖୁସିହେଲେ କଥାର ମର୍ମ ହୁଏତ ସମସ୍ତେ ବୁଝି ପାରୁନଥିଲେ କିନ୍ତୁ ବୁଢା ବୁଝିଥିଲା, ତା’ ସହ ଦଶ ବାର ପାଣି ଚାଷ କରିଥିବା ବଳଦ ହିଁ ତା’ର ସବୁଠୁଁ ବଡ ଆପଣାର ଯାହାକୁ ସେ କାନ୍ଧରେ ବୋହିବ ବୋଲି କୋଉ କାଳୁ ଶପଥ କରିଥିଲା । ମାମଲା ତୁଟିଲା ମୁରବୀ ଫେରିଲେ ବୁଢା ନିଜର ଶେଯ ଗୁହାଳେ ସଜାଡୁଥିଲା । ହଡା ବଳଦ ଚାଟୁଥିଲା ବୁଢାର ହାତକୁ ବୁଢା ବି ମଝିରେ ମଝିରେ ହାତ ବୁଲାଇ ଆଣୁଥିଲା ବଳଦ ମୁଣ୍ଡରେ । ଦୁହେଁ ଦୁହିଙ୍କ ଭାଷାରେ ସ୍ଵାର୍ଥପର ଦୁନିଆଁକୁ ଧିକ୍କାର କରୁଥିଲେ କେହି ସିନା ବୁଝୁନଥିଲେ ହେଲେ କେତେ ବେଳଠାରୁ ସଙ୍ଗାକଣରେ ଲୁଚିଥିବା ସତ ସତିଆ ଝିଟିପିଟି ଗୋଟିଏ ଡାକୁଥିଲା......ସତ ସତ ସତ । 


Rate this content
Log in