Sunanda Mohanty

Tragedy Action Thriller

4.5  

Sunanda Mohanty

Tragedy Action Thriller

ଦୁଃଖର କ୍ଷେତ୍ରଫଳ

ଦୁଃଖର କ୍ଷେତ୍ରଫଳ

2 mins
395



   ଚିରି ଯାଇଥିବା ମଇଳା ଫ୍ରକକୁ ଚିଡ଼ିଆ ସାବୁନରେ ମାଆ ସଫା କରିଦେଉଥିଲା ଶୀଲା ପାଇଁ। ସେଇ ଫ୍ରକ୍ ପିନ୍ଧି ଗାଁ ଗୋଟାକର ଛେଳି ନେଇ ଚାଲିଯାଏ ଶୀଲା ଝରଣା କୂଳକୁ। ପାଠ ପଢ଼ିବାକୁ ମନ କରିଥିଲା ଯେ ବାପା ତାର ଟ୍ରଲି ଚଲାଉ ଚଲାଉ ବସ ତଳେ ପଡି ମୃତ୍ୟୁବରଣ କଲାପରେ, ଶୀଲାର ପାଠପଢିବା ସ୍ଵପ୍ନ ଆଧା ଅଧୁରା ରହିଗଲା। ଗାଁର କିଛି ସାଆନ୍ତଙ୍କ ଘରେ ବାସି ପାଇଟି କରି ମାଆ ଶୀଲାକୁ କୋଳକୁ ନେଇ ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁ ଦେଖୁ ଶୀଲା ବଢୁଥିଲା ଚନ୍ଦ୍ରକଳା ପରି। ଘରେ ଦୁଃଖେ ସୁଖେ କଣ ଦିଟା ଖାଇ ସାଙ୍ଗରେ ମୁଢ଼ି ଓ ପାଣିବୋତଲ ସହ ଛେଳିମାନଙ୍କୁ ଅଡେଇ ନିଏ ଜଙ୍ଗଲ ଆଡ଼କୁ। ମାଆ ବାରଣ କରି କହିଥାଏ ଝରଣା ଭିତରକୁ ଯିବୁନି ମାଆ ମୋର। ଶୀଲା ମାଆ କଥା ମାନି ବୋତଲରୁ ପାଣିପିଇ କପଡ଼ାବନ୍ଧା ଗଣ୍ଠିଲିରୁ ଭୁଜା ଖାଏ ଓ ଛେଳି ଛୁଆ ମାନଙ୍କୁ ଦିଏ। ଝରଣା ଭିତରକୁ ନିଜେ ବା ଛେଳିମାନଙ୍କୁ ଯିବାକୁ ଦିଏନା। ଫେରିଲେ ଛେଳି ଜଗୁଥିବା ମାଆ ଵାବୁ ମାନଙ୍କ ଘରେ ତବତ ଭାତ ଖାଇ ଘରକୁ ଫେରେ। ମାଆ ଚାହିଁ ଥାଏ ତା ଫେରିବା ବାଟକୁ। ନିଜେ ଖାଇଥିବା ଶାଗ ପଖାଳରୁ କିଛି ବଳକା ରଖିଥାଏ ତା ଚନ୍ଦ୍ରମୁଖି ସୁନାଝିଅ ଶୀଲା ପାଇଁ। ସତରେ ବାପା ବିହୀନ ବିଦଗ୍ଧ ଝିଅଟା କିଛି ନପାଇ ବି ଅନେକ କିଛି ପାଇଯାଏ ମାଆଠୁ। କଥାରେ ନାହିଁ ଶାଗତୋଳି ମାଆ ଟିଏ ହେଲେ ଥାନ୍ତା!

   ମାଆ ପଣତ ତଳେ ଶୀଲା ସ୍ଵପ୍ନ ଦେଖେ ଛେଳି ମାନଙ୍କୁ। ରାତି ପାହିଲେ ତାଙ୍କସହ ତାର ସମ୍ପର୍କ ଭିତରେ କାହା ନାମ ଦେଇଥାଏ ଝୁମୁରି, ନେତି, ବଉଳି, ଠୁକା, ଗେଲୀ ଇତ୍ୟାଦି, ପୁଣି ବେକରେ କାହାର ବାନ୍ଧିଥାଏ ମାଳି, କାଇଁଚ, ଘୁଙ୍ଗୁର ସହ ଜାତି ଜାତି ଜଙ୍ଗଲି ଫୁଲ, ଦୁବ ,ଘାସ। ପ୍ରକୃତି କୋଳରେ ନାଚୁଥାଏ, ଗାଉଥାଏ ଓ ଖେଳୁଥାଏ ଛେଳି ମାନଙ୍କ ସହ। କଥାବାର୍ତ୍ତା ମଧ୍ଯ ହୁଏ ତାଙ୍କ ସହିତ କହେ ସୁଖ ଦୁଃଖର ଅଙ୍ଗେନିଭା କଥା। ବାପା ମରିଗଲା ପରେ କେତେ କଷ୍ଟ ପାଇଥିଲା। ମାଆ ପଣତ ତଳେ ତାର କେତେ ସୁଖ, ସବୁ ବାଣ୍ଟେ ଛେଳି ମାନଙ୍କ ସହ। ଝୁମୁରି ସହ ଛେଳି ପଲ ପ୍ରତ୍ତ୍ୟୁତ୍ତର ଦିଅନ୍ତି ମେଁ ମେଁ କହି। ରାତିରେ ସ୍ବପ୍ନରେ ମଧ୍ଯ କଥା ହେଉଥାଏ ଝୁମୁରି ସହ, ଝରଣାକୁ ଯିବୁନି କହୁଥାଏ ତ ଧଡପଡ ରେ ମାଆ ଉଠି ଝାଡି ଝୁଡ଼ି ଦିଏ ସମଗ୍ର ଶରୀର ଶୀଲାର। ଆଉଁସି ପକାଏ ମାଆ । ଛେପ ପକେଇ ଝାଡି କୋଳକୁ ଭିଡିନିଏ ଦୁଃଖିଧନ ମାଣିକପସରା କୁ ତାର।

   ବାବୁଘର ଝୁମୁରିକୁ ମାରି ଭୋଜି ଭାତ କଲେ। ମାଆ ନେଇଆସିଥିଲା ତା ପାଇଁ ମାଉଁସ ତରକାରୀ ହେଲେ ଛୁଇଁ ନଥିଲା ଶୀଲା। ଖାଲି କାନ୍ଦିଥିଲା। ଛେଳି ଗୋଠ ଭିତରେ ଝୁମୁରିକି ନଦେଖି ବହେ କାନ୍ଦୁଥିଲା। ଅଭିଯୋଗର ସ୍ୱର ହୃଦୟରେ ଲହଡ଼ି ପିଟୁଥିଲା। ମାଆ ସବୁ ବୁଝୁଥିଲା, ଝିଅର ମନ ବଦଳେଇବା ପାଇଁ କୁମାର ପୂର୍ଣ୍ଣମୀ ପାଇଁ ,ପ୍ରକୃତି କୋଳରୁ ସାଉଁଟି ଆଣିଥିଲା ଜହ୍ନି କଷି, କାକୁଡି କଷି, ଫୁଲ, ଦୁବ, ବରକୋଳି ପତ୍ର ଆଉ ବାବୁଘରମାନଙ୍କ ହେତ୍ତା ବର୍ତ୍ତନ ହିସାବରେ, କିଛି ଧାନ, ନୂଆ ଜାମା ପ୍ୟାଣ୍ଟ, କଦଳୀ ,ନଡ଼ିଆ ଆଦି। ଶୀଲା ଆଞ୍ଜୁଳି ଟେକିବ, ଚାନ୍ଦ ଚକଟିବ, କେତେ ନିଘା ମାର ଝିଅ ପାଇଁ।

  ଶୀଲା ସେତିକି ନିଘା ରଖୁଥିଲା ଛେଳି ମାନଙ୍କ ପାଇଁ। ମାଆ ସିନା ବାରଣ କରିଥିଲା ଝରଣାକୁ ଯିବୁ ନାହିଁ ହେଲେ ଛେଳି ଗୁଡ଼ିକ ଶୋଷରେ ଆଉଟୁ ପାଉଟୁ ହୋଇ ଝରଣା କୁଳକୁ ଯିବାକୁ ବ୍ୟଗ୍ର। ଶୀଲାର ବାରଣ ଆଜି ମାନୁନାହିଁ କେହି , ଭୀଷଣ ଗରମ ଯୋଗୁଁ ତ ଶୀଲା ସଂଗ୍ରହ କରିନେଲା ମାଟିହାଣ୍ଡି ଓ ଝରଣା ଭିତରକୁ ନିଜେ ଯାଇ ପାଣି ଆଣି ଥରକୁ ଥର ପିଆଉଥିଲା ପ୍ରତ୍ୟେକ ଛେଳିମାନଙ୍କୁ। ଦିନ ଯାଇ ରାତି ହେଲା । ଛେଳି ମାନେ ମେଁ ମେଁ ହୋଇ ଏକା ଏକା ଗାଁ ଅଭିମୁଖେ ଦଉଡ଼ିଲେ। ଧାଇଁ ଆସିଲେ ସମସ୍ତେ ଶୀଲା କୁ ଖୋଜିବାକୁ ହେଲେ କୁମ୍ଭୀର ନେଇସାରିଥିଲା ଶୀଲାକୁ। ମାଆଟି ଲୋଟି ପଡ଼ିଥିଲା ଭୂଇଁ ବିଦାରି, ବିଛାଡି ହୋଇ ପଡ଼ିଥିଲା ଚାନ୍ଦ ଚକଟା ଉପକରଣମାନ ।



Rate this content
Log in

Similar oriya story from Tragedy