ଦଲାଲ
ଦଲାଲ


ବସନ୍ତ ରେଳ ଷ୍ଟେସନରେ କୁଲି କାମ କରେ। ପ୍ରତିଦିନ ସେଥିରୁ ତିନିଶହ ପାଖାପାଖି ରୋଜଗାର ହେଇଯାଏ। ନିତି ଏତେ ଜିନିଷ ମୁଣ୍ଡ ଉପରେ ରଖି ଚାଲୁଥିବାରୁ ତାର ମୁଣ୍ଡ ବହୁତ କାଟେ। ଦେହ ହାତ ଘୋଳା ବିନ୍ଧା ହୁଏ। ପେଟରେ ମଦ ଟିକେ ନପଡିଲେ ଭଲରେ ନିଦ ହୁଏନି। ସେ ଜାଣେ ଏ ମଦପିଆ ନୀତି ଯୋଗୁଁ ରମା ତା ଉପରେ ବିଗିଡେ। ସେ ଘର ପାଇଁ ବେଶୀ ପଇସା ସଞ୍ଚି ପାରେନି। ତା ପୁଅ ବବୁଲୁ ସ୍କୁଲ ଯାଉଛି। ଘର ଖର୍ଚ୍ଚ, ବବୁଲୁ ପାଠ ପଢ଼ା ଏସବୁକୁ ତା ରୋଜଗାର ସମୁଦ୍ରକୁ ଶଙ୍ଖେ। ସେଥିପାଇଁ ମଦ ନ ପିଇବା ପାଇଁ ରମା ତାକୁ ସବୁବେଳେ କୁହେ। ସେ କିନ୍ତୁ ମଦ ବିନା ରହିପାରେନି। ଏକଥା ସତ ଯେ ସେ ଦିନରେ କେବେ ମଦ ପିଏନା। କାମ ସରିଲା ପରେ ଦିଟା ଦେଶୀ ମଦ ପାଉଚ ସାଙ୍ଗକୁ ଗିନେ ଗୋଡ଼ସୁରୁଆ ହେଇଗଲେ ତାର ଦିଲଖୁସ।
ଆଜି ସକାଳୁ ବସନ୍ତର ଡାହାଣ ଆଖିଟା କାହିଁକି କେଜାଣି ଫଡ଼ ଫଡ଼ ହେଉଥିଲା। ତା ସାଙ୍ଗ ଲକ୍ଷ୍ମଣ ଦି ଦିନ ପରେ ବାହା ହେବ। ସେଥିପାଇଁ ଦାମିକିଆ ମଦ ବୋତଲ ବାଣ୍ଟୁଥାଏ। ସେ କିନ୍ତୁ ପିଇବନି ବୋଲି ରୋକଠୋକ ମନା କରିଦେଲା। ଆଗ କାମ ପଛରେ ଯାଇ ଅନ୍ୟ କଥା। ରବିବାର ଥିବାରୁ ସେ ଟିକିଏ ଜଲଦି ଘରକୁ ଫେରିବାକୁ ମନ କରୁଥିଲା। ବବୁଲୁ ଦି ଦିନ ହେଲା ଜିଦି ଧରିଛି ଦଶହରା ମେଢ଼ ଦେଖିବାକୁ ଯିବ। ସେଥିପାଇଁ ଦି ପଇସା ଭଲ ମିଳିଗଲେ ସେ ବେଗି ଘରକୁ ପଳେଇବ। ଭାଗ୍ୟକୁ ଭଲ ଗ୍ରାହକ ବି ଜୁଟିଗଲେ। ତା ଚିନ୍ତାଠାରୁ ଅଧିକ ରୋଜଗାର ହେଇ ସାରିଲାଣି।
ସେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେବା ଦେଖି ଲକ୍ଷ୍ମଣ ଓ ତା ସାଙ୍ଗମାନେ ତାକୁ ମାଡ଼ି ବସି ପିଆଇଦେଲେ। ଏ ବିଦେଶୀ ମଦ ବି ଭାରି କମାଲ ଚିଜ। ତାକୁ ଜୋରରେ ନିଶା ଧରିଗଲା। ବେଳ ଉଛୁର ହେଇ ଗଲାଣି ବୋଲି ଜଣା ପଡ଼ିଲାନି। ଡେରି ହେବାରୁ ବବୁଲୁ ବାପାଙ୍କୁ ଡାକି ଆସିଛି। ବସନ୍ତର ଗୋଡ଼ ଦି ଟା ଚଳୁ ନଥିଲା। ଗୋଟେ ଏପାଖେ ପଡ଼ୁଥିଲେ ଆର ଟା ସେପାଖେ। ବାପାଙ୍କୁ ଏପରି ଅବସ୍ଥାରେ ଦେଖି ବବୁଲୁ ଦୌଡ଼ି ଆସି ହାତ ଧରିନେଲା। ସେତେବେଳେ ସେମାନେ ଚାରି ନମ୍ବର ପ୍ଲାଟଫର୍ମରେ ଥିଲେ। ତଳକୁ ଯିବାକୁ ହେଲେ ସିଡ଼ିରେ ଓହ୍ଲାଇବାକୁ ପଡ଼ିବ। ବସନ୍ତର ତ ଜୋର ପାଉନଥାଏ , କିନ୍ତୁ ବାପା ସାଙ୍ଗେ ମେଢ଼ ଦେଖିଯିବ ବୋଲି ବାପାର ଖୁଆ ଧରି ବବୁଲୁ ଶୀଘ୍ର ଶୀଘ୍ର ପାହୁଣ୍ଡ ପକାଉଥାଏ। ଠିକ ସେତିକିବେଳେ ଦୂରଗାମୀ ଟ୍ରେନ ଟିଏ ଲାଗିଲା। ଅଚାନକ ଫ୍ଲାଇ ଓଭର ରେ ଖପା ଖପ ଲୋକ ଭର୍ତ୍ତି ହେଇଗଲେ। ଲୋକ ଭିଡରେ ବବୁଲୁର ହାତ ତା ବାପଠାରୁ ଅଲଗା ହେଇଗଲା। ବାପା ମଦ ନିଶାରେ ଚୁର ଥିବାରୁ ସେ ବାପାଙ୍କୁ ଗହଳିରେ ଖୋଜିଲା। ଲୋକଙ୍କ ଠେଲା ପେଲାରେ ସେ ନିଜକୁ ସମ୍ଭାଳି ପାରିଲାନି।
ଦି ଦିନପରେ ବସନ୍ତ ନିଜକୁ ଡାକ୍ତରଖାନା ବିଛଣାରେ ପାଇଲା। ତା ମୁଣ୍ଡରେ ଆଘାତ ଲାଗିଥିଲା। ରମା ତା ପାଖେ ବସି ମୁଣ୍ଡ କୋଡୁଥାଏ। ସେ ବବୁଲୁକୁ ଖୋଜିଲା। ବବୁଲୁ ଏମରଜେନ୍ସି ୱାର୍ଡରେ ଆଡ଼ମିଟ ହେଇଥାଏ। ଅବସ୍ଥା ସାଙ୍ଘାତିକ । ଡାକ୍ତର କହିଲେ ଅପରେସନ କରିବାକୁ ପଡ଼ିବ। ସେଥିପାଇଁ ଗୁଡ଼ାଏ ଟଙ୍କା ଦରକାର। ସେ ତାର ସବୁ ଚିହ୍ନା ଲୋକଙ୍କୁ, ସାଙ୍ଗମାନଙ୍କୁ କେତେ ହାତ ଯୋଡ଼ିଲା, ନେହୁରା ହେଲା ହେଲେ କେହି ବି ତାକୁ ସାହାଯ୍ୟ କରିବାକୁ ହାତ ବଢ଼େଇଲେନି। ଯେଉଁ ଲକ୍ଷ୍ମଣ ପାଇଁ ଏତେସବୁ ଘଟିଗଲା ସେ ବି ନିଜ ବାହାଘରରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ଦେଇଛି କହି ହାତ ଟେକି ଦେଲା।
ପଇସା ଓ ଚିକିତ୍ସା ଅଭାବରୁ ବବୁଲୁ ସେମାନଙ୍କୁ ଛାଡି ସବୁଦିନ ପାଇଁ ଚାଲିଗଲା। ପୁଅର ମୃତ୍ୟୁ ପାଇଁ ରମା ବସନ୍ତକୁ ଦାୟୀ କଲା। ବବୁଲୁକୁ ଝୁରି ଝୁରି କେଇଟା ମାସରେ ସେ ବି ଆର ପାରିକି ଚାଲିଗଲା। ମଦ ନିଶା ତା ଘରକୁ ଏପରି ଉଜାଡ଼ି ଦେଲା ଯେ ତାହା ଆଉ କେବେ ସଜାଡ଼ି ହେଇ ପାରିଲାନି। ଅକାରଣରେ ଦୁଇଟି ନିଷ୍ପାପ କଳି ଝଡ଼ି ପଡିଲେ। ବସନ୍ତ ତା ନିଜକୁ କେବେ କ୍ଷମା କରିପାରିଲାନି। ସେ ଦିନଠୁ ସେ ସେବାକୁ ନିଜ ଜୀବନର ବ୍ରତ କରିଦେଲା।
ଯେଉଁ ଲୋକ ମଦ ପିଇବାର ସେ ଦେଖେ ସେମାନଙ୍କୁ ତା ଦୁଃଖ କାହାଣୀ ଶୁଣାଇ ମଦ ନ ପିଇବାକୁ ବୁଝାଏ। ଏବେ କାମରୁ ଯାହା ପଇସା ମିଳୁଥିଲା ସେ ଗରିବଙ୍କ ସେବାରେ ଖର୍ଚ୍ଚ କରୁଥିଲା। ସକାଳ ହେଲେ ସବୁଦିନ ଫ୍ଲାସ୍କରେ ଗରମ କ୍ଷୀର ଭାରି ଡାକ୍ତରଖାନାରେ ଥିବା ଗରିବ ରୋଗୀଙ୍କୁ ପାଉଁରୁଟି, କ୍ଷୀର ନିଜ ହାତରେ ଖୁଆଇ ଦେଉଥିଲା। କାହାର ରକ୍ତ ଦରକାର ହେଲେ ଯେମିତି ହେଲେ ଯୋଗାଡି ତା ପାଖେ ପହଞ୍ଚେଇ ଦେଉଥିଲା। ନିଜେ ବି ତିନି ଚାରି ମାସରେ ଥରେ ରକ୍ତ ଦାନ କରୁଥିଲା। ଯେଉଁ ରୋଗୀମାନେ ଏକୁଟିଆ ଚିକିତ୍ସା ପାଇଁ ଆସିଥାନ୍ତି କିମ୍ବା ତାଙ୍କର ନିଜର ବୋଲି କେହି ନଥାନ୍ତି ବସନ୍ତ ନିଜେ ସେମାନଙ୍କ ସମ୍ପର୍କୀୟ ସାଜି ସେବା କରୁଥିଲା। ଅଳ୍ପଦିନ ଭିତରେ ସେ କାହାର ପୁଅ, କାହାର ଭାଇ ତ କାହାର ଦାଦା ବନି ଯାଇଥିଲା। ସବୁ ଲୋକଙ୍କ ମୁହଁରେ ତା ପ୍ରଶଂସା। ଯେତେବେଳେ କେହି ରୋଗୀ ତା ସେବାରେ ଖୁସି ହେଇ ଧନ୍ୟବାଦ ଦିଅନ୍ତି ତାକୁ ଲାଗେ ଉପରେ ଥାଇ ତା ବବୁଲୁ ଖୁସିରେ ତାକୁ ଅନାଉଛି ଓ ରମା ମୁରୁକି ମୁରୁକି ହସୁଛି।
ଦିନେ ଜଣେ ଧଳା କୁର୍ତ୍ତା ପାଇଜାମା ପିନ୍ଧା ଲୋକ ଡାକ୍ତରଖାନାକୁ ଆସିଲେ। ସରକାରୀ ଡାକ୍ତରଖାନାରେ ଭଲ ଚିକିତ୍ସା ହେଉନି ତେଣୁ ବେସରକାରୀ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତେଇଲେ। ବସନ୍ତ ସେତେବେଳେ ଜଣେ ବୁଢ଼ୀ ମାଉସୀଙ୍କୁ କ୍ଷୀର ପାଉଁରୁଟି ଖୁଆଇ ଦେଉଥାଏ। ସେ ଏକଥା ସମ୍ଭାଳି ପାରିଲାନି। ଭଦ୍ରବ୍ୟକ୍ତି ଜଣଙ୍କ ଏପରି ଭୁଲ କଥା କରିବା ପାଇଁ କାହିଁକି କହୁଛନ୍ତି ବୋଲି ପଚାରିଲା। ଗରିବ ଲୋକଗୁଡ଼ା ଯେଉଁମାନେ ଖଟିଲେ ଖାଇବେ ସେମାନେ କାହୁଁ ପଇସା ପାଇବେ ଯେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବେ। ଏମିତିରେ ଏବେ ସରକାର ବି ଅନେକ ସେବା ଯୋଜନା କରି ଗରିବଙ୍କୁ ସାହାଯ୍ୟ କରୁଛନ୍ତି। ମାଗଣାରେ ଔଷଧ ମିଳୁଛି। ସେମାନେ ଏ ଡାକ୍ତରଖାନା ଛାଡ଼ି ଅନ୍ୟ ଡାକ୍ତରଖାନାକୁ କାହିଁକି ଯିବେ?
ବସନ୍ତର ଏପରି କଥା ଶୁଣି ବାବୁ ଜଣଙ୍କ ରାଗରେ ଚିହିଁକି ଉଠିଲେ।
- କଣ ତୋ ରୋଜଗାର କମିଯିବ କିରେ ପୁଅ? ମୁଁ ଜାଣିଛି ତୁ ଏଠି କି ପାଲା ଲଗେଇଛୁ? ତୁ ପରା ଏମାନଙ୍କୁ ମିଠା କଥା କହି ଶୋଷୁଛୁ?
ଏହା କହି ବସନ୍ତକୁ ମାରିବାକୁ ଆସିଲେ। ରୋଗୀମାନଙ୍କ ସମ୍ପର୍କୀୟ ମାନେ ବାଧା ଦେବାରୁ ବାବୁ ଜଣକ ରାଗି ସେ ସ୍ଥାନ ପରିତ୍ୟାଗ କଲେ। ସବୁଦିନ ପରି ତା ପରଦିନ ବସନ୍ତ ସକାଳୁ ସକାଳୁ ଡାକ୍ତରଖାନାରେ କ୍ଷୀର ଫ୍ଲାସ୍କରେ ଧରି ହାଜର। ତାକୁ ଦେଖି ସେ ବାବୁ ଜଣକ ଘେରିଗଲେ। ତା ସହିତ ଆଉ କିଛି ଭଦ୍ରବ୍ୟକ୍ତି।
- ଦେଖା ଏ ଫ୍ଲାସ୍କରେ କଣ ଅଛି? ଲୋ କ୍ୱାଲିଟିର କ୍ଷୀର ଆଣି ରୋଗୀମାନଙ୍କ ସହ ସମ୍ପର୍କ ବଢ଼ାଉଛୁ? ସେମାନଙ୍କୁ ଫୁସୁଲେଇ ଔଷଧ କିଣି ଦେବା ବାହାନାରେ ପଇସା ଲୁଟୁଛୁ? ଆମେ ଏସବୁ ସହିବୁ ନାହିଁ।
ଏହା କହି ଧୋବ ଧୋବଳିଆ ବାବୁ ଓ ତାଙ୍କ ସାଙ୍ଗମାନେ ଚାରିପଟୁ ତାକୁ ଘେରିଗଲେ। ସେମାନେ ବଡ଼ ପାଟିରେ ଚିଲ୍ଲାଉଥାନ୍ତି। ବସନ୍ତ ବିଚରା କଣ କରିବ ଜାଣିପାରିଲାନି। ପାଟିତୁଣ୍ଡ ଶୁଣି ପୋଲିସ ବି ପହଂଚିଗଲା।
ତା ପରଦିନ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଲା 'ଡକ୍ଟରଖାନାରୁ ଦଲାଲ ଗିରଫ'। ସେ ଲେଖା କଡ଼ରେ ବସନ୍ତର ଗୋଟେ ବଡ଼ ଫୋଟୋ ଛପା ହେଇଥିଲା।