STORYMIRROR

ଶିଶିର ସାହୁ ମନୋଜ

Inspirational

3  

ଶିଶିର ସାହୁ ମନୋଜ

Inspirational

ଧର୍ମର ପ୍ରତାପ

ଧର୍ମର ପ୍ରତାପ

2 mins
306

ଥରେ ଏକ ଦେଶରେ ଏତେ ଭୀଷଣ ମରୁଡ଼ି ପଡି଼ଲା ଯେ ଉତ୍କଟ ଖାଦ୍ୟାଭାବର ସଂକଟ ଦେଖାଦେଲା । ସେ ଦେଶର ଗାଆଁ ତ ଛାଡ଼ ସହର ମାନଙ୍କରେ ମଧ୍ଯ ଲୋକ ଖାଦ୍ୟ ଅଭାଵ ଜନିତ ମୃତ୍ୟୁର ଶିକାର ହେବାକୁ ଲାଗିଲେ । ସମାଜର କିଛି ଲୋକ କିନ୍ତୁ ଏତେ ସହଜରେ ମୃତ୍ୟୁ ଆଗରେ ହାରିଯିବାକୁ ପସନ୍ଦ କରୁନଥିଲେ । ସେମାନେ ହତିଆର ଉଠେଇ ଧନିକ ଲୋକଙ୍କୁ ଲୁଟିବାକୁ ଲାଗିଲେ । ଏଣେ ଦେଶର ରାଜଧାନୀରେ ନେତାଏ ଲୋକଙ୍କ ଦୁର୍ଦ୍ଦିନରେ ସେମାନଙ୍କୁ ଅନ୍ନ ଦେଇ ରକ୍ଷା କଣ୍ କରିବେ ଓଲଟା ରାଷ୍ଟ୍ରୀୟ ଶସ୍ୟାଗାରରେ ଆପଣା ପାଇଁ ଶସ୍ୟ ସଂଞ୍ଚୟ କରି ରଖୁଥାନ୍ତି । 

ଵିପ୍ଳଵୀ ମାନେ ଏକଥା ଜାଣିବାକୁ ପାଇଲେ । ସେମାନେ ଦେଶଯାକର ଲୋକଙ୍କୁ ମେଳି କରି “ରାଜଧାନୀ ଚାଲ” ର ଆହ୍ଵାନ ଦେଲେ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରାଜଧାନୀରେ ଆସି ରାଷ୍ଟ୍ରୀୟ ଶସ୍ୟାଗାର ନିକଟରେ ରୁଣ୍ଢ ହୋଇଗଲେ ଏବଂ ତାକୁ ଲୁଟିନେବାକୁ ଉଦ୍ୟତ ହେଲେ । ସେ ଦେଶର ଵ୍ୟଵସାୟୀ ମନ୍ତ୍ରୀ ଦେଖିଲା ଵର୍ଷ ଯାକର ପରିଶ୍ରମ ଆଜିର ଏ ଶୁଖୁଆପୁଡା଼ରୁ ଫସର ଫାଟିବାକୁ ବସିଛି । ଶସ୍ୟାଗାରକୁ ଲାଗି ମନ୍ଦିରଟେ ଅଛି ଯେ ସେଇଠି ଆଶ୍ରମଟେ ଖୋଲି ସେହି ଦେଶର ଜଣେ ଲୋକପ୍ରିୟ ବାବା ରହୁଥାନ୍ତି । ମନ୍ତ୍ରୀ ଶେଷକୁ ଉପାୟଶୂନ୍ୟ ହୋଇ ସେ ବାବାଙ୍କ ପାଖକୁ ଦୌଡି଼ଲାଗଲା ।

ମନ୍ତ୍ରୀ ବାବାଙ୍କୁ କହିଲେ-

“ମାନ୍ୟବର ! ଏ ଦେଶର ଜନତା ଆପଣଙ୍କୁ ଭଗବାନ ଭଳିଆ ଭକ୍ତି କରେ । ଆପଣ ଚାହିଁଲେ ବଡ଼ ଅସାଧ୍ଯ ସାଧନ କରିପାରନ୍ତି । ନହେଲେ ମୋର ସବୁ ପରିଶ୍ରମ ପଣ୍ଡ(ବୃଥା) ହୋଇଯିବ । ଏ ଦାସ ଉପରେ ଏତିକି ଆଶିର୍ବାଦ କରନ୍ତୁ ବାକି ଆପଣ ଯାହା କହିବେ ସେହି ସେବାର ଆୟୋଜନ ହୋଇଯିବ ।”

ବାବା ଜଣେ ଚେଲାକୁ ପାଖକୁ ଡାକି ତା କାନରେ କ’ଣ କହିଲେ...

ଚେଲା ଆଶ୍ରମ ପଛପଟରେ ଗୋଟାଏ ସ୍ଥାନକୁ ଖୋଳି ଖଣ୍ଡିଏ ହାଡ଼ ବାହାର କରି ଆଣି ବାବାଙ୍କୁ ଧରେଇ ଦେଲା ।

ବାବା ସେ ହାଡକୁ ହାତରେ ଧରି ମନ୍ଦିର ପାଖ ମଣ୍ଡପ ଉପରେ ଛିଡ଼ା ହୋଇପଡି଼ କହିବାକୁ ଲାଗିଲେ-

“ହେଇ ଦେଖ ଵିଧର୍ମୀ ମାନେ ଆମ ଧର୍ମ ଭ୍ରଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି । ଆଜି ମନ୍ଦିର ଭିତରୁ ହାଡ଼ ମିଳିଛି କାଲି ମଲା ମଣିଷ ର ମଢ଼ ମିଳିବ । ଆମ ଧର୍ମ ସଂକଟରେ ଅଛି । ଆଉ କେତେ ଦିନ ଏମିତି ଚେଇଁ ଶୋଇରହିଥିବା ?

ଯିଏ ଶୋଇଛି ଶୋଇଥାଉ କିନ୍ତୁ ଏ ହୀନ ସାଧୁଟା ଆଉ ସହିପାରିବନି । ମନ୍ଦିର କୁ ପୁନଃ ପଵିତ୍ର କରି ଯଜ୍ଞ ହଵନ ପୂଜାଦି ନକଲାଯାଏଁ ମୁଁ ଏଇଠି ଆମରଣ ଅନଶନରେ ବସିଲି ।”

ଶସ୍ୟାଗାର ଲୁଟିବାକୁ ଆସିଥିବା ଜନତା ବାବାଙ୍କ ପାଖରେ ଆସି ରୁଣ୍ଢ ହେବାକୁ ଲାଗିଲେ । ବାବା ଆହୁରି ଉତ୍ତେଜିତ ହୋଇ ଭାଷଣ ଦେଉଥାନ୍ତି ।

ଶସ୍ୟାଗାର ଲୁଣ୍ଠନକୁ ନେଇ ଏକମତ ଥିବା ଜନତା ମଧ୍ୟରେ ହଣାମରା ଲାଗିଗଲା । ଗୋଳ ଉଗ୍ରରୂପ ଧାରଣ କରି ଦେଶଯାକ ଵ୍ୟାପିଗଲା । ଶତାଧିକ ଲୋକ ହତାହତ ହେଲେ ।

ତହିଁ ପର ଦିନ ଆଶ୍ରମର ଏକ ବାଧିତ ସ୍ଥାନରେ ମନ୍ତ୍ରୀ ଓ ବାବା ବସି ସୁରାପାନ ପୂର୍ଵକ ଖୁସିଗପ ହେଉଥାନ୍ତି ।

ବାବା ମନ୍ତ୍ରୀଙ୍କୁ କହୁଥାନ୍ତି -

“ଧନ୍ୟ ଏ ଦେଶର ଧର୍ମପ୍ରାଣ ଜନତା ! ଧନ୍ୟ ତୁମେ ଵଣିକ ମନ୍ତ୍ରୀ ! ତୁମ ବୁଦ୍ଧିକୁ ଵି ମାନିବାକୁ ପଡିବ ମନ୍ତ୍ରୀ......ଗୋଟାଏ ଗୁଳିରେ ଦୁଇଟି ଶିକାର କରିଛ । ଏଣେ ମନ୍ଦିର ଶୁଦ୍ଧି ହେତୁ ଟଙ୍କା ପାଣି ପରି ବହେଇ ଦେଇଛ ତେଣେ ତମ ଶସ୍ୟାଗାର ଲୁଟିବାକୁ ଆସିଥିବା ଜନତା ଵି ତୁମର ଜୟ ଜୟ କାର କରୁଛି । ଧନ୍ୟ ତୁମେ ଵଣିକ ମନ୍ତ୍ରୀ ଧନ୍ୟ ତୁମ ବୁଦ୍ଧି !”

ମନ୍ତ୍ରୀ କହିଲେ-

“ଏସବୁ ଆପଣଙ୍କ ସାଧନା ଓ ଧର୍ମର ପ୍ରତାପର ଫଳ ଆଜ୍ଞା !!!”

(କୌଣସି ରାଜନେତା,ଦଳ,ସଂଘ,ବାବା,ଫିଲ୍ମଷ୍ଟାର ଓ ଵୈଚାରିକ ସିଦ୍ଧାନ୍ତ ର ଦାସ ହୁଅନ୍ତୁ ନାହିଁ କାରଣ କିଛି ଲୋକ ଆପଣଙ୍କ ଭାଵନା ସହିତ ଖେଳି ଧନ ରୋଜଗାର କରନ୍ତି । ସେମାନଙ୍କ ଠାରୁ ସାଵଧାନ ରୁହନ୍ତୁ । )

(ବଙ୍ଗସମ୍ରାଟ श्री हरिशंकर परसाई ଙ୍କ ହିନ୍ଦୀ ଲଘୁକଥା “एक गौभक्त से भेंट” ର ଅନୁକରଣରେ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational