ଦେବତା
ଦେବତା
- - ଦେଖନ୍ତୁ ବିଜୟବାବୁ। ଆପଣ ଭଲରେ ଜାଣନ୍ତି ମୋତେ ବୁଲେଇ ବଙ୍କେଇ କଥା କହି ଆସେନି। ତେଣୁ ସିଧାସିଧା କହୁଛି। କାଲି ସକାଳୁ ମୋ ଘର ଖାଲି କରି ଦିଅନ୍ତୁ। ଯେତିକି ସିକ୍ଯୁରିଟି ଟଙ୍କା ଜମା କରିଥିଲେ ସେତକ ଭଡା ବାବଦକୁ ରଖିନେଲି ବୋଲି ବୁଝିନେବେ। ଆପଣଙ୍କ ସହ ମୋ ହିସାବ କିତାବ ସେତିକିରେ ସରିଲା। କାଲି ସକାଳୁ ଯେମିତି ମୋ ହାତରେ ଘରଚାବି ଟା ଥାଏ, ସେତିକି ଧ୍ଯାନ ରଖିବେ। ନଚେତ ଯାହାହେବ ସେଥିପାଇଁ ମୋତେ ଦାୟୀ କରିବେନି। ଡାକ୍ତର ବିଜୟଙ୍କ ମୁହଁରେ ରୋକଠୋକ ଭାବରେ ଏତିକି କହି ଘରମାଲିକ ରାଘବ ମହାନ୍ତି କିଛି ଉତ୍ତର ଆଶାରେ ଅପେକ୍ଷା କରି ରହିଲେ।
- - କିନ୍ତୁ ଏ ଅବସ୍ଥାରେ ମୁଁ କୁଆଡେ ଯିବି ଆଜ୍ଞା। ସମଗ୍ର ଦେଶରେ କରୋନା ର ତାଣ୍ଡବ। ଲକ୍ ଡାଉନ୍ ଓ ସଟ୍ ଡାଉନ ବରାବର ଲାଗି ରହିଛି। ଏବେ ଜାହ୍ନବୀ ସାତମାସର ଗର୍ଭବତୀ, ତାକୁ ଏପରି ଅବସ୍ଥାରେ କୁଆଡେ ନେଇଯିବି? ତା ପରେ ମୋତେ ସାଙ୍ଗେସାଙ୍ଗେ ଘର ମିଳିବ କୁଆଡୁ? ଲକ୍ ଡାଉନ ହୋଇଯିବା କାରଣରୁ ମୋ ବାପାମାଆ କିମ୍ବା ଶାଶୁ ଶ୍ବଶୁର ଏଠାକୁ ଆସି ପାରିବେନି। ଆପଣମାନଙ୍କ ଭରସାରେ ମୋ ଗର୍ଭବତୀ ସ୍ତ୍ରୀ କୁ ଛାଡି ମୁଁ ଡ୍ଯୁଟି କୁ ନିଶ୍ଚିନ୍ତ ହୋଇ ଯାଏ। ମାଉସୀ ତ ଜାହ୍ନବୀକୁ ନିଜ ଝିଅ ପରି ଦେଖନ୍ତି ଓ ଲିଜା ତ ତାକୁ ନାନୀ ବୋଲି ଡାକେ। ତେବେ ମୁଁ କି ଅକ୍ଷମଣୀୟ ଅପରାଧ କରିଦେଲି ଯେ ରାତାରାତି ଆପଣ ମୋତେ ତଡିଦେବାକୁ ବସିଛନ୍ତି ? ସେତିକି କହିବା ବେଳକୁ ବିଜୟଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା।
- - ସେସବୁ ବାଜେ କଥା କହି ମୋତେ ଭୂଲାଇବାକୁ ଚେଷ୍ଟା କରନି ବିଜୟ। ତୁମ ମାଉସୀ ଓ ଲିଜା ଦୁଇଜଣ ଯାକ ମୋ ନିଷ୍ପତ୍ତିରେ ସହମତ। ସେମାନେ ମଧ୍ଯ ଚାହାଁନ୍ତି ତୁମେ ଅବିଳମ୍ବେ ଘର ଖାଲିକର। ତୁମେ ଚାହିଁଲେ ଜାହ୍ନବୀକୁ ପଚାରି ପାର। ଆଜି କୁ କେତେ ଦିନ ହେଲାଣି ସେମାନେ ତୁମଘରକୁ ଯାଇ ନାହାଁନ୍ତି ସେକଥା ତ ଅନ୍ତତଃ ତୁମେ ଜାଣିବା ଦରକାର। ରାଘବ ଏସବୁ କହିବା ସମୟରେ କବାଟଫାଙ୍କରୁ ତାଙ୍କ ସ୍ତ୍ରୀ ଓ ଝିଅ ଲୁଚିଲୁଚି ଦେଖୁଥିବାର ଲକ୍ଷ କଲେ ବିଜୟ। ଅଧିକ ଯୁକ୍ତି ନ କରି ସେ ରାଘବଙ୍କୁ ଅନୁରୋଧ କରି କହିଲେ, ମୋତେ ଟିକେ ସମୟ ଦିଅନ୍ତୁ।
- - ସମୟ?? ଧୁତ୍.......କୁଆଡୁ ସବୁ ଆସୁଛ ତୁମେମାନେ କେଜାଣି? ମାତ୍ର ଦୁଇଦିନ ସମୟ ଦେଲି। ତାପରେ ବି ଯଦି ଘର ଖାଲି ନ କର, ଲୋକ ଲଗେଇ ଘରୁ ବାହାରକୁ ଫିଙ୍ଗିଦେବି। ଏତିକି କହିବା ସହିତ ବିଜୟଙ୍କ ମୁହଁ ଉପରେ କବାଟ ଧଡ୍ କରି ବନ୍ଦକରି ଚାଲିଗଲେ ରାଘବ।
ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଥକି ଯାଇଥିବା ଡାକ୍ତର ବିଜୟ ଗାଧୁଆଘରେ ପଶିଲେ। ଲୁଗାପଟାକୁ ଓ୍ବାସିଂ ମେସିନରେ ପକାଇ ସାନିଟାଇଜ୍ କରି ଭଲରେ ଗାଧୋଇ ବାହାରକୁ ଆସି ପତ୍ନୀ ଜାହ୍ନବୀଙ୍କୁ ଡାକିଲେ। ଶୋଇବାଘରୁ ଜାହ୍ନବୀଙ୍କର କାନ୍ଦିବାର ଶବ୍ଦ ଶୁଣି କିଛିକ୍ଷଣ ପାଇଁ ସେ ବିଚଳିତ ହୋଇଉଠିଲେ। ସେତେବେଳକୁ ଜାହ୍ନବୀ କାନ୍ଦିକାନ୍ଦି ନୟାନ୍ତ ହୋଇ ସାରିଥିଲେ। ଘଟଣାକଣ ବୁଝିବା ବେଳକୁ ଜଣାପଡିଲା ଯେ ସେଦିନ ରାଘବ, ତାଙ୍କ ସ୍ତ୍ରୀ ଓ ଝିଅ ଲିଜା ଅନେକ ଥର ଆସି ଘର ଛାଡିବାକୁ ଧମକ ଦେଇ ଯାଇଛନ୍ତି। କଣ କରିବେ ସ୍ଥିର କରି ନ ପାରି ଜାହ୍ନବୀ ବିଜୟଙ୍କୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ବିଜୟ ବ୍ଯସ୍ତ ହୋଇ ପଚାରିଲେ - - ସେମାନେ ତ ଆମ ମାନଙ୍କୁ ତାଙ୍କ ପୁଅବୋହୂ ପରି ଦେଖୁଥିଲେ। ତାଙ୍କ ଘରର ପ୍ରତିଟି ଖୁସିଦୁଃଖରେ ସେମାନେ ଆମକୁ ହିଁ ଖୋଜୁଥିଲେ। ତୁମ ପାଖରେ ମାଉସୀ ଘଣ୍ଟାଘଣ୍ଟା ଧରି ବସୁଥିଲେ ଓ କେବେକେବେ ନିଜେ ରୋଷେଇ କରି ହାତରେେ ଖୁଆଇ ଦେଉଥିଲେ। ଲିଜା ତୁମ ମୁଣ୍ଡଗୋଡ ଘଷିବାଠାରୁ ଆରମ୍ଭ କରି ଘରକାମରେ ମଧ୍ଯ ସାହାଯ୍ଯ କରୁଥିଲା। ତେବେ ଅଚାନକ କଣ ହୋଇଗଲା ଯେ ସେମାନେ ଆମକୁ ସାତପର କରିଦେଲେ। ଆମେ ତ ସେମାନଙ୍କୁ କେବେ ଅସମ୍ମାନ କରିନାହେଁ କିମ୍ବା ଏପରି କୌଣସି ବ୍ଯବହାର ଦେଖାଇନେ ଯାହା ସେମାନଙ୍କ ମନରେ ଆଘାତ ଦେବ। ତେବେ ଏପରି କଣ ଘଟିଗଲା ଯେ ସେମାନେ ଆମ ମୁହଁ ମଧ୍ଯ ଚାହିଁବାକୁ ନାରାଜ୍ ଓ ଅବିଳମ୍ବେ ଘର ଛାଡିଦେବାକୁ କହୁଛନ୍ତି? ଜାହ୍ନବୀ ଆଖିରୁ ଲୋହ ପୋଛୁପାଛୁ କହିଲେ- ରାଘବ ମଉସା କହୁଥିଲେ ତୁମେ କାଳେ ଦିନ ତମାମ କରୋନା ରୋଗୀଙ୍କ ଚିକିତ୍ସା କରୁଛ। ତୁମ ଦେହରେ ମଧ୍ଯ ଭୂତାଣୁ ଆସିବାର ଭୟ ଅଛି। ଯଦି ସେପରି କିଛି ହୁଏ ସେମାନେ ସମସ୍ତେ କରୋନା ରୋଗରେ ପଡିଯିବେ। ସାହିପଡିଶା ମାନେ ତାଙ୍କୁ ଅଭିଯୋଗ କରି କହୁଛନ୍ତି ଯେ ଆମମାନଙ୍କୁ ଘର ଛାଡିବାକୁ ନ କହିଲେ ସେମାନେ ରାଘବ ମଉସାଙ୍କୁ ବାସନ୍ଦ କରିଦେବେ। କିଛିଦିନ ହେଲାଣି ମାଉସୀ ଓ ଲିଜା ମୋ ପାଖକୁ ଆସିବା ବନ୍ଦ କରିଦେଇଛନ୍ତି ଓ କେବେ କେମିତି ଦେଖା ହେଲେ ବାଧିଲା ପରି କଥା କହୁଛନ୍ତି। ତୁମେ କାମ ଚାପରେ ରହୁଛ ବୋଲି ମୁଁ ତୁମକୁ କିଛି କହି ପାରୁନି। କିନ୍ତୁ ଆଜି ସେମାନେ ଆସି ମୋତେ ବହୁତ ବେଜ୍ଜିତ୍ କଲେ ଓ ଘର ଛାଡିବାକୁ ଧମକ ଦେଲେ। ଏ ଅଜଣା ସହରରେ ଆମର କିଏ ବା ଅଛି। ଆମେ କୁଆଡେ ଯିବା? ମୋ ଅବସ୍ଥା ଏପରି ଯେ ମୁଁ କିଛି କରିବାକୁ ଅସମର୍ଥ। କାମବାଲୀ ତ ଆଜିକୁ ପନ୍ଦରଦିନ ହେଲା ଆସୁନି। ଜିନିଷପତ୍ର ଧରି ରାତାରାତି କୁଆଡେ ଘର ଖୋଜିବା। ବଡ ଅସହାୟ ହୋଇ କହିଲେ ଜାହ୍ନବୀ।
ସେଦିନ ରାତିରେ ଦୁଇଜଣ ଯାକ ଓପାସ ରହିଲେ। ଖଟର ଦୁଇ ପାର୍ଶ୍ବରେ ଦୁଇଟି ବ୍ଯଥିତ ପ୍ରାଣ ଏହି ଭୟଙ୍କର ବାସ୍ତବିକତା କୁ କିପରି ସାମନା କରିବେ ଭାବୁଭାବୁ ସକାଳ ହୋଇଗଲା। ନିତ୍ଯକର୍ମ ସାରିବାକୁ ବିଜୟ ବାଥରୁମକୁ ଯାଇ ଦେଖିଲେ ପାଣି ଆସୁନି। ଆଶ୍ଚର୍ଯ୍ଯ କଥା। ସେ ଏତେଦିନ ଧରି ରହିବା ଭିତରେ ପାଣି ନ ଆସିବାର ନଜିର କେବେ ନଥିଲା। ତେବେ ଆଜି କଣ ହେଲା। ତରତର ହୋଇ ସେ ରାଘବଙ୍କ ପାଖକୁ ଯାଇ ପାଣି ନ ଆସିବାର କାରଣ ବୁଝିବାକୁ ବାହାରିଲେ। ରାଘବଙ୍କ ସ୍ତ୍ରୀ କବାଟ ଖୋଲି ବଡ କର୍କଶ ସ୍ବରରେ କହିଲେ- - ସକାଳୁ କାହିଁକି ରାଉରାଉ ହେଉଛ। ଆଜି ଘର ଛାଡୁଛ ତ ?
- - ହଁ ଛାଡିବି ମାଉସୀ, କିନ୍ତୁ ସକାଳୁ ପାଣିଟୋପେ ଆସୁନି , ଟିକେ ଦେଖିଲ କଣ ହୋଇଛି? ପାଣି ନାହିଁ ବୋଲି କିଛି ବି କାମ ହୋଇନି। ଜାହ୍ନବୀ.......... ବାକ୍ଯ ପୂରଣ କରିପାରିଲେନି ବିଜୟ।
- - ମାଉସୀ ନା ଚୋପା। କିଏ କାହାର ମାଉସୀ ବା। ସେ ଟାଉଟରି ଆଉ କାହାକୁ ଦେଖେଇବ। ହେଇଟି, ଏବେ ପାଣି ବନ୍ଦ କରିଛି। ସଂନ୍ଧ୍ଯାସୁଦ୍ଧା ଘର ନ ଛାଡିଲେ ଲାଇନ କାଟିଦେବି। ତାପରେ ବି ନ ଛାଡିଲେ ଘରେ ତାଲା ଠୁଙ୍କିଦେବି। ତାପରେ ମାଉସୀ ସୁଆଗ ଛାଡିଯିବ। କହିଲା କଣ ନା ମାଉସୀ। ତୋ ମାଇପକୁ ଧରି ଯେତେ ଶୀଘ୍ର ଚାଲିଯିବୁ ସେତେ ଭଲ।
- - ମୋ ସହ ଏମିତି ଅଭଦ୍ର ବ୍ଯବହାର କାହିଁକି କରୁଛନ୍ତି। ମୁଁ ଜଣେ ଡାକ୍ତର ବୋଲି ଆପଣ ଭୁଲି ଯାଉଛନ୍ତି ବୋଧେ। ଆପଣ ମାନଙ୍କକ ଦେହ ଖରାପବେଳେ ଓ ମୋ ପାଖରୁ ମାଗଣା ଔଷଧ ନେଲାବେଳେ ତ ବେଶ ଭଲରେ କଥା ହେଉଥଲେ। ଏବେ କାହିଁକି ଦେହରେ ନିଆଁ ଚରି ଯାଉଛି? ନିଜ କ୍ରୋଧକୁ ପାରୁ ପର୍ଯ୍ଯନ୍ତ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବିଜୟ, କିନ୍ତୁ ପାଟିରୁ ଉପରୋକ୍ତ ବାକ୍ଯ ବାହାରିଗଲା। ସେତିକି ଶୁଣିବା ପରେ ରାଘବଙ୍କ ସ୍ତ୍ରୀ ଚିତ୍କାର କରି ବିଜୟଙ୍କୁ ଶୋଧାବକା କରିବାରେ ଲାଗିଗଲେ। ସେ ବାରମ୍ବାର କହୁଥାନ୍ତି ତୁ ଡାକ୍ତର ନା ଚୋପା। ତୋ ପାଇଁ ମୋ ଘରେ ସବୁ ଲୋକ କରୋନା ରେ ପଡିବେ। ତୁ ଆଉ ତୋ ମାଇପ ସିନା ବଞ୍ଚଯିବ, ଆମମାନେ ମରିବୁ। ରଇଜଳା ଏଇ ସାଙ୍ଗେସାଙ୍ଗେ ଘର ଛାଡୁଛୁ ନା ଦେଖିବ। ତୋ ମାଇପ ଚୁଟି ଧରି ଘୋଷାଡି ଘର ବାହାରକୁ ଫିଙ୍ଗିଦେବି। ପାଟିତୁଣ୍ଡ ଶୁଣି ଭିତରେ ରାଘବ ଓ ଲିଜା ବାହାରକୁ ଆସିଲେ। ସକାଳୁ କଣ ଗୋଟେ ତାମସା ଚାଲିଛି ଦେଖିବାକୁ ଆଖପାଖ ଲୋକ ମାନେ ମଧ୍ଯ ଚାଲିଆସିଲେ। କିଛି ସମୟ ଭିତରେ ରାଘବଙ୍କ ପରିବାର ଓ ପଡୋଶୀ ମାନଙ୍କ କଠୋର ବାକ୍ଯବାଣରେ ବିଜୟଙ୍କ ହୃଦୟ ଶତଧାବିଦୀର୍ଣ୍ଣ ହୋଇଗଲା। କଲୋନୀର ଲୋକମାନେ ବିଜୟଙ୍କୁ ଭଲରେ ଦୁଇପଦ ଶୁଣାଇବାକୁ ଭୁଲିଲେନି। କିନ୍ତୁ ପଛକୁ ହଟି ନଯାଇ ବିଜୟ ସେମାନଙ୍କୁ କରୋନା ବିଷୟରେ ସଚେତନ କରିବାକୁ ଚେଷ୍ଟାକଲେ। ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରଖିବା ଓ ଲକଡାଉନ ନିୟମ କୁ ପାଳନ କରିବା ସହିତ ଜ୍ବର,କାଶ,ଥଣ୍ଡା ଆଦି ରୋଗ ହେଲେ ଡାକ୍ତରଙ୍କୁ ଦେଖାଇବା ଦ୍ବାରା ହିଁ କରୋନାକୁ କବଳିତ କରାଯାଇପାରିବ। କିନ୍ତୁ ଅନ୍ଧରାଜ୍ଯରେ ଦର୍ପଣ ବିକିଲେ କିଏ ବା କିଣିବ ?
ହଠାତ୍ ରାଘବ ଅତିମାତ୍ରାରେ ଉତ୍ତେଜିତ ହୋଇ ବିଜୟଙ୍କ ବେକରେ ଏକ ଶକ୍ତିଶାଳୀ ଧକ୍କା ଦେଇ କହିଲେ- - ଦେଖ୍ ଡାକ୍ତର, ଯଦି ଭଲମଙ୍ଗଳ ଅଛି ମୋ ଘର ସାଙ୍ଗେସାଙ୍ଗେ ଛାଡ୍। ନହେଲେ ମୋ ଘରେ ଥିବା ସେ ପୁରୁଣାଖଣ୍ଡା ବହୁତ ଦିନପରେ ତାଜାରକ୍ତର ସ୍ବାଦ ଚାଖିବ। ମୋ ଅତୀତ ବିଷୟରେ ତୁ କିଛି ବି ଜାଣିନୁ। ଏବେ ମଧ୍ଯ ମୋ ନାମରେ ଦଶ ଟା ଫୌଜଦାରୀ ମାମଲା ଚାଲୁଛି।
କହୁଣୀରୁ ବୋହି ଚାଲିଥିବା ରକ୍ତଧାରକୁ ପୋଛି ବିଜୟ ରାଘବଙ୍କ ମୁହଁକୁ ଚାହିଁଲେ। ତାଙ୍କ ଅଜାଣତରେ ଆଖିରୁ ବୋହି ଚାଲିଥିଲା ଲଜ୍ବା,ଅପମାନ ଓ କ୍ଷୋଭସିକ୍ତ ଅଶୃଧାରା। କେବଳ ଏତିକି କହିପାରିଲେ- - ଧନ୍ଯବାଦ ରାଘବ ବାବୁ। ଆପଣ ମଣିଷତ୍ବର ଯେଉଁ ନିଆରା ନିଦର୍ଶନ ଦେଖାଇଲେ ମୁଁ ଜୀବନ ଥିବା ଯାଏଁ ଭୁଲି ପାରିବିନି। କିଛି ସମୟ ଭିତରେ ଡାକ୍ତରଖାନାର ଏକ ଗାଡି ପହଞ୍ଚିଲା। ବିଜୟ ଓ ଜାହ୍ନବୀ ହାତରେ ଦୁଇଟି ବ୍ଯାଗ୍ ଧରି ବାହାରିଲେ। ବିଜୟ ଘର ଚାବିଦେବା ପାଇଁ ରାଘବଙ୍କ ପାଖକୁ ଗଲେ। ବନ୍ଦ କବାଟ ଭିତରୁ ରାଘବଙ୍କ ପାଟି ଶୁଭିଲା- - ଚାବି ସେଇଠି ପକେଇ ଦେଇଯାଅ। ଯେତିକି ଜିନିଷ ଛାଡିଦେଇ ଗଲ ସେତକ ନେବାପାଇଁ ଆଉ ଥରେ ଦୌଡି ଆସିବନି। ଭବିଷ୍ଯତରେ ମୋ ଘରର ଆଖପାଖରେ ଯେମିତି ନଜର ନ ଆସ ସେକଥା ଧ୍ଯାନ ରଖିବ। ତାଙ୍କ କଥା ଶେଷ ହେବା ପୂର୍ବରୁ ଗାଡିଟି ଧୂଆଁ ଉଡାଇ ସେ ସ୍ଥାନରୁ ଯାଇ ସାରିଥିଲା।
ଗାଡି ଭିତରେ ବିରାଜମାନ କରୁଥିଲା ଅସମ୍ଭବ ନୀରବତା। ଗାଡିର ଘଁ ଘଁ ଶବ୍ଦ ଉଭୟ ବିଜୟ ଓ ଜାହ୍ନବୀଙ୍କୁ ଆହ୍ବାନ ଜଣାଇ ଚାଲିଥିଲା କିଛି କଥାବାର୍ତ୍ତା ହେବାପାଇଁ। କାରଣ ସେ ଗାଡିଟି ମଧ୍ଯ ନୀରବତାର ଆଘାତ ସହିବା ଅବସ୍ଥାରେ ନଥିଲା।
ଛକ,ବଜାର,ବସଷ୍ଟାଣ୍ଡ,ହାଟ,ସହର ସବୁସ୍ଥାନରେ ବିରାଜମାନ କରୁଥିଲା ଅସମ୍ଭବ ନୀରବତା। ଯେଉଁ ସହରରେ ରାତିଦିନର କିଛି ପାର୍ଥକ୍ଯ ନ ଥିଲା, ଯେଉଁ ରାସ୍ତାର ବୁକୁ ଉପରୁ ଗାଡିମୋଟର ଓ ମନୁଷ୍ୟ ମାନଙ୍କର ବୋଝ କେବେ କମୁ ନଥିଲା ସେମାନେ ଆଜି ଆଶ୍ଚର୍ଯ୍ଯ ହୋଇ ଚାହିଁରହିଥିଲେ ଭାଗ୍ଯର କୃର ପ୍ରହାରକୁ। ବିଜ୍ଞାନର ଜୟଗାନ କରି ସମଗ୍ର ବିଶ୍ବ ଓ ଜୀବମଣ୍ଡଳକୁ ପାଦତଳେ ମାଡିମକଚି ଆକ୍ତାମାକ୍ତା କରିଚାଲିଥିବା ମନୁଷ୍ଯକୁ ଆଜି ଗୃହବନ୍ଦୀ କରିଦେଇଥିଲା ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ। " ମୁଁ ମୁଁ " ର ହୁଙ୍କାର ନାଦରେ ଗଗନପଗନ ପ୍ରକମ୍ପିତ କରିଚାଲିଥିବା ମନୁଷ୍ଯର ଔଦ୍ଧତ୍ଯକୁ କ୍ଷୁଦ୍ର ବାଲିକଣାକୁ ପବନ ଉଡାଇଦେବା ପରି ଉଡାଇ ଦେଇଥିଲା କରୋନା ଭୂତାଣୁ। ସମ୍ପର୍କର ସେତୁ ବାନ୍ଧି ସ୍ବାର୍ଥ ହାସଲ କରି ଚାଲିଥିବା ସ୍ବାର୍ଥପର ମନୁଷ୍ଯର ସମ୍ପର୍କ ରଜ୍ଜୁକୁ ଖିନଭିନ କରିଦେଇଥିଲା ସେ ଘାତକ ଭୂତାଣୁ। ସ୍ବାର୍ଥାନ୍ଧ ମନୁଷ୍ଯର ବିଷାକ୍ତ ନିଶ୍ବାସ ପ୍ରଶ୍ବାସକୁ ନିଜର ବାହନ କରି ସଗର୍ବେ ମାଡି ଚାଲିଥିଲା କରୋନା ବିଶ୍ବବିଜୟ କରି ମନୁଷ୍ଯର ସତ୍ତା ବିଲୋପ କରିବାର ଦୃଢ ପଣନେଇ। ନିଜର ଧନସମ୍ପତ୍ତି,ଗର୍ବ ଅହଙ୍କାର ଓ ଆତ୍ମବଡିମାର ଗରଳକୁ ମନୁଷ୍ୟ ପିଇ ଚାଲିଥିଲା ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ। ସେ ଚିତ୍କାର କରୁଥିଲା,ବିଳାପ କରୁଥିଲା, ପ୍ରାର୍ଥନା କରୁଥିଲା କରୋନା ସମ୍ମୁଖରେ। ନିଜ ଜୀବନ ବଞ୍ଚାଇବାକୁ କାକୁତିମିନତି ହୋଇ ହୋଇ ଚାଲିଥିଲା। କିନ୍ତୁ କରୋନା କରିଚାଲିଥିଲା ଅଟ୍ଟହାସ୍ଯ। ସର୍ବଶକ୍ତମାନ ଓ ଇଶ୍ବରଙ୍କ ଶ୍ରେଷ୍ଠସୃଷ୍ଟି ମନୁଷ୍ଯର ଏ ଦୟନୀୟ ଅବସ୍ଥା ତାକୁ ବେଶ୍ ଆମୋଦିତ କରୁଥିଲା ନିଶ୍ଚୟ। ସଂସାରର ପଶୁପକ୍ଷୀଗଣ ଆତଙ୍କିତ ଥିଲେ, ସେମାନେ ଭାବୁଥିଲେ ତାଙ୍କ ପ୍ରତି ଚିରଦିନ ଅକଥନୀୟ ଅତ୍ଯାଚାର କରି ଚାଲିଥିବା ମନୁଷ୍ୟ ନାମକ ପ୍ରାଣୀ କାଳର ପ୍ରଚଣ୍ଡ ଆଘାତରେ ନିଶ୍ଚିହ୍ନ ହୋଇ ଯାଇନି ତ ! ଅରଣ୍ଯରୁ କେବେକେବେ ପଶୁମାନେ ସହର ମଧ୍ଯକୁ ପଶି ଆସୁଥିଲେ ଦେଖିବା ପାଇଁ ମନୁଷ୍ଯର ଉନ୍ନତିର ସ୍ବାକ୍ଷର ସବୁକୁ। ଗଛରେ ବିଭିନ୍ନ କିସମର ପକ୍ଷୀମାନେ ବେଶ୍ ଆମୋଦିତ ହୋଇ ଦେଖୁଥିଲେ ଗୃହବନ୍ଦୀ ମନୁଷ୍ଯର ଆପଣା ପ୍ରାଣ ବଞ୍ଚାଇବାର କଳାକୌଶଳକୁ। ରାସ୍ତାରେ ବୁଲାକୁକୁର ଆଜି ଛାତିଫୁଲାଇ ଚାଲୁଥିଲା ସଗର୍ବେ । ତା ଉପରକୁ ଗରମତେଲ ବା ଢେଲା ଫୋପାଡିବାକୁ ଆଜି କେହି ନ ଥିଲେ । କୌଣସି ଗାଡିଚକା ତଳେ ପଡି ନିଷ୍ଠୁର ମୃତ୍ଯୁକୁ ପ୍ରତ୍ଯକ୍ଷ କରିବାର ଅବକାଶ ମଧ୍ଯ କୁକୁରର ନ ଥିଲା। ନଦୀମାନେ ଆଜି ଶାନ୍ତିରେ ନିଶ୍ବାସ ମାରୁଥିଲେ ଓ ଜଳଚର ଜୀବଗଣ ଆନନ୍ଦରେ ନୃତ୍ଯ କରୁଥିଲେ। କଳ କାରଖାନାର ବିଷାକ୍ତ ପାଣି ପ୍ରଭାବରେ ଏବେ ମରୁ ନ ଥିଲେ କୌଣସି ଜଳଚର ଓ ନଦୀ ମାନଙ୍କର ପାଣି ସ୍ଫଟିକ ସମ ପରିଷ୍କାର ହୋଇ ସାରିଥିଲା। ବୃକ୍ଷରାଜିଗଣ ନିଜର ସୁନ୍ଦର ରୂପ ଦେଖି ଆଶ୍ଚର୍ଯ୍ଯ ହୋଇଯାଉଥିଲେ। ଲାକ୍ଷାଧିକ ଗାଡି ଓ କଳକାରଖାନାରୁ ନିର୍ଗତ ଘନକୃଷ୍ଣ ଧୂମ୍ରମଣ୍ଢଳ ଏବେ ସେମାନଙ୍କର ମନୋରମ ହରିତ୍ ବର୍ଣ୍ଣକୁ କୃଷ୍ଣକାୟ କରୁନଥିଲା। ସେମାନେ ମଧ୍ଯ ନିଶ୍ବାସ ପ୍ରଶ୍ବାସ ନେଉଥିଲେ ପରମଶାନ୍ତିରେ। ପ୍ରଦୂଷଣରେ ମୃତପ୍ରାୟ ହୋଇ ସାରିଥିବା ବାୟୁମଣ୍ଡଳରୁ ଧିରେଧିରେ ନିଶ୍ଚିହ୍ନ ହୋଇ ଚାଲିଥିଲା ପ୍ରଦୂଷଣର କରାଳ ଛାୟା। ପ୍ରକୃତ୍ତି ଲେଉଟି ଆସୁଥିଲା ତାର ପ୍ରକୃତରୂପକୁ। ସତେକି କୌଣସି ଶତାୟୁ ବୃଦ୍ଧା ରୂପାନ୍ତରିତ ହୋଇ ପାଲଟି ଯାଇଥିଲା ଏକ ପରମ ସୁନ୍ଦରୀ ଅନୁଢା କିଶୋରୀ ।
କରୋନା ନିଜର କାୟା ବିସ୍ତାର କରି ପାଲଟି ଯାଇଥିଲା ଏକ ଭୟଙ୍କର ଦାନବ। ନିମିଷକରେ ମନୁଷ୍ଯ ଶରୀର ମଧ୍ଯକୁ ପ୍ରବେଶକରି ସେ ବୁଣି ଚାଲୁଥିଲା ମୃତ୍ଯୁର ଭୟଙ୍କର ଜାଲ। ଧିରମନ୍ଥର ଗତିରେ ଶରୀରର ପ୍ରତ୍ଯେକ କୋଷିକାକୁ ଆକ୍ରମଣ କରି ରୂପାନ୍ତରିତ କରାଉଥିଲା ନିଜ ରୂପରେ। ଶେଷରେ ମନୁଷ୍ଯର ଶରୀର କରୋନାମୟ କୋଷିକାରେ ଆବଦ୍ଧ ହୋଇ ପ୍ରାଣାନ୍ତକ ଯାତନା ସହିବାକୁ ବାଧ୍ଯ ହେଉଥିଲା। ମହାଶକ୍ତଶାଳୀ କରୋନା ସହ ଯୁଦ୍ଧରେ ପରାସ୍ତ ହେବା ପରେ ମନୁଷ୍ଯର ପ୍ରାଣପକ୍ଷୀ ଶରୀର ଛାଡି କୌଣସି ପରାସ୍ତ ଯୋଦ୍ଧାସମ ପଳାୟନ କରିବାକୁ ବାଧ୍ଯ ହେଉଥିଲା । ପରମ ଶକ୍ତିଶାଳୀ ଇଶ୍ବରଙ୍କ ଚିରଉନ୍ମୁକ୍ତ ଦ୍ବାର ମଧ୍ଯ ବନ୍ଦ ହୋଇ ସାରିଥିଲା ଦୁଃଖ ଜର୍ଜରିତ ମନୁଷ୍ଯ ପାଇଁ। ମନ୍ଦିର,ମସଜିଦ୍,ଗୀର୍ଜା ଓ ଚର୍ଚ୍ଚ ମାନଙ୍କ କବାଟ ପଛରେ ବିଭିନ୍ନରୂପରେ ବସି ରହି ସେ ପ୍ରତ୍ଯକ୍ଷ କରିଚାଲିଥିଲେ ତାଙ୍କ ସୃଷ୍ଟିର ଶ୍ରେଷ୍ଠଜୀବର ଏ ଦୁରାବସ୍ଥା। ସେତିକିବେଳେ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲା କରୋନା ଦାନବ ଓ ଅଟ୍ଟହାସ୍ଯ କରି କହିଲା- - ହେ ପରମ ଶକ୍ତିଶାଳୀ ଇଶ୍ବର,ଦେଖ ମୋର ଶକ୍ତି ଓ ଶୌର୍ଯ୍ଯ। ତୁମର ଶ୍ରେଷ୍ଠ ସୃଷ୍ଟି କିପରି ଆଜି ପୋକମାଛି ମାନଙ୍କ ପରି ମୃତ୍ଯୁଲାଭ କରୁଛନ୍ତି। ସେମାନେ ପ୍ରାଣ ବଞ୍ଚାଇବାକୁ ନିଜକୁ ଘରର ଚାରିକାନ୍ଥ ମଧ୍ଯରେ ଆବଦ୍ଧ କରି ରଖିଛନ୍ତି। ମାତ୍ର ସେମାନେ କଣ ମୋ ପ୍ରହାର ରୁ ନିଜକୁ ବଞ୍ଚାଇ ପାରିବେ ?? ମୁଁ ପରମ ଶକ୍ତିଶାଳୀ, ଗୋଟି ଗୋଟି କରି ସମସ୍ତଙ୍କର ପ୍ରାଣହରଣ କରିବି। ଦାନବର କଥାଶୁଣି ଇଶ୍ବର ହସିଲେ।
ଦାନବ ଚିତ୍କାର କଲା- - ହେ ଇଶ୍ବର, ମୋ ପାଖରୁ ପରାସ୍ତ ହେବାପରେ ମଧ୍ଯ ତୁମେ ହସି ପାରୁଛ ? ତ୍ରେତୟାଯୁଗ ଓ ଦ୍ବାପର ଯୁଗ କଥା ମନେ ପକାଉଛ କି? ସେ ସମୟରେ ତୁମେ ଦାନବଙ୍କ ବିନାଶ କରି ଧର୍ମ ସଂସ୍ଥାପନ ପାଇଁ ମାନବ କୂଳରେ ଜନ୍ମ ନେଉଥିଲ। ମାନବଜାତିକୁ ବଞ୍ଚାଇବାକୁ ତୁମେ କେତେ ଦାନବ ଅସୁରଙ୍କ ପ୍ରାଣ ସଂହାର କରିଛ ତାହାର ହିସାବ ନାହିଁ। ସେ ସମୟରେ ଦାନବଗଣ ଶରୀର ଧାରଣକରି ଧରାପୃଷ୍ଠରେ ରାଜୁତି କରୁଥିେ ବୋଲି ସିନା ତୁମେ ସଂହାର କରିପାରିଲ। କିନ୍ତୁ ଏବେ ମୁଁ ମନୁଷ୍ଯ ଶରୀରକୁ ମୋର ବିଚରଣ ସ୍ଥଳ କରିନେଇଛି। ମୋତେ ବିନାଶ କରିବାକୁ ତୁମକୁ ମନୁଷ୍ଯ ମାନଙ୍କୁ ବଧ କରିବାକୁ ହେବ। କଣ ପାରିବ ତ ? ଏ ଘୋର କଳିଯୁଗରେ ତୁମେ ସମ୍ପୂର୍ଣ୍ଣ ବଳହୀନ ଓ ନିସ୍ତେଜ ହୋଇ ଦେବସ୍ଥଳ ମାନଙ୍କରେ ପଡିରହିଛ। ମାନବଜାତି କେବଳ ନିଜ ବିଶ୍ବାସରେ ତୁମକୁ ବଞ୍ଚାଇ ରଖିଛି, ନହେଲେ ତୁମର ଅସ୍ତିତ୍ବ ତ ବହୁ ପୂର୍ବରୁ କାଳର କରାଳ ଗର୍ଭରେ ଲୀନ ହୋଇ ସାରିଲାଣି। ଏତେ ତୁମ ପାଖରେ କୌଣସି ଚମତ୍କାର କରିବାର ଶକ୍ତି ନାହିଁ। ତେଣୁ ନୀରବରେ ବସି ରହି ମୋ ପ୍ରକୋପ କୁ ଉପଭୋଗ କର।
ହସିହସି ଇଶ୍ବର କହିଲେ- - ରେ ମୁର୍ଖ ଦାନବ। ଏତିକି ଜାଣି ରଖିଥା ଯେ ମୋ ଭକ୍ତ ମାନଙ୍କ ସହ ମୁଁ ଅଙ୍ଗାଙ୍ଗୀ ଭାବରେ ଜଡିତ। ଦେବସ୍ଥାନ ମାନଙ୍କରେ ମୋର ପ୍ରତିକୃତ୍ତି ଅଛି ସତ, ମାତ୍ର ମୁଁ ତ ମୋ ଭକ୍ତ ମାନଙ୍କର ହୃଦୟରେ ନିବାସ କରେ। ଭକ୍ତ ମାନଙ୍କର ମୋ ପାଖକୁ
ଆସି ଗୁହାରି କରିବାର ଆବଶ୍ଯକତା ନାହିଁ। ସେମାନଙ୍କ ମନର ପ୍ରତ୍ଯେକଟି ଭାବନା ମୋ ପାଖରେ ପହଞ୍ଚେ। ଭକ୍ତ ମାନଙ୍କ ପାଇଁ ସେ ଭାବନା ର ନାମ ପ୍ରାର୍ଥନା ହୋଇପାରେ, ମାତ୍ର ମୋ ପାଇଁ ତାହା ଭକ୍ତର ଅନ୍ତରାତ୍ମାର ପରିପ୍ରକାଶ ମାତ୍ର। ତୋ ମନରେ ଭ୍ରାନ୍ତ ଧାରଣା ଅଛି ଯେ ମୁଁ ଏହିକ୍ଷଣି ଧରାପୃଷ୍ଠରେ ଉପସ୍ଥିତ ନାହିଁ। କିନ୍ତୁ ଥରେ ଭଲରେ ଦେଖ, ମୁଁ ଉପସ୍ଥିତ ଅଛି ଲାକ୍ଷାଧିକ ସଂଖ୍ଯାରେ। ମୁଁ କେବଳ ନୀରବଦ୍ରଷ୍ଟା ଭାବରେ ଉପସ୍ଥିତ ନାହିଁ, ବରଂ ଯୋଦ୍ଧା ରୂପରେ ଅବତୀର୍ଣ୍ଣ କରିଛି। ରୋଗୀ ସେବା କରୁଥିବା ସେ ଧବଳ ପୋଷାକଧାରୀ ନରନାରୀ ମାନଙ୍କୁ କେବେ ଦେଖିଛୁ ? ସେମାନଙ୍କ ଭିତରେ ମୁଁ ହିଁ ଅଛି। ସେମାନଙ୍କ ମାଧ୍ଯମରେ ମୁଁ ନିପାତ କରିବି ତୋତେ। ରେ ଦାନବ, ଗର୍ବରେ ବୃଥା ଆସ୍ଫାଳନ କରିବାରୁ ନିଜକୁ ନିବୃତ୍ତ ରଖ, ତୋ ବିନାଶ ସୁନିଶ୍ଚିତ। ମୋର ଶ୍ରେଷ୍ଠକୃତ୍ତିକୁ ବିନାଶ କରିବାର ଯେଉଁ ଦୁରାଶା ମନରେ ପୋଷଣ କରିଛୁ ତାକୁ ପରିତ୍ଯାଗ କରି ଏହିକ୍ଷଣି ମର୍ତ୍ତ୍ଯମଣ୍ଡଳରୁ ଅପସରି ନଗଲେ ତୋ ପରିଣତି ଭୟାବହ ହେବ।
କରୋନା ଦାନବ ଅଟ୍ଟହାସ୍ଯ କରି କହିଲା ଓ ତୁମେ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ମାନଙ୍କ କଥା କହୁଛ ତ? ସେମାନେ ପୁଣି ମୋ ସହ ଯୁଦ୍ଧ କରିବେ ? ଦେହହାତ ଓ ମୁହଁରେ ସୁରକ୍ଷାକବଚ ପିନ୍ଧି ବେକରେ ହୃଦୟସ୍ପନ୍ଦନ ମାପଯନ୍ତ୍ର ଧରି ସେମାନେ ମୋ ସହ ଯୁଦ୍ଧ କରିବାର ଦୁଃସାହାସ କରିବେ ? ଭାବୁଛ କି ସେମାନେ ମୋ ପ୍ରହାରରୁ ନିସ୍ତାର ପାଇଯିବେ ? ମୁଁ କାହାକୁ ଛାଡିବିନି, ସମସ୍ତ ପରାସ୍ତ ହୋଇ ମୃତ୍ଯୁ ଲଭିବା ନିଶ୍ଚିତ। ହେ ଇଶ୍ବର, ଥରେ ତୁମ ଯୋଦ୍ଧା ଡାକ୍ତର ବିଜୟର ଅବସ୍ଥା ଦେଖ। ତୁମ ଯୋଦ୍ଧାମାନଙ୍କୁ ସେହି ମନୁଷ୍ଯ ମାନେ କିପରି ତିରସ୍କାର କରି କେତେ ହୀନିମାନ କରୁଛନ୍ତି। ଯେତେବେଳେ ମନୁଷ୍ଯ ମାନେ ମନୁଷ୍ଯ ମାନଙ୍କର ଶତୃ ପାଲଟି ଗଲେଣି ସେହି ସ୍ଥଳରେ ବାହ୍ଯଶତୃ ର ଆବଶ୍ଯକତା କଣ ବା ଅଛି?
ରେ ଦାନବ, କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଧର୍ଯ୍ଯ ଧରିବା ଶିଖ। ଅପେକ୍ଷା କର ଓ ଆଗକୁ କଣ ହେଉଛି ଦେଖିଚାଲ। ମନୁଷ୍ଯ ଭିତରେ ଉଭୟ ଦେବତ୍ବ ଓ ଦାନବତ୍ବ ବାସ କରନ୍ତି। ପରିସ୍ଥିତି ଓ ଆବଶ୍ଯକତା ଅନୁଯାୟୀ ମନୁଷ୍ଯ ନିଜ ପ୍ରକୃତ୍ତିର ପରିପ୍ରକାଶ କରେ। ଏହାର ଅର୍ଥ ଏହା ନୁହଁ ଯେ ସମଗ୍ର ମନୁଷ୍ଯ ଜାତି ଦାନବତ୍ବରେ କବଳିତ। ସମୟ ଆସିଲେ ମୋ ଉକ୍ତିର ଯଥାର୍ଥତା ତୁମେ ଅନୁଭବ କରିପାରିବ। ମୁଖମଣ୍ଡଳରେ ଅପୂର୍ବ ତେଜ ପରିସ୍ଫୁଟିତ କରାଇ କହିଲେ ଇଶ୍ବର।
ବେଶ କିଛି ସମୟପରେ ନୀରବତା ଭାଙ୍ଗି ଡ୍ରାଇଭର ରାମ ପଚାରିଲା- - ସାର୍, ମାଡାମଙ୍କ ଚେକଅପ ପାଇଁ କୁଆଡେ ଯିବା କି? ଡାକ୍ତରଖାନାରୁ ବାରମ୍ବାର ଫୋନ ଆସୁଛି। କାଳେ ପୁଣି ଛଅଜଣ କରୋନା ପଜିଟିଭ ଆଡମିଟ ହୋଇଛନ୍ତି। ଆପଣଙ୍କ ଫୋନ ବନ୍ଦଅଛି ବୋଲି ମୋତେ ସେମାନେ ଫୋନ କରିଚାଲିଛନ୍ତି। ବିଜୟ କୌଣସି ମତେ ନିଜକୁ ପ୍ରକୃତିସ୍ଥ କରି କହିଲେ- - ରାମ, ମୁଁ ବିରାଟ ସମସ୍ଯାରେ ପଡିଯାଇଛି। ଘରମାଲିକ ମୋତେ ଘରୁ ବାହାର କରିଦେଲା। ତା ମନରେ ଭୟ ଯେ ମୋ ପାଖରୁ ତାକୁ କରୋନା ରୋଗ ଡେଇଁଯିବ। ମାଡାମଙ୍କର ଅବସ୍ଥା ଦେଖୁଛ। ଚାରିଆଡେ ଲକଡାଉନ ଚାଲିଛି। ଏ ସହରରେ ମୋର କେହି ଚିହ୍ନାଜଣା ବି ନାହାଁନ୍ତି। ଏମିତି ଅବସ୍ଥାରେ ମୁଁ କୁଆଡୁ ଭଡାଘର ଖଣ୍ଡେ ପାଇବି କହିଲ ? ମୋ ମୁଣ୍ଡ କିଛି କାମ କରୁନି ।
ସେତେବେଳକୁ ଜାହ୍ନବୀଙ୍କ ଆଖିରୁ ଅନବରତ ଲୁହ ଝରି ଚାଲିଥିଲା। ସ୍ଫୀତ ଉଦର ଉପରେ ହାତ ବୁଲାଇ ସେ ଗୁଣୁଗୁଣୁ ହୋଇ କହିଚାଲିଥିଲେ - -ତୁ ବ୍ଯସ୍ତ ହେବୁନି ରେ ଧନ,ଆମର କିଛି ହେବନି। ଭଗବାନ ସବୁ ଠିକ୍ କରିଦେବେ। ତାଙ୍କ କୋଳମଣ୍ଡନ କରିବାକୁ ଆସୁଥିବା ଆଗନ୍ତୁକଟି ପାଇଁ ସେ ନିଜର ଶୋଇବା ଘରଟିକୁ କେତେ ଯତ୍ନରେ ସଜାଇଥିଲେ ସେସବୁ ଦୃଶ୍ଯ ତାଙ୍କ ମାନସପଟ୍ଟଳରେ ଭାସି ଉଠୁଥିଲା। କାନ୍ଥରେ ଭଳିକୁ ଭଳି ଫଟୋ ସହିତ ଖଟର ଚାରିପଟରେ ନାନାଜାତିର ଖେଳନା ସଜାଡି ରଖିଥିଲେ। ସେ ରହୁଥିବା ଘରେ ନବଜାତକଟିର ଆଗମନ ଓ ତା'ର ପରବର୍ତ୍ତୀ କାର୍ଯ୍ଯକଳାପ ବିଷୟରେ ଭାବି ସେ ଅନେକ ସମୟରେ ଆମୋଦିତ ହୋଇ ଉଠୁଥିଲେ। ଲିଜା ସବୁବେଳେ କହୁଥିଲା - - ଭାଉଜ , ପିଲା ଜନ୍ମହେଲା ପରେ ସବୁ ଦାୟିତ୍ବ ମୁଁ ନେବି। ତାକୁ ତେଲମାଲିସ କରିବା, ଗାଧୋଇଦେବା କାମ ମୁଁ କରିଦେବି, ତୁମେ ଜମାରୁ ବ୍ଯସ୍ତ ହୁଅନି। ଭାଇ ତାଙ୍କ କାମରେ ବ୍ଯସ୍ତଥିଲେ କଣ ହେଲା ଆମେ ମାନେ ତ ଅଛୁ ନା, ଚିନ୍ତା କାହିଁକି କରୁଛ। ସବୁ ଭଲରେ ଭଲରେ ହେବ। ଯେଉଁ ଲିଜା ତାଙ୍କୁ ଭାଉଜ ଭାଉଜ ଡାକି ପିଛା ଛାଡୁ ନଥିଲା ସେ ଆଜି ତାଙ୍କ ମୁହଁ ଉପରେ କେତେ କଣ ବକିଗଲା। ସେସବୁ କଥା ଭାବିବା ମାତ୍ରକେ ଜାହ୍ନବୀଙ୍କ ହୃଦୟରୁ କୋହ ଉଠି ଆସୁଥିଲା।
ରାମ କିଛିକ୍ଷଣ ଭାବିବାପରେ କହିଲା- - ଆଜ୍ଞା ମୁଁ ମେଡିକାଲର ଜଣେ ଛୋଟ କର୍ମଚାରୀ। ଯଦି ଖରାପ ନ ଭାବିବେ ଗୋଟେ କଥା କହିବି? ବିଜୟ ସମ୍ମତି ଦେବା ପରେ ସେ କହିଲା- - ଏବେ ସାରା ସହରରେ ଘର ମିଳିବା ମୁସ୍କିଲ୍। ଡାକ୍ତର ବା ଡାକ୍ତରଖାନାର କର୍ମଚାରୀଙ୍କୁ କେହି ଘରଭଡା ଦେଉନାହାଁନ୍ତି। ପୂର୍ବରୁ ରହି ଆସୁଥିବା ଲୋକଙ୍କୁ ଘରମାଲିକ ମାନେ କେତେ ବେଜ୍ଜିତ୍ କରି ଘରୁ ତଡିଦେଉଛନ୍ତି। ଏମାନେ ମଣିଷ ନୁହଁନ୍ତି ଆଜ୍ଞା ବରଂ ସବୁ ଗୋଟେ ଗୋଟେ ଅସୁର। କରୋନାଠାରୁ ମଧ୍ଯ ଆହୁରି ଭୟଙ୍କର ଏମିତିଆ ଘରମାଲିକ ମାନେ। କିନ୍ତୁ ଆପଣ ଚାହିଁଲେ ମୁଁ ସାହାଯ୍ଯ କରିପାରନ୍ତି। ମୁଁ ଏଇ ସହରରେ ଗୋଟେ ଘରଟିଏ ତିଆରି କରିଛି। ବିଶେଷ ବଡ ନହେଲେ ବିି ସାନ ପରିବାରଟିଏ ପାଇଁ ଯଥେଷ୍ଟ ଜାଗାଅଛି। ଏଇ ଗଲାମାସରେ ଘର ପ୍ରତିଷ୍ଠା କରିଛି। ଚାକିରି ସରିଲେ ସେଇ ଘରେ ଆମେ ବୁଢାବୁଢୀ ରହିବୁ ବୋଲି ବିଚାର କରିଛୁ। ଯଦି ଆପଣ ଖରାପ ନ ଭାବିବେ ସେଇ ଘରେ କିଛିଦିନ ପାଇଁ ରହି ଯାଆନ୍ତେ। ବିଜୟଙ୍କ ଆଖିରୁ ଦୁଇଟୋପା ଲୁହ ଝରିଗଲା। ଘୋର ନିରାଶା ମଧ୍ଯରେ ଆଶାର ଆଲୋକ ଚତୁର୍ଦ୍ଦିଗରେ ଉଦଭାସିତ ହେବାରେ ଲାଗିଲା। ରାମ ଗପ ଚାଲିଥାଏ-- - ଆପଣ ବ୍ଯସ୍ତ ହେବେନି ମାଆ, ସାର୍ ମେଡିକାଲ ଗଲା ପରେ ମୁଁ ମୋ ସ୍ତ୍ରୀ କୁ ଆଣି ଆପଣଙ୍କ ପାଖରେ ଛାଡିଦେବି। ସେ ଦିନତମାମ ଆପଣଙ୍କ ପାଖେପାଖେ ରହିବ। ସାରଙ୍କୁ ଛାଡି ଆଣିବା ସମୟରେ ତାକୁ ନେଇ ମୁଁ ଘରକୁ ଚାଲିଯିବି।
ସେକଥା ଠିକ୍ ଯେ କିନ୍ତୁ ତୁମ ଘରେ ରୋଷେଇବାସ କିଏ କରିବ ଯେ? ପଚାରିଲେ ବିଜୟ।
ଘରେ ମୋ ଝିଅ ଅଛି ଆଜ୍ଞା, କଲେଜ ପଢା ସାରି ଘରେ ବସିଛି। ତାକୁ ଘରକାମ ବଳେଇ ଯିବନି,ସେ ସବୁ କରିଦେବ। ଆପଣ ସେସବୁ କଥା ଭାବନ୍ତୁନି। ଆପଣଙ୍କ ଦାୟିତ୍ବ ମୁଁ ନେଲି। ଆପଣ ନିଶ୍ଚିନ୍ତ ରୁହନ୍ତୁ।
ନୂଆଘରେ ଜାହ୍ନବୀ ପାଦ ଦେବାପରେ ଶାନ୍ତିରେ ନିଶ୍ବାସ ମାରିଲେ। ରାମ ନିଜ ଘରୁ ଖଟ ଚେୟାର ଆଦି ଆଣି ନୂଆ ଘରେ ପକାଇ ସବୁ ସୁବିଧା କରିବା ପରେ ବିଦାୟ ନେଲା। ଏବେ ବିଜୟ ଓ ଜାହ୍ନବୀ ନିଶ୍ଚିନ୍ତ ଥିଲେ। ଅନ୍ତତଃ, ଆଗନ୍ତୁକ ଟି ଧରାବରଣ କରିବା ପୂର୍ବରୁ ତା ପାଇଁ ଏକ ସୁରକ୍ଷିତ ସ୍ଥାନ ଯୋଗାଡ ହୋଇ ସାରିଥିଲା। ବିଜୟଙ୍କ ଛାତି ଉପରେ ମୁଣ୍ଡ ରଖି ଜାହ୍ନବୀ ଶୋଇପଡିଥିଲେ। ତାଙ୍କ ଗାଲ ଉପରେ ବୋହି ଚାଲିଥିବା ଲୁହଧାର ଶୁଖି ସାରିଥିଲା ଓ ମୁହଁରେ ଝଟକୁଥିଲା ପ୍ରଶାନ୍ତିର ଫଲଗୁଧାରା। ଶୂନ୍ଯକୁ ଦୃଷ୍ଟି ନିକ୍ଷେପ କରି ଗଭୀର ଚିନ୍ତାମଗ୍ନ ଅବସ୍ଥାରେ ବସି ରହିଥିଲେ ବିଜୟ। କିପରି ମାନବସମାଜ କୁ କରୋନା କବଳରୁ ରକ୍ଷା କରାଯିବ ସେହି ଚିନ୍ତା ତାଙ୍କ ଆତ୍ମାପ୍ରାଣକୁ ଆଚ୍ଛନ୍ନ କରି ରଖିଥିଲା। ତାଙ୍କ ମୁହଁରୁ ଅସ୍ପଷ୍ଟ ସ୍ବରରେ ବାହାରି ଆସିଲା- - - ଏବେ ମୁଁ ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ, ତୁ ହାରିବା ପାଇଁ ପ୍ରସ୍ତୁତ ହୋଇ ଯା କରୋନା।
ଦିନ ପରେ ଦିନ ବିତି ଚାଲିଲା। କରୋନା ଯୁଦ୍ଧରେ ପ୍ରବଳ ପରାକ୍ରମର ସହିତ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ମାନେ ଆଗେଇ ଚାଲିଲେ। ରାତିଦିନ ଅକ୍ଳାନ୍ତ ପରିଶ୍ରମ କରି ଶହଶହ କରୋନା ସଂକ୍ରମିତ ଲୋକଙ୍କୁ ମୃତ୍ଯୁମୁଖରୁ ଫେରାଇ ଆଣିଲେ। ଯୁଦ୍ଧ ଯେତେ ଭୟଙ୍କର ହୋଇ ଚାଲିଲା ସେମାନେ ସେତିକି ପରାକ୍ରମର ସହିତ ଯୁଦ୍ଧ କରିଚାଲିଲେ। ନୂତନ ଉପାୟମାନ ଅବଲମ୍ବନ କରି କରୋନା ଦାନବକୁ କବଳିତ କରିବାର ସମସ୍ତ ପ୍ରକାର ଚେଷ୍ଟା ଚାଲିଲା ଓ ସେଥିରେ ସେମାନେ ସଫଳ ମଧ୍ଯ ହେଲେ। କିଛି ଯୋଦ୍ଧା ଆଘାତପ୍ରାପ୍ତ ଓ ହେଲେ ତ କିଛି ବୀରଗତି ପ୍ରାପ୍ତ ହେଲେ। ଯୋଦ୍ଧାମାନଙ୍କର ଆତ୍ମବିଶ୍ବାସ ଭାଙ୍ଗିଯିବା ପରିବର୍ତ୍ତେ ଆହୁରି ଦୃଢ ହୋଇଚାଲିଲା। ଯୋଦ୍ଧା ମାନଙ୍କର ସଂଖ୍ଯା ବଢିବା ସହିତ ନୂତନ ରଣକୌଶଳର ପ୍ରୟୋଗ ହେବାରେ ଲାଗିଲା। ପ୍ରଥମଥର ପାଇଁ କରୋନା ଦାନବର ହୃଦୟରେ କମ୍ପନ ସୃଷ୍ଟିହେଲା। ତେବେ କଣ ସତରେ ଇଶ୍ବର ଏ ଯୋଦ୍ଧା ମାନଙ୍କ ଶରୀରରେ ପ୍ରବେଶ କରି ଯୁଦ୍ଧ ଚଳାଇଛନ୍ତି। ସେ ବିଡ୍ ବିଡ୍ ହୋଇ କହିଲା- - ସେ କପଟୀ ଇଶ୍ବରଙ୍କ ମାୟା କାହାକୁ ବା ଜଣା ? ସେଥିପାଇଁ ତ କଥାରେ ଅଛି " କରି କରାଉଥାଏ ସେହି, ତା ବିନୁ ଅନ୍ଯ ଗତି ନାହିଁ। "
ମାନବରୂପୀ ଇଶ୍ବରମାନଙ୍କ ପ୍ରତି ଲୋକମାନଙ୍କର ଭକ୍ତି ଓ ଆନୁଗତ୍ଯତା ଧିରେଧିରେ ବୃଦ୍ଧି ପାଇଚାଲିଲା। ଘରଚିନ୍ତାରୁ ମୁକ୍ତ ହେବାପରେ ବିଜୟ ମନପ୍ରାଣ ଦେଇ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ଯାପୃତ ରହିଲେ। ନିଜର ଭଦ୍ର ଆମାୟିକ ବ୍ଯବହାର ଓ ମିଷ୍ଟଭାଷୀ ଗୁଣ ପାଇଁ ସେ ଡାକ୍ତର,କର୍ମଚାରୀ ଓ ରୋଗୀମାନଙ୍କ ମହଲରେ ବିଶେଷ ଆଦୃତ ହେଲେ। ଦିନେ ସେ ମେଡିକାଲରେ ବସିଥିବା ସମୟରେ ଜଣେ ଭୀଷଣ ଅସୁସ୍ଥ ବ୍ଯକ୍ତିଙ୍କୁ ଦୁଇଟି ନାରୀମୂର୍ତ୍ତ ଟେକିଟେକି ଆଣିଲେ। କାହାକୁ କିଛି ନ କହି ସେମାନେ ସେହି ବ୍ଯକ୍ତିଙ୍କୁ ଡାକ୍ତରଖାନା ବାରଣ୍ଡାରେ ଫିଙ୍ଗିଦେଇ ଅନ୍ତର୍ଦ୍ଧ୍ଯାନ ହୋଇଗଲେ। କର୍ମଚାରୀମାନେ ଘଟଣାର ଗମ୍ଭୀରତା ଉପଲବଧି କରି ସେ ବ୍ଯକ୍ତିଙ୍କୁ ତତ୍କାଳ ଭିତରକୁ ନେଇଗଲେ। ରୋଗୀ ମୁହଁରେ ଅମ୍ଳଜାନ ମାସ୍କ ଲଗାଇବା ସମୟରେ ବିଜୟ ଚମକି ଉଠିଲେ। ତାଙ୍କର ଜାଣିବାକୁ ବାକି ରହିଲାନି ଯେ ସେହି ବ୍ଯକ୍ତି ଜଣକ କିଏ। ମନରେ ପ୍ରତିଶୋଧର ଆଗ୍ନେୟଗିରି ବିସ୍ଫୋଟିତ ହେବାପାଇଁ ପ୍ରସ୍ତୁତି ଚଳାଇଥିଲା ; କିନ୍ତୁ ନିଜ କର୍ତ୍ତବ୍ଯ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ ଥିବା ବିଜୟଙ୍କ ଆତ୍ମାରେ ଦେବତ୍ବର ପରିପ୍ରକାଶ ଘଟିଲା ଓ ସେ ଭୀଷଣଭାବେ ଅସୁସ୍ଥ ସେହି ବ୍ଯକ୍ତିଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ବୟସାଧିକ୍ଯ ହେତୁ ତାଙ୍କ ଶରୀରରେ କରୋନା ଭୂତାଣୁ ଭୟଙ୍କର ଅବସ୍ଥାରେ ସଂକ୍ରମିତ ହୋଇ ସାରିଥିଲା। ଫୁସଫୁସରେ ପାଣି ଜମି ସାରିଥିଲା ଓ ସେ ଭଲରେ ନିଶ୍ବାସ ମଧ୍ଯ ନେଇ ପାରୁ ନ ଥିଲେ। ନିଜ ସମ୍ମୁଖରେ ମୃତ୍ଯୁର ପଦଧ୍ବନି ଶୁଣି ସେ ମ୍ରିୟମାଣ ହୋଇ କେବଳ ହାତ ଯୋଡି ଚାଲିଥିଲେ ଯାହା। ବିଜୟ ନିଜର ସମସ୍ତ ଅଭିଜ୍ଞତା ଓ ଜ୍ଞାନକୌଶଳ ଖଟାଇ ସେହି ବ୍ଯକ୍ତିଙ୍କୁ ସୁସ୍ଥ କରିବାରେ ଲାଗିପଡିଲେ। ଦିନ ପରେ ଦିନ ବିତି ଚାଲିଲା ଓ ବ୍ଯକ୍ତିଙ୍କର ସ୍ବାସ୍ଥ୍ଯରେ ଉନ୍ନତି ପରିଲକ୍ଷିତ ହେଲା। ଏତେ ଭୟଙ୍କର ରୂପରେ କରୋନା ସଂକ୍ରମିତ ବ୍ଯକ୍ତି ଯେ ପୁଣି ସୁଣି ସୁସ୍ଥ ହୋଇ ପାରିବେ, ସେ ଆଶା ଅନ୍ଯ ଡାକ୍ତର ମାନେ ଛାଡିଦେଇଥିଲେ। କିନ୍ତୁ ବିଜୟଙ୍କ ପାଇଁ ତାହା ଥିଲା ଜୀବନର ସବୁଠାରୁ ବଡ ଆହ୍ବାନ। ଯେଉଁଦିନ ସେ ବ୍ଯକ୍ତି ସୁସ୍ଥ ହୋଇ ଉଠିବସିଲେ ଭୋର ସମୟରୁ ବିଜୟଙ୍କ ପାଖକୁ ଡାକ୍ତରଖାନାରୁ ଫୋନ୍ ଆସିଲା। କାଳବିଳମ୍ବ ନକରି ସେ ଡାକ୍ତରଖାନାରେ ପହଞ୍ଚିଲେ। ଅନ୍ଯ କର୍ମଚାରୀ ମାନେ କହିଲେ ଯେ ବ୍ଯକ୍ତି ଜଣକ ତାଙ୍କୁ ସୁସ୍ଥ କରିଥିବା ଡାକ୍ତରଙ୍କ ବିଷୟରେ ପଚାରି ପଚାରି ସମସ୍ତଙ୍କର ମୁଣ୍ଡ ଖରାପ କରିସାରିଲେଣି।
ଚକ୍ଷୁ ଅର୍ଦ୍ଧନିମୀଳିତ କରି ଖଟ ଉପରେ ଶୋଇ ରହିଥିଲେ ସେହି ବ୍ଯକ୍ତି। ଧିର ପଦକ୍ଷେପରେ ପ୍ରବେଶକଲେ ବିଜୟ। ତାଙ୍କର ସମଗ୍ର ଶରୀର ଆଚ୍ଛାଦିତ ହୋଇ ରହିଥିଲା ସୁରକ୍ଷା ପୋଷାକରେ ଓ ମୁହଁରେ ଥିଲା ଧଳା ମାସ୍କ। ଏପରି ବେଶରେ ତାଙ୍କ ପରିଚୟ ଜାଣିବାର କୌଣସି ଅବକାଶ ନ ଥିଲା। ସେ ବ୍ଯକ୍ତି ବଡ କଷ୍ଟରେ ଖଟରୁ ଉଠିବାକୁ ଚେଷ୍ଟା କଲେ, ମାତ୍ର ବିଫଳ ହେଲେ। ଯୋଡ ହସ୍ତରେ କେବଳ ଏତିକି କହିଲେ- - ହେ ମାନବରୂପୀ ଇଶ୍ବର, ମୋତେ ପ୍ରାଣଦାନ ଦେଇଥିବାରୁ ଅଜସ୍ର ଧନ୍ଯବାଦ। ମୁଁ ଚିରକାଳ ଆପଣଙ୍କର ସେବକ ଭାବରେ ରହିବି। ଆପଣ ମୋତେ ଆଦେଶ କରନ୍ତୁ, ଯାହା କହିବେ ମୁଁ କରିବାକୁ ପ୍ରସ୍ତୁତ।
ମାସ୍କ ପଛରେ ଲୁକ୍କାୟିତ ଥିବା ଚେହେରାରେ ଆତ୍ମସନ୍ତୋଷଭରା ହସଟିଏ ଖେଳିଗଲା। ବିଜୟ ହସିହସି କହିଲେ- - ମଉସା,ଯଦି ପାରିବ କେବଳ ଏତିକି କରିବ। ଭବିଷ୍ଯତରେ କେବେ ଡାକ୍ତର ବା ସ୍ବାସ୍ଥ୍ଯକର୍ମୀ ମାନଙ୍କୁ ଏପରି ହନ୍ତସନ୍ତ କରିବ ନାହିଁ ବା ସେମାନଙ୍କୁ ଦୂର୍ ଦୂର୍ ମାର୍ ମାର୍ କରିବ ନାହିଁ।
ବିଜୟ ତୁମେ..........ଆଉ କିଛି କହିପାରିଲେନି ସେହି ବ୍ଯକ୍ତି ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଉଠିଲା। ଭୋ ଭୋ ହୋଇ କାନ୍ଦି ସେ ଯୋଡ ହସ୍ତରେ କହି ଚାଲିଥିଲେ – ମୋତେ କ୍ଷମା କରିଦେବ ବିଜୟ, ମୁଁ ମହାପାପୀ। ତୁମକୁ ଓ ଜାହ୍ନବୀକୁ ବହୁତ ଅପମାନ ଦେଇଛି, ଅନ୍ଯାୟ କରିଛି। ଜଣେ ଗର୍ଭବତୀ ନାରୀର ଅଭିଶାପ ଫଳରେ ଆଜି ମୁଁ ଏ ଦଶା ଭୋଗୁଛି। କାହା କଥା ନ ମାନି ମୁଁ ସବୁଦିନ ସଂନ୍ଧ୍ଯାରେ ସାଙ୍ଗମାନଙ୍କ ସହ ତାସ୍ ଖେଳୁଥିଲି। ସେମାନଙ୍କ ଭିତରେ କିଛି ଦିନ ତଳେ ମୁମ୍ବାଇରୁ ଫେରିଥିବା ମୋର ଘନିଷ୍ଠ ବନ୍ଧୁ ନିରାକାର ବାବୁ ମଧ୍ଯଥିଲେ। ତାଙ୍କୁ ଜ୍ବର ଓ ଭୀଷଣ କାଶ ହେଉଥଲା। ଆମେ ସମସ୍ତେ ସନ୍ଦେହ କରି ତାସ୍ ଖେଳ ବନ୍ଦ କରିଦେଲୁ। ମାତ୍ର ସେତିକି ବେଳକୁ ସେ ଏହି ରୋଗକୁ ମୋତେ ଉପହାର ସ୍ବରୂପ ଦେଇ ସାରିଥିଲେ ବୋଧେ। ମୋତେ ଅସୁସ୍ଥ ଲାଗିବା ପରେ ବହୁତଥର ଅନୁରୋଧ କଲି ତୁମ ମାଉସୀ ଓ ଲିଜାକୁ ମୋତେ ଡାକ୍ତରଖାନା ନେଇଯିବା ପାଇଁ।କାଳେ କରୋନା ହୋଇଛି ବୋଲି ତୁମ ମାଉସୀ ଓ ଲିଜା ମୋ ମୁହଁ ଚାହୁଁ ନ ଥିଲେ ବା ମୋ ପାଖକୁ ଆସୁ ନ ଥିଲେ। ମୋତେ ଡାକ୍ତରଖାନା ନେଲେ ଲୋକେ ଜାଣିଯିବେ ମୋତେ କରୋନା ହୋଇଛି ଓ ଲିଜାର ବାହାଘର ହୋଇ ପାରିବନି। ସେହି ଭୟରେ ମୋର ଦେଶୀ ଚିକିତ୍ସା ଚାଲିଲା। ଘରକୋଣରେ ଏକ ପୋଷା କୁକୁର ପଡି ରହି ମୋର ଭାଗ୍ଯକୁ ନିନ୍ଦିବା ଛଡା କିଛି ଋପାୟ ନଥିଲା। । ଅବସ୍ଥା ବେଶୀ ଖରାପ ହେବାରୁ ସେମାନେ ମୋତେ ଟେକି ଆଣି ଡାକ୍ତରଖାନା ବାରଣ୍ଡାରେ ଫିଙ୍ଗିଦେଇ ଚାଲିଗଲେ। ଯତେବେଳେ ମୋ ସ୍ତ୍ରୀ ଓ ଝିଅ ମୋ ସହ ଏପରି ବ୍ଯବହାର କଲେ ଆଉ କାହା କଥା କଣ କହିବି। ଆଉ କିଛି କହିପାରିଲେନି ରାଘବ।
ହେ ଭଗବାନ୍, ଆମକୁ ମାଉସୀ ଓ ଲିଜାକୁ ସାଙ୍ଗେସାଙ୍ଗେ ପରୀକ୍ଷା କରିବାକୁ ପଡିବ। ସେମାନେ ବି ସଂକ୍ରମିତ ହୋଇ ପାରନ୍ତି। ତା ଛଡା କଲୋନୀରେ ତାସ୍ ଖେଳୁଥିବା ଅନ୍ଯଲୋକ ମାନଙ୍କୁ ମଧ୍ଯ ପରୀକ୍ଷା କରିବାକୁ ହେବ। ଆପଣଙ୍କ କଥାରୁ ଲାଗୁଛି ସେ ଯାଗାର କମ୍ଯୁନିଟି ଟ୍ରାନ୍ସମିଶନ ହୋଇସାରିବଣି। ବିଜୟ ସାଙ୍ଗେସାଙ୍ଗେ ପୋଲିସକୁ ଓ ଅନ୍ଯ କିଛି ଲୋକଙ୍କୁ ଫୋନ ଲଗାଇବାରେ ଲାଗିଗଲେ। ରାଘବ ଯୋଡହସ୍ତରେ ତାଙ୍କ ଆଡକୁ ଚାହିଁ କେବଳ କାନ୍ଦି ଚାଲିଥିଲେ।
ଇଶ୍ବରଙ୍କର ଅଟ୍ଟହାସ୍ଯର ମାତ୍ରା ଏତେ ତୀବ୍ର ଥିଲା ଯେ କରୋନା ଦାନବର କର୍ଣ୍ଣଯୁଗଳରୁ ରକ୍ତ ବୋହିବା ଆରମ୍ଭ ହୋଇଗଲା। ସେ ଚିତ୍କାର କରି କହିଲା- - ବନ୍ଦ କର ତୁମର ଅଟ୍ଟହାସ୍ଯ ଇଶ୍ବର....ବନ୍ଦକର। ଇଶ୍ବର ଅଟ୍ଟହାସ୍ଯ କରୁଥିବା ଅବସ୍ଥାରେ କହିଲେ- - ରେ ଦାନବ, ତୋତେ କହୁଥିଲି ନା, ଏତେ ଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଅପେକ୍ଷା କର। ଏବେ ତୁ ସ୍ବଚକ୍ଷୁରେ ଦେଖ୍ ମୋ ଶ୍ରେଷ୍ଠସୃଷ୍ଟିର ପ୍ରଚଣ୍ଡ ଆକ୍ରମଣ। ତୋର ପରାଜୟ ଓ ବିଲୟ ସୁନିଶ୍ଚିତ। ତୋତେ ବିନାଶ କରିବା ପାଇଁ ମୁଁ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ମାନଙ୍କ ଶରୀରରେ ପ୍ରବେଶ କରିସାରିଛି। ଯଦି ପାରିବୁ ମୋ ଆକ୍ରମଣକୁ ପ୍ରତିହତ କରି ଦେଖା।
ଇଶ୍ବର ଓ କରୋନା ଦାନବର କଥୋପକଥନ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ ଥିବା ରାଘବ ହାତଯୋଡି ପ୍ରାର୍ଥନା କରି କହି ଚାଲିଥିଲେ- - ହେ ପ୍ରଭୋ, ଏ ମାନବରୂପୀ ଦେବତା ମାନଙ୍କୁ ସୁରକ୍ଷା ପ୍ରଦାନ କର। ମୁଢ ଲୋକମାନଙ୍କୁ ସଦବୁଦ୍ଧି ଦିଅ ଯେପରି ଏହି ଦେବତା ମାନଙ୍କ ପ୍ରତି କେହି ଦୁର୍ବ୍ଯବହାର ପ୍ରଦର୍ଶନ ନକରିବେ । ମୁଁ କରିଥିବା ଘୋର ପାପ ଯେପରି ଅନ୍ଯ କେହି ନ କରନ୍ତୁ ସେତିକି ମୋର ପ୍ରାର୍ଥନା।
ସେତିକି ବେଳେ ସୁରକ୍ଷା ପୋଷାକରେ ସମଗ୍ର ଶରୀରକୁ ଆଚ୍ଛାଦିତ କରି ବାହାରିଲେ କରୋନା ଯୋଦ୍ଧାଗଣ। ସେମାନଙ୍କୁ ବକ୍ଷରେ ବହନ କରି ଯୁଦ୍ଧକ୍ଷେତ୍ରକୁ ନେଇଯିବା ପାଇଁ ଅପେକ୍ଷାରତ ଥିଲା ରଥ ସଦୃଶ ଆମ୍ବୁଲାନ୍ସ। ହଠାତ୍ ଡାକ୍ତରଖାନାରେ ହଟଚମଟ ହେବାଦେଖି ଜଣେ ବୃଦ୍ଧବ୍ଯକ୍ତି କାର୍ଯ୍ଯରତ ଏକ କର୍ମଚାରୀକୁ ପଚାରିଲେ - - ଏ ମାନବରୂପୀ ଦେବତା ମାନେ ପୁଣି କୁଆଡେ ବାହାରିଲେ ଯେ ? ହସିହସି କହିଲା ସେହି କର୍ମଚାରୀ- – ଯିବେ ଆଉ କୁଆଡେ ମଉସା। କରୋନା କୁ ମୂଳରୁ ନିପାତ ନ କରିବା ଯାଏ ଏ ଦେବଯୋଦ୍ଧା ମାନେ କ'ଣ ଚୁପ୍ ବସି ପାରିବେ ?