ଦେବ କନ୍ୟା
ଦେବ କନ୍ୟା
ଝଡି ବର୍ଷା ପାଗରେ ଝଡ଼ ପରି ଘର ଛାଡି ଆସିବା ବେଳେ ସେ ଝିଅ ଆଡକୁ ମୁହଁ ଟେକି ଚାହିଁନଥିଲା ବରଂ ଭାବିଥିଲା ସେ ତ ତାକୁ ବାପଘରୁ ଆଣିନଥିଲା ସାଙ୍ଗରେ ତେବେ ନେଇଯିବ କାହିଁକି ତାକୁ ସାଙ୍ଗରେ! ସ୍ୱାମୀଙ୍କୁ ଯଦି ତା ଠାରୁ ଛଡାଇ ପାରିଲା ସୋନା ତେବେ କରୁ ଝିଅର ସବୁକିଛି. ସହୁ ଅଳି ଅର୍ଦ୍ଦଳି ଅଝଟପଣ ସବୁ ଭାବି ମାଆ ମାଆ ଡାକ ଛାଡୁଥିବା ଅଢେଇ ବର୍ଷର ଝିଅ ପ୍ରତି ନିଷ୍ଠୁର ହୋଇ ଆସିବା ପରେ ତାନ୍ନାର ପିଲାଦିନ ହିଁ ମନେ ପଡୁଥିଲା. ସେ ପାଠ ଶାଠ ସବୁଥିରେ ଆଗୁଆ ଥିଲେ ମଧ୍ୟ ହସିବା ତାକୁ ମନା. ସାନଭାଇ ସ୍କୁଲରେ ଓ ତା ସାଙ୍ଗମାନଙ୍କ ତୁଳନାରେ ପଛୁଆ ଥିଲେ ମଧ୍ୟ ଭାରି ଗେଲବସର. ସେ ଝିଅ ପିଲା ବୋଲି ତା ପାଇଁ ସାଇକେଲ କିଣା ହେଲା ନବମ ଶ୍ରେଣୀ ପରେ କିନ୍ତୁ ସାନଭାଇ ତୃତୀୟ ଶ୍ରେଣୀ ପଢିଲା ବେଳକୁ ଛୋଟ ସାଇକେଲ କିଣା ସରିଥିଲା ତା ପାଇଁ.ଆଉ ଯୋଉଦିନ ସେ ସାଇକେଲରୁ ପଡିଗଲା ତାଳମାରି ହସିଥିଲା ବୋଲି ଜେଜେମା କହିଥିଲା ଉପରମୁହିଁ ଓ ମାଆ ଭିତରକୁ ଡାକି ନେଇ କହିଥିଲେ କାହା କଷ୍ଟ ଦେଖିଲେ ତତେ ହସ କେମିତି ମାଡ଼େ ଝିଅ? ବାବୁଲା ପୁଣି ତୋ ନିଜ ଭାଇ. ଝିଅ ପିଲାଙ୍କଠି ସ୍ନେହ ଶ୍ରଦ୍ଧା ଓ ତ୍ୟାଗ ଭାବ ନରହିଲେ ପରିବାର ତ ପରିବାର ଦୁଇ ଦୁଇଟା ପରିବାରର ହିତା ହେବୁ କେମିତି ଝିଅ!ହଠାତ ଟ୍ରେନ ଛାଡ଼ିବା ଶବ୍ଦରେ ଛାତିଟା ଧଡ଼ପଡ଼ ହେଲା ଆନ୍ନାର ଓ କାହିଁକି କେଜାଣି ଝିଅ କଥା ଖୁବ ମନେପଡ଼ିଲା. ଜେଜେମା ଏବେ ଦେଖୁ ଦେଖୁ କହିବ ଯଦି କି ଝିଅ ହେଇଥିଲୁ କେଜାଣି, ସ୍ୱାମୀଟାକୁ ପଣତରେ ବାନ୍ଧି ପାରିଲୁନି ଯେ ସେ ଆଉ କାହାର ହୋଇଗଲା!କେମିତିକା ଝିଅ କେଜାଣି କୋଉ ବେଳା ନକ୍ଷତ୍ରରେ ତୋର ଜନ୍ମ?
ଗାଡିରୁ ଓଲ୍ହେଇ ଷ୍ଟେସନ ଭିଡ଼ ଭିତରେ ଚାଲୁ ଚାଲୁ ଛୋଟ ଝିଅଟିଏ ତା ହାତ ମୁଠେଇ ଚାଲିବାର ଦେଖି ସେ ଚମକି ପଡିଲା. ଠିକ ତା ନିଜ ଝିଅ ସ୍ନେହା ବୟସର ହେବ. ସେ ଯୁଆଡେ ଯୁଆଡେ ଯାଉଥିଲା ଭିଡ଼ ଭିତରେ ତା ହାତ ମୁଠା ଜାବୁଡି ଧରି ଛୋଟ ଶିଶୁକନ୍ୟାଟି ଚାଲିବା ଦେଖି ତା ଭାବନାର ସୂତାଖିଅ ସବୁ ଓଲଟ ପାଲଟ ହୋଇଯାଉଥିଲା. ଜୀଵନର ପ୍ରତ୍ୟେକ ଘଡି ସନ୍ଧିରେ କାହାରି ନା କାହାରି ହାତର ସାହାରା ଯେ ନିଶ୍ଚୟ ଦରକାର ଭାବୁ ଭାବୁ ଛୋଟ ପିଲାଟିର ଉଷ୍ମ ହାତ କେତେବେଳେ ଖସିଯାଇଥିଲା ତା ହାତମୁଠାରୁ ଭିଡ଼ ଭିତରେ ତ ଏଣିକି ତେଣିକି ଚାହିଁ ଦେଖିଲା ଟିକି ଝିଅ ତା ମାଆ ପାଖରେ ପହଁଞ୍ଚି ଯାଇଛି. ମାଆ ହାତ ମୁଠାରେ ପୁଣି ତା ଝିଅର ସ୍ପର୍ଶ ପାଇ ମାଆ ତାର ବିଭୋର ହୋଇ ଗେଲ କରି ଚାଲିଛି ତା ଶିଶୁ କନ୍ୟାକୁ. ଗହଳି ଭିତରେ ବସି ପଡିଲା ଆନ୍ନା. ସେ ନିଜେ ସମର୍ଥ. ତାର ରୋଜଗାର ଅଛି.ତେବେ କାହିଁକି କାହା ହାତ ମୁଠାରେ ହାତ ଥାପି ବାଟ ଚାଲିବାକୁ ସେ ଏଡ଼େ ବକଟେ ଝିଅକୁ ଛାଡି ଆସିଛି କାହା ଭରସାରେ!
ଭିଡ଼ କମି ଯାଇଥିଲା. ଫେରନ୍ତା ଟ୍ରେନରେ ରାତି ସାରା ବସି ସେ ଫେରିଆସିଥିଲା. ତାକୁ ଫେରିଆସିବା ଦେଖି ନା ସ୍ୱାମୀ କି ସୋନା କେହି ଖୁସି ହୋଇନଥିଲେ କିନ୍ତୁ ରାତି ସାରା କାନ୍ଦି କାନ୍ଦି ବିକଳରେ ଆଖିରୁ ଲୁହଧାର ଶୁଖିନଥିବା ସ୍ନେହା ଉଠିପଡ଼ି ଜାବୁଡି ଧରିଥିଲା ମାଆ ଆନ୍ନାକୁ ବକଳ ଲାଖିଗଲା ପରି . ଝିଅକୁ ଗେଲ କରି ଛାତିରେ ତୋଳି ଧରି ପୁଣି ଫେରିଥିଲା ଆନ୍ନା ହେଲେ ବାପା ମାଆଙ୍କ ପାଖକୁ ନୁହେଁ ବରଂ ଝିଅ ସହ କର୍ମକ୍ଷେତ୍ରକୁ.ଝିଅ ଯେବେ ତା ହାତ ମୁଠାରେ ହାତ ରଖି ପଚାରୁଥିଲା ମତେ ଛାଡି ଆଉ କୁଆଡେ ଯିବୁନି ତ ମାଆ? ଆନ୍ନା କହିଥିଲା, କାନ ମୋଡି ହେଉଛି ଧନ, ଆଉ କେଵେ ବି ନୁହେଁ.କି ଖରା,କି ବର୍ଷା, କି ଶୀତରେ ମୋ ଝିଅ ମୋ ପାଖରେ ରହିବ କହି ଜଡ଼ାଇ ଧରିଥିଲା ଝିଅ ସ୍ନେହାକୁ ।