Lalita Mohan Mishra

Tragedy

4.0  

Lalita Mohan Mishra

Tragedy

ଚୁକ୍ତି ଭିତ୍ତିକ ଚାକିରୀ

ଚୁକ୍ତି ଭିତ୍ତିକ ଚାକିରୀ

5 mins
252



ଛେଲାଗଡ ଛକରେ ଓହ୍ଲାଇ ଦେଇ ବସଟି ଆଗକୁ ଗଡି ଚାଲିଲା । ତ୍ରିପାଠୀଏ ରାତି ଚାରିଟାରୁ ବାହାରିଲେଣି । ଏଠାରେ ପହଞ୍ଚୁ ପହଞ୍ଚୁ ଦିନ ଗୋଟାଏ ପରେ ହୋଇ ଗଲାଣି । ବ୍ରାହ୍ମଣିଆ ଲୋକ । ଜୟ ଜେଜେମାନ କରି ଚଳନ୍ତି । ପାଞ୍ଚ ଦଶ ଖଣ୍ଡ ଗାଁରେ ନାଁ ଅଛି । ହୋଟେଲ ବାଟଲରେ ଖାଇବାର ପ୍ରଶ୍ନ ନାହିଁ । ରାତି ତିନିଟାରୁ ଉଠି ବୁଢୀ ଦିଟା ଗରମ ଖେଚୁଡ଼ି କରି କରି ଦେଇଥିଲା । ସେ ମୁଠାକ ପେଟରେ ପଡି ଥିବାରୁ ଏ ପର୍ଯ୍ୟନ୍ତ ପଳାଇ ଆସିଲେ । ପୁଅ କହିଥିଲା ଛେଲାଗଡ ଛକରୁ ପାଞ୍ଚ ଛଅ କିଲୋ ମିଟର ସ୍କୁଲ ।


ଛକରେ ଗୋଟିଏ ପାନ ଦୋକାନ । ଆର ପଟକୁ ଭଙ୍ଗା ଚାଳିଆଟିରେ ଗୋଟିଏ ବରା ଗୁଲୁଗୁଲା ଜଳଖିଆ ଦୋକାନୀ । ଦ୍ୱିପହର ସମୟ... ଲୋକଙ୍କର ସେତେ ଆତଯାତ ନାହିଁ । ତ୍ରିପାଠୀଏ ବସରୁ ଓହ୍ଲେଇ ଜଳଖିଆ ଦୋକାନ ଆଗରେ ପଡିଥିବା ବେଞ୍ଚଟା ଉପରେ ବସି ପଡିଲେ । ବେଞ୍ଚ ନୁହେଁ ତ... ଗୋଟିଏ ପଳଖ ପଟାକୁ... ଦିପଟେ ଦିଟା ଖୁଣ୍ଟି ପୋତି କଣ୍ଟା ଦିଟା ବାଡେଇ ଦେଇଛନ୍ତି । ତାହା ପୁଣି ଧୀର ସ୍ଥିର ନୁହେଁ । ବସିଲେ ହଲର ହଲର ହେଉଛି ।


ତ୍ରିପାଠୀଏ ଜଳଖିଆ ଦୋକାନ ପାଖରେ ଥିବା ନଳକୂଅରୁ ବଟଲରେ ପାଣି ଆଣି ପିଇଲେ । ସକାଳୁ ବୋଧହୁଏ ବରା ଗୁଲୁଗୁଲାଗୁଡିକ ହୋଇଛି । ଥାଳିଟାରେ ପଡି ପଡି ସେଗୁଡିକ ଶୁଖି ଗଲେଣି । ପାନ ଦୋକାନଟା ଏତେ ବେଳକୁ ବନ୍ଦ କରିଦେଇଛି । ବିସ୍କୁଟ୍ ଦାନ୍ତକୁଲୁ ହେରିକା ଦିଟା ମିଳିଥାଆନ୍ତା । ଗାଡି ସ୍କୁଲ ପର୍ଯ୍ୟନ୍ତ ଚାଲିବ । ଜଳଖିଆ ଦୋକାନ ଭିତରେ କଳା ମଚମଚ ଲୋକଟି ଶୋଇଛି । ଡାକିବା ଉଦ୍ଦେଶ୍ୟରେ ପାଖକୁ ଯାଇ ପଚାରିଲେ - ଗଡର ଏଠାରୁ କେତେ ଦୂର ? ସଙ୍ଗେ ସଙ୍ଗେ ଲୋକଟି ଧଡପଡ ହୋଇ ଉଠି କହିଲା - ପାଞ୍ଚ କିଲୋମିଟର । ଗାଡି କିଛି ନାହିଁ । ଚାଲି କରି ଯିବାକୁ ପଡିବ ।


ବ୍ୟାଗରେ ଦୁଇଟି ବିସ୍କୁଟ୍ ପକେଟ୍ ପଡିଛି । ସେଥିରୁ ପକେଟଟିଏ ଚିରିଲେ । ପାଣି ଟିକିଏ ପିଇ ଚାଲିବା ଆରମ୍ଭ କଲେ । ସରକାରଙ୍କ ବିଭିନ୍ନ ଯୋଜନା ହେଉ ଥିଲେ ମଧ୍ୟ ଏ ରାସ୍ତାଟି ବହୁଦିନ ହେଲା ତିଆରି ହୋଇନାହିଁ । ମେଣ୍ଟଲ ଆଉ ଠାଏଁ ଠାଏଁ ଖାଲ ଖମା । ଲୋକମାନଙ୍କର ଆତ ଯାତ କମ୍ । ଶୀତ ଦିନ ଯେ ଯାହାର ବଗଡରେ ଲାଗି ପଡ଼ିଛନ୍ତି ।


ତିନି ପୁଅ ମଧ୍ୟରେ ରମେଶ ମଝିଆ । ବଡ ପୁଅ ବିଳାସପୁରରେ ଏକ କମ୍ପାନୀରେ ଇଞ୍ଜିନିୟର । ସାନ ପୁଅ ଏମ୍.ବି.ଏ କରି ବାଙ୍ଗାଲୋରରେ । ମଝିଆଟା ଏତେ ଭଲ ପଢୁନଥିଲା । 


ବ୍ରାହ୍ମଣିଆ ଲୋକ ତ... ଆମର କୌଳିକ ବୃତ୍ତିଟା ରଖିବ ବୋଲି ଗାଁ ପାଖ ଟୋଲରେ ନାଁ ଲେଖାଇ ଥିଲି । ସେଥିରେ ମଧ୍ୟମା, ଉପଶାସ୍ତ୍ରୀ, ଶାସ୍ତ୍ରୀ କଲା । ପୁରୀରେ ଆଚାର୍ଯ୍ୟ କଲା । ଦରମା ନ ମିଳିଲେ ମଧ୍ୟ ଗାଁ ପାଖ ହାଇସ୍କୁଲରେ ଥିଲା । ଭଲ ଥିଲା । ଘର କଥା ଟିକେ ବୁଝୁ ଥିଲା । ଜୟ ଯେଯେମାନ ଗୁଡିକ ଆମର ହାତେଇ ଦେଇଥିଲା । ବିଭା ହେବା ପରେ ଗାଁରେ ରହିବାକୁ ଇଚ୍ଛା କଲା ନାହିଁ । 


ଚୁକ୍ତି ଭିତ୍ତିକ ସରକାରୀ ଚାକିରିରେ ଚାରି ବର୍ଷ ହେଲା ଯୋଗ ଦେଲାଣି । ଛଅ ବର୍ଷ ପରେ ରେଗୁଲାର ହେବ ବୋଲି କହୁଛନ୍ତି । ଏହା ଭିତରେ ତାକୁ ହାତକୁ ଦି ହାତ କରି ଦେବାରୁ ତାର ଘର ସଂସାର ବଢିଗଲା । ମୁଁ ଅବା କାହିଁ ଜାଣିବି ସେ ଚାକିରୀର ଏତେ ଗହନ କଥା ।


ମୁଁ ଭାବୁଥିଲି ନିୟମିତ ସରକାରୀ ଚାକିରୀଟା ହୋଇଥିବ । ବୁଝୁ ବୁଝୁ ଛଅ ବରଷରେ ନିୟମିତ ହେବ । ଏବେ ଛାଡି ହେଉ ନି କି ରହି ହେଉନି । 

ପେଟରେ ଭୋକ ମୁହଁରେ ଲାଜ । ଏ କଥା କାହାକୁ କହି ହୁଏନି । ନିଜ ମନ ତଳର ଗଭୀର ଦୁଃଖକୁ କିଏ ଅବା ବୁଝି ପାରିବ ? ହୃଦୟର ଅର୍ନ୍ତସ୍ୱରକୁ କିଏ ଅବା ଜାଣିପାରିବ ? ସେ କଥା ଜାଣେ ରମେଶ । 


ଗାଁ ଲୋକ ଜାଣିଛନ୍ତି ରମେଶ ସରକାରୀ ଚାକିରି କରି ଭଲ ଦି ପଇସା ରୋଜଗାର କରୁଛି । ଶିକ୍ଷକତା ଵୃତ୍ତିକୁ ଆପଣେଇ ନେଇ ଖୁସିରେ ଚଳି ଯାଉଛି । ହେଲେ ସେ କଥା... ଏକା ରମେଶ ହିଁ ଜାଣିଛି । ପାଠପଢି ଆଜି ଦାଦନ ପରି ସେ ଖଟୁଛି । କରୋନା ଯୋଦ୍ଧା ଠାରୁ ଆରମ୍ଭ କରି ଯେତେ ସରକାରୀ କାମରେ ତାକୁ ଲଗାଉଛନ୍ତି । ଦରମା କଥା ନ କହିବା ଭଲ । ଦିନ ମଜୁରିଆ ଶ୍ରମିକ ଠାରୁ ବି କମ୍ । ଆଶ୍ରମ ବିଦ୍ୟାଳୟର ରୋଷେୟା ଠାରୁ ବି ଦରମା କମ୍ ।


ଥରେ ଥରେ ତାକୁ ଲାଗେ ପାଠପଢି କିଛି ମୂଲ୍ୟ ହେଲା ନାହିଁ । ଦରମା ମିଳୁଛି । ମାତ୍ର ସେ ଦରମା ନିୟମିତ ନୁହେଁ । କେଉଁ ପାଞ୍ଚ ଛଅ ମାସରେ ଥରେ ମିଳେ। କେଉଁ କଥାରେ ଯଦି ପ୍ରତିବାଦ କଲ... ସେଥିରେ ଅଫିସରଙ୍କ ଡରାଣୀ । ପୋଷାକ ପିନ୍ଧି ପଦାକୁ ଵାହାରିଲେ ମନଗହନର ତଳେ ଲୁଚିଥିବା ଲୁହ ଉଙ୍କିମାରେ ରମେଶର । ସତେ ଲାଗେ ଏ ଜୀବନଟା ଵାସହୀନ ଭୂମିପରି । ଵାସ୍ତବ ଜୀବନରେ ଖାଲି ଚିନ୍ତା ଗ୍ରାସ କରେ ଅଭାବକୁ ନେଇ । କଥାରେ ଅଛି "ଅଭାବେ ସ୍ୱଭାବ ନଷ୍ଟ" । ଅବଶ୍ୟ ରମେଶ ମୋର... ଜୀବନରେ ତାହା କରିବାକୁ ଦେଇ ନାହିଁ । 


ପୁଅର ବୟସକୁ ଦେଖି ବିବାହ କରେଇ ଦେଲି । କିଛି ବୁଝା ବୁଝି କଲି ନାହିଁ । ଏହା ଭିତରେ ଏକ ପାରିବାରିକ ଜଞ୍ଜାଳ ତା ଉପରେ ଲଦି ଦେଲି । ଅର୍ଥର ଅଭାବରେ ଶାଶୁ ଶ୍ୱଶୁର କୁଣିଆ ମୈତ୍ର ହର ଗାଁକୁ ବୋହୁକୁ ନେଇ ଯିବାକୁ ଡର ଲାଗେ ରମେଶର । ଯାହା ଘରକୁ ନୂଆ କରି ସାଥି ହୋଇ ଯିବ କମ୍ ସେ କମ୍ ମିଠା କେଜିଟେ ତ ନେଇ କରି ଯିବ । ନବବିବାହିତା ସ୍ତ୍ରୀ ହେଉ... କି ବାପା ମାଆ ହୁଅନ୍ତୁ... ଏ କଥାଟା କାହାକୁ କହିବ ସେ ? ସେମାନେ କିନ୍ତୁ ଗାଁକୁ ଆସିଲେ କୁଣିଆ ମୈତ୍ର ଘରକୁ ଯିବାକୁ କୁହନ୍ତି ।


ଏ ସବୁରରୁ ତ୍ରାହି ପାଇଁ ପ୍ରାଇଭେଟ ଟ୍ୟୁସନ କଲା । ଗାଁ ଗହଳରେ କି ଟିଉସନ୍ । ତଥାପି ଯାହା ପାଇଲା ତାହା ସମୁଦ୍ରକୁ ଶଙ୍ଖେ । ଦୁଃଖ ଲାଘବ ସେତେ ପରିମାଣରେ ହୋଇ ପାରିଲା ନାହିଁ । ଲାଗେ ତା ଭାଗ୍ୟ ଆକାଶରେ କେବେ ଉଇଁବେ ଜହ୍ନ ? ଥରେ ଥରେ ଲାଗେ ତାର ଜୀବନଟା କେଡେ ହିନିମାନିଆ । ଶିକ୍ଷା ଵ୍ୟଵସ୍ଥା ଆଜି ହୋଇଛି ଉପାୟଶୂନ୍ୟ । ଆଶା ଓ ଭରସାର ମରୁଭୂମିରେ ସାଜିଛି ସେ ଏକ ନିଃସଙ୍ଗ ପଥିକ....


ସେ ଆଖିରେ ଅସରନ୍ତି ସ୍ୱପ୍ନ ଦେଖୁଛି । ମାସ ଶେଷକୁ ଏ ସ୍ୱଳ୍ପ ଦରମାରେ ଚଳିବା କଷ୍ଟକର ହୋଇପଡୁଛି । ରମେଶର ଅଭାବିସଂସାରକୁ ଦାନା ଯୋଗାଇବା ଆଗରୁ ଘରଭଡାରେ ସରିଯାଉଛି । ଶେଷରେ ଶୂନ୍ୟ ହାତରେ ଚାହିଁରହିଥାଏ ରମେଶ - ନିର୍ବିକାର ହୋଇ....


ଲଲାଟରେ ଦୁଃଖର ଦ୍ରାଘିମା ରେଣୁ ଉଙ୍କି ମାରେ । ଜୀବନ ଜୀବିକାକୁ ଧରି 

ଦିନ - ରାତି ଆଶା ସଂଚାର କରେ । ବାରମ୍ବାର ନିୟମିତ ଚାକିରି ହେବାର ସ୍ୱପ୍ନ ଦେଖେ ।ଏଇ ଶିକ୍ଷା ମୋ ଜୀବନର ମୋଡ ଵଦଳାଇବ । ଏ ଚାକିରି ମୋ ଭବିଷ୍ୟତର ଭାଗ୍ୟ ନିର୍ଦ୍ଧାରଣ କରିବ । ଚାତକ ପକ୍ଷୀ ଆକାଶକୁ ଚାହିଁଲା ପରି.... ରମେଶ ମାସ ମାସ ବର୍ଷ ବର୍ଷ ଅଭାବି ସଂସାର ଭିତରେ ବୁଡ଼ି ସ୍ୱପ୍ନ ଦେଖୁଛି.... ମୋର ଚୁକ୍ତି ଭିତ୍ତିକ ଚାକିରୀ କେବେ ନିୟମିତ ହେବ ?


ପ୍ରଥମେ ବ୍ଲକ୍ ଗ୍ରାଣ୍ଟ ସ୍କୁଲ । ସେଥିରେ ଆଠ ଦଶ ବର୍ଷ । ଏବେ ପୁଣି ଚୁକ୍ତି ଭିତ୍ତିକ ଚାକିରୀରେ ଚାରି ବର୍ଷ । ଏମିତି ତା ଜୀବନର ଅଧା ବୟସ ଚାଲିଗଲା । ସରକାରୀ ଵିଭାଗର ଚାକିରିଆ ସାଜି ଅଧାଦିନ ଵିତିସାରିଲାଣି । ଉତୁରି ଗଲାଣି ତାର ନିଶା । ତଥାପି ଅନ୍ତ ହୋଇନି ତାର ଅପେକ୍ଷା । ଆଜି ବି ସେ ଶିକ୍ଷାକୁ ଆପଣା କରି ବଞ୍ଚୁଛି ।


ତାକୁ ଦେଖି ଲୋକେ କିଏ କେତେ କଥା କହୁଛନ୍ତି । ସବୁ ପୁଅ ମାନଙ୍କ ମଧ୍ୟରେ ରମେଶର ନିୟମିତ ଚାକିରି ନୁହେଁ । କିନ୍ତୁ ପରକୁ ଆପଣାର କରିବାର କ୍ଷମତା ଅଛି । ବାପା ମାଆଙ୍କୁ ଏ ବୟସରେ ସେବା କରିବାର ଦୃଢତା ରଖିଛି । ସେ ପଚାରି ନ ଥିଲେ ହୁଏତ ଆଜି ଆମେ ବୃଦ୍ଧାଶ୍ରମରେ କି ଝିଅ ପାଖରେ ଥାଆନ୍ତୁ । ମୋର ରମେଶ କୋଟିଏରେ ଗୋଟିଏ । ତାର ସେବା ହିଁ ପରମ ବ୍ରତ । ଅଭାବରେ ସେ ନୈତିକ ଜ୍ଞାନକୁ ଭୁଲି ଯାଇ ନାହିଁ । 


ସେ ଆଶା ବାନ୍ଧିଛି - ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ । ଏକଥାକୁ ମନରେ ହେଜି ଚାଲିଛି । ଜୀବନ ନୂତନ ସମ୍ଭାବନାର ଆଶାକୁ ସାଙ୍ଗରେ ଧରି ଆଗେଇ ଚାଲିଛି....


ବଡପୁଅ ବଡ ଚାକିରି କରିଥିଲେ କଣ ହେଲା... ସାନପୁଅ ବାଙ୍ଗାଲୋରରେ ଥିଲେ କଣ ଆମେ ସେମାନଙ୍କ ପାଇଁ ଅଲୋଡା ଅଖୋଜା । ମୋର ମଝିଆ ରମେଶ ଯେତେ ଦୂରରେ ଥିଲେ ମଧ୍ୟ ହୃଦୟରୁ ଦୂରତା ନୁହେଁ । ଟିକେ ଦୂରରେ ରହିଲେ ମଧ୍ୟ ମୋ ରମେଶ ଆମ ବୁଢାବୁଢୀଙ୍କ ଖବର ବୁଝୁଛି । ମାସ ମାସ ଏକା ରହି ବୋହୁକୁ ଆମ ପାଖରେ ଛାଡି ଦେଉଛି। ଆମ ସୁଖ ଦୁଃଖର ସାଥି ହୋଉଛି ।


ଜୀବନରେ ଚାକିରି କରି ନ ଥିଲି... କି ଚାକିରୀର ସ୍ୱାଦ ଜାଣି ନ ଥିଲି । ଆଜି ଦେଖୁଛି ଅନୁଭବ କରୁଛି ଚାକିରି ଜୀବନ କେତେ କଷ୍ଟ । ରମେଶ ଆମକୁ ନ ପଚାରୁଥିଲେ ଆଜି ଆମେ ଏ ଅବସ୍ଥାରେ ନ ଥାନ୍ତୁ.... ଭଗବାନଙ୍କ ଠାରେ ବିନତୀ କରୁଅଛି.. ହେ ପ୍ରଭୁ - ସମସ୍ତଙ୍କୁ ରମେଶ ଭଳି ପୁଅଟିଏ ଦିଅ । ଚୁକ୍ତି ଭିତ୍ତିକ ଚାକିରି ହେଲେ କଣ ହେଲା । ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଶୁଭେଚ୍ଛା ଭଲପାଇବା ଆଶୀର୍ବାଦ ନିୟମିତ ଚାକିରିଠାରୁ ଶତ ଗୁଣରେ ଭଲ....


ଏହି କଥା ଗୁଡ଼ିକ ଭାବି ଭାବି କେତେବେଳେ ସ୍କୁଲ ପାଖରେ ପହଞ୍ଚି ଯାଇଛନ୍ତି ତ୍ରିପାଠୀଏ । 



Rate this content
Log in

Similar oriya story from Tragedy