Lopamudra Parida

Tragedy

4.0  

Lopamudra Parida

Tragedy

ଚୁଡାଘଷା

ଚୁଡାଘଷା

6 mins
295



ତା'ର ଟିକେ ମୁଣ୍ଡ ବିଗିଡା ଧରି ଆସିଥିଲା ।ବସିଥିଲେ ବସିଥିବ, ଅଧା ଦିନରୁ ଅଢେଇଟା ବେଳେ ଉଠି ମୁଣ୍ଡ ବୁଡେଇ ପାଣି ଢାଦି ହେଇ ସଂଜବତୀ ଦବ ,ମଝିରାତିରେ ଉଠି ଗୁହାଳ ଯାକର ଗାଇଙ୍କୁ ସେ ଅନ୍ଧାର ରେ ପଡିଉଠି ଝୁଣ୍ଟି ଦାନା ଖୋଇବ ଏମିତି ସବୁ ଆଜୁରୁ ବାଜୁରୁ ଗୁଡେ କାମ ଏବେ ଏବେ ସିଏ ଆରମ୍ଭିଥିଲା ।ହେଇ ବା ସେଦିନ ପେଟ କଣ କାଟୁଛି କାଟୁଛି କହି ଗଡିଲା, ରହ ଔଷଧ ବଟିକା ଆଣିଦେବି କହି ମୁଁ ସାଇକେଲ ଟା ମାରି ଛକ ଶୁଶାବଇଦ ଟୁଙ୍ଗୀ ଠି କି ବାହାରୁଛି କି ..... ଗୋରୁ ବସ୍ତା ରୁ ମୁଠେ କୁଣ୍ଡା ଆଣି ବେଲାଏ ପାଣିରେ ଗୋଳି ପି ' ବାକୁ ବସିଥିଲା ।ହାଁ ହାଁ ରହ ରହ ବୋଲି ହାତ ଧରି ପକେଇଲେ ବାପା ।ନିରିହେଇକି ତାଙ୍କ ମୁହଁ କୁ ଚାହିଁ କହୁଛି,..... କ'ଣ କି ,ଭୁସି ପା , ଇସବଗୁଲି ପେଟୁଟା କାଇଁ .......।ତା' ହାତ କୁ ଝାଡି ବାପା ଏକରକମ କୁନି ଝିଅ ଭଳି ସେଠୁ ଉଠେଇ ଆଣି ଚଉପାଢୀ ରେ ବସେଇଲେ, ଖରା ନରମ ପଡୁଥାଏ ।ବେଲାରେ ଚୁଡା, ପାଚିଲା କଦଳୀ ଯୋଡେ ପକେଇ ପାଣିଆ ପାଣିଆ କି ଚକଟି ଆଣି କହିଲେ, ଦେଖି ମୋ ମା' ଏଇନେ ବଡ ଆଁ ଟେ କରିଦବ .....ମୋ ମା ତ କେତେ କୁହୁକ ସିଖିଛି ....ଦେଖିବ ଦେଖିବ ସବୁ ,ଆ ରେ ମୁନା ହେଇ ଆ ଏଇଠି ଦେଖ୍ ତୋ ବୋଉ ପାଟିରେ ମୁଁ ଏଇନା ଚୁଡା ଦେବି ....ଚଟ୍ କି କେମିତି ତା ପାଟିରୁ କୁଆଡେ ଉଭେଇ ଯିବ ।ଆ ଆ ଦେଖିବୁ ।


ସୁନା କୁନି ଝିଅ ଟି ପରି ଆଁ କରି କରି ଗିଳି ଗିଳି ଦେଇ ବଡ ଆଁ କରି ବାପା ଙ୍କୁ ଦେଖଉଥାଏ ତା ' କୁହୁକ କରା ଖାଲି ଆଁ ଟି ମାନ ।ସେ ଗୋଟେ ଗୁଣ୍ଡା ଚୋବେଇ ଗିଳିବା ଭିତରେ ବାପା ଦି ବୁନ୍ଦ ଲୁହ ଢାଳି ସାରିଥାନ୍ତି ସମାନ ଅନୁପାତରେ ।ଲୁହ ବୁନ୍ଦେ ପଡିଗଲା କି କଣ ତା ଗୁଣ୍ଡା ରେ ଚାହିଁଲା ପୁଣି ନିରିଖେଇ ,ପ୍ରଶ୍ନ ନେଇ ଆଖି ଡୋଳାରେ ......ବାପା ସାଙ୍ଗେ ସାଙ୍ଗେ କହିଦେଲେ ,ଆରେ ଚିମୁଟାଏ ଲୁଣ ମୁଠାଏ ଚିନି ସାଥିରେ ପଡିଲେ ବା ସାଲାଇନ୍ ପରି ରକ୍ତ ରେ କାମ ଦିଏ ,..... ତୁମେ ବା ଶିଖେଇଥିଲ ।ସେଇ ଲୁଣ ଟୋପାକ ,କଣ ଜିଭରେ ବାଜିଲା କି ।ସିଏ ହସିଦବ ସବୁ ବୁଝିଲା ପରି ।


ଆଜିକାଲି ବାପା ଜାଣି ତାର ସବୁ କରନ୍ତି, କାହାକୁ ଆଉ କରିବାକୁ ବି ଦିଅନ୍ତିନି ।ଗୁରୁଣ୍ଡା ପିଲା ପରି ଗୋଡେ ଗୋଡେ ଜଗିଥାନ୍ତି ।ଡାକ୍ତର କୁହନ୍ତି ଯତ୍ନ, ସ୍ନେହ ରେ ଯେମିତି ଉଣା ନ ହୁଏ ।ହଁ ସେ ସାମାନ୍ୟ ଜୀବନ ର ଅଙ୍କକଷା ନିୟମ ରୁ ଟିକେ ବିରତି ନେଇଛନ୍ତି ଯାହା, ବୁଝି ପାରୁନାହାନ୍ତି କିନ୍ତୁ ହୃଦୟ ସବୁ ବୁଝୁଛି, ଜାଣୁଛି ।ସେଠି କିଛି ଫରକ୍ ଆସିନି ।ଆମେ ଖାଲି ସବୁ ଜିନିଷ ଯୋଗୋଉ ସିନା, ବାପା ତା ଛାଇ ପରି ଥାନ୍ତି ।ଆମକୁ ଓଲଟା ବୁଝାନ୍ତି, ସିଏ ବା ଏବେ ମୋ ଝିଅ ହେଇଯାଇଛି ରେ ପିଲେ ।ମୁଁ ଥିବା ଯାଏ ତମେ ସବୁ କେହି ବ୍ଯସ୍ତ ହୁଅନି ।


ମନେପଡେ ଦିନ ଥିଲା ସିଏ ବାପା ଙ୍କୁ ଠାକୁର କରି ରଖିଥିଲା ।ହାତରେ ପାଣି ଗିଲାସେ ଅଣେଇ ଦଉନଥିଲା ।ଏମିତି କି ତେଲ ଲଗେଇ ଗାଧେଇ ଦବ ,ମୁଣ୍ଡ କୁଣ୍ଢେଇ ଦବ,ଦାନ୍ତ କାଠି ହାତକୁ ଦବ,ତାଙ୍କର ଦି ଘଣ୍ଟିଆ ଦିଅଁ ପୂଜା ପାଇଁ ଚନ୍ଦନ, ଫୁଲ, ସିନ୍ଦୁର ଠୁ ପୂଜା ଲୁଗା,ଜପାମାଳି ଯାଏ ସବୁ ଖଞିକି ଥୋଇଥିବ ବାପା ସୂର୍ଯ୍ୟ ଙ୍କୁ ପାଣି ଦେଇ ଆସିବା ଭିତରେ ।ନ ତୁଅଣ ଛ ଭଜା ତାଙ୍କ ମନକୁ ଗଲା ପରି କରିକି ଥାଳି ଚାରିପଟେ ତାଟିଆ ମାଳ କରିକି ବାଢିଦବ ।ବିଞ୍ଚଣା ରେ ବସି ବିଞ୍ଚୁଥିବ।ଢାଳରେ ପାଣି ବଢେଇଦବ ହାତ ଧୋଇବାକୁ ।ଅଫିସ୍ ସାଟ୍ ପ୍ଯାଣ୍ଟ,ଅତର କି ପାଉଡର ପକା  ରୁମାଲ ଧରି ଠିଆ ହବ ।ଏତେ ଭିତରେ ଆମ ତିନି ଭାଇ ଭଉଣୀ ଙ୍କ କଥା ବି ବୁଝୁଥିବ, ମୋର ,ମୋ ଭାଇ ର ଆଉ ତା' ଆଣ୍ଠଆ ଗୋପାଳର ।ତା' ଗୋପାଳ ର ସେବା ଯେ ଆକାଶଠୁ ମରତ ଯାଏଁ ।ବାପା ଅଫିସ ବାହାରିଗଲେ ,ଆମେ ସ୍କୁଲ କଲେଜ ଗଲୁ .....ଇଏ ବସିଲା ଗୋପାଳ ସେବାରେ ଦିନ ଅଧ ଯାଏ,ଖାଏ କେତେବେଳେ କେଜାଣି ।ସିଏ କାଳେ ଆମ ବଡ ଭାଇ,ସିଏ ସବୁ ଶୁଣେ ,ବୁଝେ ..........ଗୋପାଳ ଅଷ୍ଟକମ୍ ଭଲପାଏ ସର ଲବଣୀ ପରି......ଆଉ ନିତି ତୁଳସୀ ପତ୍ର ପକା ଖାଇବା ଖାଏ ....ସିଏ ହି କହିଥିଲା ଆଉ ଆମେ ନୀରିହ ମନରେ ମାନି ନେଇଥିଲୁ ।ପିଲା ମନରେ ଯାହା ଗାରେଇବ ତାହା ଚିହ୍ନ ସାରା ଜୀବନ କୁ , ନୁହେଁ କି ! ଏବେ ଭାବିଲେ ବିଜାର ଲାଗେ ବେଳେ ବେଳେ, ଏତେ ତ ପୂଜିଲା ଏମିତି କାଇଁ କଲେ ତା' ଦିଅଁ ପୁଣି ତାରି ସାଥିରେ ।ଅନେକ ଦିନ ଶୁଣିଛି କହୁଥିବ ତା 'ଠାକୁର କୁ .....ମୋ ପିଲା ଙ୍କୁ ଘଣ୍ଟ ଘୋଡେଇଥିବୁରେ ଜଗା, ମୋ ପାଣି କାଚ ଦି ପଟ ବଜର କରିଦେ ।ଚଉରା ଠି ପାଣି ଦେଇ କହିବ, ମା 'ଲୋ ମୋ ସଂସାର କୁ ପଣତ ଘୋଡେଇ ରଖିଥା, ପାକେଲା ବାଳରେ ସିନ୍ଦୁର ନାଏ......ପତ୍ର ପାଣି ମିଶା କି ଆଣି ପାଟିରେ ପକାଏ ।ସେଇ ତା'ଖାଇବା ।ସେଇଠୁ ଗାଇ ଗୋରୁ, ଚଢେଇ, ବଲେଇ ପଶୁ ପକ୍ଷୀ ଙ୍କ ପେଟ କଥା ବୁଝେ ।ଜେଜୀ କହେ ,ସିଏ କାଳେ ସ୍ବୟଂ ଅନ୍ନପୂର୍ଣା ।ଘରେ ତାରି ଯୋଗୁଁ ତୁଳସୀ ବଣ ପରା ଆପେ ମାଡୁଛି ।


ଆଜିକାଲି ତା'ଗୁରୁଣ୍ଡା ଗୋପାଳ ଆଉ ଝୁଲଣା ରେ ବସୁନି, ସିଏ କୋଳରେ ଧରି ବସୁଛି ଆଉ ତା କାନରେ ଫିସ୍ ଫିସ୍ କି କହୁଛି, ହାତ ଗୋଡ ଚାଲିଥାଉ ନେଇଯା ।ପକେଇବୁନି ଯମା, ବୁଝିଲୁଟି ।ପାଣି ଗିଲାସେ ପାଇଁ ବି କାହାକୁ ଯେମିତି ହଇରାଣ ନ କରେ ।ସେଇ କଥାକୁ ସେଇ କଥାକୁ କହୁଥାଏ ।ଆରିସି କାଚକୁ ଡେରି ଦେଇ କାନ୍ଥ ରେ ସିନ୍ଦୁର ଭରା ଡବା ଆଣି ମୁହଁ ମୁଣ୍ଡ ସବୁଆଡେ ଢାଳେ ,ବୋଳେ ।ସଫା କରି ପୋଛିବାକୁ ଗଲେ ପାଟି କରେ ।ବାପା କୁହନ୍ତି, ଛାଡିଦିଅ ତାକୁ, ଯାହା ତା'ଖୁସି ସେ କରୁ ।ଆଜିକାଲି ବାପା ଙ୍କ ଛାତି ଟା କାଇଁ ବେଶୀ ବେଶୀ କାଟେ ।ଡାକ୍ତର ଦେଖେଇବା କହିଲେ ଟାଳି ଦିଅନ୍ତି, କହିବେ ହେ କାଇଁ ବ୍ଯସ୍ତ ହେଲ ରେ  ।ମୋର କିଛି ହବନି ମ ।ତମ ବୋଉ କଥା ବୁଝ ।ମୋର ସେଇ ଢେର୍ ।


ହୃଦୟ ଟା ବା ଆୟତନରେ କୁଆଡେ ଆମ ବାଁ ପଟ ହାତ ମୁଠା ଯେଡିକି ସେଡିକି ।ସିଏ ହି ଶିଖେଇଥିଲା ପିଲା ବେଳେ ।ମତେ ଲାଗୁଥିଲା ଏ ହୃଦୟ ଟା ଯେମିତି ଜନ୍ମ ରୁ ପାରଦର୍ଶୀ କାଚରେ ତିଆରି ହେଇଥାଏ, ଧିରେ ଧିରେ ବଢୁ ବଢୁ ଅଙ୍ଗାର କି ପଥର ହେଇଯାଏ,ସବୁ ସହି କରି ।ଛାଡ ।



ଆଜି ସକାଳୁ ବାପା ବାରିପଟ ଢିଙ୍କିଆ ମାରି ତା 'ମୁଣ୍ଡ ରେ ରିଠାଫଳ ଘସି ଫେଣ ଫେଣ ଖେଳ ଖେଳେଇ ଖେଳେଇ ତାକୁ ଗାଧେଇ ଯତ୍ନେଇକି ପୋଛି ପିଣ୍ଢା କୁ ବସେଇ ଦେଇ ନିଜ ପାଇଁ ପାଣି ମାରୁଥିଲେ ରସ ଘାମଲା ରେ ।ସିଏ ସୁନା ଝିଅ ପରି ହାତ ଯୋଡି ବସି ଆଁ କରି ଚାହିଁଥିଲା ।ବୋଧେ ଭାବୁଥିଲା ମୁଁ ଯାହାକୁ ଧୂଳି ମଳି ଲଗେଇ ଦେଇ ନଥିଲି ସେ ଠାକୁର କେମିତି ନିଜ ପାଇଁ ପାଣି ମାରୁଛନ୍ତି ଯେ ।ସତରେ ଏମିତି ଭାବିଲା କି କଣ ଧଡ୍ ପଡ୍ କି ଉଠି ପାଣି ମାରିବାକୁ, ମୁଁ ମାରିବି ମୁଁ ମାରିବି କହି ଡେଇଁ ପଡିଲା କି ,ବାପା ତାକୁ ପଡି ନ ଯାଉ ବୋଲି ଧରିପକେଇବେ କଣ ନିଜେ ଗୋଡ ଖସି ପଡିଲେ ଫେଣରେ ।ଆମେ ଦି ଭାଇ ଦଉଡି ଯାଇ ଧରି ଆଣି ଖଟରେ ଶୁଏଇଲୁ ।


ଡାକ୍ତର ଆସିବାକୁ ଅଧଘଣ୍ଟା ନେଲେ ।ଆସି ଷ୍ଟେଥୋ ଚାପି କହିଲେ ,ମାଇଲ୍ଡ ଷ୍ଟ୍ରୋକ ।ଅଲରେଡି ଟୁ ଟାଇମ୍ସ ହେଇସାଳିଲାଣି ମେ ବି ।କେମିତି ଜାଣିଲେନି ଆପଣମାନେ, ଆଗରୁ ଟ୍ରିଟମେଣ୍ଟ କରିବାର ଥିଲା।ଇଂଜେକସନ ଦେଇଛି, ଏଇ ମେଡିସିନ୍ ଆଣି ରଖନ୍ତୁ ଟାଇମ୍ ୱାଇଜ୍ ଜଗିକି ଦେବେ ।ଏଲ୍ସ କିଛି ବି ହେଇପାରେ, ମେ ବି ପାରିଲାଇଜ୍।ମେ ବି .........


ଅସରା କଥା ଟା ଝିମ୍ ଝିମେଇ ଦେଲା ଭୟରେ ଆମ ଘରର କାନ୍ଥ ବାଡକୁ ବି ।


ଅନୁତପ୍ତ ଲାଗୁଥାଏ, ଆଗରୁ ଟିକେ ଜିଦ୍ କରି ଦେଖେଇଥିଲେ ହେଇଥାନ୍ତା ।ବାପା ତିନି ଦିନରୁ ଖଟରେ ।ଲୁହ ଅବିରତ ବୋହୁଛି ଆଖି ର କଣ ମୁଣ୍ଡ ରୁ ,କିଛି କହିବାକୁ ଚାହୁଁ ଛନ୍ତି .....ଶବ୍ଦ ସ୍ପୁରୁନି ।ନିଥର ହେଇ ପଡିଛନ୍ତି ସଦା ଚଳ ଚଞ୍ଚଳ ମଣିଷ ଟି ।ବୋଉ ବି ଆଉ କିଛି ଖାଉନି, ଅଝଟ କରୁଛି....ବାପା ଖୋଇଲେ ଖାଇବ ବୋଲି ।



ଆଜି ବୁଧବାର ।ଭାଦ୍ରବ ନ ହେଲେ ବି ଅଷ୍ଟମୀ ।ସକାଳୁ ପାଞି ଦେଖିବା ଅଭ୍ଯାସ ବାପା କରେଇଥିଲେ ଦିନର ପରିଚର୍ଯ୍ଯା ସେଇ ଅନୁଯାୟୀ ହବ ବୋଲି ।


ବୋଉ ଡାକିକି ବରାଦ କରିଛି, ଗୋଟେ ଚିଠା ମନେ ପକେଇ ପକେଇ


 ।କଳା ଗୁଡ

ଗୋଲମରିଚ ( ସୁ ସୁ କରି ଦେଖେଇଲା )

ଗୁଜୁରାତି ( ନାକରେ ଛୁଇଁ କି ଦେଖେଇଲା )

ବହୁତୁ କି ଘିଅ ( ଆଞୁଳି ମେଲେଇକି ଦେଖେଇଲା)

ଯୋଡେ ନଡିଆ ( ଆଙ୍ଗୁଳି ରେ ଦେଖେଇ ଗଛକୁ ଦେଖେଇଲା)

ଚୁଡା ( ମୁଠାଏ ଧରିକି ବସିଥିଲା, କାନି ଝାଡିକି ଦେଲା )


ମୁଁ ବୁଝିଗଲି ସବୁ ,ଠିକ୍ ସିଏ ଯେମିତି ଆମେ ଛୋଟ ଥିଲା ବେଳେ ଆମ ଠାର ଅଧା ଦଅଣା କଥା ଠଉରଉ ଥିଲା ଆଉ ସବୁ ଅଜାଡି ଦଉଥିଲା କାନି ଝାଡି, ଆମ ସୁଖ ପାଇଁ ।


ଚୁଡା ତକ ଗୁଣ୍ଡ କରିଦେଇ ଦି ଟଙ୍କା ର କାଜୁ ଆଉ ଖିସିମିସି ମିଶେଇ ଆଣିଲି ।


ସବୁ ଆଣି ଥୋଇଲି ତା'ପାଖରେ ।ଲୁହ ଭରା ଆଖି ରେ ଥରେ ମୋ ମଥା ଆଉଁସି ଦେଇ ଉଠିଗଲା ବେଏଗ ଯାକିକି ।ବେଲାରେ ସବୁ ତକ ଗୋଟି ଗୋଟି କାଗଜ ଠୁଙ୍ଗା ରୁ ଝାଡିକି ତା'ଗୋପାଳକୁ ସେଇ ପିତଳ ତସଲା ରେ ବସେଇକି ଆଣି ବାପା ଙ୍କ ଖଟ ଗୋଡ ପାଖେ ବସିଲା ।ଣି ଣି ଣି କଣ କହି କହି ସେତକ ଜିନିଷ ହାତ ପାପୁଲିରେ ଘସିଚାଲିଲା ।


ବାପା ତାକୁ କଣେଇକି ଚାହୁଁବାର ଚେଷ୍ଟା କରୁଥାନ୍ତି ,ଠାରରେ ଡାକିଲେ ଆମକୁ ଆଉ ଆଙ୍ଗୁଠି ରେ ଦେଖେଇଲେ ବୋଉ କୁ ।ଆଜି ବି ସିନ୍ଦୁର ମୁହିଁ ବେଶ ହେଇ ଥାଏ ।ମୁଁ କହିଲି ତମେ ବ୍ଯସ୍ତ ହୁଅନି ବାପା ତା'କଥା ଆମେ ବୁଝିବୁ, ତମେ ଶିଘ୍ର ଭଲହେଇଗଲ ଆଗ ।ଆମେ କାନ୍ଦୁଥିଲୁ ଆପେ ....ବାପା ହସ କାନ୍ଦ ମିଶା ମୁହଁ କରି ମୋର ଆଉ ଭାଇ ର ହାତ କୁ ଜାବୁଡି ଧରିଥିଲେ ।ବଡ ନୂଆଉ ତିନି ଦିନରୁ ଭାଗବତ ପଢୁଥିଲା, ପାଖରେ ଗଙ୍ଗା ପାଣି ,ନିର୍ମାଲ୍ଯ ଥୋଇ ।ତା'ଆଖି ବି କାନ୍ଦି କାନ୍ଦି ନାଲା ପଡିଲାଣି ।ପୋଡୁଥବ ନିଶ୍ଚିତ ।


ଚୁଲିରୁ ବିଲେଇ ଉଠିନି ଚାରିଦିନରୁ ,ର ଠ ରେ ଚାଲିଛି । 


ବୋଉ ଉଠିକି ସେ ଘସା ଚୁଡାରୁ ତା ହାତରେ ଯେତିକି କୁଳେଇଲା ମୁଠେଇକି ବାପାଙ୍କ ପାଖକୁ ଗଲା ।ବାପା ଚେଷ୍ଟା କରି ଆଁ କଲେ, ଆଉ ଆମକୁ ଠାରିଲେ ନ ରୋକିବାକୁ ।ସିଏ ବାପା ଙ୍କୁ ଖୋଇ ଦେଇ ତୁଳସୀ ପତ୍ର ଟେ ବି ଖୋଜିକି ଦେଲା।ଲୁଗା କାନିରେ ମୁହଁ ପୋଛି ଦେଲା,ଆଗରୁ ଯେମିତି କରୁଥିଲା ସେମିତି ..... ହାତ ପାପୁଲି ରେ ବିଞ୍ଚି ଲା ଆଉ ଗୁଣୁ ଗୁଣେଇଲା .......


ଅଧରଂ ମଧୁରଂ ନୟନଂ ମଧୁରଂ 

ମଧୁରାଧିପତି ଅଖିଳଂ ମଧୁରମ୍ ।।

.............

ମଧୁରାଧିପତି ଅଖିଳଂ ମଧୁରମ୍ ।।


ଆମେ ସବୁ ପିଲାଦିନକୁ ଫେରିଯାଉଥିଲୁ, ତା'ସାଙ୍ଗରେ ତାଳ ମିଶେଇ ସ୍ବର ଧରିଲୁ ଏକାଠି 


ଗୁଞା ମଧୁରା,ମାଳା ମଧୁରା

ଦୃଷ୍ଟି ମଧୁରା, ସୃଷ୍ଟି ମଧୁରା 

......

ମଧୁରାଧିପତି ଅଖିଳଂ ମଧୁରମ୍ ।।


ପ୍ରଶାନ୍ତ,ଆଲୋକମୟ,ଆଭାମୟ ଲାଗୁଥିଲା ବଖରାଟି ହଠାତ୍ ।ସବୁ କ୍ଲେଶ ର ହନନ ହୋଇଥିଲା ଯେମିତି ।


ଚାରିଦିନରୁ କିଛି ଢୋକୁନଥିବା ବାପା ଯେମିତି ଏଇ ବୋଉ ହାତ ଘସା ଚୁଡାକୁ ଅନେଇଥିଲେ ।ଦିହେଁ ଦିହିଁଙ୍କ ଆଖିରେ ଥିଲେ ।ବାପା ଙ୍କ ଛାତିରେ ବୋଉର ମଥା , ବାପା ଙ୍କ ହାତ ବୋଉ ମଥା ଉପରେ ଆଉ ବୋଉ ର ହାତରେ ମୁଠେଇ ହେଇ ରହିଥିବା ତା 'ଠାକୁର ......ତା'ଗୋପାଳ ।

 

ସଂଜ ବୁଡୁକୁ ଆମ ଦୁଆରୁ ଦିଇଟା ଦୀପାଳି ଏକାଠି ଉଠିଲେ ,ଆମକୁ ଏଇ ଗୋପାଳ ଟିକିଟିର ଶରଣାପନ୍ନ କରି ।


Rate this content
Log in

Similar oriya story from Tragedy