ଚପଲ

ଚପଲ

2 mins
570



       ଗୋଟେ ନିର୍ଦ୍ଦିଷ୍ଟ ବୟସ ଆସିଲେ ମଣିଷ ଏକଦମ୍ ଛୁଆଟିଏ ହୋଇଯାଏ ବୋଧହୁଏ l ଛୁଆମାନଙ୍କ ଭଳି ଜିଦ୍..... ଛୁଆମାନଙ୍କ ଭଳି ସରଳତାପଣ..... ସବୁ କିଛି ଛୁଆଙ୍କ ଭଳି l ବହୁତ ଦିନ ପରେ ମାଇଁ ରାଜି ହେଲେ ମୋ ସହ ଆମ ଘରକୁ ଯିବା ପାଇଁ l ପ୍ଲାଟଫର୍ମରେ ଟ୍ରେନ୍ ଆସି ଲାଗିଲା l ଗୋଟେ ହାତରେ ବ୍ୟାଗ୍, ଆଉ ଗୋଟେ ହାତରେ ମାଇଁଙ୍କ ହାତ ଧର ମୁଁ ଚେଷ୍ଟା କଲି ଟ୍ରେନରେ ଉଠିବାକୁ l ଏଇଟା ଆରମ୍ଭ ଷ୍ଟେସନ୍ l ଟ୍ରେନ୍ ଏଠୁ ଆରମ୍ଭ ହେଉଛି l ତଥାପି ଲୋକ ତରତର l ମଣିଷ ଦେଖାଯାଉନି ସେମାନଙ୍କୁ l ଧସେଇ ପଶି ଆସୁଛନ୍ତି l ଏମିତି ଭିତରେ ମାଇଁଙ୍କର ଚପଲ୍ ପଟେ ଗଳି ପଡିଲା ତଳକୁ l ମାଇଁ ବ୍ୟସ୍ତ ହୋଇଗଲେ l ବହୁତ ଚେଷ୍ଟା କଲି ଚପଲ୍ ବାହାର କରିବା ପାଇଁ l ଆଉ ହଳେ ଚପଲ୍ କିଣିଦେବି କହିଲେ ମଧ୍ୟ ସେ ଅସନ୍ତୁଷ୍ଟ ଜଣା ପଡୁଥାନ୍ତି l ଅଯଥାରେ ଏତେଗୁଡିଏ ପଇସା ନଷ୍ଟ ହେବ l ମଧ୍ୟବିତ୍ତଶ୍ରେଣୀୟ ମାନସିକତା l କେଉଁଠୁ ବାଡି ଖଣ୍ଡେ ମିଳି ଯାଆନ୍ତା କି ? ଷ୍ଟେସନରୁ ବାଡିଟିଏ ପାଇବି କେଉଁଠୁ ? ହଠାତ୍ କୁଆଡୁ ଥିଲା ପିଲାଟିଏ ଦଉଡି ଆସିଲା l ପ୍ଲାଟଫର୍ମ୍ ତଳକୁ ହାତ ବଢେଇ ବହୁତ କଷ୍ଟରେ ବାହାର କରି ଆଣିଲା ଚପଲ୍ ପଟକ l ମାଇଁଙ୍କ ମୁହଁରେ ହସ ଫୁଟିଲା l ବ୍ୟାଗରୁ ପଚାଶ ଟଙ୍କା ବାହାର କରି ମାଇଁ ତା’ ହାତକୁ ବଢେଇବା ବେଳକୁ ମାଇଁଙ୍କ ପାଦ ତଳେ ମୁଣ୍ଡିଆଟେ ମାର ଯେମିତି ଅନାହୂତ ଭଳି ଆସିଥିଲା, ଟଙ୍କାଟା ନ ନେଇ ସେମିତି ଚାଲିଗଲା l


       ଆରେ ହେଇ l ଇଏ ତ ସେହି ପିଲା, ଯାହାକୁ କିଛି ସମୟ ଆଗରୁ ଦେଖି ମୁଁ ନାକ ଟେକିଥିଲି l ଅପରିଷ୍କାର ସାର୍ଟ୍ ପ୍ୟାଣ୍ଟ୍ l ଅଯତ୍ନ ବର୍ଦ୍ଧିତ ନଖ ସବୁ ମଳି ଭର୍ତ୍ତି l ମୁଣ୍ଡରେ କେତେ ଦିନ ହେଲା ତେଲ ଆଉ ଦେହରେ କେତେ ଦିନ ହେବ ସାବୁନ୍ ବାଜିନି କିଏ ଜାଣେ ? ସିଡି ଓହ୍ଲେଇବା ବେଳକୁ ତା’ ସହ ଟିକେ ଧକ୍କା ହୋଇଗଲା ଯେ, ଘୃଣା ମୋ ଦେହ କ’ଣ ହୋଇଗଲା l ମଣିଷ ଏତେ ଅପରିଷ୍କାର କାହିଁକି ହୁଅନ୍ତି କେଜାଣି ? କିନ୍ତୁ ମୋ ଘୃଣାକୁ ଖାତିର ନ କରି ସେ ଆଗକୁ ମାଡି ଚାଲିଥିଲା l


       ଟଙ୍କାଟା ହାତରେ ନ ଧରି ଚାଲି ଯାଉଥିଲା ପିଲାଟି l ଯେମିତି ନିରବରେ କହୁଥିଲା, ଆମେ ସବୁ ଅପରିଷ୍କାର ବୋଲି ହିଁ ତୁମେମାନେ ସବୁ ପରିଷ୍କାର ରହୁଛ l



Rate this content
Log in

Similar oriya story from Inspirational