Satyaprakash Sethy, M. A(UGC NET)

Thriller

5.0  

Satyaprakash Sethy, M. A(UGC NET)

Thriller

ଚନ୍ଦକାରେ ଗୋଟେ ରାତି part 3

ଚନ୍ଦକାରେ ଗୋଟେ ରାତି part 3

5 mins
541


ପୂର୍ବ ଉତ୍ତାରୁ.....

କଟକରୁ ଚନ୍ଦକା ଜଙ୍ଗଲ ଦେଇ ପୁଣି ଥରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା। ଇଚ୍ଛା – ଦୁଇ ଦିନ ତଳେ ଛାଡିଥିବା ରାସ୍ତାକୁ ଆଉ ଥରେ ପୁଣି ଭଲ ଭାବେ ଦେଖିବା। ଗାଡି ଚାଲିଥାଏ ଦ୍ରୁତଗତିରେ । ସୁଲୁସୁଲୁ ବାଆ ପିଟୁଥାଏ ।ଶୀତୁଆ ସକାଳର ସୂର୍ଯ୍ୟ କିରଣ ଗୁଡ଼ାକ ବେଶ୍ ଚିକ୍ ଚିକ୍ ହୋଇ ଦିଶୁଥାଏ। କେଉଁଠି କଦବାଏ ଗଛର ପତ୍ରଟାଏ ହଲୁଥାଏ ତ, ଆଉ କେଉଁଠି ବା କୁଆ କୋଇଲିଟିଏ ଉଡି ଯାଉଥାଏ। ବେଶ୍ ମନୋରମ ପରିବେଶ। ଗାଡି ମୋଟରର ପେଁ ପାଁ ବା ରାସ୍ତାଘାଟ ସେତେ ଗହଳିପୂର୍ଣ୍ଣ ନଥାଏ। ମନର ସେଦିନର ଉଦ୍ୱେଳନ ବା ମରିଯିବାର ଭୟ ମଧ୍ୟ କାହିଁ ମନକୁ ସେତେ କିଛି ବେଶୀ ଆଚ୍ଛାଦିତ କରି ପାରୁନଥାଏ। କିନ୍ତୁ ଯୁବକଟିର ଅନୁନୟ ଓ ବିନୟର ମହାମନ୍ତ୍ର ମନରୁ ତ ବିସ୍ମୃତ ହେଉନଥାଏ। ଠିକ୍ ଏତିକି ବେଳକୁ ଗୋଟେ ବଡ଼ ଅଜଣା ପକ୍ଷୀଟିଏ ଡେଣା ଦୁଇଟିର ପରକୁ ଉପରକୁ ଟେକି ଦେଇ ଓ ଲାଞ୍ଜଟାକୁ ଖୁବ୍ ଜୋହରରେ ହଲାଇ ଦେଇ ଫରରକିନା ଉଡ଼ି ଆକାଶକୁ ଉଠିଗଲା। ଦୃଷ୍ଟି ଆକର୍ଷଣ ହେବାରୁ ଚାହିଁଦେଲେ। ଆଜି ବନ୍ଧୁଙ୍କର ମଦ ନିଶାଟା ନଥିବାରୁ ମଧ୍ୟ ସେ ପାଖ ସିଟରେ ବସିଥିଲେ। କହିଲେ – “ଏହି ସେହି ପରିଚିତ ଜାଗା ବୋଧେ, ଯେଉଁଠି ଆମେ ସେଦିନ ଅଧାମରା ହୋଇଯାଇଥିଲେ” । ରାମହରି ବାବୁ ଗାଡିର ବ୍ରେକ୍ କଷିଲେ। କହିଲେ – “ହଁ ତ.. ଏ ହେଉଛି ସେହି ବରଗଛ ଓ ତାହାର ବର ଓହଳ” । ବିସ୍ମୟରେ ଚାହିଁଲେ।ଟିକିନିଖି ସବୁ ଅନୁଧ୍ୟାନ କଲେ। ଗଛଟି ତ ବହୁତ ଦିନର ପୁରୁଣା ମନେ ହେଉଛି। ମୋଟା ମୋଟା ଶିଙ୍କଡ, ବିରାଟକାୟ ଗଛ। କୋରଡଟିଏ ଓ ଆଉ କେତେକ ଚଢେଇର ବସା ମଧ୍ୟ ତାହାରି ଦେହରେ ଗୁନ୍ଥି ହୋଇଛି। ଗଛ ମୂଳରେ ବଡ଼ ହୁଙ୍କାଟିଏ ମଧ୍ୟ, କେତେ କେତେ ସାପଙ୍କର ବସା । ସେଇଠି ମଧ୍ୟ ଥାଏ ମେଣ୍ଢାମାରି କଣ୍ଟା ବୁଦାଟିଏ। ତା’ରି ପାଖକୁ ତ ପଥରରେ ହିଡ ହେଲା ପରି ଥୋଡେ ପଥର ଏକାଠି ହୋଇଛି। ଏହି ତେବେ କ’ଣ ଯୁବକଟିର ସମାଧୀ ପୀଠ ସ୍ଥାଳୀ? ସବିଶେଷ ପର୍ଯ୍ୟବେକ୍ଷଣ କଲେ। ଏଣେତେଣେ ଟିକିଏ ଘୁରି ଆସି ଗାଡିରେ ବସିଲେ। ବନ୍ଧୁ ତୁଚ୍ଛାଟାରେ ଛାନିଆ ହେଉଥାନ୍ତି, “ଚାଲ ଚାଲ” କହି ଅଯଥା ବ୍ୟସ୍ତ କରୁଥାନ୍ତି। ଡରଟା ତାଙ୍କ ମୁଣ୍ଡ ଭିତରୁ ଏଯାଏଁ ଓହ୍ଲାଇ ନଥାଏ କି କ’ଣ। ଏଣିକି ଗାଡିରେ ଗିୟର ପଡିଲା, ସିଧା ଯାଇ ପହଞ୍ଚିଲେ ପୋଲିସ୍ ମହା ନିର୍ଦ୍ଦେଶକଙ୍କ ପାଖରେ। ଯାହାଙ୍କୁ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ପୂର୍ବ ସ୍ଥିରୀକୃତ ଥିଲା।ସେ ହେଉଛନ୍ତି ତାଙ୍କର ଜଣେ ପୁରୁଣା ସହକର୍ମୀ ମାନେ ବନ୍ଧୁ ଦିବେସଙ୍କ ନିକଟ ସମ୍ପର୍କୀୟ ବଡ଼ ଭାଇ। ସେତେବେଳକୁ ସେ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ମେଜର ସାହେବ ଭେଟିବା କଥା ଅବଗତ କରାଇ ସାରିଥାନ୍ତି। ଏଥର ମନ ମଧ୍ୟରେ କିଛିଟା ଆଶା ଓ ଭରସାର ସମ୍ଭାବନା ତୋଳୁଥିଲା ଏବଂ ଦୁର୍ଭାବନା ଧୀରେ ଘଟୁଥିଲା।

ପୋଲିସ୍ ମହା ନିର୍ଦ୍ଦେଶକ ଦରୱାନଠାରୁ ଚିରିକୁଟି ପାଇବା ମାତ୍ରେ ବଡ଼ ଆଦରପୂର୍ବକ ଭିତରକୁ ନିମନ୍ତ୍ରଣ ଦେଲେ। “ଚା କି କଫି”- ପଚାରିଲେ। ପିଆଇ ସାରି ଘଟଣାଟା ପଚାରି ବୁଝିଲେ। ସବୁ ଶୁଣି ସାରି ଟିକିଏ ଗମ୍ଭୀର ହୋଇଗଲେ। କହିଲେ-” ହୁଁ.. Very interesting and mysterious also. ଆଚ୍ଛା ହଉ! ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ତାକୁ ନ୍ୟାୟ ନିଶ୍ଚିତ ଦେବା। ତଦନ୍ତ ଚାଲୁ। ଆମେ ନିଜ ଆଡୁ ମଧ୍ୟ ମାମଲା ରୁଜୁ କରି ପାରିଥାନ୍ତୁ, ହେଲେ ଆପଣ ଖଣ୍ଡେ ଲେଖିକି ଦେଇ ଦିଅନ୍ତୁ”। ଏହା କହି ବିଭିନ୍ନ୍ ଆଡକୁ ଡାଏଲ ଘୂରାଇଲେ। କହିଲେ- ” whatever may be, I want information by second half of the today. ତେଣିକି ତୁମେ ତା’ ଗାଁକୁ ଯାଅ ବା ଚନ୍ଦକା ଜଙ୍ଗଲ। ହେଲେ ଭୁବନେଶ୍ୱରରେ ଏ ଟୋକାଟା କ’ଣ କରେ, କେଉଁଠି ରୁହେ ଆଗ ସେସବୁ ପତା କର। ଯେତେ ଅପରାଧିକ ଷଡଯନ୍ତ୍ର ମୂଳକ ମାମାଲା ବା ଫାଇଲ୍ ଅଛି ସବୁ ଘାଣ୍ଟ। ଦୋଷୀ ଯେତେ ଚାଲାକ ହେଉନା କାହିଁକି କେଉଁଠି ନା କେଉଁଠି ତ ଟିକେ ନିଶ୍ଚୟ ସୁରାକ୍ ଛାଡ଼ି ଯାଇଥିବ। କାଲି ସୁଧା action ମୁଁ ନେବାକୁ ଚାହୁଁଛି। ଗୋ ଏଣ୍ଡ୍ ପ୍ରୋସିଡ ଫାଷ୍ଟ, ଦ୍ୟାଟସ୍ ଦ ଫାଇନାଲ ଟୁ ଆଭଏଡ ଏନି ଡ୍ରାଷ୍ଟିକ୍ ଆକ୍ସନ ” ।

ଏହାପରେ ସ୍ମିତ ହସି ଏମାନଙ୍କ ଆଡକୁ ଚାହିଁ – “ଏବେ ଆପଣମାନେ ଆସିପାରନ୍ତି, but be sure, action ହେବ । ଖାଲି ପୋଲିସ୍ ଷ୍ଟେସନରେ ଲେଖା ଖଣ୍ଡେ ଦେଇଦେବେ, ତେଣିକି ଯାହା ଲେଖନ୍ତୁ ପଛେ ଚଳିବ। କାରଣ କିଛି ଗୋଟେ ଆଧାର ହେବା ଦରକାର ତ” ।ଏତେବେଳକୁ ମନଟା ଟିକେ ଖୁସି ହୋଇ ଯାଉଥିଲା। ଦୁଇ ବନ୍ଧୁ ହସାହସି ହୋଇ ଶିଢି ତଳକୁ ଓହ୍ଲାଉ ଓହ୍ଲାଉ ବନ୍ଧୁ କହିଲେ-” ବାପରେ ବାପ! ଏ ପୋଲିସ୍ ଅଫିସର ଏତେ କଡା, ତୁମକୁ ବି ଦୋସ୍ତ ମାନିବାକୁ ହେବ – ତୁମେ ଭାରି ଯୋଗାଡିଆ “।

କଥା ହୋଇହୋଇ ଦୁଇ ବନ୍ଧୁ ଗାଡି ଭିତରକୁ ଆସିଗଲେ। ଏବେ ଲକ୍ଷ୍ୟ ପୋଲିସ୍ ଷ୍ଟେସନ୍ ଓ ଏଫ୍ ଆଇ. ଆର୍.।ଥାନାରେ ପହଁଞ୍ଚିବା ପରେ ଥାନା ଅଧିକାରୀ ବଡ଼ ଆଗ୍ରହ ଦେଖାଇଲେ। କାଗଜ କଲମ ମଧ୍ୟ ସବୁ ଦେଲେ- ଲେଖିବା ପାଇଁ। ଏଫ୍. ଆଇ. ଆର୍. ଲେଖାଗଲା।

ମାନନୀୟ!

ଶ୍ରୀଯୁକ୍ତ ____ଥାନା ଅଧିକାରୀ, ____ଥାନା, ଭୁବନେଶ୍ୱର ।

( ମହୋଦୟ… ସମୀପେଷୁ)

ବିଷୟ :ଅଭିଯୋଗ ଫର୍ଦ୍ଦ ଦାଖଲ ଓ ମାମଲା ରୁଜୁ ପାଇଁ ଅନୁରୋଧ

ମହାଶୟ!

ନିବେଦନର କାରଣ ଏହିକି, ମୁଁ ଶ୍ରୀ ରାମହରି ଲାଲ ଗୋସ୍ଵାମୀ, ପିତା :ଅବନୀ ବରାଳ, ସା/ପୋ :କୋଠାସାହି, କଟକ,ଓଡିଶା ବୟସ 47, ସଭାପତି – ସେବାମୁକ୍ତି ବୃଦ୍ଧାଶ୍ରମ, କଟକ। ମୁଁ ଜଣେ ଅବସରପ୍ରାପ୍ତ ଭାରତ ସୈନ୍ୟ ବାହିନୀର ଯୋଦ୍ଧା ସୈନିକ। ଉଚ୍ଚପଦସ୍ଥ ଅଧିକାରୀ କହିବାକୁ ମୋର ଇଚ୍ଛା ନାହିଁ। ଜୀବନରେ ଅନେକ ଘଟଣା ଦେଖିଛି ଓ ଖୁବ୍ ଅଭିଜ୍ଞତା ମଧ୍ୟ ଅର୍ଜ୍ଜନ କରିଛି। ଭାରତୀୟ ସମ୍ବିଧାନ ଓ ତହିଁରେ ପ୍ରଣୀତ ବିଧି ବ୍ୟବସ୍ଥା ପ୍ରତି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ଆଧୁନିକ ଶିକ୍ଷା ଓ ସଭ୍ୟତାକୁ ମଧ୍ୟ ଆଦରପୂର୍ବକ ସ୍ଵାଗତ କରେ। ହେଲେ ପ୍ରାଚୀନ ପରମ୍ପରା ଓ ସାମାଜିକ ଶୃଙ୍ଖଳକୁ ମୁଁ ଭୁଲି ପାରିନାହିଁ। ଭୂତପ୍ରେତ ସମ୍ପର୍କରେ ମଧ୍ୟ ମୋର କୌଣସି ଜ୍ଞାନଧାରଣା ନାହିଁ । ହେଲେ ବିଜ୍ଞାନ ଉପରେ metaphysics ବୋଲି ଗୋଟେ ଜିନିଷ ଅଛି, ଯାହାକି ବିଜ୍ଞାନର ଉର୍ଦ୍ଧ୍ବରେ ବା ତା’ ଉପରେ, ତାହାକୁ ତ ଆମେ ଅସ୍ୱୀକାର କରିପାରିବା ନାହିଁ। କାରଣ ବୈଜ୍ଞାନିକମାନେ ଏହାକୁ ପ୍ରମାଣସିଦ୍ଧ କରି ସାରି “ମେଟାଫିଜିକ୍ସ” ରୂପେ ଅଭିହିତ କରିଛନ୍ତି। ସେ ଯାହା ବି ହେଉ ଗୋଟେ ଘଟଣାକ୍ରମରେ ମୁଁ ଏପରି ଏକ ରହସ୍ୟମୟ ଅପମୃତ୍ୟୁ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିଛି। ଏହା ପ୍ରେତାତ୍ମାର ନିଜସ୍ୱ ମୁଖର ବୟାନ ହେଉ ବା ମୋର ଭ୍ରମ ଅବବୋଧ ନିୟମରେ ସତ୍ୟର ଉଜାଗର ହେଉ, କିନ୍ତୁ ଘଟଣାଟି ନିଶ୍ଚିତପକ୍ଷେ ସତ୍ୟ। କାରଣ ମୁଁ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇଛି। ଆପଣ ଘଟଣାଟିକୁ ତଦନ୍ତ ପରିସରଭୁକ୍ତ କରି ଫୁଙ୍ଖାନୁପୁଙ୍ଖ ତଦନ୍ତ କରି ସତ୍ୟାସତ୍ୟ ନିରୂପଣ କରି ପାରିଲେ, ନ୍ୟାୟ ଓ ଆଇନ୍ ବ୍ୟବସ୍ଥା ଉପରେ ତୁଟି ଯାଉଥିବା ସାଧାରଣ ଜନତାର ବିଶ୍ୱାସ ଓ ଆସ୍ଥା ପୁନଃ ପ୍ରକଟ ହୋଇପାରିବ ବୋଲି ଆଶା । ଘଟଣାଟି ମୂଳତଃ କାହାଣୀ ଭଳି ପ୍ରତୀୟମାନ ହେଉଥିଲେ ହେଁ – ଏହା ହେଉଛି ଏକ ସତ୍ୟାନୁସନ୍ଧିତ୍ସୁର ସତ୍ୟାବଲୋକନ ଓ ସତ୍ୟ। ମୋର ପୂର୍ଣ୍ଣ ବିଶ୍ୱାସ ଘଟଣାଟିର ତଦନ୍ତ ହେଲେ ସତ୍ୟ ନିଶ୍ଚୟ ପଦାକୁ ଆସିବ ଓ ଘଟଣାଟିର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ ହେବ। ଏଥିସହିତ ଅଧିକ ତଦନ୍ତ ହେଲେ ଭୁବନେଶ୍ୱର ଉପକଣ୍ଠରେ ପ୍ରତ୍ୟହ ଘଟୁଥିବା ବହୁ ଅପରାଧିକ ମାମାଲାର ମଧ୍ୟ ସୁରାକ୍ କିଛି ମିଳି ପାରିବ ବୋଲି ମୋର ଦୃଢ ହୃଦ୍ ବିଶ୍ୱାସ ହେଉଛି । ମୁଖ୍ୟ ଘଟଣାଟି ନିମ୍ନ ପ୍ରକାରରେ ବର୍ଣ୍ଣିତ।

ସୁଦାମ ବେହେରା, ପିତା :ନିଧି ଘର :ବଡ଼ଖୁମ୍ବା ପାଟଣାଗଡ଼, ଜିଲ୍ଲା ଢେଙ୍କା, ରାଜ୍ୟ :ଓଡିଶା ଆଜକୁ ଦୀର୍ଘ ଦୁଇ ବର୍ଷ ହେବ କୁଆଡ଼େ ରହସ୍ୟଜନକ ଭାବେ ନିରୁର୍ଦ୍ଦିଷ୍ଟ ହୋଇଯାଇଛନ୍ତି। ତାଙ୍କୁ ସମସ୍ତେ ଭଲ ପାଆନ୍ତି, ତେଣୁ ତାଙ୍କର କେହି ନିର୍ଦ୍ଦିଷ୍ଟ ଭାବେ ଶତୃ ନାହାଁନ୍ତି। କେବଳ ତା’ର ବଡ଼ ଭାଇ ସୁକୁଟା ସହିତ ତା’ର ପାରିବାରିକ କଳହ ଓ ଜମିଜମାକୁ ନେଇ ଯାହା ଅନେକ ବାର ପାଟିତୁଣ୍ଡ ଓ ଗଣ୍ଡଗୋଳର ରୂପ ମାଡ଼ଗୋଳ ଯାଏଁ ଯାଇଛି। ତେଣୁ ଗାଁ ଲୋକ, ବନ୍ଧୁ ବାନ୍ଧବ ତଥା ଆତ୍ମୀୟସ୍ଵଜନଙ୍କ ବିଶ୍ୱାସ – ଏପରି ଘଟଣା ମୂଳରେ ହୁଏତ ତା’ବଡ଼ ଭାଇର ହାତ ଥାଇପାରେ। ଏପରିକି ତାକୁ ଅପହରଣ କରି ନିଆ ଯାଇ ମାରି ଦେଇଥିବାର ସନ୍ଦେହ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଏହାକୁ ଏକ ଅପମୃତ୍ୟୁ ବା ଅପହରଣ ମାମଲା ଭାବେ ଗ୍ରହଣ କରି ଘଟଣାର ତଦନ୍ତ ଓ ବିହିତ ପଦକ୍ଷେପ ନିମନ୍ତେ ସବିନୟ ଅନୁରୋଧ କରୁଅଛୁ। ପୁନଶ୍ଚ ବୃଦ୍ଧ ବାପା ନିରାଶ୍ରୟ ହୋଇ, ବଡ଼ ପୁଅ ଓ ବୋହୂଠାରୁ ନିର୍ଯ୍ୟାତନାର ଦଶା ଭୋଗୁଛନ୍ତି। ତାଙ୍କୁ ସେଠୁ ଉଦ୍ଧାର କରାଯାଇ ଆମ ସଂସ୍ଥାରେ ଛଡାଯାଉ। ଏହା ଆମେ ସାମାଜିକ କର୍ମୀ ଓ ସେବା ସଂସ୍ଥାନର କର୍ମକର୍ତ୍ତା ଭାବେ ଆପଣଙ୍କ ଜରିଆରେ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରୁଛୁ । ଆମେ ତାଙ୍କର ଭଲମନ୍ଦ ବୁଝିବା ସହିତ ତାଙ୍କର ସେବା ଶୁଶ୍ରୁଷା ଓ ହେପାଜତ ପାଇଁ ଦାୟୀ ରହିବୁ।

ଏଣୁ ସବିନୟ ଅନୁରୋଧ, ଆପଣ ଦୟାପରୋବେଶ ହୋଇ ଏହାକୁ ଏକ ଏଫ୍.ଆଇ. ଆର୍. ରୂପେ ଗ୍ରହଣ କରି ବିଚାର କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବୁ।

(ଇତି)

ଆପଣଙ୍କର ବିଶ୍ୱସ୍ତ

ରାମହରି ଲାଲ ଗୋସ୍ଵାମୀ

ସଭାପତି

ମୁକ୍ତି ସେବା ବୃଦ୍ଧାଶ୍ରମ

ସ୍ଥାନ :ଭୁବନେଶ୍ୱର 

ତା 22/08 /1992 ରିଖ।

କ୍ରମଶଃ..... Read part 4



Rate this content
Log in

Similar oriya story from Thriller