STORYMIRROR

Akshayakumar Dash

Tragedy

4  

Akshayakumar Dash

Tragedy

ଛାଇ

ଛାଇ

2 mins
497

ଝାଟି ମାରି ଘର। ଡିବି ଆଲୁଅରେ ଜୁଳୁ ଜୁଳୁ ଦିଶୁଚି ମୁହଁ । ଛୁଆ ଦିଟା ନଇଁ ପଡି ପଢୁଛନ୍ତି। ଭାରିଜା ଚୁଲି ଆଲୁଅରେ ଭାତ ଗାଳୁଚି । କାନ୍ଥ କଡ଼କୁ ଆଉଯିବସି ଛାଇଟି ପରି ଦିଶୁଚି ରଘୁଆ ।ଏମିତି ବସିଲେ ତାର ଭବିଷ୍ୟତ ଚିନ୍ତା କରେ। ଘର ଯେମିତି ତାକୁ ବୁଝୋଉଛି ଥୟ ଧର ସମୟକୁ ଅପେକ୍ଷା କର।ତୋ ଛୁଆ ପୁଅ ଦିଟା ପାରିଗଲେ ଦୁଃଖ ଘୁଞ୍ଚି ଯିବ । ଏମିତି ବସିଲେ ଘର ଭିତରେ ସୁନ ସାନ।ପିଲା ଦୁଇଟି ବୁଝନ୍ତି ବାପା ଭାବୁଛନ୍ତି, ଭାରିଜା ଜାଣେ ତାର ସ୍ୱାମୀ ଆଜି ଅଧିକା ଖଟି ଖଟି ଥକି ପଡିଛନ୍ତି ।ଜଲଦି ଜଲଦି ରୋଷେଇ ସାରି ଖାଇବାକୁ ଡାକିଲା ରୁକ୍ମଣୀ ।ରଘୁଆ ହାତ ଧୋଇ ଥାଳିପାଖରେ ବସିଲା ।ଉସୁନା ଭାତ, ସାଙ୍ଗରେ କୋଳଥ ଡାଲି। ମହକି ଉଠୁଛି ମହାପ୍ରସାଦ । ବାଡ଼ି ବାଇଗଣ ପୋଡା, ବଡିରେ କଞ୍ଚା ଲଙ୍କା ରସୁଣ ଦଳା ଚଟଣି ।ପୁଅ ଦୁଇଟି କୁଁ ଡାକିଲା। ଛୁଆମାନେ ହାତଧୋଇ ବସିଗଲେ ଥାଳି ଦୁଇପଟରେ । ନିରବ ଭିତରେ ଶାନ୍ତ ହେଲା ରଘୁଆର କଠୋରାଗ୍ନି । ସେଇଥାଳିରେ ଭାତବାଢି ବସିଗଲା ରୁକ୍ମଣୀ ।ତେନ୍ତୁଳିଲଙ୍କା ରସୁଣ ଦଳି ଖାଇବସିଲା ।ଛୁଆଦିଟା ଚାଟିଗଲେ ହାତ । ମା'ର ହାତ ଦଳା ଖାଇବାକୁ ଲୋଭ ।ଆଖିରୁ ପାଣି ବାଆଁ ହାତରେ ପୋଛି ଡାହାଣ ହାତରେ ଟେକିଗଲେ ଭାତ ଡାଲି ଗୁଳା ।ମା ରୁକ୍ମଣୀର ପେଟ ପୁରିଗଲା କି ଆଉନାହିଁ ହାଣ୍ଡିରେ ଭାତ ।ସାନପୁଅ ଟିକେ ଚାଳକ। ଥାଳିରେ ଅଳ୍ପ ଭାତ ଦେଖି ଉଠି ଦେଖି ଆସିଲା ଭାତହାଣ୍ଡି । ଜଲଦି ବଡ଼ ଭାଇକୁ କହିଲା ଭାଇ ମା ପାଇଁ ଭାତ ନାହିଁ ।ବଡ଼ପୁଅ ଉଠିଆସିଲ ।ହାତଧୋଇ ମାକୁ ଚୁଡା ଡବା ଦେଇକହିଲା ଏଥିରୁ ଭିଜେଇ ଦିମୁଠା ଖାଇଦେ । ମା ରୁକ୍ମଣୀ ମାନକଲା ଖାଇବାକୁ ।

ରଘୁଆ ଯାଇ ସୋଇପଡ଼ିଲାଣି । ଶେଜ ଧରୁ ଧରୁ ତାର ନିଦ ଆସିଯାଏ। କେଉଁଠି ଥାଏ ସେ ନିଦଟା? ଗୋଟିଏ ବଖରା ଘର । ଭିତରେ ସପପାରି ରଘୁଆ କାନ୍ଥ କଡ଼ରେ ଉତ୍ତର ଆଡକୁ ସୋଇପଡ଼େ ।ଛୁଆ ଦିଟା ମଝିରେ ଶୁଅନ୍ତି । ଦକ୍ଷିଣ ଦିଗରେ କାନ୍ଥ କଡ଼ରେ ମା । ପିଲାମାନେ ସେଜଧରିଲେ ବି ଜଲଦି ଶୁଅନ୍ତି ।କିନ୍ତୁ ରୁକ୍ମଣୀ କେତେବେଳେ ଶୁଏ ଓ ଉଠେ କିଏ ଘର ଲୋକ ଦେଖିନାହାନ୍ତି । ରୁକ୍ମଣୀ ପାଇଟି ସାରି ଶୋଉଶୋଉ ଡେରି ହୁଏ।

ସାନ ଛୁଆ ଉପରେ ନିଜ ଶାଢ଼ୀ ର କାନି ଘୋଡେଇଦେଇ କୋଡ଼ ପାଖୁ ଟାଣି ନିଏ ।ବଡ଼ଟା ଉପରେ ଚିରା ପାଲଟା ଲୁଙ୍ଗିକୁ ଘୋଡେଇ ଦିଏ ରଘୁଆର। ଉଠି ବସେ ଶେଯ ଉପରେ ।ମନେପଡେ ଯୋଗଲେଇ ଠାକୁରାଣୀଙ୍କୁ । ବସି ଦଣ୍ଡବତ ହୁଏ । ପୁଣି ଶୁଏ। କବାଟ ଦେଇଛି କି ନାହିଁ ଦେଖିଆସେ ପୁଣି ଶୁଏ ଏମିତି ବେଳେ ରଘୁଆ ଘୁଙ୍ଗୁଡ଼ି ମାରୁଥାଏ ।ଅଧିକ ଥକି ପଡ଼ିଥିଲେ ଘୁଙ୍ଗୁଡ଼ି ମାରେ । ରୁକ୍ମଣୀ ନିଜ ସ୍ୱାମୀର କଥା ଶୋଇଲା ବେଳେ ଭାବେ ।ଲୋକଟା ହାଡ଼ଫଟା ଖଟୁଛି । ହେଲେ ଯେଉଁ ଅଭାବକୁ ସେଇ ଅଭାବ ।ଛୁଆ ଦିଟା ତାର ବାପ ପରି ।ସରଳ ,କାହାକୁ ହୁଡ଼ିକରି ଜବାବ ଦେଇ ନାହାନ୍ତି। କା ଘରକୁ ଯାଆନ୍ତି ନାହିଁ କି କା ପିଣ୍ଢାରେ ବସନ୍ତି ନାହିଁ । ସ୍କୁଲରୁ ଘର ତ ତାଙ୍କର ଭଲ ।ସରପଞ୍ଚ କହୁଛି ହେଲେ କରୁଛି କୋଉଠୁ? ଲାଞ୍ଚ ନେଲେ ଯାଇଁ ଘର ପଇସା ମିଳିବ । ମଲେ ଝାଟିମଟି । ପିଲା ବଡ଼ ହେବେ ।ବାହାସା ହେବେ। ରହିବେ କୋଉଠି ?ଏ ଲୋକ ତ ଖଟି ଖଟି ଭାତ ଗଣ୍ଡେ ଯୋଗାଡ଼ କରିବା କଷ୍ଟ ହେଉଛି । କିମିତି କଣ ସଂସାର ଚଳିବ ମା ତୋ ଭରସା ।ରୁକ୍ମଣୀ ଖଟି ଖଟି ହାଲିଆ ହୋଇ ଢୋଳେଇ ପଡିଲା ।ଘରଟି ଯାକ ଅନ୍ଧାର । ଡିବିରୁ ତେଲ ଟିକକ ସାରିଯିବାରୁ ଲିଭିଗଲାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy