Sachidananda Kar

Inspirational

3  

Sachidananda Kar

Inspirational

ଚାରୁହାସିନୀ

ଚାରୁହାସିନୀ

2 mins
580


 

ଘରେ

ଥିବ..ପଦାକୁ ଗୋଡ଼ କାଢିବନି ! ଚାରୁହାସିନୀର ଲୁଗାକାନିକୁ ଖଟ ଗୋଡରେ ବାନ୍ଧୁ ବାନ୍ଧୁ

କହେ ଆକାଶ । ତା'ପରେ ଅଫିସ୍ ବାହାରିଯାଏ । ଶୁଣ ; ବାହାର ପରିବେଶ ଆଦୌ ଭଲ ନୁହେଁ l ସୁନ୍ଦରୀ ସ୍ତ୍ରୀ ଉପରେ ସମସ୍ତଙ୍କର ନଜର । ବଳାତ୍କାର ଏବେ ନିତିଦିନିଆ ଘଟଣା । ଘର ହିଁ ନିରାପଦ ଠିକଣା, ଯିବା ଆଗରୁ ପୁଣି ଏମିତି କଥା ସବୁ ବୁଝାଇ କହିବାକୁ ଆଦୌ ଭୁଲି ନ ଥାଏ ସେ ।

ଚାରୁହାସିନୀ ତର୍ଜମା କରେ ତା'ର ଏହି ସବୁ କଥାକୁ ।  ସବୁ ତାକୁ କେମିତି ମିଛ ମିଛ ଲାଗେ । ଚାରୁହାସିନୀକୁ ଅଧିନରେ ରଖିବାକୁ ଚାହେଁ ଆକାଶ l ସନ୍ଦେହ କରେ, ଦୂର୍ବଳା ଭାବେ, ପୁରୁଷପଣିଆ ଦେଖାଏ ତେବେ ଏହି ସବୁ କଥା ତାକୁ ଖୁବ୍ ସତ ସତ ଲାଗେ ।

ପରାଧୀନ ମଣିଷଟା ହିଁ ଦୁନିଆରେ ସବୁଠାରୁ ବେଶୀ ସ୍ବାଧୀନତାର ମୂଲ୍ୟ ବୁଝିଥାଏ ।  ସନ୍ଦେହ ଘେରରେ ଥିବା ମଣିଷଟା ପ୍ରାୟ ବେଶୀ ବୁଝେ ବିଶ୍ୱାସ କ'ଣ । ଦୂର୍ବଳା ମଣିଷଟା ବୋଧହୁଏ ସବୁଠାରୁ ବେଶୀ ସାହସ ରଖିଥାଏ ନିଜ ଭିତରେ । ପୁରୁଷପଣିଆକୁ ଭୋଗୁଥିବା ମଣିଷଟା ସମୟ ସୁଯୋଗ ଆସିଲେ ତା' ବିରୋଧରେ ଯାଇଥାଏ । ଆକାଶକୁ ଏହି ସବୁ କଥା ବୁଝାଇ କହିଦେବାକୁ ଭାରି ଚାହେଁ ଚାରୁହାସିନୀ,କିନ୍ତୁ ପାରେ ନାହିଁ । ସବୁକିଛି ମଥା ପାତି ସହିନିଏ । ଏମିତିରେ ବି ମଣିଷଟେ ଶାନ୍ତିରେ ରହିପାରେ ବୋଲି ବୁଝେ ସେ ।


ଦିନକର ଦ୍ବିପହର,


ଗୋଟିଏ ନାରୀର ଗଁ ଗଁ ଆଓ୍ବାଜ୍ ଶୁଭିଲା । ସତେ ଯେମିତି କେହି ତା'ର ହାତ,ମୁହଁ ବାନ୍ଧି ଗୋଟେ କାଠଫାଳିଆରେ ତାକୁ ଜୋରରେ ବାଡେଇବାରେ ଲାଗିଛି ।

ବ୍ଯସ୍ତ,ବିବ୍ରତ ହେଲା ଚାରୁହାସିନୀ । ହେଲେ ଏହିଭଳି ପରିସ୍ଥିତିରେ ନିଜର କର୍ତ୍ତବ୍ୟ କ'ଣ ହେବ ତାହା ଜାଣି ପାରିଲାନି ।


କିଛି ସମୟ ପରେ,


ହଠାତ୍ ଜୀଅନ୍ତା ଜଳା ଯାଉଥିବା କୌଣସି ସ୍ତ୍ରୀ ଲୋକର ପୋଡା ଗନ୍ଧ ଭାସି ଆସିଲା ତା' ନାକ ପର୍ଯ୍ୟନ୍ତ ।

ଇଏ କ'ଣ ! ଦିନ ଦ୍ବିପହରରେ ଏ ସହରରେ ଗୋଟିଏ ନାରୀକୁ ଏମିତି ଜୀଅନ୍ତା ପୋଡିଦେଉଛି କିଏ ! କେଉଁଠି !

ନିଜକୁ ଆଉ ରୋକିପାରିଲା ନାହିଁ ଚାରୁହାସିନୀ । ଦୌଡିଲା ସେଆଡକୁ । ଅଧା ଅଧା ପୋଡି ଯାଇଥିବା ସ୍ତ୍ରୀ ଲୋକଟିକୁ ସେହି ନୃଶଂସ, ଅସୁର ଓ ଜହ୍ଲାଦମାନଙ୍କ କବଳରୁ ବଞ୍ଚେଇଲା । କାମୁଡ଼ି କାମୁଡ଼ି ସେମାନଙ୍କର ଦେହର ଛାଲି ଉତାରିଦେଲା । ତା'ପରେ ଯାଇ ଘରକୁ ଫେରିଲା ।

ଖଟ ଗୋଡରେ ବନ୍ଧା ହୋଇଥିବା ତା'ର ଲୁଗାଟି ସେଇଠି ପଡି ରହିଥିଲା । ଅଫିସରୁ ଫେରି ଘରେ ପହଞ୍ଚି ଆକାଶ ସେହି ଲୁଗାଟିକୁ ହିଁ ଦେଖୁଥିଲା । ଆଶ୍ଚର୍ଯ୍ୟ ହୋଇ ଖୋଜୁଥିଲା ଚାରୁହାସିନୀକୁ ଘର ଭିତରେ । ହଠାତ୍ ଦେଖିପାରିଲା ଅଦଭୁତ ଲଙ୍ଗଳା ହୋଇ ଘରେ ଠିଆ ହୋଇଛି ଚାରୁହାସିନୀ ।

ଆଶ୍ଚର୍ଯ୍ୟ ଶଙ୍କିତ ହୋଇଗଲା ଆକାଶ ।

ଚାରୁହାସିନୀ କହିଲା - ' କେତେ ଦୁଃସାହସ ଆଉ କିଭଳି କ୍ଷମତା ରଖି ମୁଁ ମୋ ଭିତରେ ବଞ୍ଚେ ତୁମେ ତାହା ଧାରଣା କରି ପାରିବନି । ଶାଢ଼ୀ ବନ୍ଧା ହୋଇଥାଉ ତୁମ ଖଟ ଗୋଡରେ ସେମିତି । ଗୋଟେ ସ୍ତ୍ରୀ ଲୋକର ହାତମୁହଁର ଗଣ୍ଠି ଫିଟେଇ ପାରିଛି ମୁଁ । ଅଧା ପୋଡ଼ି ଯାଇଥିବା ଗୋଟେ ସ୍ତ୍ରୀ ଲୋକକୁ ଉଦ୍ଧାର କରି ଫେରିଛି ।  '

ଚାରୁହାସିନୀ ନୁହେଁ, ସତେ ଯେମିତି ମା' ଦୁର୍ଗା ତା' ସାମ୍ନାରେ ଠିଆ ହୋଇଛନ୍ତି - ସେମିତି ମନେକଲା ଆକାଶ । ନିଃଶଦ୍ଦରେ ତା' ପାଟିରୁ ସେହି କ୍ଷଣି ବାହାରିଗଲା - ମା' ଦୁର୍ଗାଙ୍କର ଜୟ ହେଉ ।


ଏହି ଘଟଣାଟି ପରେ ଆକାଶ ତାକୁ ଆକଟଭରା କଥା କହୁଥିବା ଆଉ କେବେ ଦେଖି ନ ଥିଲା ସେ ।

ସେ ଚାରୁହାସିନୀ !




Rate this content
Log in

Similar oriya story from Inspirational