ଚା
ଚା
ବାପା ଏବେ ଡାକ୍ତରଖାନା ବିଛଣାରେ ଦୁର୍ବଳହେଇ ପଡିଛନ୍ତି । ବାପାଙ୍କର ସେ ରୋବଦାର ବ୍ୟକ୍ତିତ୍ବ ବା ପ୍ରଭାବ ଆଉ ଆଗପରି ନାହିଁ।ଏବେ ପାଲଟି ଯାଇଛନ୍ତି ଏକ ଛୋଟ ଛୁଆପରି ନିର୍ବଳ ନିରାଶ୍ରୟ ଅବୋଧ ସରଳ ଆଜ୍ଞାଧିନ ଛାତ୍ରଟିଏ । ଏବେ ବୋହୁମାନଙ୍କ କୌଣସି କଥାରେ ଆଉ ଆଗ ପରି ପାଟିଫିଟାଇ ତର୍କ କରୁ ନାହାଁନ୍ତି।ମାଆର ପ୍ରତିକାମରେ ତୃଟି ବାଛୁ ନାହାଁନ୍ତି।ପୁଅ ମାନଙ୍କୁ ଅନୁଶାସନର ପାଠ ପଢାଉ ନାହାଁନ୍ତି।ଏବେ ସମସ୍ତେ ନିଜ ନିଜକୁ ଛଅ ପାଆ।ଯେ ଯାହା ମନ କରୁଛି ସେ କାମ କରୁଛି। ଦିନ ଥିଲା ବାପା ଯାହା ଚାହିଁବେ ତାହା ହିଁ ଘରେ ହେବ।ବହୁତ ଅନୁଶାସନ ପ୍ରିୟ ଥିଲେ ସେ।ଯଦି କିଏ ଅନୁଶାସନ ଭାଙ୍ଗିବ ତାର ରକ୍ଷାନାହିଁ। ଛାଟ ଟିଏ ଆଣି ସ୍ଥାନ ଅସ୍ଥାନ ନ ଦେଖି ବସାଇଦେବେ ଦୁଇ ଚାରିପାହାର।ମାଡ ଭୟରେ ପିଲାଏ କିଛି ଭୂଲ କରିବାକୁ ଡରୁଥିଲେ। ତାଙ୍କ ଘର ପୁରା ବ୍ୟବସ୍ଥିତ ନିୟନ୍ତ୍ରୀତ ହେଇ ସୁରୁଖୁରୁରେ ଚଳୁଥିଲା। ପୁଅଝିଅ ସମସ୍ତେ ଭଲ ପାଠପଢୁଥିଲେ ଓ ଏବେ ବଡବଡ କାମ କରୁଛନ୍ତି । ବୋହୁ ମାନେ ଆସିବା ପରେ କିନ୍ତୁ ବାପା ନରମ ପଡିଗଲେ।ପରଘର ଝିଅ ପାଖରେ ନିଜର ସେ ଉଗ୍ରରୂପ ହେବା ତାଙ୍କୁ ଅଶୋଭନୀୟ ଅଭଦ୍ରତା ପରି ଲାଗିଲା ବୋଧହୁଏ। ତଥାପି କେତେଥର ସେ ଟାଣକରି ପାଟିକରିଛନ୍ତି । ବୋହୁମାନେ କିନ୍ତୁ ତାଙ୍କ କଥାକୁ ଗୁରୁତ୍ବ ଦିଅନ୍ତିନି।ସବୁଗୁଡା ଶିକ୍ଷିତା ଚାକିରିଆବୋହୁ ନିଜ ଉପାର୍ଜନରେ ଚଳୁଛନ୍ତି । ସେମାନେ ବା ଶଶୁରଙ୍କୁ ଡରିବେ କାହିଁକି ? ତାଙ୍କ କଥାର ଗୁରୁତ୍ବ କମିଯିବା ଦେଖି ବାପା ଧିରେ ନରମ ପଡିବାକୁ ଲାଗିଲେ । ଯିଏ ଯାହା କଲା ଆଉ ପାଟି ଫିଟେଇଲେ ନାହିଁ।ନିଜ ଡାଏଟ୍ ପ୍ରତି ସଜାଗ ଥିବା ବାପା ଏବେ ଯାହା ମିଳୁଛି ଖାଇ ନେଉଛନ୍ତି । ହେଲେ ଦିନ ଥିଲା ବାପା ବହୁତ ରାଗିଥିଲେ।ରମେଶର ଗୋଟିଏ ଘଟଣା ମନେ ଅଛି ଥରେ ବାପା ଚା ପିଇବା ଆରମ୍ଭ କରିଛନ୍ତି ସେ ଦଉଡି ଆସିଲା ତାଙ୍କ କୋଳକୁ ଆଉ ତାରିଫଳରେ ବାପାଙ୍କ ହାତଟି ହଲିଯାଇ ଚା ଯାଇ ପଡିଲା ବାପାଙ୍କ ଜଙ୍ଘ ଉପରେ।ଲୁଙ୍ଗିଟିଏ ପିନ୍ଧିଥିଲେ ବାପା ସେଦିନ।ଘରେ ଥିଲାବେଳେ ସେ ଲୁଙ୍ଗି ନହେଲେ ଧୋତି ପିନ୍ଧନ୍ତି।ଅଫିସଗଲେ ପେଣ୍ଟସାର୍ଟ ପିନ୍ଧନ୍ତି। ଯେମିତି ଚାପଡି ଚଟ୍ କଲା ବାପାଙ୍କ ହାତ ଶିଘ୍ରତାର ସହ ଉଠି ଗୋଟିଏ ଜୋର୍ଦାର ଚଟକଣା ପଡିଲା ତାର ଗାଲରେ ଆଉ ସେଇ ଚଟକଣାର ପ୍ରତିକ୍ରିୟା ସ୍ବରୁପ ତା ପେଣ୍ଟ ଓଦାହୋଇ ଗଳିପଡିଲା ପରିଶ୍ରା। ମାଡର ଚୋଟରେ ସେ ମୁତି ପକେଇଲା। ସେ ବା କେତେବଡ ଥିଲା ସେତେବେଳେ ମାତ୍ର ଅଢେଇ ବର୍ଷର ଥିଲା। ହେଲେ ବାପାଙ୍କ ଜଙ୍ଘ ବି ଲାଲ୍ ପଡିଯାଇଥିଲା ଗରମରେ। ବାପା ଅଫିସରୁ ଆସିଲେ ତାଙ୍କର ପଛପଛ ହେଉଥିବ ସେ। ଯୁଆଡେ ଗଲେ ତାଙ୍କ ସହ ଯିବା ସାତ ଆଠମାସ ହେଉଣୁ ସାଇକେଲର ଆଗ ଝୁଡିରେ ବସି ବୁଲୁଥିଲା । ଠିଆ ହେଇ ଜାଣିଲାପରେ ସ୍କୁଟର ଆଗପଟେ ଠିଆହେଇ ଦୋକାନ ବଜାର ସାଥିରେ ଯାଏ।ବାପା ଯୋଉ ଦୋକାନକୁ ଯିବେ ଦୋକାନୀ ମାନେ ଖୁସିରେ ତାକୁ ଚକଲେଟ ଟେ ନହେଲେ ଜେମ୍ସ ପେକେଟ୍ ଟେ ଧରାଇ ଦିଅନ୍ତି । ସେ ଖୁସି ହେଇ ଖାଏ । ବାପା ଡାକ୍ତର ଥିବାରୁ ସବୁ ଦୋକାନୀଙ୍କ କାମରେ ଆସନ୍ତି।ସେଥିପାଇଁ ତାର ଭାଉ ବି ବଢିଯାଏ ତାଙ୍କ ପୁଅ ହିସାବରେ। ସବୁ ଦେକାନୀ କିଛି କଛି ଜିନିଷ ତାକୁ ଦିଅନ୍ତି ଖୁସିରେ।ବହୁତ ଗୁଡାଏ ଚକଲେଟ ଜେମ୍ସ ଧରି ଘରକୁ ଆସିଲେ ତା ମାଁ ଚକଲେଟ୍ ତକ ଆଣ ଗଣିବା କହି ମାଗନ୍ତି।ସେ ଦେବାକୁ ମନା କରୁଥାଏ । ହେଲେ ମାଆ କଥାରେ ଭୁଲାଇ ଚକଲେଟ୍ ରଖୋଳ ଖୋଲିଦେବିକହି ଜେମ୍ସ ପେକେଟ କୁ କଇଞ୍ଚିରେ କାଟି ଅଧା ଜେମ୍ସ ଗଣିବା ବାହାନା କରି ରଖି ନିଅନ୍ତି । ସେ ଜାଣି ପାରେନି । ପରେ ସେ ଗୁଡାକ କାନ୍ଦିଲେ ଖାଇବାକୁ ଦିଅନ୍ତି।ଟିକେ ବଡ ହେବାପରେ ପାଠପଢା ବି ଥରେଥରେ ଦେଖାଦେଖି କଲେ ଯଦି ଭଲ ଉତ୍ତର ନଦେଲେ ବହୁତ ରାଗୁଥିଲେ।ବିଧା ଥାପଡ ଛାଟ ଯେତେବେଳେ ଯାହା ମନକରୁଥିଲା ବସାଇ ଦେଉଥିଲେ ତାଙ୍କ ଭାଇଭଉଣୀଙ୍କ ପିଠିରେ।ସେଥିପାଇଁ ସେମାନେ ଟିଉସନ ମାଷ୍ଟର ପାଖେ ପଢିବା ବେଶି ପସନ୍ଦ କରୁଥିଲେ । ଶିକ୍ଷକ ତ ମାରୁନଥିଲେ। ହେଲେ ବାପା ପ୍ରଥମେ ମାରିବେ ତାପରେ ବତାଇବେ ସେ ପ୍ରଶ୍ନର ଉତ୍ତର ବିଷୟରେ । ତେଣୁ ସମସ୍ତେ ଡରୁଥିଲେ ତାଙ୍କୁ।କେବଳ ପିଲାମାନ ନୁହଁନ୍ତି ତାଙ୍କ ଭାଇ ଭଉଣୀମାନେ ବି ଡରୁଥିଲେ ତାଙ୍କୁ । ସେ ଯାହା କହୁଥିଲେ ସଭିଏଁ ମାନୁଥିଲେ ତାକୁ । ହସ୍ପିଟାଲ୍ ରେ ସେ ଇନ୍ଚାର୍ଜ ହେତୁ ସବୁ ନିୟମ କଡାକଡି ପାଳନ କରୁଥିଲେ । ତାଙ୍କ ଅଧସ୍ଥନ କର୍ମଚାରିମାନେ ତାଙ୍କୁ ବହୁତ ଡରୁଥିଲେ । ସେ କେବେ ଅନୀତି କରୁ ନ ଥିଲେ କି କାହାକ କରିବାକୁ ଦେଉ ନଥିଲେ।ଅଫିସ ଗାଡି ନିଜ ବ୍ୟକ୍ତିଗତ କାମପାଇଁ କେବେ ବ୍ୟବହାର କରୁନଥିଲେ । କାହାଠାରୁ ଲାଞ୍ଚ ବା ଉପହାର ନେଉ ନଥିଲେ। କିଏ ଫିଜ ଟଙ୍କା ଯଦି ଦେଇ ପାରୁନଥିଲା ଓ କିଛି ଘର ଜିନିଷପତ୍ର ଯେମିତି ଶାଗ ସବ୍ଜି ଛତୁ ନେଇ ଆସୁଥିଲା ତାହେଲେ ସେତକ ମାଆ ରଖୁଥିଲେ । ଏତେ ନିୟମ କାନୁନ ଭିତରେ ଚଳି ଚଳି ସେମାନେ ପିଲାମାନେ ଟିକେ ହୁଗୁଳା ହେବାର ରାସ୍ତା ଖୋଜୁଥିଲେ। ଚାକିରୀ କଲାପରେ ଏବେ ମନ ମର୍ଜିରେ କିଛି କରି ପାରୁଛନ୍ତି। ବାହାର ଫୁଟ୍ପାଥ ଜିନିଷ ଖାଇବାକୁ ମନାକରୁଥିଲେ ବାପା ଜଣେ ଡାକ୍ତର ହିସାବରେ। ହେଲେ ଏବେ ନିଜଗୋଡରେ ଠିଆହେଲା ପରେ ସମସ୍ତେ ଗୁପ୍ଚୁପ୍ ଆଦି ବାହାରେ ଖାଇନେଉଛନ୍ତି । ଏବେ ବାପା ଆଉ ଆଗପରି ଗାଳି କରୁନାହାଁନ୍ତି। ସେମାନେ ଛୋଟ ଥିଲାବେଳେ ଯୋଉ ଭୂଲ ପାଇଁ ସେ ଗାଳି କରୁଥିଲେ ଏବେ ସେ ଭୁଲ ତାଙ୍କର ନାତି ନାତୁଣୀ କଲେ ଓ ସେମାନେ ଗାଳିକଲେ ବାପା ଓଲଟା ତାଙ୍କୁ ଗାଳିକରୁଛନ୍ତି। ନାତିନାତୁଣୀ ଏବେ ତାଙ୍କର ପିୟ ହେତୁ ନୀତିନୀୟମ ବି ହୁଗୁଳା କରିଦେଲେଣି। ସେଥିପାଇ କହନ୍ତି ମୂଳଠୁ ସୁଧ ଅଧିକ ପ୍ରିୟ ବୋଲି। ଆଜି ହସପିଟାଲରେ ବାପାଙ୍କ ପାଇଁ ଚା କପ୍ ଟେ ଥର୍ମସ୍ ରୁ ଢାଳିକି ଦେଲାବେଳେ ତାଙ୍କ ହାତ ହଲି ଯାଇ କିଛି ଚା ତା ଦେହରେ ପଡି ଚଟ୍ କଲା। ସେତେବେଳେ ପୁରୁଣା ଚା ର ସ୍ମୃତି ଉଜାଗର ହୋଇଉଠିଲା ରମେଶର ମନଭିତରେ। ଏବେ ବାପାଙ୍କୁ ତାଙ୍କର ଆବଶ୍ୟକତା ପଡୁଥିଲା। ସେ ଏବେ ପିଲାଟେ ପାଲଟି ଯାଇଥିଲେ। ଦିନଥିଲା ସେ ତାଙ୍କୁ କେତେ ଆକଟ କରୁଥିଲେ ଆଉ ଆଜି ସେମାନେ ତାଙ୍କୁ ଆକଟ କରୁଛନ୍ତି। ଏଇହିଁ ତ ଦୁନିଆଁ ଜୀବନର ଚକ ଘୁରି ଚାଲିଛି।ଆଜିର ଶିଶୁ କାଲିକୁ ବାପା ବନିବ ଓ ବାପା ପୁଣି ଶିଶୁଟେ ପାଲଟିଯିବେ ବୃଦ୍ଧ ହେଇଗଲାପରେ। ଏବେ ବାପାଙ୍କ ପାଇଁ ତା ମନରେ ବଡ ଦୟା ଆସୁଥିଲା। ସେ ଆଗର ବାପା ଓ ଏବର ବାପାଙ୍କ ଭିତରେ ପାର୍ଥକ୍ୟ ଖୋଜୁଥିଲା।
