ବ୍ଯାଧି
ବ୍ଯାଧି
କେତେ ଦିନରୁ କାଇଁ ପାଦ ଦିଟା ଫୁଲିରହୁଥିଲା, ସାଧାରଣ ଶବ୍ଦ ଟୋପେ ବି ଅସଯ୍ଯ ହେଉଥିଲା, ଆଖି ଭିତରେ ଲାଲି ଶିରା ସବୁ ଗଛପତର ଡାଳ ମେଲିଲା ପରି ଶାଖା ପ୍ରଶାଖା ମେଲୁଥିଲେ, ମୁଣ୍ଡ ଟା ଭାରିଭାରିଆ ଲାଗୁଥିଲା ।
ଏକା ଏକା ଘରଟାରେ କୋଉ କଥାରେ ମନ ଲାଗୁନଥିଲା ।ଜଞାଳ ଗୁଡା ଗୋଟେ ଦୃଷ୍ଟି ରୁ ଭଲ .... ଖଟାଏ ତ ।ବ୍ଯସ୍ତ ତ ରଖେ ଘଣ୍ଟା କଣ୍ଟା ସକାଳୁ ଯେ ରାତିଯାଏ ।ଏ ପିଲେ କାହିଁକି ବଡ ହେଇଯାନ୍ତି କେଜାଣି, ସବୁଦିନେ କାଇଁ ସ୍କୁଲରେ ପଢନ୍ତିନି, ଘର ସାରା ଖେଳନା ପକାନ୍ତିନି,ମା, ମା ମା ଡାକି ଚହଳାନ୍ତିନି,ଆଜି ଏଇଟା କାଲି ସେଇଟା ବରାଦ ଆଉ କେହି କାଇଁ କରୁନି,ମୁହଁ ଫୁଲେଇ କିଏ ବି ରୁଷୁନି, ଖଟ ଯାକ ବିସ୍କୁଟ୍ ଗୁଣ୍ଡ କାଇଁ ମିଳେନି ....ଏବେ ଏଇଟା କଣ ଖଟ ??? ଧେତ୍ ଏଇଟା ଖାଲି ଚାରିଗୋଡରେ ଠିଆ ଚଦର ପିନ୍ଧା ନିର୍ଜୀବ ଟେ ଠିକ୍ ମୋ ପରି । ଏ ଡେଣା ସବୁ କାଇଁ ଗଢା ହେଇଛି ଯେ ?? ସମୟ ଟା ବୋଧେ ଇର୍ଷାଳୁ ,ସହିପାରେନି ....ଆଉ ଟିକେ ଧିରେ ଚାଲିଲେ କଣ ହନ୍ତାନିକି ।ଛାଡ ଏଇ ତ ରିତିନୀତି ଦୁନିଆର, ଆଉ କଣ କରିବା ! ପଢିବେ,ବଢିବେ, ଉଡିଯିବେ ।ଆମେ ବି ତ ........।କୋଉ ନୂଆ କଥା ଯେ ।
କାଲି ଯାଏ ଆଦିତ୍ଯ କୁ ଦେଖେଇଆସେ ।ଦୂରରେ ଥାଇ ବି ମୋ ଚଢେଇ ମାନେ ମୋ ପାଇଁ ଛଚପଟ ହେବେ ,ଭଲ ଲାଗିବନି । ଆମେ ଭଲ ରହିଲେ ସେମାନେ ନିଶ୍ଚିତ ହୋଇ ତାଙ୍କ ସ୍ବପ୍ନ ଛୁଇଁ ପାରିବେ ।
_ହ୍ଯାଲୋ ଡକ୍ଟର ।
_ ଆରେ ତୁ ।ଆ ... ବ ।ଟିକେ ୟାଙ୍କୁ ଦେଖିଦିଏ କଥା ହବା ।
_ହୁଁ ।ତୁ ସାରେ ।
ସାଇଡ୍ ଚକ ଲଗା ଘୂର୍ଣ୍ଣୟମାନ ଚେୟାର ଉପରେ ଗୋଟେ ଅବୁଝା ମେଡିସିନ୍ ବହି ଧରି ପୃଷ୍ଠା ଲେଉଟେଇ ଛବି ଦେଖିବାରେ ଲାଗିଲି ।କାନଟା ସେପଟେ ଥିଲା ଆପେ ଆପେ ।ସେ ପେସେଣ୍ଟ ସିଟ୍ ରେ ବସିଥିବା ମହିଳା ଜଣକ ମତେ ଏମିତି ଗାରେଢେଇ ଚାହିଁଲେ ଯେମିତି ମୁଁ ତାଙ୍କର ସବୁ ରହସ୍ୟ ଜାଣିଯିବି । ମତେ ଅକ୍ୱାର୍ଡ ଫିଲ୍ ହେଲା .....ଅଗତ୍ଯା ମୁଁ ବାହାରେ ବସିଛି କହି ବାହାରିଆସିଲି ।
ଭିତରୁ ଯୋର୍ ପାଟି ଶୁଭିଲା ।
_କାହିଁକି, କାହିଁକି, କାହିଁକି ନା ।ସିଏ କାଇଁ ନବ ନା ଆଗେ ।ହେଁ ...ମୋର କଣ କିଛି ନାହିଁ କି ।ଆଆଆରେ, କଣ ବୋଲି ସିଏ ପାଇଚି କି ମତେ, ଚିହ୍ନିନି ।ତାର ସବୁ ଦିନକୁ ମୋର ଦିନେ ।
_ହେ ରଃ ।କାଇଁ ଗୋଟା ପାଟିଟା କରି ଫଟଉଛୁ ।କଲିଜା ବା ଅଧା ଜଳିଗଲାଣି ଏଇ ଚିଲେଇ ଚିଲେଇ ।କାଇଁ ଗୋଟା ରାହାବାଳୀ ଭଳିଆ ରଡିଟା କଲୁ ।ଶୁଣୁ ଡାକ୍ତର ବାବୁ ଙ୍କୁ ଆଗେ ।
_ ହୁଁ, କ'ଣ ହେଇଛି କହିଲେ??? ଦେଖି ପ୍ରେସ୍କ୍ରିପ୍ସନ୍ ।ସମସ୍ଯା କଣ ???
ମୁଁ ବାହାରେ ଥାଇ ଆପେ କାନେଇଲି ।ଏ କାନ ଦିଟା ଲମ୍ବି ଗଲେ ଦି ଦି ଇଞ୍ଚ୍ ସେପଟକୁ ।
_ ମୋ ଗଛ,ମୋ ନଡିଆ, ମୋ ବରଡା ।ମୁଁ ପିନ୍ଛ ତିଆରିବି ,ଆସନ ବୁଣିବି, ଜାଳ କରିବି ,ତେଲ ମାରିବି,ଭାଙ୍ଗିଦେବି,କି ଫିଙ୍ଗି ଦେବି ,ଯାହା ମନ ତାହା କରିବି ।ତା ଭାଗରେ କଣ ଗଛ ନାଇଁ କି ହାଁ ,ଗଣ୍ଡାଏ ଗଣ୍ଡାଏ ବା ବାଣ୍ଟରେ ପଡିଛି ।ମୋ ପଟ ଗଛରୁ କାଇଁ ନଡିଆ ତୋଳି ନଉଛି ରାତିଆ ଚଢିକି??? ମୁଁ ପା କଷି ଗଣିକି ରଖୁଛି ।ବିଲେଈ ଆଖି ବୁଜି ବୁଜି ଅତି ଚାଲାକି ଆଉ ।
_ ଆଛ୍ଛା, ଆଛ୍ଛା ।ହେଲା ।ଏଇ କଥା ତ ।ମୋ ବାରିରୁ ମୁଁ ଆପଣଙ୍କୁ ପ୍ରତି ଚେକ୍ଅପ୍ ରେ ଦିଟା କରି ନଡିଆ ଦେବି ।ଆପଣ ମେଡିସିନ୍ ଠିକ୍ ସେ ଖାଇବେ ଓ ଆରାମ କରିବେ ।
_ ଆପଣ କାଇଁ ଦେବେ???
_ ଆରେ ନଡିଆ ମୋର କିଏ ଖାଉଛି??? ତମେ ନେଇଯିବ ହୁଁ ।ମୁଁ କହିଦଉଛି ।।ହା ହା ।
ସେ ମହିଳା ତାଙ୍କ ସ୍ବାମୀଙ୍କ ସହ ବାହାରି ଗଲେ ।ପୁରା ଚୁପ୍ ଥିଲେ ଓ ଆଲିଜିଆ ଦିଶୁଥିଲେ ।ଦୟା ଲାଗିଲା ଦେଖିକି ।
_ଆରେ ସତ୍ଯ ଆ ।ଭିତରକୁ ଆ ।
ପାହାଚ ଚଢି ଆଦିତ୍ଯ ର ଚ୍ଯାମ୍ବର କୁ ପଶୁ ପଶୁ କହିଲି
_ କିରେ କଣ ନଡିଆ ବାଣ୍ଟିଲୁଣି ।ନୂଆ ମେଡିସିନ୍ ହମ୍ ।ହା ହା ।
_ ବସ୍ ବସ୍ ।କଣ ତୋର ହେଲା କହ ।ତୋ ପାଦ କାଇଁ ଫୁଲିଛି କିରେ??? ଲୁଣ ବେଶୀ ଖାଉଛୁ କି ??? ଲୁଣ ,ଚିନି ଦିଟା ହ୍ବାଇଟ ପଏଜନ୍ ।
_ ନା ।ତତେ ବାସ୍ ଦେଖାକରିବାକୁ ଆସିଗଲି ।ସମୁଦ୍ର କୂଳିଆ ଲୋକ ତ ,ଲୁଣି ଅଂଶ ରକ୍ତ ରେ ଅଛି ।ପାଦ ଆଡୁ ମୋଟା ହେଇ ହେଇ ଆସୁଛି ।ହେଲ୍ଦି ଲକ୍ଷଣ ନା ।ସବୁ ଠିକ୍ ଅଛି ।
_ ଗାଲୁଆମୀ କରନି, ହାତ ଦେଖା ଏପଟେ ।
ସେ ବିପି ମପା ମେସିନ୍ ର ଉଠୁଥିବା ମାପକ ଦଣ୍ଡ ଆଡେ ମନ ଦେଲା ।
ମୁଁ ଭାବୁଥିଲି ମଣିଷ ତା ଜୀବନ ରେ ପାଖରେ ଥିବା ଜିନିଷ ର ମୂଲ୍ୟ କେବେ ବୁଝିବ ??? ସବୁ ବେଳେ ହରେଇଦେଲା ପରେ କାଇଁ ପସ୍ତେଇବ??? ସାଧାରଣ ଜିନିଷ ବା କ୍ଷଣିକ ସୁଖ ପାଇଁ କାହିଁକି ସବୁବେଳେ ଜଳିବ??? ଯେତେବେଳେ କି ସେ ସବୁ ଏଇଠି ପଡିଥିବେ ଅଥଚ ସେ ଏକା ଚାଲୁଥିବ ଅନନ୍ତ ପଥ !!!
