ବୁଝାମଣା
ବୁଝାମଣା
ସେବତୀର ଅନେକ ଦିନରୁ ଅଣ୍ଟା ଦରଦ ହେଉଥିଲା।ବେଚାରୀ ବଡ କଷ୍ଟରେ ଘରକାମ କରୁଥିଲା।ଝିଅ ସୁଲଭା ନିଜ ବାଟରେ କଲେଜ କାମ କରୁଥାଏ ଲ୍ୟାପଟପ୍ ଟେ ଧରି।ପୁଅ ବୋହୁ ଅନେକ ଦିନରୁ ଘରଛାଡି ଯାଇଥିଲେ ସହରକୁ।ବୋହୁ ଘରେ ବସି ବସି ବିରକ୍ତ ହେଉଥିଲା।ସହରକୁ ଯିବା ପରେ ଏବେ କଣ ଗୋଟେ କାମ କରୁଛି। ସେବତୀ ଚାହୁଁ ନ ଥିଲା ତା ବୋହୁ ଚାକିରି କରୁ।ସେ ଏବେ ଘରକାମ ପାଇଁ ଅପାରଗ ହେଲାଣି ସଭିଏଁ ଯାକ ଯଦି ଅଫିସ ଯିବେ ଘରକାମ କରିବ କିଏ?
ସେ କଣ ସବୁଦିନ ଆଗପରି ଖଟି ପାରିବ।ପିଲାମାନେ ଛୋଟ ଛୋଟ ଥିଲେ ତ, ସ୍ବାମୀ ନକୁଳବାବୁ ଚାଲିଗଲେ।
ସ୍ବାମୀଙ୍କ ପେନସନ ପଇସାରେ ସେ କଷ୍ଟେମଷ୍ଟେ ଘର ଚଳାଉଥିଲେ।ଦୁଇ ଏକର ଜମିରୁ ଖାଇବା ଚାଉଳ ବାହାରୁ ଥିଲା।ସେ ସିଲେଇ କରି ଘରଖର୍ଚ୍ଚ କିଛି ବାହାର କରୁଥିଲେ।ପିଲାଙ୍କୁ ବଡ କଷ୍ଟରେ ଶିକ୍ଷିତ କଲେ।ହେଲେ ପିଲାଏ ଚାକିରି କଲାପରେ ଘରର ଦାୟିତ୍ବ ମୁଣ୍ଡାଉ ନାହାଁନ୍ତି।ସବୁଦିନ ଯଦି ଦାୟିତ୍ବହିନ
ହୋଇ ରହିବେ ତାଙ୍କପରେ ଘର ଚଳାଇବେ କିପରି?
ଝିଅର ବିବାହ ହୋଇ ସାରିଛି।ଶାଶୁଘରେ ଭିଡକାମ କହି ମାଆ ପାଖେ ଆସି ରହିଛି।ଏଠି ଅନଲାଇନ କାମ କରୁଛି।ସେଠି ତା ସ୍ବାମୀ ତାଙ୍କ ଘରେ ରହୁଛି।ଝିଅ ଘରେ ରହି ଭାଇବୋହୁ ଉପରେ ହୁକୁମ ଚଳାଉଛି।ବୋହୁ ଚାକିରି କରୁନଥିଲା ବୋଲି ଘରର ସବୁ କାମ କରୁଥିଲା।ଶେଷରେ ସେବି ବିରକ୍ତ ହୋଇ ପୁଅ ସହ ସହରକୁ ଚାଲିଗଲା।
ସେବତୀର ଦୁଃଖ କାହାକୁ ଦେଖା ଯାଉନ ଥିଲା।ଦିନେ ସକାଳୁ ଆଉ ଉଠି ପାରିଲାନି।ବଡ ଦରଦ ହେଉଥିଲା
ଅଣ୍ଟାରେ।ଝିଅ ସେପଟେ ସକାଳୁ ଚାଆ ମାଗୁଥିଲା।
ସେବତୀ କହିଲା ମୁଁ ଆଉ ପାରିବିନି।ତୁ କାମରୁ ଛୁଟି ନେଇ ଘରକାମ କର।ଝିଅ କହିଲା ମୋ ଦେଇ କାମ ହୁଏନି ବୋଲିତ ଏଠି ଆସି ରହୁଛି।ନହେଲେ ଶାଶୁଘରେ ରହନ୍ତିନି କି?
ସେଦିନ ସେବତୀର ପାରା ବି ଚଢି ଥିଲା।ସେ କହିଦେଲା।ବିବାହିତ ଝିଅ ଶାଶୁଘରେ ହିଁ ସୁନ୍ଦର ଲାଗେ।ମାଆଘରେ ରହିଲେ ବୋଝ ହୋଇଯାଏ ।
ତୋର ବ୍ୟବହାର ପାଇଁ ତୋ ଭାଇବୋହୁ ବି ଅଶାନ୍ତିହୋଇ ଘର ଛାଡି ଚାଲିଗଲା।ତୁ ଏଠି ଆସି ମୋ ଘର ଭାଙ୍ଗିଛୁ।
ତୁ ବସି ଆରାମ କରିବୁ ଆଉ ସେ ବୋହୁ ବୋଲି ସବୁ କାମ କରିବ ଏ କୋଉଠିକା ନ୍ୟାୟ?
ଯଦି ଭଲ ଚାହୁଁଛୁ ନିଜ ସ୍ବାମୀ ପାଖକୁ ଫେରିଯାଆ ନିଜ ପରିବାର ସମ୍ଭାଲ।ନହେଲେ ପରେ କିଛି ଉଚ୍ଚ ନୀଚ୍ଚ ହେଲେ ପଛରେ ପସ୍ତାଇବୁ।
ମାଆର କଥା ସେଦିନ ସୁଲଭାକୁ ବଡ ବାଧି ଥିଲା।ସେ ନିଜ ସ୍ବାଭିମାନ ଧରି ଶାଶୁଘର ଚାଲିଗଲା।
ସେବତୀର ଅଣ୍ଟା ପଡିଯିବା ଖବର ପାଇ ତା ବୋହୁ ବେବିନା ଘରକୁ ଚାଲି ଆସିଲା।ଘରର ଯାବତୀୟ କାମ ସମ୍ଭାଳିନେଲା।ଶାଶୁଙ୍କୁ ନେଇ ହସପିଟାଲ ଗଲା।ଡାକ୍ତର କହିଲେ ଫିଜିଓ ଥେରୋପି ନେବାକୁ ହେବ।ବେବିନା ଏବେ ପ୍ରତିଦିନ ଶାଶୁକୁ ଅଟୋକରି ଡାକ୍ତରଙ୍କ କ୍ଲିନିକ୍ ଗଲା ଓ ଫିଜିଓଥେରୋପି ଦେଲା।କିଛି ଦିନର ପରିଶ୍ରମ ପରେ ସେବତୀ ପୁରା ଭଲ ହୋଇ ଯାଇଥିଲା।ସେ ନିଜ ବୋହୁ ଉପରେ ଏବେ ବଡ ଖୁସି ଥିଲା।ତା ବୋହୁ ଘରକାମ ଓ ନିଜ ଦାୟିତ୍ବ ଭଲ ଭାବରେ ତୁଲାଉଥିଲା।ସେଥିପାଇଁ ସେ ବୋହୁର ମନକଥା କୁ ବି ଧ୍ୟାନ ଦେଲା।ବେବିନା ଯଦି ଚାକିରି କରିବା ଚାହୁଁଛି ସେ ଆଉ ମନା କରିବନି ବୋଲି ଭାବିଲା।
ବେବିନା ବି ଏବେ ଅନଲାଇନରେ ନିଜ କାମ ଆରମ୍ଭ କରିଦେଲା।ସେ ଜଣେ ଇଞ୍ଜିନିୟର ଥିଲା।ନିଜ ଦରମାରେ ସେ ଜଣେ ଚାକରାଣୀ ନିଯୁକ୍ତି କଲା ଶାଶୁଙ୍କ କାମ ସହ ଘରର କାମ ଦେଖିବ ବୋଲି।ନିଜ ସମୟ ବାହାର କରି ସେ ରୋଷେଇକାମ ବି ତଦାରଖ କରୁଥିଲା।ଏବେ ଘରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ହୋଇଥିଲା।ଝିଅବି ଶାଶୁଘରେ ଯିବାପରେ ସେଠିକା ଦାୟିତ୍ବ ଏବେ ଭଲରେ ସମ୍ଭାଲୁଥିଲା। ନିଜର ଭୂଲ ସେ ଅନୁଭବ କରି ପାରିଥିଲା।ଦିନେ ସେବତୀକୁ ଫୋନକରି କହିଲା ମାଆ ତୁମର ଟାଣ କଥା ପାଇଁ ମୁଁ ଆଜି ମୋ ଭୂଲ ବୁଝି ପାରିଲି।ଏବେ ମୋ ପରିବାର ଠିକ ରେ ଚାଲୁଛି।ମୁଁ ଏବେ ଗର୍ଭବତୀ ଅଛି।
ଉତ୍ତମ ବୁଝାମଣା ହେତୁ ଏବେ ଦୁଇଟା ପରିବାର ସୁଖରେ ଚଳିଲେ। ସେବତୀ ଝିଅକୁ ଟାଣକଥା ଶୁଣାଇ ଥିବାରୁ ମନ ଦୁଃଖ କରୁଥିଲା ଯେତେବେଳେ ଜାଣିଲା ଝିଅ ଏବେ ସୁଖରେ ଅଛି ତା ମନର ଗ୍ଲାନି ଦୂର ହୋଇଗଲା। ବୁଝାମଣା ଠିକ ଥିଲେ ଘରେ ଶାନ୍ତି ପ୍ରତିଷ୍ଠା ହୁଏ।
