STORYMIRROR

PRIYANKA PRIYADARSINI

Tragedy Inspirational

4  

PRIYANKA PRIYADARSINI

Tragedy Inspirational

ବୁଢ଼ା ଓ ବରଗଛ

ବୁଢ଼ା ଓ ବରଗଛ

2 mins
307

        ବୁଢ଼ା ଜଣଙ୍କ ସବୁଦିନ ଭଳି ଆଜି ମଧ୍ୟ ସକାଳ ବୁଲାରେ ବାହାରିଥାନ୍ତି। ଆଜି କିନ୍ତୁ ଏକା ନୁହଁ, ସାଙ୍ଗରେ ଥାଆନ୍ତି କୋଡ଼ିଏ ଏକୋଇଶି ବର୍ଷର ନାତି ଟୋକା। ରାତି ଥାଇ ଦୁହେଁ ଯାଇଥିଲେ ଯେ ସିନ୍ଦୂର ଫଟା ବେଳକୁ ଫେରୁଥାନ୍ତି। ହଠାତ୍ କଣ ହେଲା କେଜାଣି ଘର ଆଗରେ ଥିବା ଥୁଣ୍ଟା ବର ଗଛଟା ତଳେ ହୋଇଥିବା ଚାନ୍ଦିନୀ ଉପରେ ବୁଢ଼ା ବସି ପଡ଼ିଲେ। ନାତି ଟୋକା ମଧ୍ୟ କିଛି ସମୟ ବସିଲା, ତାପରେ ଭିତରକୁ ଚାଲିଗଲା ଧୁଆ ଧୋଇ ହୋଇ ଜଳଖିଆ ଖାଇବା ପାଇଁ। ଅନେକ ବର୍ଷ ପରେ ଆଜି ବୁଢ଼ାର ପୁଅ ବୋହୂ ଓ ନାତି ଘରକୁ ଆସିଥିଲେ। ବୁଢ଼ା କିନ୍ତୁ ସେ ଚାନ୍ଦିନୀ ଉପରେ ବର ଗଛ କୁ ଆଉଜି ହୋଇ ବସି ପଡ଼ିଲେ। ଉପରକୁ ଅନାଇ କିଛି ଗୋଟେ ଭାବୁଥିଲେ ବୋଧେ। 

          ହଁ ଭାବୁଥିଲେ ସମୟର ସ୍ରୋତ କେତେ ଶୀଘ୍ର ଚାଲିଯାଏ। କିନ୍ତୁ ଜୀବନର ଏ ଅଶୀ ବର୍ଷ ଏତେ ଶୀଘ୍ର ଚାଲିଯିବ ସେକଥା କଣ ସେ କେବେ ଭାବିଥିଲେ। ସବୁ ଘଟଣାର ସାକ୍ଷୀ ଏଇ ଥୁଣ୍ଟା ବର ଗଛ ଟି ଯାହା। ପିଲାଟି ଦିନରୁ ଏଇ ବରଗଛ ତଳେ ହିଁ ଖେଳି ଆସୁଥିଲେ। ସାଙ୍ଗସାଥି ଙ୍କ ଗହଣରେ ମାଙ୍କଡ ଡ଼ିଆଁ ହେଉ କି ଲୁଚକାଳି, ଏଇ ବର ଓହଳରେ ହିଁ ଖେଳି ଆସୁଥିଲେ। ଧିରେ ଧିରେ ବଡ଼ ହେଉଥିଲେ। ଯୁବା ଅବସ୍ଥାରେ ଏଇଠି ବସି କେତେ ଖଟି କରୁଥିଲେ। ପୁଣି ତାଙ୍କ ବିବାହ ସମୟରେ ଏଇ ଗଛ ତଳେ ତ ସମସ୍ତେ ଭୋଜି ଖାଇଥିଲେ। ପୁଣି ଯେତେବେଳେ ତାଙ୍କ ପୁଅ ଜନ୍ମ ହେଲା ଏହାରି ତଳେ ମେଳା ହୋଇଥିଲା, ଭୋଜି ହୋଇଥିଲା। ତାଙ୍କ ବାପା ମାଆ ଙ୍କ ଶେଷ ଯାତ୍ରା ଓ ଶୁଦ୍ଧିକାର୍ଯ୍ୟ ମଧ୍ୟ ଏହାରି ତଳେ ହୋଇଥିଲା । ତାଙ୍କ ପୁଅର ବାହାଘର ଏମିତି କେତେ କଣ ସବୁଥିର ସାଥୀ ଥିଲା ଏହି ଥୁଣ୍ଟା ବର ଗଛ ଟି। ସମୟ ଆସି ଏଗାରଟା ବୁଢ଼ୀ ଫାଟକ ପାଖରୁ ଡାକରା ଦେଲେ, “ ସମୟ ହେଲାଣି ଆସୁନ ଖାଇବ” ବୁଢ଼ାଙ୍କର ଦେହ ଶୀତେଇ ଉଠିଲା। ଚାଳିଶ ବର୍ଷ ତଳେ ମଧ୍ୟ ତାସ ଖେଳରେ ହଜି ଯାଉଥିବା ବୁଢ଼ା ଙ୍କୁ ବୁଢ଼ୀ ଏମିତି ଗୋଟିଏ ଗୋଟିଏ ଡାକ ପକାଇ ସମୟର ସୂଚନା ଦେଉଥିଲେ। ବୁଢ଼ୀ ଅନେକ ଦିନ ହେଲା ତାଙ୍କୁ ଏକା କରି ଚାଲିଗଲେଣି, ହେଲେ ଆଜି ମଧ୍ୟ ତାଙ୍କ ସ୍ମୃତି ମାନସ୍ପଟ ରେ ତାଜା। ଏମିତି ଅନେକ ଘଟଣା ଘଟି ଯାଇଛି ଏହି ଗଛ ତଳେ। ସେତେବେଳେ ଅଧିକ ଡାଳ ହୋଇ ଯାଉଥିଲେ, ଲୋକମାନେ ନିଜ ନିଜ କାମ ପାଇଁ ସେ ଡାଳ ଗୋଡ଼ିକୁ ହାଣି ନେଇ ଯାଉଥିଲେ ନିଜ ସାଙ୍ଗରେ, ହେଲେ ମଧ୍ୟ ଗଛ ଟି ହାର ମାନି ନ ଥିଲା କେବେ, ପୁଣି ନୂଆ ପତ୍ର ଓ ଡାଳ ମେଲାଇ ଦିଏ। ପୁଣି ଆନନ୍ଦରେ ଶବ୍ଦ କରି ଉଠନ୍ତି ତା ଡାଳ ରେ ବସା ବାନ୍ଧିଥିବା ପକ୍ଷୀମାନେ। ଆଜି କିନ୍ତୁ ସେ ପକ୍ଷୀ ନାହାନ୍ତି, ବୋଧ ହୁଏ ବୁଢ଼ା ବର ଗଛର ସାମର୍ଥ୍ୟ ଉପରେ ସନ୍ଦେହ କରି ଉଡ଼ି ଯାଇଛନ୍ତି କେଉଁ ଏକ ନୂତନ ଗଛର ଆଶାରେ। ନିଜର ବଞ୍ଚିବାର ସାଥୀ କୁ ହରାଇ ବୁଢ଼ା ବରଗଛ ଟି ମଧ୍ୟ ବଞ୍ଚିବାର ଆଶା ଛାଡ଼ିଦେଇଛି ବୋଧେ। କାରଣ ଆଗରୁ ଯେତେ କାଟିଲେ ମଧ୍ୟ ପତ୍ର କଅଁଳେ, ହେଲେ ଆଜି ସେ ଥୁଣ୍ଟା। 

              ବୁଢ଼ା ର ପୁଅ ଆସିଥାଏ, ବୁଢ଼ା କୁ ସାଙ୍ଗରେ ଆମେରିକା ନେଇ ଯିବା ପାଇଁ ଆଉ ଏ ଘରକୁ ଭାଙ୍ଗି ଏଠାରେ ଏକ କଳ କାରଖାନା ତିଆରି କରିବା ପାଇଁ, ଏ ଶହେ ବର୍ଷରୁ ଅଧିକ ବଞ୍ଚିଥିବା ବର ଗଛ ମଧ୍ୟ ହଣା ହେବ। ବୁଢ଼ା ଜଣଙ୍କ ସମାନ କରୁଥାନ୍ତି ନିଜର ଅବସ୍ଥା ସହ ଏ ଘରର ଓ ଏ ଗଛର ଅବସ୍ଥା କୁ। ଧିରେ ଧିରେ ସଞ୍ଜ ନଇଁଲା, ବୁଢ଼ାଙ୍କ ଆଖି ଆଗରେ ବରଗଛ ଭିତରେ କେବଳ ବୁଢ଼ୀର ଚେହେରା ଖେଳି ଉଠୁଥିଲା ଆଉ ବୁଢ଼ାଙ୍କ ଆଖି ମୁଦି ହୋଇ ଆସିଲା ସବୁଦିନ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy